Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଆଲୋଚନା - ଦୁର୍ଗା ପୂଜା - ବିଶ୍ଵେଶ୍ଵର ମାଝୀ


ମହିଷାସୁରର ଅତ୍ୟାଚାରରେ ତିନି ପୁର ହେଉଥାଏ ଥରହର । ଦେବତାଗଣ ସ୍ୱର୍ଗ ପୁରରେ ଥାଇ ମଧ୍ୟ ଥାଆନ୍ତି ଶଂକାକୁଳ ସଂଦିହାନ । ସେମାନଙ୍କ ଆକୁଳ ପ୍ରାର୍ଥନାରୁ ତଥା ଖର ନିଃଶ୍ୱାସରୁ ଆକାଶର ବୁକୁ ଚିରି ଜନ୍ମ ନେଲେ ଏକ ନାରୀ ମୁର୍ତ୍ତି, ଦେବତାଗଣଂକ ଶଂକଟରୁ ଜନ୍ମ ହେତୁ ସେମାନେ ନାମ ଦେଲେ ଦୁର୍ଗା । ସେହି ଦେବୀ ଦଶହସ୍ତରେ ଦେବତାଗଣଂକ ଦଶପ୍ରହରଣ ଧାରଣ କରି ଅଗ୍ରସର ହେଲେ ମହିଷାସୁର ନିଧନ ପାଇଁ । ମାତ୍ର ଅସୁର ଥିଲା ବ୍ରହ୍ମାଂକ ବଳରେ ବଳିୟାନ। କେବଳ ବିବସନା ନାରୀ ହିଁ ହେବ ମହିଷାର ମୃତ୍ୟୁର କାରଣ । ତେଣୁ ଦେବତା ମାନଙ୍କ ଅନୁରୋଧରେ ଦେବୀ ତ୍ୟାଗ କଲେ ବସନ ଭୁଷଣ, ହେଲେ ବିବସନା। ଦେବୀଙ୍କର ଏହି ଉଗ୍ର ମୂର୍ତ୍ତି ଦର୍ଶନ କରି ମହିଷାସୁର ହେଲା ହୀନବୀର୍ଯ୍ୟ ଓ ଦେବୀ ଅଚୀରେ କଲେ ତାକୁ ନିଧନ ।

ଅଯୋଧ୍ୟାର ରାଜା ରାମଚନ୍ଦ୍ର ପିତୃସତ୍ୟ ପାଳି ବନବାସ କଲାବେଳେ ତାଙ୍କ ପତ୍ନୀ ସୀତାମାତାଙ୍କୁ ଲଂକାର ଅମିତ ପରାକ୍ରମୀ ରାଜା ରାବଣ ହରଣ କରି ନେଇଗଲା ଲଂକା ପୁରକୁ ।  ସୀତାଠାବ ପରେ ଋକ୍ଷ କପିବଳ ନେଇ ସମୁଦ୍ରରେ ସେତୁବଂଧ ବାଂଧିଲେ ରାମ ଏବଂ ରାବଣକୁ ଯୁଦ୍ଧ ପାଇଁ ଦେଲେ ଆହ୍ବାନ । ରାବଣର ମହାବଳୀ ସମସ୍ତ ପୁତ୍ର ନାତିଂକୁ ବଦ୍ଧ କଲେ ମଧ୍ୟ ରାବଣ ନିଧନ ଥିଲା ସୁଦୁର ପରାହତ । ଅଷ୍ଟୋତ୍ତର ଶତ ନୀଳ କମଳ ଅର୍ପଣ କରି ଶିବ ବଳରେ ବଳିୟାନ ଦଶମଥାକୁ ବଦ୍ଧ କରିବାକୁ ରାମଚନ୍ଦ୍ର ହେଲେ ଦେବୀ ଦୁର୍ଗାଙ୍କ ଶରଣାପର୍ଣ । ମାତା ପରୀକ୍ଷା ନେବା ପାଇଁ ଗୋଟିଏ ନୀଳ କମଳ ହରଣ କରିବାରୁ ରାଜୀବ ଲୋଚନ ରାମଚନ୍ଦ୍ର ନିଜର ନୀଳୋତ୍ପଳ ସଦୃଶ ଏକ ଚକ୍ଷୁ ଉତ୍ପାଟନ କରି ଦେବୀଙ୍କୁ ଅର୍ପଣ କରିବାକୁ ହେଲେ ଉଦ୍ୟତ । ଠିକ୍ ଏହି ସମୟରେ ଦେବୀ ସ୍ୱଦେହରେ ହେଲେ ଆବିର୍ଭୁତା ଏବଂ ରାବଣ ନିଧନ ପାଇଁ ପ୍ରଦାନ କଲେ ଅଭୟ ବର ।

ଚୈତ୍ର ବଂଶର ରାଜା ସୁରଥ ଦୈବୀ ଦୁର୍ବିପାକରୁ ନିସ୍ୱ ହୋଇ ପଡ଼ିଥିଲା ବେଳେ ମେଧା ଋଷଂକ ଉପଦେଶରେ କରିଥିଲେ ଦୁର୍ଗା ପୂଜାର ଆୟୋଜନ । ଦୁର୍ଗା ପୂଜା ଅନୁଷ୍ଠିତ ହୁଏ ବର୍ଷକୁ ଦୁଇଥର ବାସନ୍ତିକ ତଥା ଶାରଦୀୟ । କେଉଁ ଆଦିମ କାଳରୁ ମାତୃଜାତିର ନିରାଜନା ଭାରତୀୟ ସଂସ୍କାରର ଏକ ଅଭିନ୍ନ ଅଂଗ ଭାବେ ପରିଗଣିତ। ଶରତ ଋତୁର ଶୁକ୍ଳ ପକ୍ଷ ସପ୍ତମୀ ତିଥିରୁ ଦଶମୀ ପର୍ଯ୍ୟନ୍ତ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ନିର୍ବିଶେଷରେ ହୁଏ ଘରେଘରେ ଶକ୍ତି ପୁଜାର ଆୟୋଜନ। ଖଣ୍ଡା ପୂଜା ହେଉକି ସଜବସା ସବୁଠି ହୁଏ ମା'ର ନିରାଜନା ।

