Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ଏକ ସମ୍ମୋହନ ଅନେକ ଦହନ - ସୀମାଞ୍ଚଳ ରଣା


ଯେବେ ସଞ୍ଜ ନଇଁ ଆସେ ରାଧିକା ମାଉସୀର ଟଙ୍କିକିଆ ସିଙ୍ଗଡ଼ାର ଭିଡ଼ ବସେ ଶେଷ ବେଞ୍ଚରେ । ଦଶଟି ସିଙ୍ଗଡ଼ା ସହ ଟିକେ ବିଟ ଲୁଣ ଆଉ ଛଣା ଲଙ୍କାରେ ଟଙ୍କା ଦଶଟି ବେପାର କରୁକରୁ ମଝିରେ ମଝିରେ ପାନ ପିକର ପିଚକାରୀ ତା ପାଟିକୁ ବେଶ ମାନୁଥାଏ । ଏଇ ଦଶହରା ଛୁଟିରେ ଗାଁ କୁ ଫେରିଲେ ମୁଁ ବି ରାଜଧାନୀ ଏକ୍ସପ୍ରେସରୁ ଓଲ୍ହାଇ କୋଡିଏ ତାଙ୍କର ସିଙ୍ଗଡ଼ା ଖାଇ ବସିପଡ଼େ କିଛି ସମୟ ମାଉସୀ ପାଖ ବେଞ୍ଚ ରେ ।ସେ ସିଙ୍ଗଡ଼ା ବେପାର ରେ ମଗ୍ନ ଥିବା ବେଳେ ମୁଁ କିନ୍ତୁ ଲେଖିବସେ କିଛି ଅପରିଚିତା ଙ୍କ ରୂପକଳ୍ପନା ମୋ କଲମର ଆମାନିଆ ମୁନରେ । କେହି ତ ଢଳିଢଳି ଆସେ, କେହି ଗୁଣ୍ଠୁଣୀ ହାତୀ ପରି ଝୁଲି ଝୁଲି । କେହି ଆସେ ନବ ବିବାହିତ ବେଶଭୁଷାରେ ତ କେହି ଆସେ ବାରଙ୍ଗନା ପରି । ଅଳ୍ପ ସମୟ ପାଇଁ ମୋ ଆଖି ସାମ୍ନାରେ ଚାଲିଯାଉଥିବା କିଛି ନାରୀ ଯେ ସେମାନଙ୍କ ଅଜାଣତେ କବିତାର ନାୟିକା ସାଜି ଯାଆନ୍ତି, ତାହା କେବଳ ଜାଣେ ଏ ନୀଳାଦ୍ରି ରଞ୍ଜନ ମହାପାତ୍ର ।

ଓଃ କି ଶାନ୍ତି ! କି ମନମୁଗ୍ଧ ଧାଡିଏ କବିତା ଲେଖି । ସମୟର ଅଗ୍ରଗତିରେ ରାତି ଟା ଖୁବ ଉପହାସ କରେ ଏ ଭୁବନେଶ୍ୱର ରେଳ ଷ୍ଟେସନରେ, ସେପଟେ ପ୍ରତୀକ ବୋଉର ବୋରିଂ ଘଣ୍ଟି ଟି ବାଜୀଉଠେ ମୋ ମୋବାଇଲରେ ।

--ହେଲୋ.....................ହେଲୋ । ମୁଁ ନୀଳାଦ୍ରି ରଞ୍ଜନ ଏବେ ଯାଇ ପହଞ୍ଚିବି ଦେବୀ ତୁମରି ମନ୍ଦିରେ, ଷ୍ଟେସନରେ ପୁରୁଣା ସାଙ୍ଗଟେ ଦେଖା ହେଲା ତ ଟିକେ ଅଟକି ଯାଇଛି ।
--ଥାଉ ଆଉ ପରିଚୟ ଦେବା ଦରକାର ନାହିଁ । ହଇଓ ଟ୍ରେନ ଟା ଆଜିବି ଲେଟ କଲା ନା ତୁମେ ସେ ଖାତା ପେନ ଧରି କୋଉ ଅଲକ୍ଷଣୀର ରୂପରେ ମଜ୍ଜିଯାଇ ଫବିତା ଗାରାଉଛ ସେଇଠି ?

ପ୍ରତୀକ ବୋଉର ଏ ଚଢ଼ା ଗଳା ର ସ୍ୱର ମୋତେ ପ୍ରଥମ ସ୍ୱାଗତ କରେ ଏ ଷ୍ଟେସନରେ ପାଞ୍ଚ କିଲୋମିଟର ଘର ପାଖରୁ । ଆଜି ବେସି ଭିଡ଼ ନାହିଁ ଏଠି ଟ୍ରେନ ରୁ ଓଲ୍ହାଇ ଥିବା ଯାତ୍ରୀ ମାନେ ଚାଲିଗଲେଣି ।ଟ୍ରେନର ପଟିରେ କିଛି ଓଡ଼ିଶାର ଦାରିଦ୍ର୍ୟ ବୋଲାଉଥିବା ଅନାଥ ଶୈଶବ ପ୍ଲାଷ୍ଟିକ ବୋତଲ ସଂଗ୍ରହ କରୁଛନ୍ତି । ଆଃ କି ଦୁଃଖ ଏ କୋମଳ ଶୈଶବଙ୍କ ପେଟ ଚାଖଣ୍ଡେ ପାଇଁ ଯେ ଏମାନେ ଅଧରାତି ଯାଏ ବୁଲା ସ୍ୱାନ ଙ୍କ ସହ ମିତ୍ରତା କରିପାରନ୍ତି ଏହା କେବଳ ଯାତ୍ରୀମାନେ ଜାଣିପାରନ୍ତି ।ଧଳା ପୋଷାକ ପିନ୍ଧି ନେତା ବୋଲାଉଥିବା ମଣିଷ ମାନେ କିନ୍ତୁ କାଗଜ କଲମରେ ନିଜ ରାଜ୍ୟର ଦାରିଦ୍ର୍ୟ ଦୂର କରନ୍ତି ।
ହା.......ହା......ହା......ହା ।

ବେଞ୍ଚରୁ ଉଠୁଉଠୁ ଆଜି ଏକ ନୂତନ ବ୍ୟକ୍ତିଙ୍କୁ ଦେଖି ପାଖକୁ ଗଲି ।

--ଆରେ ସୁଜ୍ଞାନ ତୁମର ଏ କି ବେଶ ? 
--ସାର ନମସ୍କାର । ଯାହା ହେଉ ଆପଣ ଚିନ୍ହି ପାରିଲେ ଏହା ହିଁ ମୋ ସୌଭାଗ୍ୟର କଥା ।
--ହଁ....କିନ୍ତୁ....? ତୁମର ଏ ବେଶ । ଦେହରେ ନାଲି ରଙ୍ଗର ସାର୍ଟ,ମୁଣ୍ଡରେ ପଗଡ଼ି, ଡେଣାରେ ବିସ୍ମିତ ଏକ ନମ୍ବର ଫଳକ ? ତୁମେ ତେବେ....
--ଷ୍ଟେସନ କୁଲି ସାର ।
--ତୁମେ ତ ସୁଜ୍ଞାନ ରାଉତ । ଗରିବ କୁଡ଼ିଆରେ ନିଜକୁ ମଣିଷ କରିବାପାଇଁ ଏକାଲୟରେ ପାଠ ଗୁଡିକ ପିଇଯାଇ ନିଜକୁ ଏକ ସଫଳ ଛାତ୍ର ରୂପେ ପରିଚୟ ଦେଇଥିଲ । କିନ୍ତୁ ଆଜି......
--ହଁ ସାର ସେସମୟ ଥିଲା ଅନ୍ୟ କାହାର ।ଯାହା ପାଇଁ ମୋତେ ଏଇଠି ଆଜି ନିଜ ପରିଚୟ ଏକ କୁଲି ବୋଲି ଦେବାକୁ ପଡୁଛି ।

(ସୁଜ୍ଞାନ ରାଉତ ବୟସ 25 ଉଚ୍ଚ ଶିକ୍ଷିତ ଯୁବକ ।ମନରେ ଅନେକ ଆଶା ନେଇ,ଶିକ୍ଷା ଜୀବନରେ ସଫଳତା ହାସଲ କରିଥିବା ସୁଜ୍ଞାନ ଜଣେ ଲେଖକ ମଧ୍ୟ ।ଏଇ ତାହାର ମୋର ଫେସବୁକ ରେ ପରିଚୟ ଥରେ ଦୁଇଥର ତା ଘରକୁ ଅତିଥି ରୂପେ ଯାଇଛି ମୁଁ ।ନୂଆଣିଆ ଚାଳ ଘରେ କିନ୍ତୁ ବେଶ ମନଲୋଭା ସାଜସଜ୍ଜା ।ମୋ ପାଖରେ ଯେତେ ବେଳେ ଆକାଶର ଇସାରା ନଥିଲା ତା ଘରେ ଥାକ ଥାକ ଯଜ୍ଞସେନି ଆଉ ଶିଳାପଦ୍ମ ।ମୁଁ ଯେବେ ଛୁଇଁ ପାରିନଥିଲି ଝଡ଼ର ଇଗଲ କୁ ସେ ସେତେବେଳେ ଦେଖିସାରିଥିଲେ ଧୂମାଭ ଦିଗନ୍ତ ।ଅନେଲ ଅସଜଡ଼ା କବିତା ଗୁଡିକ ପଢ଼ିଛି ମୁଁ ତାଙ୍କର ।ହେଲେ ଆଜି ସେ ଷ୍ଟେସନର କୁଲି ଭାବିଲା ବେଳକୁ ଆକାଶଟା ଭୂମିରେ ମିଶିଯାଉଛି ।)
---କହି ପାରିବ ସୁଜ୍ଞାନ ତୁମର ଏ ପଥ ଆଦରି ନେବାକୁ ଏତେ ବଳିଷ୍ଠ ଇଛାଶକ୍ତି ପଛରେ କେଉଁ ରହସ୍ୟ ଦଣ୍ଡାୟମାନ?
--ରାତି ଅନେକ ହେଲାଣି ସାର ଆପଣ ଯାଆନ୍ତୁ ପରେ କେବେ ଦେଖା ହେଲେ କହିବି ସେକଥା ।

ସୁଜ୍ଞାନ ବୋଧେ କହିବାକୁ ଚାହୁଁ ନଥିଲେ ନିଜ କାହାଣୀ ମୁଁ ବି ବାଧ୍ୟ କଲିନି ।ସେପଟେ ଅନ୍ୟ ଏକ ଟ୍ରେନ ଲାଗିଥିଲା ଏକ ନମ୍ବର ପ୍ଲାଟଫର୍ମରେ । କୁଲି....କୁଲି..... ସମ୍ଭ୍ରାନ୍ତ ମାନଙ୍କ ମଧ୍ୟରୁ କେହିଜଣେ ଡାକୁଡାକୁ ନିମିଷକେ ହଜିଗଲେ ସୁଜ୍ଞାନ ମୁଣ୍ଡରେ ବକ୍ସ ଆଉ ହାତରେ ବ୍ୟାଗ ଧରି ।

କଥାରେ ଅଛି ଗରିବ ଖଟିଖିଆ ଟିଏ ଶାନ୍ତିରେ ଶୋଇପାରେ ସାରାରାତି କିନ୍ତୁ ଆମପାରି ଲେଖକ,କବି,ସାମ୍ବାଦିକ ମାନଙ୍କ ଆଖିକୁ ନିଦ ଆସିବାରେ ବିଳମ୍ବ ହୁଏ । ରାତି ସାରା ଛଟପଟ ହେବାକୁ ହୁଏ ମନରେ ଅବଶୋଷ ରଖି ।ମୁଁ ବି ସେମିତି ଛଟପଟ ହେଉଥିଲି ସୁଜ୍ଞାନଙ୍କ କଥା ଭାବି । କଣ ବା ହୋଇପାରେ ସୁଜ୍ଞାନଙ୍କ ଜୀବନରେ ଘଟିଥିବା ଇତିହାସ?କଣ ହୋଇପାରେ ତାଙ୍କ ବଦଳିବାର କାରଣ?କଣ ପାଇଁ ସେ ଶିକ୍ଷିତ ଯୁବକରୁ ଷ୍ଟେସନର କୁଲି?

