
ଋତମ୍ବର ହେ!
ତୁମ ଭଳି କିଏ ଅଛି
ଋଣ ସୁଝିବାକୁ ପିତୃଦେବଙ୍କର
ବନବାସ ନେଲ ବାଛି ।।(୦)
ଋଷିଗଣ ତୁମ ଦରଶନ ପାଇଁ
ବ୍ୟାକୁଳେ ରହନ୍ତି ଚାହିଁ
ଋକ୍ଷ ଓ ବାନର ବଶୀଭୂତ ହେଲେ
ତୁମ ଦିବ୍ୟ ଗୁଣ ଧ୍ୟାୟୀ
ଋଜୁତା ତୁମର ରାମ ଅବତାରେ
ଜଗଜ୍ଜନ ମନ ମୋହିଛି ।(୧)
ଋଦ୍ଧିମାନ ଆହେ ଜଗତ ନାୟକ !
ଋଷଭଧ୍ବଜ ବନ୍ଦନ !!
ଋଣମୁକ୍ତ ମୋତେ କର ଏ ଜୀବନେ
ତୁଟାଇଦିଅ ବନ୍ଧନ
ଋତି, ଋଦ୍ଧିଦାୟୀ ! ବାରେ କୃପା କର
ପାଦରେ ଶରଣ ପଶୁଛି ।(୨)
ଟୀକା -
ଋତମ୍ବର - ସତ୍ୟସନ୍ଧ, ଋକ୍ଷ- ଭଲ୍ଲୁକ, ଋଜୁତା- ସରଳତା, ଋଦ୍ଧିମାନ- ଲକ୍ଷ୍ମୀବାନ, ସମୃଦ୍ଧିଶାଳୀ ବା
ଐଶ୍ବର୍ଯ୍ୟଶାଳୀ, ଋଷଭଧ୍ବଜ- ଶିବ ଶଙ୍କର, ଋତି- ସୌଭାଗ୍ୟ
ରମେଶ ଚନ୍ଦ୍ର ମିଶ୍ର,
ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ
0 Comments
You can write now your valuable comments here. Off-topic comments may be removed or deleted without prior notice.