Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଫିକା ପ୍ରତିବିମ୍ବ - ପ୍ରଶାନ୍ତ କୁମାର ସାହୁ


ଆସିଥିଲା ଯେ
ଗଲାବେଳେ କହିଲା...
ଭଲ ଲୋକ ହେଉନ..
ହେବାକୁ କସରତ କଲି
ଆମ ଭଦ୍ରମେଳିଆଙ୍କ
ଶବ୍ଦ ଖୋଳତାଳେ !
ଶୁଭିଲାନି କିଛି
ହସୁଥିଲେ ସର୍ବେ
ଏକ ବିରାଟ ଦର୍ପଣ ଆଗରେ !!!
ମୁହଁ ପୋଛି ପଚାରିଲି
ସୂରୁଜ ଉଇଁବ କେବେ ?
ଆଗରେ ତ ପାହାଡ଼ ଅନେକ
ଅଙ୍କାବଙ୍କା ପଥ ଧାରେ
ଆଗପଛ ହୋଇ
ଖୋଜିବୁଲେ ତଟ
ପାରିହେବି ସ୍ବର୍ଗୀୟ ସପନେ ,
ଥିଲି କଦାଚନ୍ ଏଠି
ବିନା ପ୍ରତିବାଦେ
ଶାସ୍ତ୍ରର ଟିପାଚନ୍ଦନ
ଆଉ ପ୍ରଭାତର କୋମଳ ଫୁଲରେ ,
ନ ଥିଲେ କେ ଯାତ୍ରୀ
ପାରି ହେବେ ଶସକ୍ତ ହଦୟେ
ବିଚଳିତ ଦେଶର ହଦକୁ
ଆହୁଲାର ପ୍ରତିଘାତେ !
ନୀରବି ଗଲି ଖାଲି
ଅନୁଭବି ସ୍ରୋତର ଗତିରେ
ଭାସୁଥିଲି ଅଦୈବ ସାହାରେ
ଜୀଇବାକୁ ଅସୀମ ନିର୍ବାକ ଯୋଗରେ ,
ଖୋଜୁଥିଲି ଦର୍ପଣର ରଙ୍ଗ
ବୋଳିହେବି ଥରେ ...
ନଥିଲା ବେରଙ୍ଗ ଟିକେ
ମାଖିବାକୁ ପଲକର ଉପାନ୍ତରେ !!!
ଅଙ୍ଗୁଳି ଚଳାଇ କେହି ଜଣେ ପଢ଼ୁଥିଲେ
ଆଦିମ ଯୁଗର ସଂଜ୍ଞାହୀନ ଛବି
ବୃଥାଟାରେ ଯାହା କହୁଥିଲି "ଅମଣିଷ"--
ଦେଖି ନିଜ ପ୍ରତିଛବି ।

ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ଼, ଖୋର୍ଦ୍ଧା

Post a Comment

0 Comments