Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପ୍ରେମ ଏକ ତରଫା - ପ୍ରେମ ସମ୍ରାଟ ଲକ୍ଷ୍ମଣ କୁମାର ବେହେରା (ଯତି)


ମୋ ଗାଆଁ ହାଇସ୍କୁଲ୍ ରେ ମୁଁ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇ ଥାଏ । ନୂଆ ନୂଆ ପାଠ ପଢି ଯିବାକୁ ବହୁତ ଭଲ ଲାଗୁଥାଏ । ମୋର ମନେ ଅଛି ପ୍ରାୟ ଛଅ ଦିନ ପରେ ସୋମବାର ଦିନ ତା' ସହ ମୋର ଦେଖା ହେଇଥିଲା । ମୁଁ ସେଦିନ ରେଙ୍ଗାଳବାହାଳ ଗ୍ରାମର ଶିବ ମନ୍ଦିରକୁ ଯାଇଥିଲି । ସ୍କୁଲ ଆସିବାକୁ ଟିକିଏ ଡେରି ହେଇଗଲା ବୋଲି ଗଣିତ ସାର୍ ମୋତେ ଜୋର୍ ସେ ବାଡେଇ ଥିଲେ । ବାଡି ଭାଙ୍ଗି ଗଲା ବୋଲି ବାଡି ଆଣିବା ପାଇଁ ତପନ୍ କୁ ସାର୍ ଡାକ ଦେଇ କହିଲେ,  " ଆରେ ତପନ୍ ପାଞ୍ଚ ଛଅଟା ପିଜୁଳି ବାଡି ଆଣ୍ ତ । "  ତପନ୍ ଭାଇ ଦଶମ ଶ୍ରେଣୀରେ ପଢୁଥିଲେ । ମୁଁ ତାଙ୍କୁ ଆଗରୁ କେବେ ଦେଖି ନଥିଲି । ସେ ଯେବେ ବାଡି ଧରି ଆସିଲେ ମୁଁ ମାଡ କଥା ଭାବି ଥରୁଥିଲି । ହେଲେ ସାର୍ ମୋତେ ଆଉ ପିଟି ନଥିଲେ । ସେଦିନ ତପନ ସହ ମୋର ପ୍ରଥମ ଦେଖା । 

ମୁଁ ନିୟମିତ ପାଠ ପଢିବାକୁ ଗଲି । ଗଧି ଥିଲି । ହେଲେ ତପନ୍ ର ପ୍ରେମରେ ଏମିତି ପଡି ଯାଇଥିଲି ଯେ' ସବୁଦିନେ ସ୍କୁଲ୍ ଯିବାକୁ ବାଧ୍ଯ ହେଉଥିଲି । ମୋ ନାନି ଆଉ ତପନ୍ ଏକା ଶ୍ରେଣୀରେ ପଢୁଥିବାରୁ ମୁଁ ସବୁଦିନେ ଦଶମ ଶ୍ରେଣୀକୁ ବୁଲିବା ବାହାନାରେ ଯାଇ ତପନ୍ କୁ ଦେଖୁଥିଲି । ମୋତେ ଭାରି ଖୁସି ଲାଗୁଥିଲା । 

ମୁଁ କେବଳ ତପନ ପାଇଁ ହିଁ ସୁନ୍ଦର ପ୍ରେମ ଚିଠି ଲେଖୁଥିଲି ଆଉ ତପନ ବସୁଥିବା ବେଞ୍ଚ୍ ତଳେ କଲେ କଲେ ଚିଠିଟେ ପକେଇ ସବୁଦିନେ ପଳେଇ ଆସୁଥିଲି । ଯାହାକି ମୋ ବଡ ଭଉଣୀ ଜମା ଜାଣି ପାରିନି ଆଜି ଯାଏଁ । ଚିଠି ମୁଁ ବାମ ହାତରେ ଲେଖିବା ଅଭ୍ଯାସ କରିଥିଲି, ତେଣୁ ; କେହି ବି ଜାଣି ପାରୁ ନଥିଲେ ଯେ' ଚିଠି ସବୁ କିଏ ଲେଖୁଛି ବୋଲି । ଦିନେ ତ ଚିଠି ସହିତ ସମସ୍ତଙ୍କର ହସ୍ତାକ୍ଷର ମିଶାଇଲେ । ଯାହା ହେଉ ବାମ ହାତରେ ଲେଖିଥିଲି ବୋଲି ବଞ୍ଚି ଯାଇଥିଲି ସେଦିନ । ମୁଁ ଭାରି ଦୁଷ୍ଟ ଥିଲି । ତପନର ନାମଟି ସହିତ ଯୋଗ ଚିହ୍ନ କରି ଶୂନ୍ଯ ସ୍ଥାନ ଛାଡି ଦେଉଥିଲି । ସାର୍ ମାନେ ତପନ୍ କୁ କୁହନ୍ତି, ତତେ କିଏ ଚିଠି ଲେଖୁଛି ଯେ' ଆଜିଯାଏଁ ଜାଣି ପାରିଲୁ କି ନାହିଁ ? " ତପନ ଚୁପ୍‌ଚାପ୍ ଲାଜରେ ଛିଡା ହେଇ ଶୁଣେ ଆଉ ହସିଦିଏ । ମୁଁ ସେଇ ହସଟିକୁ ଦେଖିବା ପାଇଁ ଅପେକ୍ଷା କରିଥାଏ ସବୁଦିନେ । ସେଥିପାଇଁ ମୁଁ ଗୋଟେ ଦିନ ବି ମିସ୍ କରିନି ଅଷ୍ଟମ ବର୍ଷ । ମୁଁ ଆଜିଯାଏଁ କେବେ ପଦେବି କଥା ହେଇନି । କାରଣ ସେ ମୋର ନାନୀର ସହପାଠୀ ନା ସେଥିପାଇଁ । 

