Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ରଙ୍କ ମଉସା - ଷ୍ଟାଲିନ ଦାସ


ମଧୁପୁର ଛକ । ଆଖପାଖ ପନ୍ଦର ଖଣ୍ଡ ଗାଁର ଲୋକେ ନିର୍ଭରଶୀଳ ଏହି ଛକ ଉପରେ । ବର ଗଛ ମୂଳରେ ଥିବା ଝୁମ୍ପୁଡି ରଙ୍କ ମଉସାଙ୍କ ଚାହା ଦୋକାନ । ଭାରି ସୁଆଦିଆ ଚାହା କରନ୍ତି, ବଜାରକୁ ଆସିଥିବା ଲୋକ ଯଦି ତାଙ୍କ ଚାହା ନପିଇ ଫେରିଛି ତାହେଲେ ବଜାର ଆସିବା ତାର ବ୍ୟର୍ଥ । ରଙ୍କ ମଉସାଙ୍କ ଦୋକାନରେ ମୂଷା ବୋଲି ପିଲାଟେ କେବେଠୁ ଅଛି, ବୟସର ସଂଖ୍ୟା ସିନା ବଢୁଛି ହେଲେ ମୂଷାର ରୂପ ଭେଷ ଯେମିତିକି ସେମିତି । ଲୋକେ କହନ୍ତି ମୂଷାର କୁଆଡେ ନଘା ନାହିଁ କି ପଘା ନାହିଁ, ଅର୍ଥ କୌଣସି ଜିନିଷ ପ୍ରତି ତାର ଲୋଭ କି ଆଶକ୍ତି ନାହିଁ ନାଁ ଅଛି କିଛି କଥାରେ ଲଗାମ । ଚାହା ପିଉଥିବା ଲୋକ ବି ଟାହି ଟାପରା କରନ୍ତି ମୂଷା ସହ, ରଙ୍କ ମଉସାଙ୍କ ସୁଆଦିଆ ଚାହା ସାଙ୍ଗକୁ ମୂଷାର ଟାହି ଟାପରା ଗ୍ରାହକଙ୍କୁ ବାନ୍ଧି ରଖୁଥିଲା । କୁମ୍ଭାଟିଆ ଡାକ ମାରିବା ପୂର୍ବରୁ କୁଆ କୋଇଲି ବୋବେଇବା ଆଗରୁ ଦାନ୍ତ କାଠିଟେ ପାଟିରେ ଜାକି ସାଇକେଲ ଧରି ଦୋକାନକୁ ବାହାରି ଆସନ୍ତି ରଙ୍କ ମଉସା । ଦୋକାନ ଭିତରେ ମୂଷା ଶୋଇଥାଏ, ସାଇକେଲକୁ କାନ୍ଥରେ ଡେ଼ରି ଦେଇ ମୂଷାକୁ ଡାକି ଉଠାନ୍ତି ଓ ସିଏ ବାଲଟି ଧରି ବାହାରି ଯାଆନ୍ତି ଛକ ମୁଣ୍ଡ ନଳକୁଅ ପାଖକୁ ଗାଧୋଇବାକୁ । ସିଏ ଫେରିଲା ବେଳକୁ ମୂଷା ପାଣି ଛିଞ୍ଚି ଦୋକାନ ଘର ସାମ୍ନାକୁ ଝାଡ଼ୁମାରି ସଫାକରି ସାରିଥାଏ । ଠାକୁରଙ୍କ ପାଖରେ ଧୂପ ଲଗେଇ ଆଞ୍ଚ ଲଗାନ୍ତି ରଙ୍କ ମଉସା, ସେତେ ବେଳକୁ ଆକାଶ ପ୍ରାୟ ଫର୍ଚ୍ଚା ପଡ଼ି ନଥାଏ ହେଲେ କଲିକତା ଆଉ ରାଉରକେଲାରୁ ବସ୍ ଆସିବା ସମୟ ହେଇଯାଇଥାଏ । ଆଖପାଖ ଗାଁର ପ୍ରାୟ ସମସ୍ତଙ୍କ ଘରେ କିଏ ନା କିଏ କଲିକତା ନହେଲେ ରାଉରକେଲାରେ ଥିବେ । ଗାଡି ଶବ୍ଦ ଶୁଣୁଶୁଣୁ ରଙ୍କ ମଉସା ଡାକ ପକାନ୍ତି....