ଆଃ......କି ବିବ୍ରତ ଏ ମନ? କି ଉଦବେଗ ସେ ଘଟଣାକୁ ଜାଣିବା ପାଇଁ?କିନ୍ତୁ କାହିଁକି?

ମୁଁ ମୋ ମନକୁ ବାରମ୍ବାର ପ୍ରଶ୍ନ ପଚାରିଥିଲି ସେ ରାତିରେ ।ଅସହାୟ ହୋଇ କିଛିଟା ନିଦ୍ରା ଆସିଥିଲା ଚତୁର୍ଥ ପ୍ରହରରେ । ସକାଳର ସୁରୁଜ ଯେବେ ଅନ୍ଧାରକୁ ଉପହାସି ଦେଲା,ସେତେବେଳେ ସମୟ ଥିଲା ସକାଳ ଦଶ ପ୍ରତୀକ ବୋଉର ଡାକ ରେ ନିଦ୍ରା ଭାଙ୍ଗି କପେ ଚା ରେ ନିଜକୁ ଫୁର୍ତ୍ତି କରୁକରୁ ମନେପଡିଗଲେ ସୁଜ୍ଞାନ । ନା ଆଜି ମୋତେ ପୁଣି ଷ୍ଟେସନ ଯିବାକୁ ହେବ ।ସେ ମୋ ନିଜର ନୁହେଁ ତଥାପି ତାଙ୍କ କଥା ଜାଣିବା ପାଇଁ ମୋତେ ବି କାହିଁକି ଏତେ ଭଲଲାଗୁଥିଲା ତାହା ବି ମୋ ପାଇଁ ପ୍ରଶ୍ନବାଚୀ ଥିଲା ।ଦର୍ପଣ ଆଗରେ ନିଜକୁ ସଜାଡି ନେଇ ବାହାରିଲି ଷ୍ଟେସନ ଅଭିମୁଖେ । ଆଜି ଖୁବ ଭିଡ଼ ଲାଗୁଛି ଷ୍ଟେସନ ଦଶହରା କୁ ଆଉ ତିନିଦିନ ବାକି ଥିବାରୁ ପ୍ରାୟ ପ୍ରବାସୀ ଓଡ଼ିଆ ଭିଡ ଜମାଉଛନ୍ତି ।ଏତେ ଭିଡରେ ମୁଁ କିନ୍ତୁ ଖୋଜୁଥିଲି ଜଣକୁ,ସେ ରଙ୍ଗ ଡ୍ରେସ ପିନ୍ଧା କୁଲି ବା ମୋ ପ୍ରିୟ ପାଠକ ସୁଜ୍ଞାନଙ୍କୁ । ଅନେକ ସମୟ ଅପେକ୍ଷା ପରେ ବିରକ୍ତି ହୋଇ ଚାଲିଯିବାକୁ ଉଦ୍ୟତ ହୁଅନ୍ତେ ମୁଁ,ହଠାତ କାହା ହସ୍ତ ମୋ କାନ୍ଧ ରେ ସ୍ପର୍ଶ ହୋଇ ପଦେ ପରିଚିତ କଥା "ସାର ଆପଣ କେତେବେଳେ?" ଶୁଣି ବୁଲି ଚାହିଁଲି । ସେ ଆଉ କେହି ନଥିଲେ ଜୀବନରେ ନିଜକୁ ପରିବର୍ତ୍ତନର ବାଦସାହ କହି ଅଗଣିତ ଯାତ୍ରୀଙ୍କ ରାଜ୍ୟର ସମ୍ରାଟ ବୋଲାଉଥିବା ଜଣେ ସରଳ ଯୁବକ ଷ୍ଟେସନ କୁଲି ଓରଫ ସୁଜ୍ଞାନ ।
--ଆରେ ସୁଜ୍ଞାନ ତୁମେ ଆସିଗଲ?ତୁମକୁ ହିଁ ଅପେକ୍ଷା କରିଥିଲି ।
--ମୋତେ କାହିଁକି ସାର?
--କେଜାଣି କାହିଁକି କାଲି ତୁମକୁ ଭେଟ ହେବାପରେ ଶାନ୍ତିରେ ଟିକେ ଶୋଇ ପାରିଲିନି ।ଛଟପଟ ହୋଇ ରାତି ପହିବା ପରେ ତୁମକୁ ଦେଖା କରିବାକୁ ଚାଲି ଆସିଲି ।
--ମୋତେ....?ମୁଁ କଣ ସାହାଯ୍ୟ କରିପାରିବି ସାର?ସାଧାରଣ କୁଲି ଟିଏ ।
--ନାଇଁ ସୁଜ୍ଞାନ ତୁମେ ସାଧାରଣ ନୁଁହ ।ତୁମ ଭିତରେ ଥିଲା ଅନେକ ପ୍ରତିଭା ।ତୁମେ କିନ୍ତୁ କାହିଁକି ସେ ସବୁ ଛାଡ଼ି ଆଜି ଏଇଠି ମୁଁ କେବଳ ତାହା ହିଁ ଜାଣିବାକୁ ଚାହେଁ ।
---ସେ ଅନେକ କଥା ସାର, ଗୋଟେ ପରାଜିତ ଇତିହାସ ସେ ।ବିଲୁପ୍ତ କାହାଣୀ ପେଡିରୁ କିଛି ଅସରନ୍ତି କଥା ସେ ।
--କୁହ ସୁଜ୍ଞାନ ।
--ହଁ ସାର ଶୁଣନ୍ତୁ ସେ ଅତୀତର ରହସ୍ୟ ।
ମୋ ଜୀବନକୁ ଆଜି ଏହି ସ୍ଥାନର ଆନନ୍ଦ ଉଲ୍ଲାସର ଗାଥା ।ଗୋଟେ ଦରଦୀ ମନର ଭାଷାକୁ । ସେସିନ ଥିଲା ରବିବାର ।ଅମାବାସ୍ୟା ପର ହୋଇ, ନିଜର ବୋଲି କେବଳ ଜ୍ୟୋସ୍ନାଭିଜା ଜହ୍ନରାତି । ଆକାଶରେ ଜହ୍ନ ସଙ୍ଗେ କିଛି ତାରା କଥା ହେଉଥାନ୍ତି,ସେମାନଙ୍କ ଫିସ ଫିସ କଥା ସବୁ ଜ୍ୟୋସ୍ନା ହୋଇ ମୋ ସର୍ବାଙ୍ଗରେ ପ୍ରତିଧ୍ଵନି ଦେଉଥାଏ ।ଆମ ଘରପାଖ ଥିବା ଆମ୍ବ ଗଛ ମୂଳେ ଏକାକୀ ବସି କବିତା ପଢ଼ିବାର ନିଶାରେ ଫେସବୁକ ଖୋଲି ମୁଁ ଭିନ୍ନ ଏକ ଦୁନିଆରେ ଥାଏ । ଏକ ଅପରିଚିତା ତରୁଣୀର ବନ୍ଧୁ ନିବେଦନ ପାଇଁ,ମୋ ଅଜ୍ଞାତରେ ସ୍ୱୀକାର କରିଦେଲା ପରେ ।ଏକ ନୂତନ ବନ୍ଧୁତ୍ୱର ଭିନ୍ନ ଅନୁଭୂତି ସାଉଁଟି ବସିଲି । ପ୍ରଥମ ପରିଚୟ ଏହିପରିଥିଲା ।

--ହେଲୋ ।
--ହାଏ ।
--ତୁମ ପରିଚୟ?
--ଜଣେ ସାହିତ୍ୟ ପ୍ରେମୀ ମୁଁ ।
ନାଁ ମୋର ଶୁଭସ୍ମିତା ।
--ସୋସିଆଲ ମିଡ଼ିଆରେ ସାହିତ୍ୟ ପ୍ରେମ ସହ ବନ୍ଧୁତ୍ୱ କୁ ଆଦରି ନେଇଥିବାରୁ ଆପଣଙ୍କୁ ଧନ୍ୟବାଦ ।
--ଆପଣଙ୍କୁ ମଧ୍ୟ ।

ଏଥିଲା ଆମରି ପ୍ରଥମ ଆଳାପ ।ପରେପରେ ସେଦିନର ନୂତନ ବାନ୍ଧବୀ ତଥା ମିଷ୍ଟଭାସିନୀ ସୁଭସ୍ମିତା ସାହୁ ଙ୍କ ସହ ମୋର ଆନ୍ତରିକତା ଅତୀବ ନିବିଡ଼ ହୋଇଗଲା । ସେ ଲେଖୁଥିବା କବିତା କୁ ପ୍ରତିଉତ୍ତର ଦେବାକୁ ଯାଇ ମୁଁ  ଅତି ନିବିଡ଼ ହୋଇଗଲି ଶୁଭ ସହ । ସୁଭସ୍ମିତା ସାହୁ ।ବୟସ ବସନ୍ତକୁ ଷୋହଳ ବର୍ଷରେ ପରିଚିତ ସେ ।କେବେ ଦେଖିନଥିଲେ ବି ଫେସବୁକ ରୁ ତାଙ୍କ ପତଳା ଦେହ,ଲମ୍ବା କେଶ, ଗୋଲାପୀ ଓଠ,ନୀଳନୀଳ ଆଖିକୁ ବେଶ ଭଲଭାବେ ପରଖି ପାରିଥିଲି ମୁଁ ।ଅଳ୍ପ କିଛିଦିନର ପରିଚୟରେ ସେ ଧୀରେଧୀରେ ମୋ ହୃଦୟ ଘରକୁ ଆସିସାରିଥିଲା । ଏମିତିରେ ଖୁବ ଭଲ ବନ୍ଧୁଥିଲୁ ଆମେ ।ଏଇ କବିତାର ପ୍ରତିଉତ୍ତର ଯେ ପ୍ରେମର ମୂଳଦୁଆ ତାହା ଶୁଭ କୁ ଭଲପାଇବା ପରେ ହିଁ ଜାଣିଲି । ନୀଳ ଆକାଶରେ ଉଡୁଥିବା ମୁକ୍ତ ବିଂହଗ କି ଜାଣେ ପଞ୍ଜୁରୀ ଭିତର ବେଦନା?ମୋ ମନ ସିନା ଶୁଭ ପାଇଁ ରାତିଦିନ ଗୋଟେ ହୋଇଯାଉଥିଲା ହେଲେ,ସେ ଥିଲା ମିଜାଜ୍ ମଣିଷ ମୋ ଭଲ ପାଇବା ସହ ଥିଲା ତା ଛଳନାର ଆଧିପତ୍ୟ ।ସେ ବିସ୍ତାରି ସାରିଥିଲା ମୋ ହୃଦୟରେ ଛଳନା କିନ୍ତୁ ମୁଁ ବୁଝିପାରୁନଥିଲି ତାକୁ । ସେ ନୀଳ ଆକାଶରେ ଉଡିବାର ସ୍ୱପ୍ନ ଦେଇ,ମୋତେ ଆହତ ବିହଙ୍ଗ କରିଥିଲା ।ସେ ଶେଷ ନିଶାର୍ଦ୍ଧରେ ସଙ୍ଗିନୀ ହେବ କହି,ମୋତେ ଜୀବନ୍ତ କବର ଦେଇଥିଲା । ଜୀବନ ଯେ ଦିଗହରା ପ୍ରେମର ମରୁଭୂମିରେ,ଆର୍ତ୍ତନାଦ ର ବେସୁରା ହାହାକାର କେବଳ ମରୀଚିକା ପାଶେ ।ଏକଥା କେବଳ ଶିଖିଗଲି ସୁଭସ୍ମିତା ପାଖରୁ । ମନେଅଛି ମୋର କଥା ସେଦିନର ।