ମୁଁ +୨ ବେଳେ ଅନେକ ଥର ଚିଠି ଦେଇଛି ତପନକୁ ହେଲେ କେବେ ଉତ୍ତର ଆସିନି ସେପଟୁ । ମୋର କଲେଜ୍ ଠିକଣା ଥାଏ ହେଲେ ମୋର ନାମ ମୁଁ ଜାଣି କି ଦେଇ ନଥାଏ । 

ଆଜି ମୁଁ ଗାଆଁ ରେ ପହଞ୍ଚିଲେ ତପନକୁ ଭେଟ କରି ମୋ ପିଲାଦିନ କଥା ଜଣାଇ ଦେବି । ଆଉ ସେଇ ଚିଠି ଦେବା କଥା ବି । ତୋ ସହ କଥା କରେଇ ଦେବି, ଫୋନରେ । ମୁଁ ତପନର ଫେସବୁକ୍ ଫ୍ରେଣ୍ଡ ଅଛି । ଅଳ୍ପ ଦିନ ହେଉଛି । ତତେ ଜଣେଇ ପାରିନି । ଘରୁ ଆସିଲେ ତା'ର ଫୋଟ ଦେଖେଇ ଦେବି । ଯଦି ସେ ମୋର ଭଲ ପାଇବାକୁ ସ୍ବୀକାର କରେ, ହେଲା । ଏମିତି ଅନେକ କଥା ସେ ତା'ର ବାନ୍ଧବୀ ଅର୍ପିତାକୁ ରେଢାଖୋଲ ବସ୍ ଷ୍ଟାଣ୍ଡ୍ ରେ କହୁଥାଏ । 

ଏତିକି ବେଳେ ହୋତା ବସ୍ ଆସି ପହଞ୍ଚିଲା । ସେ ଯାଇ ଏକ ସିଟ୍ ରେ ବସି ଅର୍ପିତାକୁ ବିଦାୟ ଦେଲା ।

ମୁଁ ବୌଦ୍ଧ ଜିଲ୍ଲାର ନୀଳଚକ୍ର ସାହିତ୍ୟ ସଂସଦ ତରଫରୁ ଏକ ତ୍ରୈମାସିକ ସାହିତ୍ୟ ପତ୍ରିକା " ବୌଦ୍ଧଚକ୍ର " ଯାହାର ପ୍ରତିଷ୍ଠାତା ଓ ମୁଖ୍ୟ ସଂପାଦକ ହେଉଛନ୍ତି ଇଂ• ସଞ୍ଜୟ କୁମାର ପଣ୍ଡା  । ଉକ୍ତ ପତ୍ରିକାର ଲୋକାର୍ପଣ ଉତ୍ସବରେ ଯୋଗ ଦେଇ ହୋତା ବସ୍ ରେ ଫେରୁଥାଏ । ଯେଉଁ ସିଟ୍ ରେ ମୁଁ ବସିଥିଲି ଜଣେ ଝିଅ ଆସି ସେ ସିଟ୍ ରେ  ବସିଲା । ମୋତେ ଦେଖି ହସିଦେଲା । ମୁଁ ଇପ୍ସିତ ହସି ଦେଇ ମୁହଁ ତଳକୁ କରି ବସି ରହିଲି । ଟିକିଏ ପରେ ମୋର ଫୋନ୍ ରିଂ ହେଲା । ଦେଖିଲି ମିତା ଫୋନ୍ କରିଛି । କଲ୍ ଉଠାଇ ହେଲୋ କହୁ କହୁ ସେପଟୁ ଶୁଭିଲା- 

- ତୁମକୁ ଯେତେ ଥର ଫ୍ରେଣ୍ଡ୍ ରିକ୍ଯୁଏଷ୍ଟ ପଠାଉଛି ଯାଉନି କେମିତି ? 

