Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ଦେବୀ - ସିପ୍ରା ନାମତା (ନମ୍ରତା)


ଦଶହରା ମେଢ ସବୁ ଭସାଣି ପାଇଁ ପ୍ରସ୍ତୁତି ଚାଲିଥାଏ । ତଥାପି ବିଭିନ୍ନ ସ୍ଥାନ ରେ ଲୋକ ଗହଳି ଲାଗିରହିଥାଏ ମେଢ ଗୁଡିକ ନିକଟରେ । ଧୂପ , ଝୁଣା , ଗୁଗୁଳର ସୁଗନ୍ଧରେ ମହକି ଉଠୁଥାଏ ମୃଣ୍ମୟୀ ଦେବୀ ଙ୍କ ର ଆସ୍ଥାନ । ମ୍ୟୁନ୍ସିପାଲିଟି ତଳ ସାହି ମେଢରେ ବି କିଛି କିଛି ଲୋକ ଆସୁଥାନ୍ତି  । ହଠାତ ରବି ପାଟିକରି ଉଠିଲା । ଦରକାର ପଡିଲା ବେଳକୁ କେହି କୁଆଡେ ନ ଥିବେ । ମୁଁ ଜାଣେ ପରା, ଶଳା ଟାଙ୍କିଏ ଛାଟି ଦେଇଥିବ ପେଟ ଭିତରକୁ । କଣ ନା... ସବୁ କରିଦେବ । ମାମଲତକାରୀ କରିବାକୁ କହିଦେଇଥିବ । ହୁଁ...... ଯଦି ଆସିବୁନି ଠିକ୍ ଅଛି,, ମନା କରିଦେ । ଅଯଥାରେ ତୋତେ ଚାହିଁ ରହିବାର ଆବଶ୍ୟକତା କଣ ଅଛି ? ହେଃ.... ଆର ଥରକୁ ଆଉ ଏ କମିଟି ନା ସମିତି କିଛି ରେ ନ ରହିଲେ ଗଲା । ଶଃ, ୟେ ଙ୍କର ବିନା ସ୍ୱାର୍ଥ ରେ ଖଟିବା କୁ କିଏ ବା ଆଉଛି ? କାମ ଗୁଡିକ ଯଥାଶୀଘ୍ର ସାରିବାକୁ ପଡିବ ନା ... । ଆଟିକା ରେ ଝୁଣା ପାଇଁ ସାମଗ୍ରୀ ସଜାଡ଼ିବାକୁ ହେବ । ଝୁଣା, ଗୋକୁଳ, ଧୂପ ପ୍ୟାକେଟ କୁ ରଖିଲା ରବି । ଭୋଗରାଗ ସାମଗ୍ରୀ, ଇତ୍ୟାଦି ଯାହା ବଳକା ଥିଲା ସେସବୁ ସାଉଁଟା ସାଉଁଟି କରି ରଖୁଥାଏ, ସୁତୁଲୀ ଖଣ୍ଡେ  ପେଣ୍ଡାଲ ପଛ ତମ୍ବୁ  ପାଖରୁ ଟାଣି ଆଣୁଥିବା ବେଳେ, ହଠାତ କାହାର ଗୋଡ ଦୁଇଟି ର କିଛି ଅଂଶ ଦେଖିବାକୁ ପାଇ ବୁଲିଗଲା ସେ ପଟକୁ । ଆଚମ୍ବିତ ହୋଇ ଆଖି ଦୁଇଟା ଓସାରିଆ ହୋଇଗଲା । ୟେ କଣ ଦେଖୁଛି ସେ ? ହାତ ଗୋଡ ବନ୍ଧା ହୋଇ ପଡିଛି ଝିଅଟି । ମୁହଁରେ ପଟି ବନ୍ଧା ହୋଇଛି । କେହି ହଠାତ ଜାଣିପାରିବେନି ବୋଲି ପୁରୁଣା ଡେକୋରେସନ କନା ଢାଙ୍କି ଦେଇଛି । ଓଃ କି ଭୀଷଣ ଷଡଯନ୍ତ୍ର । କିନ୍ତୁ କିଏ..... କିଏ ଏମିତି କାଣ୍ଡ କରିପାରେ ? କିଛି ଜଣାପଡୁନି । ବହୁତ ଚିନ୍ତା କରି କରି ରବି ଗୋଟେ ଯୋଜନା ତିଆରି କଲା ମନ ଭିତରେ ।