ରାତିର ଅନ୍ଧାର କୁ ଜହ୍ନ ଉପହାସ କରି ହସୁଥିଲା ।ଗୋଟେ କଲ ରେ ମୁଁ ଯାଇ ପହଂଚିଥିଲି ଭୁବନେଶ୍ୱର ରେ ।ଗହୀରିଆ ଛକରେ ରାତି ଚାରିରେ ବସରୁ ଓଲ୍ହାଇ ସହରଠୁ ଦୂର ସାତ କିମି ଅଞ୍ଚଳକୁ ଯିବା ପାଇଁ ଏକୁଟିଆ ହେବି ବୋଲି ଶୁଭ ଏବଂ ତା ବାନ୍ଧବୀ ମୋତେ ଅପେକ୍ଷା କରିଥାନ୍ତି ।ଶୁଭର ଭଡ଼ାଘରେ ପହଞ୍ଚି ନିଜ ଦେହକୁ କ୍ଳାନ୍ତ ପଣରେ ବିଛଣା ରେ ଲୋଟାଇ ଦେଲି । ସକାଳ ନଅ ରେ ଶୁଭର ଡାକ ପାଇ ନିଦ୍ରା ତେଜିଲି ।ବେଡ୍ ଟି ପିଇବାର ଅଭ୍ୟାସ ନଥିଲେ ବି ଶୁଭର ହାତ ତିଆରି ଚା ପିଇବା ପାଇଁ ମନ ଯେମିତି ଉଚ୍ଛନ ହେଉଥିଲା ମୋର ।ଭୁବନେଶ୍ୱରରେ ଏଇ କିଛି ସମୟ ରହିବା ଭିତରେ ମୁଁ ନିଜକୁ ପ୍ରଶ୍ନ ପଚାରୁଥାଏ ଯେ ମୁଁ କାହିଁକି ଏଇଠି?ଶୁଭ ସହ ମୋର ସମ୍ପର୍କ କଣ?ଗୋଟେ ତରୁଣୀ ନିକଟରେ ମୁଁ କାହିଁକି ଆଜି?ତେବେ କଣ ସେ ମୋତେ........ ନା ଏ ସବୁ ବାଜେ ଚିନ୍ତାମୋର । ମୁଁ ନିଜକୁ ଆୟତ୍ତ କରୁକରୁ ଦୃଢ଼ ସ୍ୱୀକାର କଲି ଯେ ମୁଁ କେବଳ ତାହାର ବନ୍ଧୁ,ଆଉ ଜଣେ ବନ୍ଧୁ କେବଳ ସାକ୍ଷାତ ଉଦେଶ୍ୟରେ ଏଇଠି ଅନ୍ୟକିଛି ନୁହେଁ । ବିଳମ୍ବରେ ଗାଧୋଇ ପଡି ଦୁହେଁ ବାହାରିଲୁ ସ୍କୁଟି ନେଇ କୋଣାର୍କ ଅଭିମୁଖେ,ପରେ ପରେ ପୁରୀ ବେଳାଭୂମିରେ କିଛି ମୁହୂର୍ତ୍ତରେ କିଛି ମିଠା ଅନୁଭବ ମୋ ପାଇଁ ଆକାଶ ପାତାଳ ଫରକ ଲାଗୁଥାଏ । ସମୟ ଆସି ସନ୍ଧ୍ୟା ଛ ହେଲାଣି ଭୁବନେଶ୍ୱର ପହଞ୍ଚିବାକୁ ଅନେକ ସମୟ ଲାଗିବ ।ମୁଁ ଦ୍ଵନ୍ଦ ଅନୁଭବେ କିଛି କହିଲି ଶୁଭ କୁ ।

--ଶୁଭ ଆମେ ଭୁବନେଶ୍ୱର କେତେବେଳେ ପହଞ୍ଚିବା?
--ଏଇ ଦୁଇଘଣ୍ଟା ଲାଗିବ  କାହିଁକି କଣ ହେଲା କି?
--ମୋତେ ଡରଲାଗୁଛି ଏ ରାତି ମୁଁହ ସଞ୍ଜ ଯାତ୍ରାରେ ।
--ଦେଖିକି ଖସିପଡିବ ।ହା ହା ହା ହା ।
--ନା ଯେ ଯଦି ଆମର କିଛି ହୋଇଯାଏ ?
--ମାନେ?
--ଧରିନିଅ ଦୁର୍ଘଟଣା!
--କି ବାଜେ ଚିନ୍ତା ତୁମରି?ହେ ପ୍ରଭୁ ମୋତେ ଗାଡିରୁ ପେଲିଦିଅ ହେଲେ ୟାଙ୍କୁ ଗାଡି ସାଥିରେ ସୁରକ୍ଷିତ ଭୁବନେଶ୍ୱର ପହଞ୍ଚିବାକୁ ଦିଅ ।ହା ହା ହା ହା 

ସତରେ ଏ ଶୁଭର ମନଖୋଲା ହସରେ ମୋ ଭୟ ସତେ ଯେମିତି ଉଭନ ହୋଇଗଲା ।କିଛି ସମୟରେ ଆମେ ଭୁବନେଶ୍ୱର ପହଞ୍ଚିଲୁ ।
ତୁମେ ବସ ସୁଜ୍ଞାନ ।ମୁଁ ଫ୍ରେସ ହୋଇଆସେ ରୋଷେଇ କରିବି ।ପରେ ତୁମେ ଫ୍ରେସ ହେବ ।ଏତକ କହି ଶୁଭ  ଚାଲିଯିବାପରେ ମୁଁ ଟିକେ ହାଲୁକା ନିଦରେ ଶୋଇପଡିଲି । ମୋ ନିଦ ଦେଖି ସେ ମୋତେ ଉଠାଇବାକୁ ଚାଁହୁନଥିଲେ ।ପ୍ରେସର କୁକର ର ହୁଇସିଲ ରେ ମୋ ନିଦ ଭାଙ୍ଗିଗଲା ।ସମୟ ଦେଖିଲି ରାତି ଦଶ ।
--ଶୁଭ.......
--ଆରେ ତୁମେ ଉଠିଲଣୀ ।ତୁମେ କାଳେ ଥକିପଡ଼ିଥିବ ତେଣୁ ଉଠାଇଲିନି ।
--ହଁ ହଉ ।
--ଆଛା ଯାଅ ଫ୍ରେସ ହୋଇ ଆସ ।ଆଉ ଅଳ୍ପ ସମୟରେ ଖାଇବା ହୋଇଯିବ ।

ହଉ କହି ଚାଲିଗଲି ଜାଣେନି କାହିଁକି ମୁଁ ବି ନିର୍ବୋଧ ଶିଶୁ ପରି ଶୁଭର ସବୁ କଥା କୁ ମାନିଯାଉଥିଲି ସେ ଦିନ ।

ସମୟ ପ୍ରାୟ ରାତି ଏଗାର । ଦୁହେଁ ଖାଇ ସାରିବା ପରେ ଛାତ ଉପରେ ବୁଲାବୁଲି କରୁଥିଲୁ,କିଛି ମିଠା କିଛି ଖଟା ଅନୁଭୂତି ।
ଏଇଠି ତ ଶୁଭ ଆରମ୍ଭ କରିଥିଲା କିଛି ସଫଳ ଅଭିଯାନ ଆଉ କିଛି ବିଫଳ ଅଧପତ୍ତନ ।
--ସୁଜ୍ଞାନ ତୁମ ଭବିଷ୍ୟତ କେଉଁଠି?
--ଏକଥା କାହିଁକି ଶୁଭ ?
--ନା ଏମିତି(ସ୍ମିତହାସ୍ୟ ଦେଇ)
--ଏଇ ମୋ ଅନ୍ଧାରିମୂଲକରୁ ଟିକେ ସଫଳତାର ସ୍ୱାଦ ପାଇବା ପାଇଁ ।
--ତୁମର କେଉଁ ସଫଳତା ଆବଶ୍ୟକ?
--ଖଣ୍ଡେ ଭଲ ଘର,ମା ବାପା ଙ୍କୁ ଶାନ୍ତିରେ ମୁଠେ ଖାଇବାକୁ ଦେବା, ଭଉଣୀର ବାହାଘର ଇତ୍ୟାଦି ଇତ୍ୟାଦି ।
--ଆଉ ନିଜପାଇଁ ?
--ଅନେକ ସ୍ୱପ୍ନ ସେ?
--ତଥାପି?

--ସହରଠୁ ଦୂର ମୋ ଅନ୍ଧାରି ଗାଁ ରେ ନିଜକୁ ସୁରକ୍ଷିତ ମଣୁଥିବା ଘରେ ।ନିଜକୁ ଯୁଗଯୁଗ ପାଇଁ ଆଦରି ନେବା ହିଁ ଲକ୍ଷ୍ୟ ।
--ଏ କଣ ସୁଜ୍ଞାନ ଖାଲି ଘର ଘର ହିଁ ହୋଇ ଜୀବନ କଟିଦେଵ ନା କଣ?
--ଆଉ କଣ ରହିଲା ଯେ?
--ତୁମ ମନ ମାନସୀ କଥା କହିଲନି ଯେ?