- ପାଞ୍ଚ ହଜାର ବନ୍ଧୁ ହେଇ ଯାଇଛନ୍ତି । ସେଥିପାଇଁ । 

- ଓହୋଃ 

- ଫୋର୍ ଜି ଫୋନ୍ ଆଣିଲୁ କି ନୂଆ ।

- ହଁ ପରା । ମୋତେ ଯେମିତି ହେଲେ ଆଡ୍ କର । କାହାକୁ ଜଣକୁ ଅବନ୍ଧୁ କରିଦିଅ ।

- କାହାକୁ ଅବନ୍ଧୁ କରିବି କହ ତ ? ସମସ୍ତେ ତ ମୋର ଲେଖା ପଢିବା ପାଇଁ ବନ୍ଧୁ ହେଇଛନ୍ତି ।

- ମୁଁ ବୁଝୁଛି, ଯେମିତି ହେଲେ ମୋତେ ଆଡ୍ କର ।

- ହଉ ହଉ ଠିକ୍ ଅଛି ।

ସେଦିନ ଅନେକ ଚିନ୍ତା କଲା ପରେ ନିଷ୍ପତ୍ତି ନେଲି ଜଣକୁ ଯାହାକୁ ହେଲେ  ଅବନ୍ଧୁ କରିବି । ମୋ ପାଖ ସିଟ୍ ରେ ଝିଅଟି ବସି ସବୁ ଚୁପ୍ ଚାପ୍ ଦେଖୁଥାଏ । ମୋ କଥା ସବୁ ଶୁଣୁଥାଏ ହେଲେ କିଛି ବି କହୁ ନଥାଏ ।

ମୁଁ ଭାବିଲି ଯିଏ ମୋର ଛବି କିମ୍ବା ଲେଖାକୁ ଲାଇକ୍, କମେଣ୍ଟ କି ସେୟାର କରୁ ନାହାଁନ୍ତି ତା'କୁ ଅବନ୍ଧୁ କରିବି । ଅଧାରୁ ଅଧିକ ବନ୍ଧୁଙ୍କୁ ତ ମୁଁ ଜାଣିନି । ମୋତେ ହେଲେ କିଏ ଜାଣି ଥିବ ଯେ' ? ଏଇ କଥା ଭାବି ଜଣକୁ ଅବନ୍ଧୁ କରିବା ପାଇଁ ଅଚିହ୍ନା ଜଣକୁ ଖୋଜିଲି ।

ନାମ ଦେଖୁ ଦେଖୁ ସୁନିତା ପ୍ରଧାନ ନାମଟି ମୋତେ ଅଚିହ୍ନା ଲାଗିଲା । ଦେଖିଲି ନିଜ ଡିପିରେ ଗୋଲାପ ଫୁଲର ଫୋଟ ଅଛି । ଠିକଣା ଦେଇନି । ଛାତ୍ରୀ ବୋଲି ଉଲ୍ଲେଖ କରିଛି । କିଏ କିଏ ମୋର ଚିହ୍ନା ବନ୍ଧୁ ତା'ର ଫେସବୁକ୍ ରେ ବନ୍ଧୁ ଭାବରେ ଅଛନ୍ତି ଭାବି ଦେଖିଲି, ହେଲେ ମୋ ବ୍ୟତୀତ ତା'ର କେହି ବି ବନ୍ଧୁ ନଥିଲେ । ବହୁତ ଆଶ୍ଚର୍ଯ୍ଯ ହେଲି । ଏ ଝିଅ ନା ପୁଅ । ଛଦ୍ମବେଶୀ ଜଣକ କିଏ ? ମୋ କଥା ଶୁଣି ପାଖରେ ବସିଥିବା ଝିଅଟି ମୋତେ କହିଲା- 

- ଆଜ୍ଞା, ସୁନିତା ପ୍ରଧାନ କିଏ ? 