କୃଷି ପ୍ରଧାନ ଆମ ଦେଶରେ ବର୍ଷା ଋତୁର ଶେଷ ଭାଗ ବେଳକୁ ଫସଲ ଅମଳ ହୋଇଥାଏ ନିଶ୍ଚିତ ଏବଂ ଚାଷୀ ଥାଏ ହର୍ଷୋତଫୁଲ୍ଲ । କର୍ଦମାକ୍ତ ନଦୀଜଳ ହେଉଥାଏ ଶୁଭ୍ର ସ୍ୱଚ୍ଛ । ନଦୀ ପଠାରେ କାଶତଣ୍ଡୀର ଶୁଭ୍ରତା ଶାରଦୀୟ ପରିବେଶର କରେ ଉଦଘୋଷଣା । ଦେବୀପୀଠ ମାନଙ୍କରେ ଷୋଡ଼ଶ ଦିବସ ବ୍ୟାପୀ ବିଭିନ୍ନ ରୂପରେ ହୁଏ ଦେବୀଙ୍କର ଆବାହନ। କୁମାରୀ କନ୍ୟାମାନଙ୍କୁ ପୂଜନ କରି ନବରାତ୍ର ପାଳନ ଦୁର୍ଗା ପୂଜାର ଆଉ ଏକ ବିଶେଷତ୍ଵ । ଦଶମହାବିଦ୍ୟା ଦଶଭୂଜା ମାତା ବୈଷ୍ଣୋଦେବୀ ହୁଅନ୍ତୁ କି କାମାକ୍ଷା ଶାରଳା ହୁଅନ୍ତୁ କି ବିମଳା ପ୍ରତିଟି ଶକ୍ତି ପୀଠ ହୋଇଉଠେ ଉତ୍ସବ ମୁଖର । 

ମୃଣ୍ମୟ ପୂଜାବିଧି ଭାରତରେ ବଂଗଳାରୁ ଓଡ଼ିଶା ମଧ୍ୟରେ ସୀମିତ । ଏହାର ଆଡମ୍ବର ପୂଜାରୁ ହଟି ଚାକଚକ୍ୟମୟ ଏକ ପରିବେଶ ସୃଷ୍ଟି କରେ ‌। ରାବଣ ପୋଡିର ବିଧାନ ଆଉ ଏକ ଆଡ଼ମ୍ବରର ପରିଚୟ । ଏସବୁ ଆଡ଼ମ୍ବର ମଧ୍ୟରେ ଶକ୍ତି ପୂଜାର ମୁଳ ଉଦ୍ଦେଶ୍ୟ ଭୁଲି ବ୍ୟବସାୟ ର ପ୍ରସାର ପ୍ରମୁଖ ଭୂମିକା ଗ୍ରହଣ କରୁଛି । ବାୟୁ ପ୍ରଦୂଷଣ ଜଳ ପ୍ରଦୂଷଣ ଏବଂ ଶବ୍ଦ ପ୍ରଦୂଷଣ ମିଶି ପରିବେଶ ପ୍ରଦୂଷଣ ଅତିମାତ୍ରାରେ ବୃଦ୍ଧି ପାଏ । କେଉଁ କୁସଂସ୍କାରରୁ ବଳୀ ପ୍ରଥା ନୃଶଂସତାର ଆଉ ଏକ ଫର୍ଦ ଜୋଡେ ।

ମାତୃ ଜାତିର ସମ୍ମାନ ହିଁ ଦୁର୍ଗା ପୂଜାର ମୁଳ ଉଦ୍ଦେଶ୍ୟ। ମାତ୍ର ନାରୀ ନିର୍ଯାତନା କରି ଦୁର୍ଗା ପୂଜା କରିବା ଏକ ଧୃଷ୍ଟତା । ସେହିପରି ମା' ପ୍ରକୃତି ସ୍ୱରୂପା । କିନ୍ତୁ ପ୍ରକୃତିକୁ ପ୍ରଦୁଷିତ କରି ଆମେ ମାତାଂକୁ ବିଭତ୍ସତା ଆଡକୁ ଟାଣି ନେଉଛୁ । ତେଣୁ ପ୍ରାକୃତିକ ବିପର୍ଯ୍ୟୟ ବାରଂବାର ଆମକୁ ଅସ୍ତବ୍ୟସ୍ତ କରୁଛି । ଏବେବି ସମୟ ଅଛି ଆମେ ପ୍ରକୃତିର ସୁରକ୍ଷା କରି କରିବା ପ୍ରକୃତ ଦୁର୍ଗା ପୂଜା :-
ଅସତୋ ମା ସଦଗମୟ
ତମସୋ ମା ଜ୍ୟୋତିର୍ଗମୟ
ମୃତ୍ୟୋର୍ମା ଅମୃତଂଗମୟଃ ।

Post a Comment

0 Comments