ମୂଷା ! ଦୌଡ଼ି ଯା ଦେଖିବୁ କିଏ ଓହ୍ଲେଇଲା । ସଙ୍ଗେ ସଙ୍ଗେ ମୂଷା ପହଞ୍ଚି ଯାଏ ଆଉ ବ୍ୟାଗ ସହ ଜିନିଷ ପତ୍ର ଓହ୍ଲେଇବାରେ ସାହାଯ୍ୟ କରେ , ଆଉ ସବୁକୁ ବୋହି ନେଇ ଦୋକାନ ଭିତରେ ଥିବା ଲଙ୍ଗବେଞ୍ଚରେ ରଖିଦିଏ, ସେପଟେ ରଙ୍କ ମଉସା ପାଣି ମଗ ବଢ଼େଇ ଦିଅନ୍ତି ନେ, କେତେ ବାଟରୁ ଆସିଲୁଣି ରାତି ଅନିଦ୍ରା ହେଇ ମୁହଁ ଧୋଇପକା । ମୂଷା, ସାଇକେଲ ଟା କାଢି ଦେ କହୁ କହୁ ମୂଷା ସାଇକେଲ କାଢି ଜିନିଷ ଲଦିଦିଏ ପଛ କେରିୟରରେ । ଯା.. ପଳା ! ଗାଧୋଇକି ପଖାଳ ଗଣ୍ଡେ ଖାଇ ଶୋଇଯିବୁ । ସାଇକେଲ କଥା ଚିନ୍ତା କରିବୁ ନାହିଁ କିଏ ବଜାର ଆସୁଥିଲେ ପଠେଇ ଦବୁ । କେବଳ ରଙ୍କ ମଉସା କି ମୂଷାର ଏଇଟା ନିତିଦିନିଆ କାମ ନୁହେଁ ବରଂ ତାଙ୍କ ସାଇକେଲ ବି ଏଥିରେ ପୁରା ଅଭ୍ୟସ୍ତ । ଖାଲି କଲିକତିଆଙ୍କ ଜିନିଷ ବୁହେ ଯେ ତାହା ନୁହେଁ ଦିନ ସାରା ପର ସେବାରେ ଲାଗିଥାଏ ।

ଆଜିକାଲିକା ଯୁଗରେ ସିନା ୧୦୮ଆମ୍ବୁଲାନ୍ସ ହେଲା, ହେଲେ ସେ ସାଇକେଲ ଖଣ୍ଡିକ କେତେ ଯେ ରୋଗୀଙ୍କୁ ଡାକ୍ତରଖାନା ବୋହିଛି ତାର ହିସାବ ନାହିଁ । ସେହି ଲାଇନର ସବୁଠୁ ନାଁ କରା ବସ୍ ହେଉଛି ନନ୍ଦିଘୋଷ । ସକାଳ ୭ଟାରେ ଭୁବନେଶ୍ୱର ଯାଏ ଗଲା ବେଳେ କଉବି ଲୋକାଲ ପେସେଞ୍ଜରକୁ ନିଏନି ସିଧା ଭୁବନେଶ୍ୱର, କିନ୍ତୁ ଫେରିଲା ବେଳେ କାହାକୁ ବି ଛାଡେନି । ଯେହେତୁ ସେ ଲାଇନର ଶେଷ ବସ୍ ସେଇଟା ତେଣୁ ଯିଏ ବି ରହିଯିବ ଆଉ ଫେରିବା ପାଇଁ ସାଧନ ନାହିଁ। ତେଣୁ ଗଲା ବେଳେ ସୁପର ଏକ୍ସପ୍ରେସ ନନ୍ଦିଘୋଷ ଫେରିଲା ବେଳେ ପୁରା ଲୋକାଲ। ଧକଡ଼ ଧକଡ଼ ହେଇ ରାତି ୧୧-୧୧.