- ମୁଁ ଜାଣିନି । କବେ ଫେସବୁକ୍ ବନ୍ଧୁ ହେଲି ତାହା ବି ଜାଣିନି । 

- ଓହୋଃ !!! ତା'କୁ ମେସେଞ୍ଜରରେ ପଚାରୁ ନାହାଁନ୍ତି । ସେ କିଏ ଜାଣି ପାରିବେ ।

- ନା ନା, କାହିଁକି ପଚାରିବି କହିଲେ ? ପୁଅ କି ଝିଅ ହେଇଥିବ । ୟାଡୁ ସ୍ଯାଡୁ କହିବ । ଓଲଟା କହିଲେ ମନଟା ଖରାପ ଲାଗିବ । 

- ଅବନ୍ଧୁ କରିବା ଆଗରୁ ଥରୁଟିଏ ହେଲେ ପଚାରନ୍ତୁ ମେସେଞ୍ଜରରେ ।

- ନା, ଥାଉ କହି ତତକ୍ଷଣାତ୍ ସୁନିତା ପ୍ରଧାନକୁ ଅବନ୍ଧୁ କରି ମିତା ପ୍ରଧାନକୁ  ଫ୍ରେଣ୍ଡ୍ ରିକ୍ଯୁଏଷ୍ଟ ପଠାଇଲି । ସେପଟୁ ମିତା ଆସେପ୍ଟ କଲା । ମେସେଞ୍ଜରରେ ଲେଖିଲା, 

- ହାୟ •••

- ହଁ ମ କୁହ ।

 - କାହାକୁ ଅବନ୍ଧୁ କଲ ।

- ସୁନିତା ପ୍ରଧାନକୁ ।

- ଓହୋଃ !!! ଜାଣିଛ କି ସେ କିଏ ? 

- ନା ମୁଁ ଜାଣିନି, ତୁମେ ଚିହ୍ନିଛ କି !

- ଡିପିରେ ଫୋଟ ଅଛି କି ? ଠିକଣା ଦେଇଛି କି ? 

- ନା ନା କେବଳ ଷ୍ଟୁଡେଣ୍ଟ ବୋଲି ଲେଖା ଥିଲା । ଏତେ କଥା କାହିଁ ପଚାରୁଛ କହିଲ ? ମୁଁ ତା'କୁ ଚିହ୍ନିନି । ତୁମ ପାଇଁ ଯାହାକୁ ତ ହେଲେ ଅବନ୍ଧୁ କରିଥାନ୍ତି ନା । ହଉ ମୁଁ ବସ୍ ରେ ଅଛି ଦେବଗଡ ପହଞ୍ଚିଲେ ଫୋନ୍ କରିବି କଥା ହେବା ।

ମିତାର ସାନ ଭଉଣୀ ସୁନିତା । ଯେଉଁ ସୁନିତାକୁ ମୁଁ ଅବନ୍ଧୁ କଲି ସେ ମୋ ପାଖ ସିଟ୍ ରେ ବସିଛି । ମୁଁ ତା'କୁ ଜାଣିନି ହେଲେ ସେ ମୋତେ ଜାଣିଛି । ରେଢାଖୋଲ ଭୀମ ଭୋଇ କଲେଜ୍ ରେ +୩ କଳା, ଦ୍ବିତୀୟ ବର୍ଷର ଛାତ୍ରୀ । ସେଦିନ ସେ ଦେବଗଡ ଆସୁଥାଏ । ମୋ ସହ ସେ କଥା ହେବାକୁ ବାରମ୍ବାର ଚାହୁଁଥାଏ, ହେଲେ ମୁଁ ବାରଣ କରୁଥାଏ ।

ମନେ ମନେ ବହୁତ ଖୁସି ହେଉଥାଏ ସୁନିତା । ଆଉ ଭାବୁଥାଏ, " ଯାହା ହେଉ ବହୁତ ଦିନ ପରେ ଦେଖିଲି, ପଦେ କଥା ହେଲି । ଏକା ସିଟ୍ ରେ ବସିବାର ସୁଯୋଗ ମଧ୍ୟ ପାଇଲି । " ସେ ଦିନ ତା'ର ଆନନ୍ଦ କହିଲେ ନସରେ । ଯେବେ ଶୁଣିଲା ମିତା  ( ତା'ର ବଡ ଭଉଣୀ ) ତପନକୁ ଫୋନ୍ କରି ଫେସବୁକ୍ ରେ ବନ୍ଧୁ ହେବା ପାଇଁ ଅନୁରୋଧ କରୁଛି । ସେ ଲୁହ ଛଳ ଛଳ ଆଖିରେ ଝର୍କା ଆରପଟକୁ ଅନାଇଲା । ଆଉ ପବନରେ ତା'ର ପ୍ରତିଟି ଲୁହ ସବୁ ଉଡିଯାଇ ମିଶି ଯାଉଥାଏ । 

