Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଭୂଲିଯାଏ ଆପଣାର ନାଆଁ - ବିନୟ ମହାପାତ୍ର


କେତେ ସହଜରେ,
ଏଇଠି ସବୁକିଛି ବଦଳିଯାଏ,
ସମୟର ପବନରେ ଦିନ ବଦଳିଯାଏ,
ନୁଆ ଏକ ଭୂଗୋଳରେ,
ଏ ଜୀବନ ନୁଆ ପରିଚୟ ଖୋଜୁଥାଏ ।

ଚେହେରା ବଦଳିଯାଏ, ପରିଚୟ ବି,
ଚିହ୍ନା ଚିହ୍ନା ଲାଗେ, ହେଲେ,
ପଚାରିବାକୁ ସାହସ ହୁଏନା,
ତୁମେ କଣ ସେହି ଚିହ୍ନା ମଣିଷଟି ?
ବେଳେବେଳେ ଦର୍ପଣ ବି
ଧୋକା ଖାଇଯାଏ, ଭ୍ରମେ ପଡିଯାଏ,
ଦୋ ଦୋ ଚିହ୍ନା ହୁଏ,
ନିଜର ମୁହଁକୁ ନିରେଖି ଦେଖେ,
ନିଜକୁ ଚିହ୍ନିବାରେ ଏତେ ବିଳମ୍ବ କାହିଁକି ହୁଏ ?

ନାଆଁ ବଦଳିଯାଏ ପରିଚୟ ବି,
ଆତ୍ମୀୟତା ତ ବହୁ ଦୂରକଥା,
ପିଲାଦିନ ବାନ୍ଧୁ ବି,
ସଂକୋଚରେ ଦୂରେ ଠିଆହୁଏ,
କବାଟରେ ଠକ୍ ଠକ୍ କରେ,
ଭିତରକୁ ଆସିବାକୁ ଅନୁମତି ମାଗେ ।
ବୁଝି ହୁଏନା, ବନ୍ଧୁ ମୋର,
କେବେଠାରୁ ଅନୁମତି ଲୋଡେ ?
ପିଲାଦିନେ, ମୋ ଟିଫନ୍ ବାକ୍ସରୁ,
ଖାଇବାର ବେଳେ, କେବେବି ପଚାରିନି ସିଏ,
କିମ୍ବା ତାର ସେ ଦେଶିଘିଅ ଆଳୁପରଟା ଟିଫିନ,
ମୋତେ ଜବରଦସ୍ତ ଖୁଆଇଲା ବେଳେ,
କେବେବି ତ ପଚାରିନି ସିଏ,
ମୋତେ ଭୋକଅଛି କିବା ନାହିଁ,
କୃଷ୍ଣ ସୁଦାମାର ଗପ ମନେପଡେ ।
ଭାବେ, କିଲାଭ କୁହନି
ଏତେ ଉପରେ ଉଡିବା,
ଯଦି ମୋର ବନ୍ଧୁ କେବେ,
ମୋର ଆଲିଙ୍ଗନକୁ ଡରେ?

ପିଲା ଦିନ ଡାକନାଆଁ,
କେବେ ଠାରୁ ଭୁଲି ସାରିଲିଣି,
ବାପା ମାଆ ଚାଲିଗଲା ପରେ,
ମୋର ସେ ନାଆଁଟି ବି ହଜିଗଲା ।
କେବେ କେମିତି କେହି ବୟସ୍କ ସଂପର୍କୀୟ,
ଯଦି କିଏ ଡାକିଦିଏ ପୁଣି ସେଇ ନାଆଁ,
ଚାରି ଦିଗକୁ ଦେଖେ, ଖୋଜିବୁଲେ,
କିଏ କାହାକୁ ଡାକୁଛି,
ହଠାତ୍ ପଡେନା ମନେ,
ଏଇଟା ମୋ ପିଲାଦିନ ନାଆଁ !
ଘରେ ମୁଁ ତ, ‘ଏଇ ଶୁଣୁଚ’, କିମ୍ବା ‘ବାପା’
ବନ୍ଧୁ ମାନେ ନାଆଁ ବି ନିଅନ୍ତି ନାହିଁ,
‘ଅମୁକ ବାବୁ’ ପରିଚୟ ମୋର,
ଅଫିସରେ ଜି.ଏମ୍ ସାହାବ,
ଆଜି, ମୋର ନାଆଁଟିର ଆବଶ୍ୟକତା,
କେବଳ, ଦସ୍ତାବେଜ ଲେଖିବାରେ କାମଆସେ ।

ମୋର ତ ମନେ ନାହିଁ,
ମୋ ନାଆଁ ଶେଷଥର ପାଇଁ,
କିଏ କେବେ ଡାକିଥିଲା ମତେ,
କେତେ ସପ୍ତାହ, ମାସ କିମ୍ବା ବରଷ ଆଗରୁ ।
ନିଜ ଫୋନ ନମ୍ବରକୁ କେବେ ଡାଏଲ କରେନି
ସେଥିପାଇଁ ନିଜ ଫୋନ ନମ୍ବର,
କେବେ ମୋର ମନେରୁହେ ନାହିଁ,
ମୁଁ କେବେ ବି ତ ନିଜକୁ ଡାକେନା,
ବିଚିତ୍ର ହେବନି, ଯଦି କେବେ ଭୁଲିଯାଏ,
ଆପଣାର ନାଆଁ ।

ବିନୟ ମହାପାତ୍ର
ପଟିଆ, ଭୂବନେଶ୍ୱର, ଓଡିଶା

Post a Comment

0 Comments