କହିବାକୁ ଉଦ୍ୟତ ହେଉହେଉ ବାପାଙ୍କ ଫୋନ ଆସିଗଲା । ଜୀବନରେ କେବେ ମିଛ କହିନଥିବା ସୁଜ୍ଞାନ ଆଜି ପ୍ରଥମଥର ମିଛ କହିଲା ।
ନିଜକୁ ନିଜେ ମୁଁ ଆଶ୍ଚର୍ଯ୍ୟ ହେଉଥିଲି ଯେ ମୁଁ ଯାହାବି କରୁଛି ଭୁଲ କରୁଛି ।ଗୋଟେ ଝିଅକୁ ଦେଖା କରିବାକୁ ଯାଇ ମୁଁ ନିଜ ଆତ୍ମୀୟଙ୍କୁ କେତେ ମିଛ କହିଲିଣି?ନା ମୋତେ କାଲି ଘରକୁ ଫେରିଯିବାକୁ ହେବ । ହଠାତ ଶୁଭର ହାତ କୁ ମୋ କାନ୍ଧ ଉପରେ ପାଇ ଖେଳିଗଲା ଗୋଟାଏ ଶିହରଣ ।ଏ ଛୁଆଁ ଏକ ନୂଆ ଅନୁଭବ ମୋ ପାଇଁ ।

--ତୁମ ଆଖିରେ ଅଶ୍ରୁର ଆଗମନ ଆଭିମୁଖ୍ୟ କଣ ହୋଇପାରେ?
--କେବେ ମିଛ କହିନଥିବା ସୁଜ୍ଞାନ ଆଜି ମିଛ କହିଲା?ମୁଁ ନିଜକୁ ନିଜେ କ୍ଷମା କରିପାରୁନି ଶୁଭ ।
--ସବୁକଥା କୁ ପଛ କରି ଚାଲ ଶୋଇବ ରାତି ଆସି ଅନେକ ହେଲାଣି ।
ମହାନ୍ତି ବଙ୍ଗଳାର ତିନି ମହଲା ଉପରେ ଶୁଭସ୍ମିତାର କୋଠରୀ ।ମହାନ୍ତି ବାବୁଙ୍କ ଆମେରିକାରେ ଚାକିରୀ ପରେ, ଘରଟି ଖାଁ ଖାଁ ଲାଗୁଚି ବୋଲି ରଙ୍କ ମା ବଙ୍ଗଳାର କୋଠରୀ ଗୁଡିକ ଭଡାରେ ଲଗାଇଦେଇଛନ୍ତି ।ସମ୍ଭ୍ରାନ୍ତ ପରିବାର ର ଏହି ବଙ୍ଗଳାରେ କିଛି କଲେଜ ପଢୁଆ ଯୁବକ ଯୁବତୀ ଏବଂ କିଛି ପୋଲିସ ପରିବାର ସହ ରୁହନ୍ତି ।କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏନି ଏଇଠି ।ଭଡ଼ା କିଏ କେତେ ଦେବ ତାହା ରଙ୍କ ମା ନିଷ୍ପତ୍ତି ନେବା ବଦଳରେ ଭଡାଟିଆ ନିଷ୍ପତି ନିଅନ୍ତି ।ଏମିତି ରହିବା ପାଇଁ ଜାଗା ଟିଏ ଖୋଜିବା ଭୁବନେଶ୍ୱର ରେ ଆକାଶ ପାତାଳ ଦୂରତା  ।ସେ ଯାହା ହେଉ ଶୁଭ କିନ୍ତୁ ବେଶ ଭଲରେ ରୁହନ୍ତି ଏଇଠି । ରାତି ବଢ଼ିବଢ଼ି ଯାଉଥାଏ,ଆଖିକୁ ନିଦ୍ରାଦେବୀ ଙ୍କ ଗ୍ରାସ ସତ୍ତ୍ୱେ ମଧ୍ୟ ମୋ ଆଖିରେ ନିଦ ନଥାଏ ।ନୂତନ ଜାଗାରେ ରାତି କାଟିବା ମୋ ପାଇଁ ପ୍ରଥମ ।ଏପଟେ ଗୋଟିଏ କୋଠରୀରେ ଅବିବାହିତ ଯୁବକ ଯୁବତୀ ରହିଲେ ନା ଆଖିକୁ ନିଦ ଆସିବ ନା ଛାତିରେ ପ୍ରାଣ ଥିବ?ଶଙ୍କା ଆଶଙ୍କା ଭିତରେ କଡ଼ ଲେଉଟାଇ ନିଜକୁ ସମ୍ଭାଳି ନେଉନେଉ ଶୁଭର ଫିସଫିସ ଆବାଜ ଶୁଭିଲା ।
--ଶୋଇଗଲ କି ସୁଜ୍ଞାନ ।
--ନା ନିଦ ନାହିଁ ।
--କାହିଁକି?
--ଜାଣେନି ।
--ତଥାପି....
--ଏକ ନିବୃତ୍ତ କୋଠରୀରେ ନିଆଁ ଘିଅ ର ଉପସ୍ଥିତି ରେ କଣ ନିଦ୍ରା ଆସିବ ?
--କଣ ହେଲା ସେଠୁ ମୁଁ ତ ତୁମରି ବାନ୍ଧବୀ ଟିଏ ।
--ମୁଁ କିନ୍ତୁ ତୁମକୁ ଭଲପାଏ ଶୁଭ ।
--କଣ କହୁଛ ସୁଜ୍ଞାନ ତୁମେ ଜାଣ ତୁମେ କଣ କହୁଛ?ଏ ଭଲପାଇବା କଣ ଗ୍ରହଣ ଯୋଗ୍ୟ?
--କାହିଁକି ନୁହେଁ ?
--ସମ୍ଭବ ନୁହେଁ ସୁଜ୍ଞାନ ତୁମେ କେବଳ ମୋର ବନ୍ଧୁ ।ଅନ୍ୟକିଛି ନୁହେଁ ।
--ସତ କହୁଛ ଶୁଭ....ତେବେ ବାହାରେ ଜହ୍ନ ଥାଇ ଏ କୋଠରୀ ଟା ଏତେ ଅନ୍ଧାର କାହିଁକି?କାହିଁକି ଦୁଇ ପୁରୁଷ ନାରୀ ଏକ କୋଠରୀ ରେ?ମୁଁ କିଏ ତୁମର ଯେ ଏତେ ଆନ୍ତରିକତା?
--କେବଳ ବନ୍ଧୁ ଟିଏ ବୋଲି ତୁମେ ମୋ ପଲଙ୍କରେ ଆଉ ମୁଁ କିଛିହାତ ଦୂରରେ ସିମେଟ ଚଟାଣରେ ଖଣ୍ଡେ ମସିଣା ଉପରେ ।
--ତେବେ ମୁଁ କଣ ତୁମ ପାଇଁ ଅଯୋଗ୍ୟ?
--ନୁହେଁ ତ ତଥାପି ଆମ ସମ୍ପର୍କ କେବଳ ବନ୍ଧୁତ୍ୱ ।
--ବୁଝିବାକୁ ଚେଷ୍ଟା କର ସୁଜ୍ଞାନ ।
--ଥାଉ ଶୁଭ ଆଉ କିଛି କୁହନି ।ଏ ରାତିଟି ଅମାବାସ୍ୟା ପରି ଲାଗୁଛି,ସକାଳ କୁ ନିମନ୍ତ୍ରଣ କର ଜଲଦି ମୁଁ ଏଠୁ ଚାଲି ଯାଏ ମୋ ଗାଁ କୁ ।ଆଉ ଦିନେ ରହିଲେ ମୁଁ ଅଣନିଶ୍ୱାସୀ ହୋଇଯିବି ।

ଏହା ପରେ ଶୁଭ ବହୁତ କିଛି କହିଛି କିନ୍ତୁ ମୁଁ ତକିଆ ଉପରେ କେବଳ ଅଶ୍ରୁ ସହ ଲୁଚକାଳି ଖେଳୁଥିଲି ।ନା ଶୁଭ କୁ କିଛି କହୁଥିଲି ନା ଶୁଣୁଥିଲି । ସମୟ ରାତି ଚାରି ଅନିଦ୍ରା ରେ ଛଟପଟ ହେଉଥିବା ବେଳେ କଡ଼ ଲେଉଟାଇ ଜିରୋ ଲାଇଟ ରେ ଯାହା ଝାପ୍ସା ଦେଖିଲି ଶେଷ ଥର ପାଇଁ ଶୁଭ କୁ । ଶୁଭ ଶୋଇଛି ନିଘୋଡ଼ ନିଦରେ,କେଶ ଫିଟି ଯାଇ ମୁକୁଳା ପଡ଼ିଛି, ବକ୍ଷରୁ ଓଢଣୀ ଖସି ଯାଇ ଯୌବନର ନିଷିଦ୍ଧ ଉପତ୍ୟକା  କୁ ଶୋଭା ବର୍ଦ୍ଧନ କରୁଛି ।ନିଜର ବୋଲି ଅନ୍ତରଙ୍ଗ ତେବେ ଏହି ତକିଆ ଖଣ୍ଡକ ଯାହା ଉପରେ ଶୁଭର ହାତ ପଡ଼ିଛି । ଲାଇଟ ଅନ କରି ନିଜର ବ୍ୟାଗ ସଜାଡ଼ିଲି,ଚୁପ ଚାପ ଖିଡିକି ଖୋଲି ଚାଲି ଆସିଲି ଗହୀରିଆ ଛକକୁ ।ବାଟରେ ଭୁବନେଶ୍ୱରର ଗଳିକନ୍ଦି ପ୍ରସିଦ୍ଧ କିଛି ବୁଲାକୁକୁର ଙ୍କ ଉତ୍ପାତ ବ୍ୟତୀତ ଅନ୍ୟ କିଛି ଦୁର୍ଘଟଣା ଘଟିନି ମୋ ସହ । ସକାଳ ପାହିବାକୁ ଆଉ ଅଳ୍ପ ସମୟ ଅଛି ରାସ୍ତା ରେ ଗାଡ଼ି ମଟର ଗହଳ ବଢୁଛି ।ଏଇ ସକାଳୁ ଦୁଇଖଣ୍ଡ ବସ ନୟାଗଡ଼ ଆସେ ବସ ରେ ବସି ନିଜ ଛାତିର କୋହ କୁ ଚାପୁଚାପୁ କେତେବେଳେ ବସ ଆସି ବୋଲଗଡ଼ ପହଞ୍ଚି ଗଲାଣି ଜାଣି ପାରିଲିନି । ଆଖି ମଳିମଳି ଦେଖୁଥିଲି ରାସ୍ତା କଡରେ ଧାଉଁଥିବା ଗଛ ଗୁଡ଼ିକୁ ।ବହେ ଆମାନିଆ ପ୍ରଶ୍ନ ସବୁ ମନରେ ଉଙ୍କି ମାରିଲା । ଏମାନଙ୍କ ଗତି କୁଆଡେ?କଣ ମୋ ପରି ଗୋଟେ କ୍ଷତାକ୍ତ ହୃଦୟ ନେଇ କାହାକୁ ଭେଟିବାକୁ ନା ଅସହାୟ ରେ ନିଜକୁ ସମୟ ସହ ଭେଟିଦେବାକୁ ? ସେଦିନ ଦିନ ଏଗାର ରେ ଘରେ ପହଞ୍ଚିଲି,ମୁଠେ ପଖାଳ ଖାଇ ଶାନ୍ତିରେ ଟିକେ ନିଶ୍ୱାସ ମାରିଲି ସାର ।
--ତା ପରେ କଣ ହେଲା ସୁଜ୍ଞାନ.... ମୋ ପାଟିରୁ କଥା ସରିନି ଦୂରରୁ ଶୁଭିଲା କୁଲି....କୁଲି ।
ମୁଁ ଆସୁଛି ସାର ଅନ୍ୟକେବେ ଦେଖା ହେଲେ କହିବି ସେକଥା । ୟାପରେ ଦୁଇଦିନ ଷ୍ଟେସନ ଯାଇଛି ମୁଁ,ସକାଳରୁ ସଞ୍ଜ ବିତାଇବା ପରେବି ସୁଜ୍ଞାନ ର ଭେଟ ପାଇନି ।ଅନ୍ୟ କୁଲିଙ୍କ ନିକଟରୁ ପଚାରି ବୁଝୁଲି ଯେ ସୁଜ୍ଞାନ ଜ୍ଵରରେ ପୀଡ଼ିତ ।ମୁଁ ବି ତା ନୂତନ ଠିକଣାରେ ଥିବା ଘର ଦେଖିନି ଦେଖାକରିବାକୁ ଯିବି ବା କିପରି ?