"ଜୟ ମା ଦୁର୍ଗା, ଜୟ ମା ଦୁର୍ଗା..... ଜୟ ମହିଷ ମର୍ଦ୍ଦିନୀ ଦୁର୍ଗା ଙ୍କର ଜୟ" । ........ଧ୍ୱନୀ ରେ ଚତୁର୍ଦିଗ ଉଛୁଳି ପଡୁଥାଏ । ଗାଡି ଉପରେ ମା ଦୁର୍ଗା ଙ୍କର ବିଶାଳ ମୃଣ୍ମୟୀ ମୂର୍ତ୍ତି ସମ୍ମୁଖରେ ଆଉ ଏକ ଦେବୀ ମୂର୍ତ୍ତି,, ଦୁର୍ଗାଙ୍କର ମାନବୀୟ ପ୍ରତିକୃତି ପରି ଦେଖାଯାଉଥାଏ । ତାଙ୍କ ର ଗୋଟିଏ ହସ୍ତ ର ତ୍ରିଶୁଳ ବିଦ୍ଧ କରିଥାଏ ତଳେ ପଡିଥିବା ମହିଷାସୁର ର ବକ୍ଷ କୁ ,ଏବଂ ଧାର ଧାର ହୋଇ ବୋହିଯାଉଥିବା ରକ୍ତ ପ୍ରମାଣ ଦେଉଥାଏ  ଶକ୍ତିମୟୀ ଙ୍କର ପରାକ୍ରମ କୁ । ସତେ ବା ଆଜି ମନୁଷ୍ୟର ଅନ୍ୟାୟ ,ଅଧର୍ମ ,ଅତ୍ୟାଚାର ସବୁ କୁ ଦମନ କରିବା ପାଇଁ ସ୍ୱୟଂ ମା ମାନବ ଶରୀର ରେ ଆତ୍ମ ପ୍ରକାଶ କରିଛନ୍ତି । ଗାଡି ଆଗରେ ବିରାଟ ଶୋଭାଯାତ୍ରାରେ ସାମିଲ ଅନେକ ଲୋକ । ବିଶେଷ କରି ଯୁବ ବର୍ଗ ର ଗୋଟେ ଦଳ ସଙ୍ଗୀତ ପରିବେଷଣ କରୁଥିବା ଡ଼ି.ଜେ .ଯନ୍ତ୍ର ସମ୍ମୁଖରେ ଉଦ୍ଦଣ୍ଡ ନୃତ୍ୟ କରିବାରେ ବ୍ୟସ୍ତ । ଯେଉଁ ନୃତ୍ୟ ରେ ଭକ୍ତି ବଦଳ ରେ କେବଳ ହିନ୍ଦୀ ଗୀତ ର ଉଚ୍ଚ ଯାନ୍ତ୍ରିକ ସ୍ୱର ସଙ୍ଗୀତ  ଓ ବାଦ୍ୟ ର ତାଳେ ତାଳେ ଉନ୍ମତ୍ତ ହୋଇ ନାଚିବା । ହାତ ଗୋଡ଼ ହଲେଇ ଛାଟି ପିଟି ହୋଇ, ମୁଣ୍ଡ କୁ ଏପଟ ସେପଟ କରି ଆଗ ପଛ ହଲେଇ କିମ୍ଭୁତ କିମାକାର ରୂପେ ନାଚ ଆଉ ତା'ସହିତ ପାଟି ରୁ ବାହାରୁ ଥିବା ମଦ ର ଉତ୍କଟ ଗନ୍ଧ ରେ ଯିଏ ଯାହାର ଧୂନ ରେ ବ୍ୟସ୍ତ । କୌଣସି ଆଡକୁ ଲକ୍ଷ୍ୟ ନାହିଁ କାହାର । ସେମାନଙ୍କ ବ୍ୟସ୍ତତା ର ବଳୟ ବାହାରେ ଯେ କିଛି ଘଟୁଥାଇ ପାରେ ତାହା ସେମାନଙ୍କ ର ଅଜଣା ।

ଖଇରା ନଦୀ ପହଞ୍ଚି ଗଲା । ଗାଡି ଅଟକିଲା ।ଭସାଣି ପାଇଁ କିଏ ଜଣେ ଉଚ୍ଚ ସ୍ୱର ରେ ପାଟି କଲା, --ଏ ବାଇନ ଆ... ଆ । ଡାକି ଦେ ରେ ରୁହିଆ,, ଲୁନା, ଗଗନ ଏମାନେ ଶୀଘ୍ର ଆସନ୍ତୁ । ଗାଡି ଉପରକୁ ଉଠିଗଲେ  କେଇଜଣ । ମୃଣ୍ମୟୀ ମୂର୍ତ୍ତି ମାନଙ୍କୁ ଗୋଟି ଗୋଟି କରି ଓଲ୍ହାଇ ଦେବା ସହ ଜୀବନ୍ତ ମାନଙ୍କୁ ମଧ୍ୟ ଓଲ୍ହାଇ ଦେଇ ପାଣି ଭିତରକୁ ଗୋଟି ଗୋଟି କରି ନେଇ ଭସାଇବାକୁ ଲାଗିଲେ । ରକ୍ତ ମାଂସ ର ମହିଷାସୁର କୁ ଯେଉଁ ଦୁଇ ଜଣ ଟେକୁଥିଲେ ସେମାନଙ୍କ ହାତ ରକ୍ତ ରେ ଭିଜିଯାଉଥିଲେ ମଧ୍ୟ ସେମାନେ ଛାଇ ଆଲୁଅ ର ଖେଳ ରେ ମଦିରା  ର ପ୍ରଭାବ ରେ ଜାଣିପାରୁ ନ ଥିଲେ କଣ ଧରିଛନ୍ତି, କାହାକୁ ଧରିଛନ୍ତି । ସେମାନଙ୍କୁ ଆଦୌ ଜଣାପଡୁ ନ ଥିଲା ଯେ ମୃଣ୍ମୟୀ ଦେବୀ ଙ୍କ ସ୍ଥାନ ରେ ଜଣେ ରକ୍ତ ମାଂସ ଧାରୀ ମାନବୀ କୁ ଧରି ଓଲ୍ହାଇଦେବାକୁ ଯାଉଛନ୍ତି । ପାଣିରେ ବିସର୍ଜନ ଦେଇ ସେମାନେ ଫେରିଆସିଲେ । ଠିକ ସେଇ ସମୟରେ ପାଣି ଭିତରୁ ହିଁ କେହି ଜଣେ ସେଇ ଜୀବନ୍ତ ଦେବୀ କୁ ପାଣି ରୁ ଛାଣି ନେଲା ।

ଜୟ ...ଜୟ ...ଜୟ ମାଆ ଦୁର୍ଗା ....ଦୁର୍ଗତି ନାଶିନୀ ,ଶୁମ୍ଭ ନିଶୁମ୍ଭ ବିଧ୍ଵଂସୀନି, ମହିଷାସୁର ମର୍ଦ୍ଦିନୀ ମାଆ ଙ୍କ ର ଜୟ,,ଏବଂ ଘଣ୍ଟ କରତାଳ ଧ୍ୱନୀ ରେ ପ୍ରକମ୍ପିତ ହେଉଥାଏ ବିସର୍ଜନ ସ୍ଥଳୀ । 

ପାଣି ରୁ ଛାଣି ନେଇ ସଙ୍ଗେ ସଙ୍ଗେ ଝିଅଟିକୁ ସାଷ୍ଟାମ କରାଇ ଘରକୁ ନେଇଗଲା  ଲୋକ ଟି ।
ନଦୀ ରେ ବୁଡ଼ ମାରି ଫେରିଲା ବେଳକୁ ଚାଇନୁ କହୁଥାଏ,
---ବେ ଜାଣିଛ,, ଆଜି କାହାକୁ ଗୋଟେ ଶବ କୁ ଭସେଇବା ପରି ଲାଗିଲା 
-----ହଁ, ଠିକ୍ କଥା ଟିଏ କହିଲୁ ଏକା । ମୋତେ ବି ଗୋଟେ କେମିତି କେମିତି ବାସୁଥାଏ । କହିଲା ନବୀନ ।
-- --ଆରେ ,ଆଜି ତ କାଇଁ ବାଉରୀ କୁ ଦେଖିବାଜୁ ପାଇଲିନି । କୁଆଡେ ଗଲା କି ଆଉ ??ସେଇ ଦିନ ଦି ପହର ରେ ଆସିଥିଲା ମୋ ପାଖକୁ ,ଯାଇଛି ଯେ ଯାଇଛି । ମୋହନ କହିଲା । ମୋହନ ର କଥାରେ ଚାଇନୁ  ଓ ନବୀନ ଦୁହେଁ ଆଶ୍ଚର୍ଯ୍ୟ ହେଲେ । ବାଉରୀ କୁ ସେମାନେ ମଧ୍ୟ ଆଜି ଦେଖିବାକୁ ପାଇ ନାହାନ୍ତି । କଥା ଟା କେମିତି ଟିକେ ଅଡ଼ୁଆ ଲାଗୁଥିଲା ସେମାନଙ୍କୁ ।କାରଣ ବାଉରୀ ଭଳିଆ ପିଲା ପୁଣି ଭସାଣି ଯାତ୍ରା ରେ ଉପସ୍ଥିତ ରହିବନି ??ବଡ ଆଶ୍ଚର୍ଯ୍ୟ ର କଥା ତ !!!!!
----ଚାଲିଲୁ ଯିବା ଟିକେ ତା ଘର ଆଡେ ,,କହିଲା ନବ ।
---ଦେଖିବା କାଲି..... ଆଜି ଆଉ ଯିବାକୁ କୁଆଡେ ଇଛା ହେଉନି । ମୋହନ ର ଉତ୍ତର ରେ ସଭିଏଁ ଚୁପ ହୋଇଗଲେ ଓ ଯେ ଝା ଘର ମୁହାଁ ହେଲେ ।
     
