Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପ୍ରାର୍ଥନା - ଘନଶ୍ୟାମ ସାହୁ


ହେ କରିତ୍ କର୍ମା !
ମୋତେ କାକଟିଏ କରିଦିଅ,
ପ୍ରତି ପ୍ରତ୍ୟୁଷରେ
ଜାଗରଣର ମନ୍ତ୍ର ଗାଉଥିବି,
ଆଳସ୍ୟକୁ ପରିତ୍ୟାଗ କରି
କର୍ମପଥେ ଅବିରତ ଚାଲିବାର
ଶଙ୍ଖ ବାଉଥିବି ।

ମୁଁ ତ ହେବି ମେହେନ୍ତରଟିଏ,
ଅଳିଆ ଆବର୍ଜ୍ଜନା ଦୂର କରି,
ସମାଜକୁ କଳୁଷମୁକ୍ତ କରିବା
ଜୀବନର ବ୍ରତ ଭାବେ
ଗ୍ରହଣ କରିବି ।
ଗାଁ, ମାଟି ମା' କୁ ସ୍ୱଚ୍ଛ ପରିମଳ
ସବୁଜ ଶାଢ଼ୀରେ ସୁନ୍ଦର ସଜାଇବାକୁ
ନିତି ନିତି ସପନ ଦେଖିବି ।

ବେଳେ ବେଳେ ମୋ ସ୍ୱର ଋକ୍ଷ ହେଉଥିବ
କର୍କଶ କଣ୍ଠ ପାଇଁ,
ଏ ସମାଜରୁ କେତେ ନିନ୍ଦା ଗାଳି
ଅପମାନ ନିତି ପାଉଥିବି
ସେଥିପାଇଁ ମୁଁ  କିମ୍ପାଇଁ ଖାତିର୍ କରିବି  ?
ବାଟବଣା-ଭ୍ରଷ୍ଟ, ଦୁରାଚାରୀ ସଂସାରୀ ମାନଙ୍କ ଠାରୁ
ବାହା ବା ପାଇବାକୁ ମୁଁ
କେମିତି ଯେ କାମନା କରିବି  ??

ମେହେନ୍ତର ହେଲେ ବି
ମୋର କଣ ସ୍ୱ।ଧୀନତା ନାହିଁ
ସତ୍ୟ-ନ୍ଯାୟ-ପୁଣ୍ଯର ତଣ୍ଟି ଚିପି ଧରି
ମାରି ଦେଉଥିବା ବେଳେ
ସ୍ରଷ୍ଟାର ସୃଷ୍ଟି ରକ୍ଷା ରେ
ମୋର କ'ଣ କିଛି କରିବାର ନାହିଁ
ଲଢ଼ୁଆ ମୁଁ ,ମୋ ଜାତି ଲଢ଼ୁଆ
ଲଢୁଥିବି ଅନ୍ୟାୟର ମୂଳପୋଛ ପାଇଁ
ଆଉ କିଏ ଆସୁ କି ନ ଆସୁ
ଆମେ ତ ଆଗୁଆ ।

ଏ ସୃଷ୍ଟିର ବହୁ ପୁରାତନ
ଜୀବଟିଏ ହୋଇ,
ସୃଷ୍ଟିର ଆଦ୍ୟ ସକାଳୁ
ପୃଥିବୀର ପାହାଡ଼ ପର୍ବତ
ସରିତ-ସାଗର,
ପଶୁ-ପକ୍ଷୀ-ମଣିଷ ସମାଜ
ଅହରହ ବିବର୍ତ୍ତନ
ଦେଖୁଥିବି ମୁହିଁ ।
କାକଭୁଷଣ୍ଡ ; ମୋ ଜାତି ପ୍ରତିନିଧି
ଦେଖୁନ, ନୀଳାଚଳ ଧାମେ
ଜଗିଛନ୍ତି ସର୍ବଦର୍ଶୀ ସାକ୍ଷୀରୂପ ହୋଇ ।

ଆଜି ଏ ମଣିଷ ସମାଜ୍
ଗାଁ-ସହର କେତେ ସ୍ବଚ୍ଛ
ପରିମଳରେ କେତେ ଆଗେଇଛି,
କଳୁଷତା କିନ୍ତୁ
ମଣିଷର ଅନ୍ତର ଭିତରେ
ପୂରି ପୂରି  ଉଚ୍ଛୁଳି ପଡୁଛି ।
ହିଂସା, ହତ୍ୟା, ବର୍ବରତା
ଅନ୍ୟାୟ ଓ ଅତ୍ୟାଚାର
ଚରମ ଶିଖରେ/ଜୀବନ ଏଠି ଦୁର୍ବିସହ
ନାରୀର ସଂଭ୍ରମ
ଲୋଟି ପଡେ ରାଜରାସ୍ତା ପରେ
ଗରିବ ପାଇଁ ନ୍ୟାୟ ମହଙ୍ଗା ହୋଇଛି
ହେ ସର୍ବ ନିୟନ୍ତା !
ଶକ୍ତି ଦିଅ ମୋତେ
ତୁମ ଦିଆ ଏ କର୍କଶ କଣ୍ଠରେ
ନିତି ପ୍ରତି ସଭିଙ୍କୁ ସଚେତନ କରି
ଏ ସମାଜରୁ କଳୁଷ ପୋଛିବି
ତୁମ ସୃଷ୍ଟିର ମହତ୍ ଉଦ୍ଦେଶ୍ଯ
ପୂରଣ କରିବା ଦିଗରେ
ସହାୟକ ହେବି ।
ମୁଁ ତ ମେହେନ୍ତରଟିଏ,
ଆଉ କିଛି ଲୋଡା ନାହିଁ ମୋର
ଶକ୍ତି ଦିଅ ମୋତେ
ବାହ୍ୟ ଅଭ୍ୟନ୍ତର
ଶୁଚି କରି ଗଢିତୋଳେ ଯେମିତି
ଏ ସମାଜକୁ ସରଳ ସୁନ୍ଦର ।

ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ - ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ, ଜିଲ୍ଲା - ଅନୁଗୋଳ,
ମୋବାଇଲ ନମ୍ବର -୯୪୩୭୬୬୪୫୩୭,
ପିନ୍ କୋଡ - ୭୫୯୧୨୭

Post a Comment

0 Comments