୩୦ଟା ବେଳକୁ ଛକ ପାସ କରେ। କ୍ଷୀର ବେପାରୀ, ମାଛ ବେପାରୀ ସବୁ ଫେରନ୍ତି ସେହି ବସ୍ ରେ, ତା ସାଙ୍ଗକୁ କଟକ ବଡ଼ ମେଡ଼ିକାଲରୁ ରୋଗୀ ଦେଖେଇ କେହି କେହି ଫେରୁଥାନ୍ତି ତ କିଏ କୋର୍ଟ କଚେରୀ କାମ ସାରି ସେହି ବସରେ ଫେରନ୍ତି। ସମସ୍ତେ ଫେରିଲା ପରେ ଯାଇ ଦୋକାନ ବନ୍ଦ କରନ୍ତି ରଙ୍କ ମଉସା। ଆଉ ତାଙ୍କ ସାଇକେଲ ସକାଳୁ ସିନା ଏକ୍ସପ୍ରେସ ହେଇ ମାଡ଼ି ଆସିଥିଲା ରାତିରେ ଫେରିଲା ବେଳକୁ ଲୋକାଲ ଗାଡି ନୁହଁ ଶଗଡ଼ ଗାଡ଼ି ଭଳି ଗଡ଼େଇ ଗଡ଼େଇ ନିଅନ୍ତି। ତାଙ୍କୁ କୁଆଡ଼େ ଚଲେଇ ଯିବାକୁ ବିବେକ ଅନୁମତି ଦିଏନି, ସିଏ କେମିତି ଚଲେଇକି ପଳେଇବେ ଅନ୍ୟ ଲୋକମାନେ ଯେଉଁଠି ଚାଲିଚାଲି ଯାଉଥିବେ। ହଁ, ଖାଲି ସେତିକି ନୁହେଁ, ତାଙ୍କର ଆଉ ଗୋଟେ ମଜା କଥା ଅଛି। ସିଏ କୁଆଡେ ଟିକେ ଲମ୍ବା ହାୱାଇ ଚପଲ ପିନ୍ଧନ୍ତି, ଆଉ ଚାଲିଲେ ପଟ ପଟ ଶବ୍ଦ ବାହାରେ । ରାତିରେ ଫେରିଲା ବେଳେ ତାଙ୍କ ପଟ-ପଟ ଶବ୍ଦ ଶୁଣି ଲୋକଙ୍କ ଅଧାନିଦ ଭାଙ୍ଗି ପରିସ୍ରା ଉଠନ୍ତି। ସେତେବେଳେ ତ ଏମିତି ଟିଭି ନଥିଲା କି ମୋବାଇଲ ନଥିଲା ରାତି ୧୧ଟା ଯାଏ ଅନିଦ୍ରା ରହିବେ, ୮/୯ଟା ଭିତରେ ଖାଇଦେଇ ଶୋଇଯାନ୍ତି ଲୋକେ। ଆଉ ସକାଳୁ ଦୋକାନକୁ ବାହାରିବା ବେଳେ ରଙ୍କ ମଉସାଙ୍କ ସାଇକେଲ ଶବ୍ଦ ଶୁଣି ପଡ଼ୋଶୀ ଘର ବହୁ ମାନେ ଉଠି ପଡନ୍ତି। ରଙ୍କ ମଉସା ଦୋକାନ ବାହାରିଲେଣି ଭୋର ହେଇଲାଣି ରାତି ପାହିବ ଉଠି ପଡ଼। ରଙ୍କ ମଉସାଙ୍କ ସକାଳ ଯେମିତି ଆରମ୍ଭ ରାତି ବି ସେମିତି ଅନ୍ତ , ତା ସହ ଦିନ ଯାକର ଘଟଣା ଆହୁରି ନିଆରା। ପାଠରେ ଅ ଅକ୍ଷର ଜାଣି ନଥିବା ରଙ୍କ ମଉସା ତିନି ତିନିଟା ଖବର କାଗଜ ମଗାନ୍ତି । ଆଖପାଖ ଗାଁର ଲୋକେ ତାଙ୍କ ଦୋକାନର କାଗଜ ଟିକେ ନପଢ଼ିଲେ ଖବରର ମଜା ଆସେନି କି ଚର୍ଚ୍ଚା ଫିକା ପଡ଼ିଯାଏ। ଯେତିକି ମାଷ୍ଟିରିଆ ଲୋକ ସ୍କୁଲ ଯିବା ଆଗରୁ ତାଙ୍କ କାଗଜରେ ଟିକେ ମୁହଁ ବୁଲେଇ ଦେଇ ଯାଆନ୍ତି । ଡାକ ପିଅନ ହରି ବାବୁ କେବେ କେଉଁ ଗାଁକୁ ଯାଆନ୍ତି