ଦେବୀ କୁ ଘରକୁ ନେଇଆଣିଥିବା ରବି ତାକୁ ସାଷ୍ଟାମ କରାଇ ଅତିଶୀଘ୍ର ନେଇ ତାଙ୍କ ଘରେ ଛାଡି ଦେଇ ଆସିଥାଏ । ଏମିତି ତଡିତ ବେଗ ରେ ଘଟଣା ଟି ଘଟିଯିବା କୁ ଦେବୀ ନିଜକୁ ନିଜେ ବିଶ୍ୱାସ କରି ପାରୁ ନ ଥାଏ । ବାଉରୀ ଦେବୀ କୁ ଏକଚାଟିଆ ପ୍ରେମ କରି ବିଫଳ ହେବା ପରେ ଅତି ଭୟଙ୍କର ଭାବେ ରାଗି ଯାଇଥିଲା । ଅନେକ ଧମକ ଚମକ ଦେବା ସହ ଅପହରଣ କରିନେଵ ବୋଲି ମଧ୍ୟ କହିଥିଲା । ଆଗକୁ ଦୁର୍ଗା ପୂଜା ଆସୁଛି ଆଉ ସେଇଥିରେ ସେ ତା' ଇଜ୍ଜତ କୁ ମାଟିରେ ମିଶେଇ ଦେବ ବୋଲି କହିଥିଲା । ସତ କୁ ସତ ଦୁର୍ଗା ପୂଜା ଅଷ୍ଟମୀ ଦିନ ପୂଜା କରି ଫେରିବା ବାଟ ରେ ବାଉରୀ ତାକୁ  ଦଶହରା ପରେ ଭସାଣି ଦିନ କେହି ରକ୍ଷା କରିପାରିବେ ନାହିଁ କହି ଧମକେଇଥିଲା । ଆଉ ସେ ଦିନ ଠାରୁ ସେ ଲୁଚି ଲୁଚି ରହୁଥିଲା କିନ୍ତୁ ଦଶହରା ଦିନ ସାନ ଭାଇ କୁ ଖୋଜୁଥିବା ସମୟରେ ହଠାତ କେହି ଜଣେ ତା ମୁହଁ ଢ଼ଙ୍କେଇ ସେ ପଟ କୁ ଟାଣି ନେଇ ଥିଲା । ଚିତ୍କାର କରିବାକୁ ଚାହିଁ ମଧ୍ୟ କରିପାରି ନ ଥିଲା ।ମେଢ ପାଖରେ ତାକୁ ସେଇ ଡେକୋରେସନ କପଡା ଗୁଡ଼ାଇ ଯେମିତି କେହି କିଛି ଜାଣି ନ ପାରିବେ ସେମିତି ରଖି ଦେଇଥିଲା ।ଟିକେ ପେଟରେ ମଦ ପକେଇ ଆସି ତାକୁ ମନ ଭରି ଉପଭୋଗ କରି ପାଣି ରେ ଭସେଇ ଦେବାର ଯୋଜନା କରି ଚାଲିଯାଇଥିଲା ସେ ।