ସୁନିତା ଯେତେବେଳେ ତପନ୍ କୁ ଦେଖିଲା ସେ ସେତେବେଳେ ଫେସବୁକ୍ ରେ ବ୍ଯସ୍ତ ଥିଲା । ଶେଷରେ ମୁଁ ଅବନ୍ଧୁ ହେଇଗଲି ସବୁ ଦିନ ପାଇଁ । ସେ ଦିନ ତପନଙ୍କ ପାଖରେ ମୁଁ ବସିଥିଲି । ମୋ ନାମଟି କେବେ ଥରୁଟିଏ ସେ ପଚାରିଲେ ନାହିଁ । ମୁଁ ମଧ୍ୟ କହି ପାରିଲିନି । ଆଉ କେବେବି  ଜୀବନ ବାଟରେ ଦେଖା ହେଲେ କହିବିନି ମୁଁ ସେଇ ସୁନିତା ବୋଲି । ନିରବରେ ଆଉ ବିରହରେ ଭଲ ପାଇବା ବୋଧେ ମୋ ଭାଗ୍ଯରେ ଲେଖା ଅଛି । 

ଏମିତି ଅନେକ କଥା ଭାବୁଥାଏ ସୁନିତା । ଠିକ୍ ଏଇ ସମୟରେ ତା'ର ବଡ ଭଉଣୀ ମିତା ର ଫୋନ୍ ଆସିଲା । ସୁନିତା ଫୋନ୍ ବହୁତ କଷ୍ଟରେ ଉଠାଇ ହେଲୋ ବୋଲି କହିଲା, 

- ଏ ସୁନିତା, ତୁ ତପନ୍ ର ଫେସବୁକ୍ ଫ୍ରେଣ୍ଡ୍ କି ?

- ନା ନା ମୁଁ ଜାଣିନି ସେ କିଏ ?

- ଓଃ, ହଉ ହଉ ଠିକ୍ ଅଛି । କେତେ ବାଟ ହେଲୁଣି ? 

- ଦେବଗଡ ପହଞ୍ଚିବି ଏଇନା । 

- ମୁଁ ସ୍କୁଟି ଧରିକି ଯାଉଛି ।

- ନାଇଁ ନାନୀ ଥାଉ । ମୁଁ ଟେମ୍ପୁରେ ପଳେଇବି । 

ଫୋନ୍ କଟିଗଲା । ସଂଗେ ସଂଗେ ତା'ର ନାନୀ ତପନ୍ କୁ କଲ୍ କଲା । ସେ ସବୁ ଜାଣୁଥାଏ । ଦୁହେଁ ପରସ୍ପର ସହ ହସି ହସି କଥା ହେଉଥାନ୍ତି । 

ତା'ର ବଡ ଭଉଣୀ ମିତାକୁ ଦେଖିଲେ ଆଜିବି ସେ ତପନ୍ କଥା ମନେ ପକେଇ ସକେଇ ସକେଇ କାନ୍ଦି ଉଠେ । ହେଲେ ହୃଦୟର ବ୍ଯଥା ଭରା ଗୋପନ କଥା ସବୁକୁ କହିବା ପାଇଁ ସାହସ ବାନ୍ଧି ପାରିନି ତା'ର ଭଙ୍ଗା ହୃଦୟରେ । ପିଲା  ଦିନର ଭଲ ପାଇବାକୁ ଭୁଲିବା ପାଇଁ ଅନେକ ଚେଷ୍ଟା କରୁଛି । ହେଲେ ପାରୁନି ।

ପ୍ରେମ ସମ୍ରାଟ ଲକ୍ଷ୍ମଣ କୁମାର ବେହେରା (ଯତି)
ପ୍ରତିଷ୍ଠାତା ଓ ମୁଖ୍ୟ ସଂପାଦକ - ପ୍ରେମ (ଏକ ପରିବର୍ତ୍ତନର ସ୍ଵର)
କବି କୁଟୀର, ଦଣ୍ଡାସିଂହା, ବାରକୋଟ 
ଦେବଗଡ (ଓଡିଶା) ପିନ୍- ୭୬୮୧୦୮
ଭ୍ରାମ୍ୟଭାଷ- 09668242720

Post a Comment

0 Comments