ଛୁଟି ସରିଗଲାଣି ପ୍ରତୀକ ବୋଉର ସ୍ନେହ ମୋତେ ଆଉ ଦୁଇଦିନ ରହିବାକୁ ବାଧ୍ୟକରିଦେଲା । ଆଜି ଆଉ ରହିବାକୁ ହେବନି ମୋତେ ସେପଟେ ଅଫିସରେ ଗୁଡ଼ାଏ କାମ ।ମୋତେ ପୁଣି ଏକ ଛୁଟିରେ ହିଁ ଆସିବାକୁ ହେବ ।ସବୁ କିଛି ହସଖୁସିରେ ବିତିଗଲା ଯାହା ଏଇ ସୁଜ୍ଞାନ ର କାହାଣୀ ହିଁ ଅଧୁରା ହୋଇଗଲା । ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମରେ ଆଉ ଟିକେ ଗଲେ ଟ୍ରେନ ଆସିବ ।ପ୍ରତୀକ ବୋଉ ବି ଆସିଛି ।ଆହାଃ ହତଭଗିନୀ ଟି,ସ୍ୱାମୀ ବୋଲି ଦିନେ ମୁଁ ସମୟ ଦେଇ ପାରିଲିନି ତଥାପି ତାହାର ଆପତ୍ତି ନାହିଁ,କିନ୍ତୁ ଦିନେ ଫୋନ ନକଲେ ମୋ ଭେଜା ଖାଇବାରେ ସେ ବିଳମ୍ବ କରେନି । ଦୂରରୁ ଟ୍ରେନ ର ଘଣ୍ଟି ଆଉ ଷ୍ଟେସନରେ ଡ଼ାକବାଜି ଯନ୍ତ୍ରର  ଆବାଜ,,,,,,,,,,ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ.....ଆମ ଧ୍ୟାନ ବି ଭାଙ୍ଗିଗଲା ।ମୁଁ ଟ୍ରେନ କୁ ଚଢ଼ି  ନିଜ ସିଟ ରେ ବସି ଝରକା ସେପାଖୁ ଦେଖୁଥିଲି ପ୍ରତୀକ ବୋଉର ସ୍ମିତହାସ୍ୟ ଆଉ କିଛି ଆନ୍ତରିକତାର ଅଶ୍ରୁ ।ଆସ୍ତେ ଆସ୍ତେ ଟ୍ରେନର ଗତି ବଢ଼ିଲା ।

କିଛି ବାଟ ଯାଇଛି ଟ୍ରେନ ଷ୍ଟେସନ ଅତିକ୍ରମ କରିବା ପରେ ବି ଟ୍ରେନର ଗତି ସୀମିତ ଅଛି ।ନଜର ପଡିଲା ଜଣେ କୁଲି ଉପରେ,ଦୂରରୁ ଯାହା ଅନୁମାନ କଲି ସେ ଆଉ କେହି ନୁଁହ ସୁଜ୍ଞାନ ।କଣ କରିବି ବୁଦ୍ଧି ମିଳିଲାନି,ଟ୍ରେନରୁ ଡେଇଁବା ବି ସମ୍ଭବ ନୁହେଁ ।ଆଗପଛ ଚିନ୍ତା ନକରି ଆପତ୍ କାଳୀନ ଚେନ ଟାଣିଦେଲି କିଛି ବାଟ ଘୁଷୁରୀ ଯାଇ ଟ୍ରେନ ଠିଆ ହୋଇଗଲା ।ଚହଳ ପଡିଗଲା ଟ୍ରେନ ସାରା କେହି କିଛି କହିବା ଆଗରୁ ଟ୍ରେନରୁ ଓଲ୍ହାଇ, ପୋଲିସ ଆଗରେ ସମର୍ପଣ କରିଦେଲି ନିଜକୁ କିଛି ମିଛ କହି, ଅବଶ୍ୟ ଏଥିପାଇଁ ମୋତେ ଅନେକ ହଟହଟା ସହ ଆର୍ଥିକ ଦଣ୍ଡ ବି ମିଳିଲା ।ସବୁ କିଛି ଭୁଲିଗଲି କେବଳ ସୁଜ୍ଞାନ-ସୁଭସ୍ମିତା ପ୍ରେମ କାହାଣୀ ପାଇଁ । ସବୁ ଝାମେଲା ସମାପ୍ତ ପରେ ସୁଜ୍ଞାନ କୁ ଖୋଜିଖୋଜି ଯାଇ ପହଞ୍ଚିଲି ପ୍ଲାଟଫର୍ମ ଶେଷ ବେଞ୍ଚ ପାଖକୁ ।
--ସୁଜ୍ଞାନ..... (ମୋ ଡାକରେ ଚମକି ଉଠିଲେ ସୁଜ୍ଞାନ )।
--ଆରେ ସାର ଆପଣ କଣ ଛୁଟି ସାରି ଯାଇନାହାନ୍ତି ନା କଣ?
--ହଁ ଯାଇଥିଲି ହେଲେ ପୁଣି ଟ୍ରେନରୁ ଓଲ୍ହାଇଲି ତୁମକୁ ଦେଖି ।
--କାହିଁକି ସାର?
--ଏଇ ସେ କାହାଣୀର ଶେଷ ପରିଛେଦ ଶୁଣିବା ପାଇଁ ।
--ହା.. ହା..ହା...ଆପଣବି ସାର ।
--କୁହ ସୁଜ୍ଞାନ ଅବଶିଷ୍ଟ ଇତିହାସ ।

*ଚାଏ ଚାଏ ଓଏ ଚାଏ ଗରମ ଚାଏ ଲେମନ ଚାଏ* ଷ୍ଟେସନରୁ ଏ ଆବୃତି ନୂଆ ନୁହେଁ ବ୍ୟବସାୟୀଙ୍କ । ସୁଜ୍ଞାନ ସହ ଆଜି ଲେମନ ଟି ର ମଜ୍ଜା ମୋତେ ବି ଖୁବ ଭଲଲଗିଲା । ସୁଜ୍ଞାନ ଆରମ୍ଭ କଲେ ତାଙ୍କ ଅବଶିଷ୍ଟ ଇତିହାସ, ଆଉ ମୁଁ ଶୁଣୁଥିଲି ନିର୍ବୋଧ ଶିଶୁପରି ସତେ ଯେମିତି ବୁଢ଼ୀ ଅସୁରୁଣୀ କାହାଣୀ ।

--ସାର ସେଦିନ ଘରକୁ ଫେରିବା ପରେ କିଛି ଦିନ ମାନସିକ ଚିନ୍ତାରେ ଥିଲି ।କଟକ ଏକ କାମରେ ଯିବାକୁ ପ୍ୟାଣ୍ଟ ସାର୍ଟ ସଫାକରିବାକୁ ବ୍ୟାକରୁ ସବୁ ଜିନିଷ ବାହାର କରୁକରୁ ହଠାତ ଏକ ଚିଠି ଟିଏ ପାଇଲି ।ଠିକଣା ନଥିବା ଚିଠି ଦେଖି ମନରେ ବିଭିନ୍ନ ଆଶଙ୍କା ହେଲା ।ଚିଠି ଟି ଖୋଲିଲି ସେଥିରେ ଲେଖା ଥିଲା-----

ପ୍ରିୟ ସୁଜ୍ଞାନ
      ପ୍ରଥମେ ମୋର ଏ ଗୁପ୍ତ ପତ୍ରଟି ପାଇବା ମାତ୍ରକେ ଉତ୍ତମ ରୂପେ ପଢ଼ି ବୁଝିବାକୁ ଚେଷ୍ଟା କରିବ ।ମୋ ଅଜ୍ଞାନ୍ତରେ ତୁମେ ସେଦିନ ଚାଲିଗଲ ମୁଁ ଜାଣି ବି ନିରବ ରହିଲି ।ନିଦ୍ରା ଭଗ୍ନ ଥିଲେବି ମୁଁ ଶୋଇବାର ଅଭିନୟ କରିଥିଲି କାରଣ ତୁମ ଇଛା କୁ ଆଉ ମୋ ବଶୀଭୂତ ରେ ରଖିବାକୁ ଚାଁହୁନଥିଲି ।ତୁମେ ଜାଣିନ ମୁଁ କାହିଁକି ତୁମକୁ ପ୍ରତ୍ୟାକ୍ଷାନ କଲି,ସେ ବି ଅନେକ ରହସ୍ୟ ।ତୁମେ ମୋତେ ଭଲପାଅ ବୋଲି କହିବା ଆଗରୁ ମୁଁ ବି ମନଦେଇଛି ତୁମକୁ, ଭଲ ପାଇଛି ତୁମକୁ ।ହେଲେ ଆମ ସଂପର୍କ ଟି ଆଗକୁ ଯିବା ଆଗରୁ ମୁଁ ରୋକିଦେଲି,କାରଣ ଆମକୁ କେହି ସ୍ୱୀକୃତି ଦେବେନି ।ତୁମ ମୋ ଭିତରେ ପାଚେରୀ ବୋଲି ଗୋଟାଏ ଜାତି ।କିନ୍ତୁ ମୁଁ ତୁମକୁ ଜଣେ ବନ୍ଧୁ ରୂପେ ଭଲ ପାଏ ।ତୁମେ ଭାଙ୍ଗି ପଡିଥିବ ନିଶ୍ଚୟ ।ତୁମେ ମୋତେ ଘୃଣା କରିବା ଆଗରୁ ମୁଁ ଘୃଣା କରୁଛି ତୁମକୁ,ନହେଲେ ଆମ ସମ୍ପର୍କରେ ସମାପ୍ତ ନାହିଁ । ମୋତେ କ୍ଷମା କରିବ ସୁଜ୍ଞାନ,ତୁମ ପରି ପାଗଳ ଙ୍କୁ ମନ ଦେବା ଅପେକ୍ଷା ଷ୍ଟେସନ ର ଗୋଟେ କୁଲି କୁ ମନ ଦେଇ ପାଦ ପୂଜା କରିବା ଭଲ ।ତୁମେ ଗରିବ ଛୋଟଲୋକ କେବଳ ଧନୀ ଘର ଝିଅଙ୍କୁ ଭଲପାଇ କିଛି ସମ୍ପତ୍ତି ହାତେଇ, ମଣିଷ ହେବାକୁ ଇଚ୍ଛାରଖ ।ହେଲେ ମୁଁ ସେ ସବୁ ସଫଳ ହେବାକୁ ଦେବିନି ।ଆଇ ହେଟ୍ ୟୁ.......ସୁଜ୍ଞାନ,ଆଇ.....ହେଟ........