ନାହିଁ, ସବୁ ଡାକ ଆଣି ରଙ୍କ ପାଖରେ ଦେଇ ଯାଆନ୍ତି। ଯଦି କିଏ ଏଇଠି ଦେଖା ହେଲା ତାକୁ ଦେଇ ଦିଅନ୍ତି ନହେଲେ ସେସବୁ ରଙ୍କର ଦାୟିତ୍ୱ କାହା ପାଖରେ କେମିତି ପହଞ୍ଚିବ। କାହା ଘରକୁ କେଉଁ କୁଣିଆ ଆସିଲେ, କିଏ ଡାକ୍ତରଖାନା ଗଲା, କିଏ କଚେରୀ ଗଲା ସବୁ ଖବର ରଖନ୍ତି ରଙ୍କ ମଉସା । ଆତ୍ମୀୟତା କଣ ରଙ୍କ ମଉସାଙ୍କ ଠାରୁ ଶିଖିବା କଥା । ଆଖ ପାଖ ଗାଁର କାହା ପୁଅ କାହା ଝିଅ କେଉଁଠି ବାହା ହେଲା, କାହାର କଣ ଭଲ ମନ୍ଦ ସେ ସବୁ ଖବର ବି ରଖନ୍ତି । ସେଇଥି ପାଇଁ ତ କିଛି ବିବାହ ପ୍ରସ୍ତାବ ଆସିଲେ ବାପା ମା ମାନେ ଆଗେ ଆସି ରଙ୍କଠୁ ଭିତିରିଆ ଖବର ନିଅନ୍ତି । ରଙ୍କ ଯାହାକୁ “ଦେଖୁନ” କହିଲା ମାନେ ଗାଡି ଆଗକୁ ଗଡ଼ିଲା, ରଙ୍କ ଯଦି କଥା ବୁଲେଇଲା ମାନେ କିଛି ଗଡ଼ବଡ଼ ଅଛି । ଖାଲି କଣ ସେତିକି..... କାହା ପୁଅ ଯଦି ମାଛ କିଣିକି ନେଇଛି ଛକରୁ, ବାପକୁ ଦେଖିଲେ ପଚାରି ଦେବ , ଯା ଯା ଆଜି ଟୋକା ଭେକିଟି ମାଛ ନେଇଛି । କାହାକୁ ତ ଏମିତି ପଚାରି ଦିଅନ୍ତି କିରେ ! ସକାଳୁ ସକାଳୁ ମାଉଁସ ନେଲୁଣି କିଏ ଆସିବ କିରେ ଆଜି ? ଆଉ ଗୋଟେ ବଡ଼ କଥା ହେଲା ତାଙ୍କ ଦୋକାନକୁ ଆସୁଥିବା ଲୋକମାନେ ଯଦି ସାଙ୍ଗରେ ଛୋଟପିଲା କିମ୍ବା ନାତି ନାତୁଣୀଙ୍କୁ ସାଙ୍ଗରେ ଧରି ଆସନ୍ତି ରଙ୍କ ମଉସା ସେମାନଙ୍କୁ ହାତରେ ଜିଲାପି କିମ୍ବା ଗଜା ଗୋଟେ ଧରେଇ ଦିଏ । ଆଉ ସେ ବାବଦକୁ ପଇସା ଯାଚିଲେ କହେ...ଇଏ ବଡ଼ ହେଇ ଚାକିରୀ କଲେ ତା ହାତରୁ ମିଠା ଖାଇବି ସୁଧ ମୂଳ ସହ ସେତେବେଳେ ଉଠେଇବି । ଆଉ କିଏ ଯଦି ବାହାର ବନ୍ଧୁଙ୍କୁ ସାଙ୍ଗରେ ଧରି ଆସେ, ଯେତେ ଯାହା ହେଲେ ବି ତାଙ୍କଠୁ ପଇସା ନିଅନ୍ତି ନାହିଁ । ବରଂ କୁହନ୍ତି ଆପଣ ଆମ କୁଣିଆ, ଏ ସବୁ କଥା ଆମ ଦାୟିତ୍ଵ ଯଦି ପଇସା ନେବି ତାହେଲେ ଦେବା ଲୋକ ଅଛନ୍ତି, ଆପଣ ନୁହଁନ୍ତି । ଯଦି କେହି ଝିଅ ବୋହୁଙ୍କୁ ଦେଖିଲା ବାହାରେ ଛିଡ଼ା ହେବାର, ତାଙ୍କୁ ଭିତରକୁ ଡାକି ବସାଏ । ମୂଷାକୁ ପଠେଇ ଯାହା ଦରକାର ବ୍ୟବସ୍ଥା କରିଦିଅନ୍ତି ରଙ୍କ ମଉସା । ଗାଁ ଲୋକ ଯଦି ମିଳିମିଶି କୁଆଡେ ବାହାରନ୍ତି, ଯେମିତି ବରାଯାତ୍ରୀ, ତୀର୍ଥଯାତ୍ରୀ, ଝିଅ ଦେଖା, ପୁଅ ଦେଖା, ନିର୍ବନ୍ଧ, ଭୋଜିଖିଆ ସମସ୍ତେ ଏଇଠି ରୁଣ୍ଡ ହୁଅନ୍ତି। ମୋଟାମୋଟି କହିବାକୁ ଗଲେ ଯିଏ ଯୁଆଡେ ଯାଉକି ଆସୁ ରଙ୍କ ମଉସାଙ୍କ କାନରେ ପକେଇ ଯାଆନ୍ତି । ଆଉ ଟୋକାଳିଆ ଯଦି କେହି ନକହି ପଳାନ୍ତି ଏପଟୁ ରଙ୍କ ମଉସା ଡାକ ମାରନ୍ତି ହଉ, ହଉ... ଯାଉଛୁ ତାହେଲେ ! ହଉ ଯା , ଦେଖିକି ଯିବୁ ! କାହାକୁ କୁହନ୍ତି ଚାଲିଚାଲି କାହିଁକି ଯାଉଛୁ ସାଇକେଲ ଟା ନେଇ ଯାଉନୁ। ଆଉ ଦିନଟା ଭିତରେ ଏ ସାଇକେଲ ଚାରିଖଣ୍ଡ ଗାଁ ବୁଲି ସାରିଥିବ ଆଉ ଅତିକମରେ ଦୁଇଥର ଡାକ୍ତରଖାନା ମୁହଁ ମାରିଥିବ। ପାଖ ଗାଁ ମଣିପୁର ସ୍କୁଲର ପ୍ରଧାନ ଶିକ୍ଷକ ପାତ୍ର ସାରେ ଅଧେଦିନ ସାଢ଼େ ଏଗାରଟା ବେଳକୁ ଆସି ରଙ୍କ ମଉସାଙ୍କ ସାଇକେଲ ଖୋଜନ୍ତି, କେବେକେବେ ମିଳେ ତ କେବେକେବେ ମିଳେନି । ଏହି ପାତ୍ର ସାର ହିଁ ରଙ୍କ ମଉସାଙ୍କୁ କହି ପୁଅକୁ ବାହାରେ ପାଠ ପଢେଇଥିଲେ । 

ସମୟ ସର୍ବଦା ପରିବର୍ତ୍ତନଶୀଳ । ଏହା ଭିତରେ ତିନି ଦଶନ୍ଧି ବିତି ସାରିଛି। ଆମେ ବି ଗାଁ ଛାଡି ଏବେ ସହରରେ, ଏହି ଛୁଟିରେ ଘରକୁ ଆସିଥିଲି ଭାବିଲି ଟିକେ ରଙ୍କ ମଉସାଙ୍କ ଦେଖାକରି ଆସିବି। ଆଉ ଯାଇ ଦେଖାକରୁ କରୁ ଚୌକିରୁ ଉଠିପଡିଲେ ମଉସା। ସିଧା ଦୌଡ଼ି ଆସିଲେ ତଳକୁ। ସେହି ସ୍ନେହ, ସେହି ଆତ୍ମୀୟତା, ସେହି ଭଲ ପାଇବା ତାଙ୍କ ଆଖିରୁ ଓଠ ଭିତରେ ଖେଳି ଯାଉଥିଲା। ପୁଅ ଏବେ ଚେନ୍ନାଇରେ ତା ପରିବାର ନେଇ ରହୁଛି। ପନ୍ଦରଟି ଗାଁର ଖବର ରଖୁଥିବା ରଙ୍କ ମଉସା ନିଜ ପୁଅର