Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅଣୁଗଳ୍ପ - ଛାୟାବନ୍ଧୁ - ଜୟଶ୍ରୀ ପଟ୍ଟନାୟକ


ସେଦିନ ଅଚାନକ ଦେଖା ହୋଇଗଲା ଶ୍ୟାମଳି ସହିତ । ମୁଁ ଦେଖି ନ ଦେଖିଲା ପରି ଭିଡ ଭିତରେ ନିଜକୁ ମୁକୁଳାଇ ଚାଲି ଯାଉଥିଲି । ପଛରୁ ଗୋଟିଏ ଡାକ ଶୁଭୁଥିଲା । ମୋ ପାଖରେ ଯାଉଥିବା ଲୋକଟି କହିଲା ମାଡାମ ଆପଣଙ୍କୁ ପଛରୁ କିଏ ସେ ଡାକୁଛି । ବୁଲିପଡ଼ି ପଛକୁ ଚାହିଁଲି । ଲୁହ ଛଳ ଛଳ ଆଖିରେ, ଅନୁତାପ ନିଆଁରେ କେମିତି ଝାଉଁଳି ପଡିଥିଲା ଶ୍ୟାମଳି । ଆଗର ସେ ଅହଂକାର, ପତିଆରା, କଳିହୁଡ଼ି ପ୍ରକୃତି କେମିତି ଶାନ୍ତ ପାଲଟି ଯାଇଥିଲା । ତଥାପି ମୋ ବିଶ୍ୱାସ ବାହାରେ ଥିଲା ତା ଭଳି ପିଲା ସହିତ ବନ୍ଧୁତା ବଢାଇବା । ଯିଏ ସଜ ମାଛରେ ପୋକ ପକାଇଦିଏ । ନ ଦେଖିଲା ଓଉ ଛ ଫଡା କରି ଦେଇପାରେ । ଯିଏ ସତ ସମ୍ପର୍କ କୁ ମିଛ ଆଉ ମିଛ ସମ୍ପର୍କ କୁ ସତ କରିବାରେ ସିଦ୍ଧହସ୍ତା । ଆଉ ସମ୍ପର୍କ କୁ ଅଳଙ୍କାର ଦେଇ ସୁନ୍ଦର କାହାଣୀ ଗଢି ଦେଇପାରେ । ତାକୁ ବିଶ୍ୱାସ କରୁଥିବା ମଣିଷ ମାନେ ବ ଢେର ବାହାବା ନିଅନ୍ତି । ଆଉ ସେ ଯେତେବେଳେ ଖୋଳିଥିବା ଗାତରେ ନିଜେ ପଡ଼ିଯାଏ ସେତେବେଳେ ସାଙ୍ଗ ସାଥି ଙ୍କୁ ବି ସାଧ୍ୟ ମତେ ସେ ଗାତ ଭିତରେ ପକାଇବାକୁ ଚେଷ୍ଟା କରିଥାଏ । ଆଜି ପୁଣି କଣ କାମ ପଡିଗଲା ଯେ ସେ ମୋତେ ଖୋଜିବାରେ ବ୍ୟସ୍ତ ? ମୁଁ କିଛି ବୁଝି ପାରିଲିନି ସୂର୍ଯ୍ୟ କେମିତି ପଶ୍ଚିମ ଦିଗରେ ଉଦୟ ହେଲେ ? କେମିତି ଲଙ୍କାରେ ହନୁ ଶବ୍ଦ ଶୁଭିଲା ? ୟେ ତା'ର ବନ୍ଧୁତା ଗଢିବାର ଗୋଟେ ନୂଆ ବାହାନା ନା ଆଉ କିଛି ? ଏତିକି ଭାବୁ ଭାବୁ ଶ୍ୟାମଳି ମୋ ହାତ ଦୁଇଟିକୁ ଧରି କ୍ଷମା ପ୍ରାର୍ଥନା କଲା । ମୋତେ ବଡ ହିସାବରେ ଯଦି କ୍ଷମା କରିଦେବୁ ତେବେ ମୁଁ ତୋର ବିଶାଳ ହୃଦୟ ପାଖରେ ସବୁଦିନ ପାଇଁ ଋଣୀ ରହିବି । କହିଲି ଶୁଣ ଶ୍ୟାମଳି ! ତୁ ମୋତେ ଆଉ ତୋର ଚିର ପରିଚିତ ଅମୂଲ୍ୟ ଭାଇକୁ ନେଇ ଯେଉଁ ମନଗଢା କାହାଣୀ ଗଢି ସମସ୍ତଙ୍କୁ କହିଛୁ, ମୋତେ ବଦଲାମ କରିବାକୁ ଫନ୍ଦି ଫିକର କରିଛୁ ସବୁର ପ୍ରମାଣ ମୁଁ ପାଇ ସାରିଛି । ମନେରଖ ତୁ ଜଣକୁ ପଥର ଫିଙ୍ଗିଲେ କାଲି ନିଶ୍ଚୟ ଅନେକ ଲୋକ ଆସିବେ ତୋ ଉପରକୁ ପଥର ଫିଙ୍ଗିବାକୁ । କାରଣ ତୁ କରୁଥିବା କାମ ସବୁ ସ୍ପଷ୍ଟ ଦିବଲୋକ ରେ ଧରା ପଡ଼ିଗଲାଣି । ଲୋକେ ଅନେକ ଛି ଛାକର କଲେଣି । ଆଜି ଚାରିଆଡେ ନାଗରା ବାଜିଲାଣି ତୋର ଆଉ କାହା ସହିତ ଥିବା ଗୋପନ ସମ୍ପର୍କ କଥା । ସେ ସବୁ କଳଙ୍କ କୁ ଧୋଇ ମାଜି ନିଜକୁ ମୁକୁଳେଇଲା ବେଳକୁ ଆଉ ବୟସ ନ ଥିବ କୃଷ୍ଣଚୂଡ଼ା ର ହସ ହସିବାକୁ ।,ମୁଁ ତ ବନ୍ଧୁତା କୁ ଭଲ ପାଏ ବୋଲି ତୁ ସାଧ୍ୟ ମତେ ଦୂରେଇ ଦେଲୁ ତୋ ଅମୂଲ୍ୟ ଭାଇକୁ ମୋ ଠାରୁ । ଅନେକ ଦୁଃଖ ଲାଗିଲା ସେଥିପାଇଁ କାରଣ ସମ୍ପର୍କ ଗଢିବା ବହୁତ କଷ୍ଟ, ,ଭଲ ପାଇ ଦୁରେଇଯିବା ବି ଯିଏ ଅଙ୍ଗେ ନିଭେଇଛି ସେ ଜାଣେ ତା କଷ୍ଟ । କିନ୍ତୁ ଜଣେ ଜଣକୁ ଶିଖେଇ ମତେଇ ଜଣକର ବନ୍ଧୁତା କୁ ଦୂରେଇଦେବା, ତା ମନରେ ଆଘାତ ଦେବା ୟେ କୋଉ ଉତ୍ତମ ବନ୍ଧୁତାର ଲକ୍ଷଣ ହେଲା ?? ସେଦିନଠାରୁ ମନସ୍ଥ କଲି ତୋ ଠାରୁ ଆଉ ତୋ ଅମୂଲ୍ୟ ଭାଇ ଠାରୁ ମୁଁ ସମ୍ପୂର୍ଣ୍ଣ ଭାବେ ଦୂରେଇଯିବି । ଏବେ ନିଜ ଆଖି ର ଲୁହ, ସମ୍ପର୍କ ର ଶ୍ୟାମଳ ଦରଜ ,ସ୍ମୃତି କୁ ପାଥେୟ କରି ଦୂରେଇଯାଇଛି ତୁମ ମାନଙ୍କ ଜୀବନରୁ । ଯଦି ପାରୁ ମୋତେ ମୋ ସରଳତାକୁ କ୍ଷମା କରିଦେବୁ । କାରଣ ମୁଁ ଚାହେଁନି କାହା ମନରେ ଦୁଃଖ ଦେବାକୁ, ମୁଁ ବନ୍ଧୁତାକୁ ଭଲପାଏ, ସମ୍ମାନଦିଏ । ସେଥିପାଇଁ ତ ମୁଁ ତୋର ବନ୍ଧୁ ଆଉ ତୁ ମୋର ଛାୟା ବନ୍ଧୁ ।

ମଧୁସୂଦନ ନଗର, ଜଟଣୀ, ଖୋର୍ଦ୍ଧା

Post a Comment

0 Comments