ରବି ହାତରେ ଦେବୀ ପଡ଼ିଲା ପରେ ସେ ,ତାକୁ ଜଗଜ୍ଜନନୀ ମା ଦୁର୍ଗାଙ୍କ ର ତ୍ରିଶୂଳ ଦେଇ ଯେତେବେଳେ ବାଉରୀ ତା ଇଜ୍ଜତ ସହ ଖେଳିବାକୁ ଆରମ୍ଭ କରିବ, ଠିକ୍ ସେଇଇ ମୁହୂର୍ତ୍ତ କୁ ସଦୁପଯୋଗ କରିବାକୁଗୋଡେ ଗୋଡେ ଉପଦେଶ  ଦେଇ,କିଛି ଅସୁବିଧା  ହେବାର ସମ୍ଭାବନା ନାହିଁ କହି ଚାଲିଯାଏ  । ସେ ନାରୀ ,ସୃଷ୍ଟି ମୟୀ ,ସୃଷ୍ଟି କରିବା ଯାହାର ଧର୍ମ ସେ ବା କେମିତି ଧ୍ୱଂସ କରିବ ? କିନ୍ତୁ ପର ମୁହୂର୍ତ୍ତରେ ଅଗଣିତ ରାକ୍ଷସ ଙ୍କୁ ନିଧନ କରି ସୃଷ୍ଟି ବଞ୍ଚାଇବା କଥା ସ୍ମରଣ କରି ନୀରବି ଯାଏ ସେ ।ବାଉରୀ ବି ଠିକ୍ ସେମିତି ଏକ ରାକ୍ଷସ ।ତା'ର ନିଧନ ଆବଶ୍ୟକ ।ଅନେକ ଝିଅ ଙ୍କ ସହ ଖେଳ ଖେଳିଥିବାର ଖବର ଅଛି ତା ' ପାଖରେ ।ଆଜି ସେ ନିଜେ ମଧ୍ୟ ତା'ର ଲୋଲୁପ ଦୃଷ୍ଟି ର ଶୀକାର ହୋଇଛି ।ତେଣୁ ତାକୁ ଶକ୍ତି ମୟୀ ହେବାକୁ ପଡିବ .!! ତା'ର ଏଇ ଘୃଣ୍ୟ କାର୍ଯ୍ୟ ପାଇଁ ସମୁଚିତ ଶିକ୍ଷା  ପାଇବାକୁ ପଡିବ ।ତାକୁ ଦେବୀ ହେବା ପାଇଁ ପଡିବ । ନିଜକୁ ଅନାବୃତ କରି ରାକ୍ଷସ ନିଧନ କରିବାକୁ ପଡିବ ।