(ସୁଜ୍ଞାନ ଙ୍କ ଆଖିରେ ଅଶ୍ରୁ ଜକଜକ ଦେଖି ମୁଁ ରୋକିଦେଲି)
--ଥାଉ ସୁଜ୍ଞାନ.....ଥାଉ ।ତୁମେ ଗୋଟେ ଝିଅ ଆଉ ପ୍ରେମ ପାଇଁ ଏତେ କିଛି ପରିବର୍ତ୍ତନ କରିଦେଲ ।
--ହଁ ସାର ମୁଁ ଜିତିବାକୁ ଚାହେଁ ପ୍ରେମକୁ,ମୁଁ ଜିତିବାକୁ ଚାହେଁ ସେ ଘୃଣା କୁ,ମୁଁ ଜିତିବାକୁ ଚାହେଁ ସେ ଅତୀତ କୁ ।ଦିନେ ନା ଦିନେ ଏ ଷ୍ଟେସନରେ ଦେଖା ହେବ ସେ ନିଶ୍ଚୟ,ଆଉ ମୁଁ କହିପାରିବି ଯେ ମୁଁ ପ୍ରେମ ଚାହେଁ ଧନ ଡୌଲତ ନୁଁହ ।
--ଭଗବାନ କରନ୍ତୁ ସୁଜ୍ଞାନ ତୁମେ ଜିତିଯାଅ ।ଗୋଟେ କଥା କହିବି ସୁଜ୍ଞାନ?
--କୁହନ୍ତୁ ସାର
--ଯଦି ଅନୁମତି ମିଳେ ତେବେ ତୁମ ଏ ଅବଶୋଷ କୁ ନେଇ ଏକ କବିତା ସଙ୍କଳନ କରିବି ।
*ନୀଳ ଆକାଶର ଆହତ ବିହଙ୍ଗ*
ତୁମେ ରାଜି ତ?
--ଯାହା ଆପଣଙ୍କ ଖୁସି ସାର ।

ପରବର୍ତ୍ତୀ ଟ୍ରେନ ଲାଗିଗଲାଣି ମୁଁ ବି ସୁଜ୍ଞାନ କୁ ବିଦାୟ ମାଗି ନିଜ କର୍ମକ୍ଷେତ୍ରରେ ବାହାରିଗଲି ।

ଏ ଭିତରେ ଅନେକ ବର୍ଷ ବିତି ଯାଇଛି ସୁଜ୍ଞାନ ବି ଖୁବ ଉନ୍ନତି କରିଛନ୍ତି ।ସେ ବନିଛନ୍ତି କୁଲି ସଂଘର ସଭାପତି,ଜଣେ ସ୍ବେଛାସେବୀ, ଜଣେ ପରୋପକାରୀ ଇତ୍ୟାଦି ଇତ୍ୟାଦି ।କଲମ କୁ ରାଣ ଦେଇ ସେ କେବଳ ପାଠକ ହୋଇଛନ୍ତି ।ସୁଜ୍ଞାନଙ୍କ ପାଇଁ ମୋର ବି ଖୁବ ଅଗ୍ରଗତି ହୋଇଛି । ସୁଜ୍ଞାନ ଙ୍କ ଜୀବନୀ କୁ ନେଇ ରଚିତ କବିତା ସଂକଳନ *ନୀଳ ଆକାଶର ଆହତ ବିହଙ୍ଗ* ଖୁବ ପ୍ରଶଂସିତ ହୋଇଛି ଏପର୍ଯ୍ୟନ୍ତ ଦଶମ ସଂସ୍କରଣ କୁ ଛୁଇଁଲାଣି ବହିଟିକୁ ।କିନ୍ତୁ ସୁଜ୍ଞାନ ସେଇ ଷ୍ଟେସନ ଆଉ କୁଲି ର ସମ୍ପର୍କରେ ଖୋଜୁଛନ୍ତି ଶୁଭଙ୍କୁ । ଆଜି ଅନଙ୍ଗ ବାବୁଙ୍କ ସାନ ଝିଅର ବାହାଘର ।ସପରିବାର କୁ ନିମନ୍ତ୍ରଣ ଅଛି,ଛୁଟି ନଥିଲେ ବି ଆସିବାକୁ ବାଧ୍ୟ ହେଲି ମୁଁ । ପ୍ରତୀକ ବୋଉ ଏମିତି ସଜ ହେଉଛନ୍ତି ଯେ ସତେ ଯେମିତି ପୁଣି ଷୋହଳ ବସନ୍ତ କୁ ଛୁଇଁବେ । ତା ସଜବାଜ ଦେଖି ମୋ ରସିକ ପଣ ବି ଟିକେ ଆଜି ଯୁବା ଯୌବନ ରେ ପାଦ ଦେବା ପାଇଁ ଉଚ୍ଛନ୍ନ ହେଉଛି । ଭିଡ଼ ଲାଗିଛି ଅନଙ୍ଗ ବାବୁଙ୍କ ଘରେ,ଆଲୋକ ମାଳାରେ ଝଲସୁଛି ବିବାହ ମଣ୍ଡପ ।ଶ୍ରୀମତୀ ଙ୍କ ସହ ମୋତେ ମଧ୍ୟ ଅନଙ୍ଗ ବାବୁ ଆତ୍ମୀୟ ସ୍ୱଜନ ଙ୍କ ସହ ପରିଚିତ କରାଉଛନ୍ତି ।
--ଆରେ ମା ଆ ଜଣେ ଅତିଥି ଙ୍କୁ ଭେଟିବୁ କହି ଡାକ ପକାଇଲେ ଅନଙ୍ଗ ବାବୁ-

ସେପଟୁ ରାଜଜେମା ପରି ଜଣେ ବିବାହିତା ନାରୀ ଆସୁଥିଲେ ।ଏଇ ବୋଧେ ପାଞ୍ଚ କି ଛଅ ବର୍ଷ ହେବ ବିବାହ କରିଛନ୍ତି ସେ ।

--ମା ଶୁଭ ୟେ ମିଷ୍ଟର ନୀଳାଦ୍ରି ବାବୁ ।ମୋ ବନ୍ଧୁ ବାଲ୍ୟ ବନ୍ଧୁ ନହେଲେ ବି ଏ ଦୁଇ ବର୍ଷ ରେ ମୋର ଜଣେ ଅନ୍ତରଙ୍ଗ ବନ୍ଧୁ ସେ ।

(ନାରୀ ଜଣଙ୍କ ପ୍ରଣାମ କରି ନିଜ କର୍ମ କୁ ଚାଲିଗଲେଣି ।)

--ଅନଙ୍ଗ ବାବୁ ଆପଣଙ୍କ ଦୁଇ ଝିଅ ।ମୁଁ ଏକଥା ଆଗରୁ ଜାଣିନଥିଲି ।
--କେମିତି ଜାଣିବେ ବନ୍ଧୁ ?ଆମ ପରିଚୟ ତ ଦୁଇବର୍ଷ ହେବ ।ଆଉ ଶୁଭ ର ବିବାହ ଆଜିକୁ ପାଞ୍ଚ ବର୍ଷ ବିତିଗଲାଣି ।
--ହା ହା ହା ହା ହା ।

ବିବାହ କାର୍ଯ୍ୟ ଶେଷ ପରେ ଆମେ ଫେରିଆସିଲୁ ଆମ ଘରକୁ ।ସକାଳୁ ପୁଣି ମୋତେ ଓଡିଶା ଛାଡିବାକୁ ହେବ ।
ରାତିରେ ବିଳମ୍ବରେ ଶୋଇବା ପରେ ଏ ନିଦ ଟି ମୋତେ ପ୍ରଥମ ଟ୍ରେନ ମିସ କରିବାକୁ କହିଲା ।

ଷ୍ଟେସନ ରେ ଟ୍ରେନ କୁ ଅପେକ୍ଷା କରିଥାଏ ମୁଁ ।ସୁଜ୍ଞାନ ଆସୁଥିଲେ...ନା..ନା ସୁଜ୍ଞାନ ନୁଁହ ସେ ଯୁଗଚେତନାର ପ୍ରବାଦ ପୁରୁଷ ଷ୍ଟେସନ କୁଲିଙ୍କ ସଭାପତି ସୁଜ୍ଞାନ ସେ ।ହାତରେ ପାରୁ ନପାରୁ ଦୁଇଟି ବ୍ୟାଗ,ମୁଣ୍ଡରେ ପାଗଡ଼ି ଉପରେ ଟ୍ରଙ୍କ ଟିଏ ।
--ସୁଜ୍ଞାନ....
ଅଟକିଗଲେ ସୁଜ୍ଞାନ
--ଆରେ ସାର(ମୁଣ୍ଡ କୁ ହଲାଇ କେବଳ ପ୍ରଣାମ ଟିଏ ଜଣାଇଲେ ସୁଜ୍ଞାନ।ହାତ ଟେକିବା ପାଇଁ ଜୁ କାହିଁ ଦୁନିଆର ବୋଝ ତ ସେ ଉଠାଇଛନ୍ତି ଏ ହାତରେ)
--ହଉ ତୁମେ ଆସ ମୁଁ ବସିଛି ।
ହଠାତ ଅନଙ୍ଗ ବାବୁଙ୍କ ଫୋନ ଆସିଲା ।ଯେ ତାଙ୍କ ବଡ଼ ଜ୍ବାଇଁଙ୍କ ଦୁର୍ଘଟଣା ଘଟିଛି ,ରାତିରେ ଅତ୍ୟଧିକ ମଦ ପିଇ ଗାଡି ଚଲେଇବା ଯୋଗୁ ଏ ଦୁର୍ଘଟଣା । ଏଣେ ଝିଅ ବିଦା ହୋଇନି ଏହି ସମୟରେ ଯଦି ଜଣାପଡ଼ିଯାଏ ଦୁର୍ଘଟଣା ଖବର ତେବେ ବିବାହ ଉତ୍ସବ ରେ ନିରାଶାର କଳା ବାଦଲ ଦେଖାଯିବ ।ତେଣୁ ଅନଙ୍ଗ ବାବୁ ମେଡିକାଲ ରେ ଜ୍ବାଇଁଙ୍କ  ପାଇଁ ଉପସ୍ଥିତ ରହିବାକୁ କହିଲେଣି ।ବାଧ୍ୟ ହୋଇ ଫେରିଲି ମୁଁ ।

