Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

କୁଆଁର ପୁନେଇ ଜହ୍ନ ଗୋ - ନାରାୟଣ ସେନାପତି


ଆଜି ବି ମନରେ ଅଫୁରନ୍ତ ଆନନ୍ଦ ଉଙ୍କି ମାରେ
ଯେବେ କାନ ମନେ ପକାଏ
ସେହି ମାଧୁରୀଙ୍କ ମଧୁର ରାଗିଣୀ..
କୁଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳ ବେଣି॥
ପ୍ରୀତିର ଚାଙ୍ଗୁଡାରେ ଶରଧାର ପାରିଜାତ ଧରି
ଯେବେ କୁମାରୀଏ ଚାହାଁନ୍ତି ଆକୁଳେ
ଅଶିଣ ପୁନେଇଁ ଜହ୍ନଟା ଖିଲିଖିଲି ହସେ
ହାତଠାରି ଡାକେ....
କୁମାରୀଏ ଆବେଗରେ କରନ୍ତି ପ୍ରେମ ନିବେଦନ
ପାଇବାକୁ ମନଲାଖି ସପନର ଯୁବରାଜ
ହୋଇଥିବେ ସୂର୍ଯ୍ୟପରି ତେଜିୟାନ
ଜହ୍ନ ପରି କୋମଳ ଶୀତଳ
ଆଉ ଉମାସୂତ କାର୍ତ୍ତିକେୟଙ୍କ ପରି ଦିବ୍ୟସୁନ୍ଦର
ରୂପରେ ଅରୂପ..ଗୁଣରେ ଅନନ୍ୟ
ବାଃ କି ଅନୁପମ ସପନର ପ୍ରେମ କାହାଣୀ !!!
ଆଶ୍ୱାସନାର ସାଗର ବେଳାରେ ଅଭିପ୍ସାର ଶାମୁକା ହୋଇ
ପୂଜନ୍ତି କୁମାରୀଏ ଦିବସରେ ତପନକୁ
ରଖନ୍ତି ବ୍ରତ
ମନେ ମନେ ସ୍ମରନ୍ତି କୁମାର କାର୍ତ୍ତିକଙ୍କୁ
ତାଙ୍କ ଏ ସ୍ୱନକ୍ଷତ୍ର ଦିବସରେ
ସରାଗେ ସଞ୍ଜବତୀ ଆଢୁଆଳରେ
ଦର୍ଶନ କରି ଚନ୍ଦ୍ରମାଙ୍କୁ
ଅର୍ପଣ କରନ୍ତି ପ୍ରେମ ଭକ୍ତିର ନୈବିଦ୍ୟ
ଚାହିଁଥାନ୍ତି ଚାତକପ୍ରାୟ ଆଙ୍କିବାକୁ ପ୍ରେମ ଇନ୍ଦ୍ରଧନୁ
ମୁକ୍ତାର ତୂଳିରେ
ଭୋଜନ କରନ୍ତି ଆଶିଷର କୈବଲ୍ୟ କଣିକା
ବାଃ କି ଚମତ୍କାର ଭାବ ଭକ୍ତିର କାହାଣୀ !!!
ଆମୋଦର ଉଦ୍ୟାନରେ ସାରାରାତି ଖେଳକୁଦ
କୁମାରୀଙ୍କ ଉନ୍ମାଦନାର ତଟିନୀଟା କୂଳ ଲଙ୍ଘେ
ଚାହେଁ ଛୁଇଁବାକୁ କୁମାର ପର୍ବତ ପାଦ
ସଙ୍ଗୀତ ନୃତ୍ୟର ଉପଭୋଗ୍ୟ ଆକର୍ଷଣ
ଭସା ବାଦଲ ଫାଙ୍କରୁ ଝରାଏ ପ୍ରେମର ସଲିଳ
ଆଶାର କାଦମ୍ବିନୀ ଖୋଜେ ଲେଖିବାକୁ ମାଧୁର୍ଯ୍ୟର କାବ୍ୟ
ସଂସ୍କୃତିର ଚନ୍ଦ୍ରବିଧୌତ ରଜନୀରେ
ଲେଖେ ସମ୍ପର୍କର ଅନାବିଳ  ଛନ୍ଦ
ମନ ହୁଏ ଛନ ଛନ ଗୋ ଫୁଲ ବଉଳବେଣି
ବାଃ ଚମତ୍କାର ସେ ଅଭୁଲା ଅଲିଭା ପୁନେଇ କାହାଣୀ !!!

ନାରାୟଣ ସେନାପତି, ଜମ୍ଭରା, କେନ୍ଦୁଝର
ସରକାରୀ ଉ.ପ୍ରା. ବିଦ୍ୟାଳୟ ଡିମିରିଆ, କେନ୍ଦୁଝର, ପିନ୍ - ୭୫୮୦୧୯

Post a Comment

0 Comments