""ଯା ଦେବୀ ସର୍ବ ଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା 
ନମୋସ୍ତସୈ  ନମୋସ୍ତସୈ ନମୋସ୍ତସୈ ନମୋ ନମୋହ ।।""
--ହେ ମାଆ ତୁମେ ମୋତେ ଶକ୍ତି ଦିଅ ,ମୁଁ ଯେମିତି ଏଇ ନାରାଧମ ଟିକୁ ସଂହାର କରିପାରେ । ତୁମେ ବର ଦିଅ ମାଆ ଆଆଆ ...ଆଶୀର୍ବାଦ ଦିଅ    ।। ହାତ ଯୋଡି ନମନ ମୁଦ୍ରା ରେ ବରାଭୟ ପ୍ରାପ୍ତ ହେବାକୁ କର ପ୍ରସାରଣ ପୂର୍ବକ ଠିଆ ହୋଇଥାଏ ଦେବୀ,, ....ନମାମି ନମାମି ତୁମକୁ ସର୍ବୋତ ଭାବେ ନମାମି ମାଆ ,,ଅନ୍ତର୍ମନ ରେ କହୁଥାଏ ସେ ।ମାଆଙ୍କ ଆଶୀଷ ପ୍ରଦାୟିନୀ ହସ୍ତ ରୁ ଶୁଖିଲା ଫୁଲ ଟିଏ ଆସି ପଡିଯାଏ ଦେବୀ ର ହାତ ରେ  ।ଆଖି ଦୁଇଟି ଦପ ଦପ ହୋଇ ଜଳି ଉଠିବା ପରି ଲାଗେ ଦେବୀ କୁ ।ତା'ପରେ କିନ୍ତୁ ଆଉ କିଛି ଚିନ୍ତା କରି ନାହିଁ ଦେବୀ । ବାଉରୀ ଆସିବା କୁ ପ୍ରତୀକ୍ଷା କରେ ସେ ,ଆଉ  ଆସିବା ପରେ ମନ ମୋହିନୀ କଥା କହି ଭୁଲାଇ ଦିଏ ଦେବୀ ।ଦେବୀ କୁ ଅନାବୃତ କରି ତା'ର ଯୌବନ କୁ ଖିନ ଭିନ କରି ଦେବାକୁ ଉଦ୍ୟତ ହେବାକୁ ଯାଉଥିବା ସମୟରେ କୌଶଳ କରି ମୃଣ୍ମୟୀ ମୂର୍ତ୍ତି ଗୁଡିକ ପାଖକୁ ଚାଲିଯାଏ ଦେବୀ ।ପଛେ ପଛେ ବାଉରୀ ମତ୍ତ ହସ୍ତୀ ପରି ଢଳି ଢଳି ଚାଲେ ।ମୃଣ୍ମୟୀ ମୂର୍ତ୍ତି ଗୁଡିକୁ ଟ୍ରକ ଉପରକୁ ନେବା ପାଇଁ ପେଣ୍ଡାଲ ତଳକୁ ଓଲ୍ହାଇ ଦିଆଯାଇଥାଏ , ସେଇଠି ବାଉରୀ ତାକୁ ଆଲିଙ୍ଗନ କରିବାକୁ ଉଦ୍ୟତ ହୁଅନ୍ତେ ,ଲୁଚାଇ ରଖିଥିବା ତ୍ରିଶୂଳ ରେ  ତା'ର ହୃଦୟ କୁ ବିଦ୍ଧ କରେ ଦେବୀ ।କିଛି ସମୟ ପାଇଁ ଛଟପଟ ହୋଇ ନୀରବି ଯାଏ ବାଉରୀ ।ଆଖି ପଲକ ରେ କେତେ ବେଳେ ଯେ ସବୁ କିଛି ନାଟ୍ୟ ରୂପାନ୍ତର  ରେ ପରିଣତ ହୋଇଯାଇଥାଏ ସେ କଥା ହୃଦବଦ୍ଧ କଲା ପରେ ଦେବୀ ନିଜକୁ ଜରି ଲଗା ଶାଢୀରେ ସଜେଇ ହୋଇ ଠିକ୍ ମାଆ ଦୁର୍ଗା ଙ୍କ ପରି ମହିଷାମର୍ଦ୍ଦିନୀ ଭଳି ଠିଆ ହୋଇଯାଇଥାଏ କାରଣ ସେତେବେଳକୁ କିଛି ଲୋକମାନେ ସେ ପଟ କୁ ଆସୁଥିବାର ଓ ପାଟି କରୁଥିବାର ସୂଚନା ମିଳେ ତାକୁ । ମଦ ନିଶାରେ ସେମାନେ ତାକୁ ଓ ବାଉରୀ କୁ ମୂର୍ତ୍ତି ଭାବି ଟେକି ନେଇ ଯାଉଥାନ୍ତି ଟ୍ରକ ଉପରକୁ ଏବଂ ଦେବୀ ସେତେବେଳେ  ନିଜକୁ  କେବଳ ଦେବୀ ବୋଲି ହିଁ ଭାବୁଥାଏ । ସେଇ ଦେବୀତ୍ୱ ଟିକକ ତାକୁ ପରିଣତ କରିଦେବ ପୁଣିଥରେ ନିଷ୍କଳଙ୍କ ଦେବୀ ରେ ।କରିବାକୁ ପଡିବ ଦୁଷ୍ଟ ଦଳନ ,ପାପୀ କୁ ସଂହାର କରିବାକୁ ହିଁ ପଡିବ ଏ ଜଗତ ରେ ।ଦେବୀ ରୂପେ ଅବତୀର୍ଣ୍ଣ ହେବାକୁ ପଡିବ ଏମିତି ପରିସ୍ଥିତିରେ ,, ଯେତେବେଳେ ରକ୍ତ ପିପାସୁ ଦାନବ ରେ ପରିଣତ ହୁଏ ଏଇ ମଣିଷ ,,ସେତେବେଳେ ,କାହାକୁ ନା କାହାକୁ ଅବତୀର୍ଣ୍ଣ ହେବାକୁ ହୁଏ ଦେବୀ ରୂପରେ ......।।

ସିପ୍ରା ନାମତା (ନମ୍ରତା)
ବାରିପଦା, ମୟୂରଭଞ୍ଜ

Post a Comment

0 Comments