ଶୁଭ ରାତିସାରା ବିବାହ ଉତ୍ସବ ପୁଣି ଏ ଦୁର୍ଘଟଣା ପାଇଁ ନିଜେ ଭାଙ୍ଗିପଡିଛନ୍ତି ।ସେପଟେ ଭଉଣୀ ବିଦା ହେବ କିନ୍ତୁ ସେ ପାଖରେ ନାହିଁ ।ଖୋଜିବ ସେ କେତେ, କଣ ଭାବିବ ସେ,କଣ ଉତ୍ତର ଦେବେ ବାପା ବୋଉ ।
ସବୁ ଚିନ୍ତାରେ ଦୀର୍ଘଶ୍ଵାସ ନେଉ ନେଉ ଆଖି କୁ ଟିକେ ନିଦ ଚାଲି ଆସିଛି ଶୁଭର । ଡାକ୍ତର ଙ୍କ ଅଙ୍ଗୁଳି ନିର୍ଦେଶ ପାଇ ମୁଁ ପାଖକୁ ଗଲି ।ମୁଣ୍ଡରେ ଗଭୀର କ୍ଷତ ହୋଇ ପ୍ରଚୁର ରକ୍ତସ୍ରାବ ହୋଇଛି ।ଦୁଇ ୟୁନିଟ ରକ୍ତ ଆବଶ୍ୟକ କିନ୍ତୁ ଏବି ପଜିଟିଭ ରକ୍ତ ଏଠି ଉପଲବ୍ଧ ନାହିଁ ।ମୋର ଠିକ ମନେପଡିଲା ଷ୍ଟେସନ କୁଲି ମାନେ ରକ୍ତଦାନ କରନ୍ତି ଆବଶ୍ୟକ ସ୍ଥଳେ ମଧ୍ୟ ଆସନ୍ତି ।ମୁଁ ଷ୍ଟେସନ ଯାଇ ସୁଜ୍ଞାନ ଙ୍କ ସହ ଯୋଗାଯୋଗ କଲି ।ଷ୍ଟେସନ କୁଲିଙ୍କ ସଭାପତି ସୁଜ୍ଞାନ ରାଜିହୋଇ ନିଷ୍ପତ୍ତି ନେଲେ ସେ ହିଁ ରକ୍ତ ଦେବେ,କାରଣ ସୁଜ୍ଞାନଙ୍କ ରକ୍ତ ନମୁନା ଏବି ପଜିଟିଭ । ସୁଜ୍ଞାନ ଯାଇ ମେଡିକାଲ ରେ ରକ୍ତ ଦେଇ ଆସିଲେଣି ।ସବୁ ପରେ ବି ସେ ଜାଣିନାହାନ୍ତି ଯେ ସେ କାହାକୁ ରକ୍ତ ଦେଲେ ଵୋଲି,କେବଳ ଜାଣିଛନ୍ତି କାହାରି ଜୀବନ ବଞ୍ଚାଇଲେ ।ଗଲାବେଳେ ଯୋଗାଯୋଗ ପାଇଁ ପରସ୍ପର ମଧ୍ୟରେ ଫୋନ ନମ୍ବର ଦିଆନିଆ ହୋଇଗଲୁ ଆମେ । ଦୁଇଦିନ ମେଡିକାଲରେ ରହିବା ପରେ ଘରକୁ ଫେରିଲୁ ଆମେ ସଭିଏଁ ।ଘରେ ବିବାହ କାର୍ଯ୍ୟ ସମାପ୍ତ ହୋଇ କେବଳ ପୋଡା ବେଦୀ ହିଁ ଜଳଜଳ ଚାହିଁଛି ।ଘରୁ ବନ୍ଧୁ ବାନ୍ଧବ ଚାଲିଗଲେଣି ।କାହାକୁ କିଛି ସୁରାକ ନଲାଗିବା ପାଇଁ ଅନଙ୍ଗ ବାବୁ ମଧ୍ୟ ଘରେ ଅଛନ୍ତି,ଯେତେବେଳେ ଖୋଜାପଡ଼ିଲା ବଡ଼ ଝିଅ ଜ୍ଵାଇଁଙ୍କୁ ସୁମତି ଦେବୀ ଆବୁଡା ପଡି କହିଦେଲେ ଯେ:-ଜରୁରୀ ପରିସ୍ଥିତି ରେ ରାଉରକେଲା ଚାଲିଗଲେ ।

ଆହତ ଜ୍ୱାଇଁକୁ ଘରେ ବିଞ୍ଛଣାରେ ଦେଖି କେହି ବି ବିଶ୍ୱାସ କରୁନାହାନ୍ତି ଯେ, ସେ ଜଣେ ମଦ୍ୟପ ବୋଲି ।ଶୁଭ କାନ୍ଦୁଛି କର୍ମ କୁ ନିନ୍ଦି । ଆହତ ମନ ନେଇ ଅନୁତାପ ରେ କ୍ଷମା ମାଗୁଛନ୍ତି ଜ୍ବାଇଁ ପୁଅ ।ଆଉ ଜୀବନରେ କେବେ ମଦ ପିଇବେ ନାହିଁ ସେ । କୋହ ଭରା କଣ୍ଠରେ ଶୁଭ କହୁଛନ୍ତି :-ସତ କୁହ ତୁମେ ଆଉ କେବେ ଏତେ ତଳକୁ ଖସିଯାଇ ମୋ ସିନ୍ଦୁର ଉପରେ ନଜର ପକାଇବନି । ଜ୍ୱାଇଁପୁଅ ବୁନ୍ଦେ ଅଶ୍ରୁ ନିଗାଡୁ ନିଗାଡୁ ଶପଥ ନେଲେ ଯେ ସେ ପଶୁ ହୋଇ ବଂଚିବେନି ମଣିଷ ହୋଇ ବଂଚିବେ । ମୁଁ ସଭିଙ୍କ ନିକଟରୁ ବିଦାୟ ନେଇ ଯିବାକୁ ଉଦ୍ୟତ ହୁଅନ୍ତେ ।ଶୁଭ ପଚାରିଲା :- କେତେ ଖର୍ଚ୍ଚ ହୋଇଛି ଅଙ୍କଲ?ରକ୍ତପାଇଁ କେତେ ଟଙ୍କା ଆବଶ୍ୟକ ପଡିଲା? ମୁଁ ହସିହସି କହିଲି ନାଇଁରେ ମା ଗୋଟେ ବନ୍ଧୁ ଋଣ ବୋଧେ କେବେ ପରିଶୋଧ କରିନଥିଲି କୋଉ ଜନ୍ମରେ ତେଣୁ,ଏ ଜନ୍ମରେ ସେ ସୌଭାଗ୍ୟ ପାଇଛି ।ମୋ ବୟସ ତୁଳନା ରେ ତୋ ବାପା ବହୁତ ବଡ଼ ତଥାପି ସେ ମୋତେ ବନ୍ଧୁ ବୋଲି ଗ୍ରହଣ କରିଛନ୍ତି ଏତିକି ହିଁ ମୋ ପାଇଁ ଯଥେଷ୍ଟ । ଆଖିରୁ ଦୁଇବୁନ୍ଦା ଅଶ୍ରୁ ନିଗାଡ଼ି ଅନଙ୍ଗ ବାବୁ ମୋ ହାତ କୁ ଜାବୁଡି ଧରିଛନ୍ତି ।
--ମୋତେ ଏଥର ବିଦାୟ ଦିଅନ୍ତୁ ବନ୍ଧୁ ।ତେଣେ ଚାକିରୀ କଥା,ଅଫିସରୁ ବହୁତ ଫୋନ ଆସୁଛି ମୁଁ ପାରିବାରିକ ଅସୁସ୍ଥତା ଦର୍ଶାଇ ରହିଗଲିଣୀ ।ତିନିଦିନ ହେଲା ଏଇଠି ଥାଇ ବି ପ୍ରତୀକ ବୋଉକୁ ମିଛ କହିଛି ଯେ,ମୁଁ ଡ୍ୟୁଟି ରେ ଅଛିବୋଲି ।ମୋତେ ଏଥର ବିଦାୟ ଦିଅ ବନ୍ଧୁ ।
--ତୁମ ପାଖେ ମୁଁ ଋଣୀ ହେଇଗଲି ନୀଳାଦ୍ରି ।ମୋ ବିପଦବେଳେ ତୁମେ ଭାଇ ପରି ସହାୟ ହୋଇଛ ।ଧନ୍ୟବାଦ ବନ୍ଧୁ ।

--ନାଇଁ ବନ୍ଧୁ ଏ ଧନ୍ୟବାଦ ମୋତେ ଦିଅନି ଏହାର ପ୍ରକୃତ ମୂଲ୍ୟ ସେ ଯିଏ ତୁମ ଜ୍ୱାଇଁକୁ ରକ୍ତ ଦେଇ ବଞ୍ଚାଇଛି ।
--କିଏ ସେହି ମଣିଷ?କିଏ ସେହି ସାକ୍ଷାତ ଭଗବାନ?
--ମୁଁ ବି ଦେଖିବାକୁ ଚାହୁଁଛି ଅଙ୍କଲ ।ଖାଲି ଦେଖିବିନି ମୋ ସିନ୍ଦୁରକୁ ପୁଣି ଜୀବନ୍ତ କରିଥିବା ମଣିଷର ପାଦ ଧୂଳି  ମୋ ମଥା ପାଇଁ ଆଣିବି ।
--ହଁ ମା ଠିକଣା ଟି ଲେଖି ନେ ଆଉ ଏ ଫୋନ ନମ୍ବର ବି ନେ ।ମୁଁ ଏଥର ଆସୁଛି କହି ବିଦାୟ ନେଲି ।

