Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ରାଧା - ରାହାସ କୁମାର ବେହେରା


ଝିଲି ମିଲି ରୂପ ଝଲସି ଯାଉଛି
ଝୁମୁକା ବାଜୁଛି ତାଳେ
ଝୁମୁଝୁମୁ ଵାଜେ ପାଦର ନୁପୁର
ଯମୁନା ନଈର କୂଳେ ।
କମନୀୟ ରୂପ ଅପରାଜିତା ସେ
ମେଘମାଳେ ନୀଳ ଢେଉ
ଲକ୍ଷେ ଅପସରୀ ସାଗରେ ଝାସନ୍ତି
କୃଷ୍ଣ ପ୍ରିୟା ଖାଏ ଭାଉ ।
ଅୟୂତ ମହଣ ହୀରା ନୀଳା ହୀନ
ଗୋରୀ ଅଙ୍ଗେ ଲାଗେ ଫିକା
କନ୍ଦର୍ପର ଠାଣି କନକ ବରଣୀ
ବିରହେ ମୁରଲୀ ଫୁଙ୍କା  ।
ମକରନ୍ଦ ପ୍ରାୟେ ତା' କୋଇଲି କଣ୍ଠ
ଅମୃତ ପରାୟେ ତୋଳି
ଅପୂର୍ବ ଚାହାଣି ମନ ନିଏ କିଣି
ସୃଜନୀର ଶ୍ରେଷ୍ଠ ତୁଳି ।
କାମିନୀ ରୂପସୀ କି ମଧୁର ଆହା
ବ୍ରଜଙ୍ଗନା ଚନ୍ଦ୍ର ମୁଖୀ
ଲଳିତା ଲବଙ୍ଗ ଲାଜୁକୁଳି ଲତା
ଆଭା ପ୍ରାଚୁର୍ଯ୍ୟର ଜ୍ୟୋତି ।
ଅଙ୍ଗପ୍ରତ୍ୟଙ୍ଗରୁ ଜ୍ୟୋତ୍ସ୍ନା ବିଛୁରିତ
ହୃଦୟ ଦହୁଛି ସିନା
ମୁକୁର ଶୃଙ୍ଗାରେ ଲାଜେଇ ମୁକୁର
ଦମ୍ଭ ଭାଙ୍ଗିରୁଜି ଚୁନା ।
ଅଯନି ସମ୍ଭୂତ ବୃଷଭାନୁ ସୁତା
ପଲକେ ଚାହାନ୍ତି ନାହିଁ
ଦେଖି କଳା କାହ୍ନୁ ଫୁଟିଲା କମଳ
ମନର ମିଳନ ପାଇଁ ।
ବିରଜା ପାଗଳେ ଥିଲେ ଗିରିଧାରୀ
ସହି ପାରିଲେନି ଜମା
ମାନକରି ସାଜି ବିରହିଣୀ ରାଧା
ହୋଇଗଲେ ରାଜଜେମା ।
ସର୍ବ ଗୋପାଳୁଣୀ ଲାଗେ ଦୋଚାରୁଣୀ
ପ୍ରାଣପ୍ରିୟା ସତୀ ସିନା
କଣା ମାଠିଆରେ ଜଳ ଘେନିଗଲେ
ଉଡିଲା ସତିତ୍ୱ ବାନା ।
ରାଧା ପରା ସଖି କାଳିଆ କୃଷ୍ଣର
ମୁକ୍ତି ପଥର ଆସରା
ଯୁଗଳ ମୁରତି କରିଲେ ଦର୍ଶନ
ମିଳେ ମୁକତିର ଧାରା ।
ରାଧାଙ୍କୁ ଜପିଲେ ସବୁ ମିଳିଥାଏ
ମୋହନ ଦିଅନ୍ତି ଧରା
ରାଈ ରାଈ ବୋଲି ମୁରଲୀ ବାଜିଲେ
ଦିନରେ ଗୋକୁଳେ ତାରା ।

ରାହାସ କୁମାର ବେହେରା,
ଵାଲ୍ୟମ୍ବା, ଭାପୁର, ଢେ଼ଙ୍କାନାଳ

Post a Comment

0 Comments