Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପୂଣ୍ୟ ରାଜୁ ମହୀତଳେ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


ଜାଳିବି ସଳିତା ତୋ ଦୁଆରେ ମାତା
   ଗୁନ୍ଥିବି କୁସୁମ ହାର
କଳା ପାଟଶାଢୀ ରତନର ଚୁଡ଼ି
     ନାଇଦେବି ହାତେ ତୋର  ।।
କଟିରେ କିଙ୍କିଣୀ ନାସାରେ ବଷଣୀ
  ମସ୍ତକରେ ସିନ୍ଦୁର ଗାର
ଶୁଦ୍ଧ, ପୂତ ଜଳେ ଚନ୍ଦନ ଚୁଆରେ
    ଧୋଇଦେବି ତୋ ପୟର   ।।

ଟେକିବି ତୋ ଛତି ନକରିଣ ଭିତି
   ଗାଇ ମଙ୍ଗଳ ସଙ୍ଗୀତ
ତୋ ଆଦେଶ ମାନ କରିବି ପାଳନ
  ଲଂଘି ସାଗର ସରିତ   ।।
ଉଡାଇବି ନେତ ହୋଇ ମୁଁ ମରୁତ
   ଦେବି କୁଙ୍କୁମ, କସ୍ତୁରୀ
ସାହା ହୁଅ ମା, ଆସି ହୁଅ ଠିଆ
     ପାପ ହୋଇଲାଣି ଭାରି   ।।

ପାପି ଅନ୍ତରେ ତା ଧରମ ନଉକା
   ହେଲାଣି ତ ଟଳମଳ
ବାରେ ହୁଅ ସାହା ଆଗୋ ମହାମାୟା
   ପାପରାଶି କରି ଦୂର   ।।
ସଂସାର ସାଗରେ ପ୍ରକୃତି ବକ୍ଷରେ
   ଏ ଘୋର ଅନ୍ଧାର କାଳେ
ଆଶାର ଆଲୋକ କରୁ ରେଖାପାତ
   ପୂଣ୍ୟ ରାଜୁ ମହୀତଳେ   ।।

ଶାରଦୀୟ ଶୁଭ ସକାଳେ ଲୋ ମାତ
   ତୋ ପଦ୍ମ ପୟର ତଳେ
ପ୍ରଫୁଲ୍ଲ ଅଧମ କରୁଛି ଜଣାଣ
    ଶୁଭ ପୁଷ୍ପାଞ୍ଜଳୀ ଫୁଲେ    ।।

କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
ମଙ୍ଗଳାଯୋଡି, ଖୋର୍ଦ୍ଧା

Post a Comment

0 Comments