Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଗାଆଁ ର ଚିତ୍ର - ଧ୍ରୁବ ଚରଣ ବେହେରା


ସୁନ୍ଦର ସକାଳ ହସୁଛି ଧରଣୀ
ସବୁଜିମା ଗାଏ ଗୀତ
ଦୁରେ ତାଳବଣ ଶୁଣାଏ କବିତା
ନଭ କୁ କରି ସଙ୍ଗାତ ।୧।

ଶୁଭୁଅଛି ଦେଖ ବିହଙ୍ଗ କାକଳି
ନାନା ପକ୍ଷୀ ଯାନ୍ତି ଉଡ଼ି
ନୀଳ ଗଗନର ଛାତି ପଥ ପରେ
ଲମ୍ବି ଛନ୍ତି ଧାଡି ଧାଡି ।୨।

ଅନୁଶାସନର ଶୃଙ୍ଖଳା ଭିତରେ
ବ୍ୟବଧାନ ରଖିଥାନ୍ତି
କାହିଁ କେତେ ଦୂରେ ପଡି ଅନୁଷଣେ
ଡେଣା ଝାଡି ଉଡି ଯାନ୍ତି ।୩।

ନଦୀ ବହୁଅଛି ପାହଡ ଶିଖରୁ
ଅଙ୍କା ବଙ୍କା ଯାଏ ବହି
କେଉଁ ସୀମାନ୍ତର ଗିରି କନ୍ଦରରୁ
ଧାଇଁଛି ସାଗର ପାଇଁ ।୪।

ତଟିନୀର ଧାରେ ଶିମିଳି ବୃକ୍ଷରେ
ଦେଖ ଚକ୍ରବାକ କେଳି
ବାଳ ଅରୁଣର ସୁନେଲୀ କିରଣେ
କି ସୁନ୍ଦର ତାଙ୍କ ହଳି ।୫।

ପୁଷ୍କରିଣୀ ତୀରେ ହଂସ ହଂସରାଳି
କ୍ରିଡନ୍ତି ଆନନ୍ଦ ହୋଇ
ତପନକୁ ଦେଖି କମଳିନୀ ରାଣୀ
ଦିଗୁଣିତ ହସୁଥାଇ ।୬।

ଶୀତଳ ସମୀର ବହେ ସୁଲୁ ସୁଲୁ
ବନ ଉପବନ ଦେଇ
ନାନା ପୁଷ୍ପ ମାନ ସୁଗନ୍ଧିତ ବାଷ୍ପେ
ମହ ମହ ଚହଟଇ ।୭।

ପ୍ରଜାପତିଙ୍କର ଲାଗି ଯାଏ ମେଳି
ଅଳି ବଜାଏ ବଂଇଶୀ
ମହୁମାଛିଙ୍କର ଲାଗଇ ଗହଳି
ମାଳୀ ଦେଖି ହୁଏ ଖୁସି ।୮।

ଗାଆଁ ମାଟି ରାସ୍ତା ସୁ ଦୀର୍ଘ ଲମ୍ବିଛି
ଯୋଡିଛି ରାଜ ରାସ୍ତାକୁ
ଶେଷ ମୁଣ୍ଡେ ଦେଖ ଥୁଣ୍ଟା ବରଗଛ
ହସ ବାଢେ ଆକାଶକୁ ।୯।

କୃଷକ ଭାଇ ଯେ ହଳ ଘେନି ଚାଲେ
କାଶିଆ କପିଳା ନେଇ
ଆଗ ଭଳି ଆଉ ଶଗଡିଆ ଗୀତ
ତା ମୁହଁରୁ ଶୁଭୁନାହିଁ ।୧୦।

ଜେଜି ବୁଢୀ ମୋର ଖରା ପୁଆଉଛି
ବସି ମାଟି ବାରଣ୍ଡାରେ
ନାତି ନାତୁଣୀଙ୍କୁ କହୁନାହିଁ ଗପ
ଆଜି ଭଳି ସକାଳରେ ।୧୧।

ମୁନା ଖେଳୁଅଛି ଗାଆଁର ଦାଣ୍ଡରେ
ସାଙ୍ଗମେଳେ ଥାଇ ଖୁସି
ଡାକିଦେଲେ ତାକୁ ଛୋଟୁ ବୋଲି ଧିରେ
ପାଖେ ଆସେ ହସି ହସି ।୧୨।

କବିତାଟି ପଢ଼ି ଆଙ୍କି ଦିଅ ବାରେ
ଗାଆଁର ଛୋଟିଆ ଚିତ୍ର
ସମସ୍ତ ସୁ ଜ୍ଞାନୀ ପାଠକ ପାଠିକା
ତୁମେ ମୋର ପୂଜ୍ୟ ମିତ୍ର ।୧୩।

ଧ୍ରୁବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ, ଖୋରଧା

Post a Comment

0 Comments