ସମୟ ପ୍ରାୟ ରାତି ସାତ ସ୍ୱାମୀ ଙ୍କ ପାଇଁ ଔଷଦ ଆଣିବା ପାଇଁ ସ୍କୁଟି ନେଇ  ବାହାରିଲେ ଶୁଭ ।ଫେରୁଫେରୁ ବାଟରେ ମନେପଡ଼ିଲା କାରଗିଲ ବସ୍ତି କଥା ।ଅଙ୍କଲ ଦେଇଥିବା ଠିକଣା ତ ଏଇଠି ।ଗାଡି ର ଗତି ମୋଡ଼ ବଦଳାଇ ବସ୍ତି ଆଡ଼କୁ ଅଗ୍ରସର ହେଲା । ଏଇ ପୁନାମା ଗେଟ ରୁ ଓଭର ବ୍ରିଜ ରୁ ଟିକେ ବୁଲି ତଳକୁ ଆସିଲେ କାରଗିଲ ବସ୍ତି ।ଏଠି ସବୁ ପ୍ରକାର ମଣିଷ ମିଳିବେ,ଭଦ୍ର-ଅଭଦ୍ର,ସାଧୁ-ଅସାଧୁ, ଗରୀବ ମଳିମୁଣ୍ଡିଆ,କିଛି ଫୁଟପଥ ବେପାରୀ,ସଭିଏଁ ରୁହନ୍ତି ନିଜ ଭିଟାମାଟି ଭାବି ପେଟ ଚାଖଣ୍ଡେ ପାଇଁ । ଗୋଟେ ଦୋକାନ ପାଖରେ ଗାଡି ଅଟକାଇ ଠିକଣା ବିଷୟରେ ପଚାରିଲେ ଶୁଭ । ଚାଁହୁ ଚାଁହୁ ଅନେକ ଯୁବକ ଗଦା ହୋଇଗଲେ ସେଠି ।ସଭିଏଁ ଗୋଟେ କଥା କହିଲେ । ଆପଣ ପରା ଆମ ସୁଜ୍ଞାନ ଭାଇଙ୍କ ଠିକଣା ପଚାରୁଛନ୍ତି ମାଡମ ।ଷ୍ଟେସନରେ କଣ ଜିନିଷ ଛାଡ଼ି ଥିଲେ କି ମାଡ଼ମ?ଚିନ୍ତା କରନ୍ତୁନି ସୁଜ୍ଞାନ ଭାଇଙ୍କ ପାଖରେ ସବୁ ସୁରକ୍ଷିତ ଥିବ,ଯେପରି ଆମେ ରହିଛୁ । ଘଡିଏ ପାଇଁ ଭାବନାରେ ହଜିଗଲେ ଶୁଭ ।ନିଜ ହାତରେ ସେ ନିଜ ଗୋଡ଼କୁ କୁରାଢୀ ମାରିଛନ୍ତି ଦିନେ ।ଭାରି ପରିଚିତ ନାମ ଟେ ଅନେକ ବର୍ଷପରେ ଶୁଣିଲେ ସେ ।ସୁଜ୍ଞାନ ଏକଦା ତାଙ୍କ ଉତ୍ତମ ବନ୍ଧୁ ଥିଲେ ।ମନର ମଣିଷ ବି ଥିଲେ ।ହେଲେ ଭବିଷ୍ୟତରେ ଘଟିବାକୁ ଯାଉଥିବା ବିଡମ୍ବନା କୁ ଦୃଷ୍ଟି ରଖି ସୁଜ୍ଞାନଙ୍କୁ ଅନିଚ୍ଛାରେ ମଧ୍ୟ ଘୃଣା କରିବାକୁ ପଡିଲା ।ନହେଲେ କଣ ସୁଜ୍ଞାନଙ୍କୁ ନିଜ ମନରୁ ପୋଛି ହୋଇଥାନ୍ତା ।

--ମାଡ଼ମ ଆପଣ ସୁଜ୍ଞାନ ଭାଇ ଙ୍କ ଘରକୁ ଯିବେ ପରା ।

ଉପସ୍ଥିତ ଯୁବକଙ୍କ ମଧ୍ୟରୁ ଜଣକ ପାଟି ଶୁଣି ଭାବନା ରୁ ନିବୃତ୍ତ ହେଲେ ଶୁଭ ।ଅତୀତ ଅତୀତ ଆଉ ଖୋଜିଲେ କଣ ମିଳିବ?କେବଳ ମନକୁ ସାନ୍ତ୍ୱନା ଦେଇ ମନେ ମନେ କହିଲେ ମୋତେ କ୍ଷମାକର ସୁଜ୍ଞାନ । ଗଳି ଭିତରେ ନୁଆଁଣିଆ ପଲଥିନ ଛପର ଘରକୁ ଘର ଲାଗିଛି ସବା ଶେଷରେ ଯେଉଁ ଘରଟି ତାହା ସୁଜ୍ଞାନଙ୍କର ସୁଜ୍ଞାନ ରାଉତ ନୁହେଁ ସେ ତ କେବେଠୁ ନିଖୋଜ ଶୁଭ ଙ୍କ ନିକଟରୁ,ଏ ସୁଜ୍ଞାନ ସରଳ ବସ୍ତି ବାସିନ୍ଦା ଟିଏ । ଶେଷ ଘରେ ଯାଇ ପହଁଚିଲେ ଶୁଭ ବାହାରେ ଖଟ ଉପରେ ଜଣେ ବୃଦ୍ଧା ସୋଇଛନ୍ତି ସମ୍ପୁର୍ଣ୍ଣ ନିଦ୍ରା ନହେଲେ ବି ଆଖି ରେ ଅଳ୍ପ ନିଦ୍ରା ।ବୃଦ୍ଧା ପଚାରିଲେ:-
--କିଏରେ ସେଇଠି ।
--ଆ...ଜ୍ଞା...ମୁଁ ।
--ମୁଁ ବୋଲେ କିଏ କିସ ତୋର ନାଁ ନାହିଁ ।

ବୃଦ୍ଧାଙ୍କ କର୍କସ୍ୱ ସ୍ୱରରେ ଚମକି ଭୟରେ ଥରିଲେ ଶୁଭ ।

--ମା ମୁଁ ଶୁଭ ଏଇ ସହରରେ ରୁହେ,ସୁଜ୍ଞାନଙ୍କୁ ଦେଖା କରିବାର ଅଛି ।
--ଆଛା...ଆଛା....ଆ ସେକଥା କହୁନୁ ।ହଉ ଯା ଭିତରେ ସେ ଅଛି ବୋଧେ ନିଦ ଲାଗିଯିବଣୀ ତା ଆଖିକୁ ,ତୁ ଡାକେ ସେ ଉଠିବ ।

କବାଟ ବୋଲି ଲାଗିଥିବା ଖଣ୍ଡେ ଚିରାଲୁଗାକୁ ଆଡେଇ ଶୁଭ ଭିତରକୁ ଗଲେ । ବାହାର କୁ ଝୁପୁଡି ଦିଶୁଥିବା ପଲଥିନ ଘରର ଭିତର ସାଜସଜ୍ଜା କିନ୍ତୁ ବେଶ ସୁନ୍ଦର । ଗୋଟେ ଖଟିଆରେ କେହି ଜଣେ ଶୋଇଛି,ଶୁଭ ସ୍ଥିର କରିନେଲେ ୟେ ହିଁ ସେ ସୁଜ୍ଞାନ ଯେ ମୋ ସିନ୍ଦୁର କୁ ବଞ୍ଚାଇଛନ୍ତି ।କାଳେ ପାଦଛୁଇଁ ପ୍ରଣାମ କରିବାର ସୁଯୋଗ ମିଳିବନି ତେଣୁ ଶୁଭ ପ୍ରଥମେ ପାଦ ଛୁଇଁପ୍ରଣାମ କଲେ । ଭାରି ଶକ୍ତ ଆଉ ରୁକ୍ଷ ପାଦ ଦୁଇ ତଥାପି ତ ସେ ଭଗବାନ ଯେ ତାଙ୍କ ସ୍ବାମୀଙ୍କୁ ନୂଆ ଜୀବନ ଦେଇଛନ୍ତି ।

ଶୁଭ କିଛି କହିବା ଆଗରୁ ସୁଜ୍ଞାନ ହିଁ ପାଟି ଖୋଲିଲେ ।

--ଆସ ଶୁଭ ଏଇ ସେପାଖେ ଚୌକି ଅଛି ବସ ।ଏକା ଆସିଛ ନା ସାଥିରେ କେହି ଆସିଛନ୍ତି?ଭିତରକୁ ଡାକ ସେମାନଙ୍କୁ ।
(ଚମକି ଉଠିଲେ ଶୁଭ ଅଜ୍ଞାତ ବ୍ୟକ୍ତିଙ୍କ ନିକଟରୁ ନିଜ ନାମ ଶୁଣି)
--ଆପଣ....ମୋ ନାଁ ଜାଣିଲେ କିପରି?ଆପଣ ଟିକେ ଏପଟକୁ ବୁଲନ୍ତୁ ମୁଁ ଟିକେ ଦେଖିବି ଆପଣଙ୍କୁ ।
--ନାଁ ରୁ କଣ ଅଛି ଯେ ତୁମେ ବାହାରେ ଏବେ ମା ସହ କଥା ହେଉଥିଲ ।ସେଇଠୁ ନାଁ ଜାଣିଲି ତୁମର ।
କଡ଼ ଲେଉଟାଇ ଚାଦର ତଳୁ ମୁଁହ ଉଠାଇ ମୁଣ୍ଡ ପାଖେ ଥିବା ହଲୋଜିନ ଲାଇଟ ଲଗାଇଲେ ସୁଜ୍ଞାନ ।
ଏଥର ସ୍ପଷ୍ଟ ଦେଖାଗଲା ସବୁ କିଛି ।

ଏ କଣ ଦେଖୁଛନ୍ତି ଶୁଭ ଏଇ ସୁଜ୍ଞାନ ଯେ ସେଦିନର ସୁଜ୍ଞାନ । ତାଙ୍କ ଅନ୍ତରଙ୍ଗ ବନ୍ଧୁ ତଥା ସେଦିନର କବି ସୁଜ୍ଞାନ ରାଉତ ।ତେବେ ସେ ହିଁ କଣ ତାଙ୍କ ସ୍ବାମୀର ଜୀବନ ରକ୍ଷାର କାରଣ ?ଯାହା ବି ହେଉନା କାହିଁକି ଏ ସୁଜ୍ଞାନ ଆଜି କୁଲି ବେଶରେ କାହିଁକି? ଶୁଭ ପଚାରୁଥିଲେ ନିଜ ମନକୁ ।ସୁଜ୍ଞାନ ଅବଶୋଷର ପୂର୍ଣ୍ଣତା ପାଇଁ, ଦୀର୍ଘଶ୍ୱାସ ଟିଏ ଉପରୁକୁ ମୁଁହ କରି ନେଉନେଉ କହି ଉଠିଲେ :-ମୁଁ ଜିତିଗଲି ନା ଶୁଭ ତୁମ ଭିତ୍ତିହୀନ ଅଭିଳାଷ କୁ ବାଜି ଲଗାଇ?
ଶୁଭ.......ଶୁ....... ଭ ! ଶୁଭ ଚାଲିଗଲେଣି । ବାହାରକୁ ବାହାରିଲେ ସୁଜ୍ଞାନ ଶୁଭ ବୋଧେ ଯାଉଛନ୍ତି ପୁଣି ଦୂରକୁ?କାହିଁକି?ପୁଣି କେଉଁ ଅଭିଳାଷର ସନ୍ଧାନ ପାଇଁ?ଦୂରରୁ କେବଳ ଦିଶୁଥିଲା ସ୍କୁଟିର ନମ୍ବର ପ୍ଲେଟ ଓ.ଆର.02 ss 1972 । ଘରକୁ ଲେଉଟୁ ଲେଉଟୁ ମା ଜଣକ ପଚାରିଲେ:-କିଏ ରେ ବାବା ସେ?ସେ ଜଣେ ପରିଚିତ ପରାଜିତା ମା ।

ସୀମାଞ୍ଚଳ ରଣା
କୁର୍ତ୍ତମଗଡ, ବାଲିଗୁଡା, କନ୍ଧମାଳ

Post a Comment

0 Comments