ଖବର ରଖିପାରୁ ନାହାନ୍ତି। ଭାରି ବ୍ୟସ୍ତ କୁଆଡେ ସିଏ, ଅଫିସରେ ବହୁତ କାମ ଆଉ ନାତି ନାତୁଣୀ ଓଡ଼ିଆ ଶିଖି ନାହାଁନ୍ତି ବୋଲି ସେମାନଙ୍କ ସହ କଥା ହେଇ ପାରୁନାହାନ୍ତି ରଙ୍କ ମଉସା। ସରକାରଙ୍କ ସହରିକରଣ ପ୍ରକ୍ରିୟାରେ ଗୁମୁଟି ଭାଙ୍ଗି ଯାଇଛି, ମିଳିଛି ସଟର ପକା ଦୋକାନ ଘର, ସାଇକେଲ ରଖିବା ପାଇଁ ପାର୍କିଙ୍ଗ ଘର ଦୋକାନ ଠାରୁ ବହୁତ ଦୂରରେ। ପେ ଟିଏମ ଵାଲା ଗୋଟେ ଷ୍ଟିକର ମାରିଛନ୍ତି ଦୋକାନ କାନ୍ଥରେ, କୁଣିଆ ଲୋକଙ୍କୁ ପଇସା ଦେବାକୁ ମନାକଲେ ସେମାନେ ସେଇଠି ପଇସା ଦେଇଦେଉଛନ୍ତି ସିଧା ବ୍ୟାଙ୍କ ଖାତାରେ ପଇସା ପହଞ୍ଚି ଯାଉଛି। ଦୋକାନ ସାମ୍ନାରେ ଫ୍ଲାଇ ଓଭର ହେଇଛି, ଜଣା ପଡୁନି କିଏ ଗଲା ଆଉ କିଏ ଆସିଲା। ବଜାର କମିଟି ଆଇନ କରିଛି କେତେବେଳେ ଦୋକାନ ଖୋଲାହେବ ଆଉ କେତେବେଳେ ବନ୍ଦ ହେବ, ତେଣୁ ନା ସକାଳୁ ଆସିବାର ଜଲ୍ଦି ଅଛି ନା ରାତିରେ ବିଳମ୍ବରେ ଫେରିବା ଚିନ୍ତା । ମୂଷାକୁ ଦରମା ପୋସେଇଲା ନାହିଁ, ଏବେ ସିଏ ଗୋଟେ ରାଜନୀତି ଦଳର ସକ୍ରିୟ କର୍ମୀ । ମୋବାଇଲରେ ସବୁ ଖବର, ଆଉ କାଗଜ ପଢିବାକୁ କେହି ଆସୁ ନାହାନ୍ତି । ଯେଉଁମାନେ ଆସି ଖଟି କରୁଥିଲେ ତାଙ୍କ ପିଲାମାନେ କୁଆଡ଼େ ଏସବୁକୁ ପସନ୍ଦ କରୁ ନାହାନ୍ତି ବୋଲି ସେମାନେ ଆଉ ଆସୁ ନାହାନ୍ତି । ଆଉ କାହାକୁ ସୁଖଦୁଃଖ ପଚାରିଲେ , ତୋର ଏତେ ଚିନ୍ତା କଣ ପାଇଁ ବୋଲି ରୋକଠୋକ ଉତ୍ତର ମିଳୁଛି । ତାଙ୍କ ସମସାମୟିକ ଲୋକ ବହୁତ ଚାଲି ଗଲେଣି କିନ୍ତୁ ରଙ୍କ ମଉସା ଏବେ ବି ସୁସ୍ଥ ଅଛନ୍ତି। କିଛି ସମୟ କଥା ବାର୍ତା ଭିତରେ ଜଣା ହିଁ ପଡିଲା ନାହିଁ ଏତେ ସମୟ ହେଇ ଗଲାଣି । ଚାକିରୀକୁ ଫେରିବା ଆଗରୁ ଆଉଥରେ ଦେଖାକରିବାକୁ କହିଛନ୍ତି ରଙ୍କ ମଉସା ।

ଷ୍ଟାଲିନ ଦାସ
ମଙ୍ଗଳପୁର, ତିହିଡ଼ି, ଭଦ୍ରକ

Post a Comment

0 Comments