Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅଣୁଗଳ୍ପ - ବଞ୍ଚିବାର ରାହା - ରାଧାମୋହନ ପାଣିଗ୍ରାହୀ


କୁଞ୍ଚିତ ଚର୍ମ, ପିଙ୍ଗଳା ହାଡ଼, ନଇଁ ଯାଇଥିବା ମେରୁଦଣ୍ଡ,କମ୍ପିତ ଶରୀରରେ ଆଗକୁ ଆସୁଥିଲା ବୁଢୀଟି । ଦେହରେ ପରିଧାନ କରିଥିବା ଲୁଗାର ଅବସ୍ଥାକୁ ଦେଖିଲେ ତା'ଅସହାୟତା ସ୍ପଷ୍ଟ ବାରି ହୋଇପଡୁଥିଲା । କାଷ୍ଠସମ ଦୁର୍ବଳ ଶରୀରକୁ ନେଇ ଧୀରେ ଧୀରେ ପାଦ ଥାପି ସେ ପହଞ୍ଚିଲା କଲ୍ୟାଣ ମଣ୍ଡପ ନିକଟକୁ । ତା'ଶୁଖିଲା ମୁହଁ ଆଙ୍କି ଦେଉଥିଲା ତା ଭୋକିଲା ପେଟର କରୁଣ ଚିତ୍ରକୁ ।

ବିବାହ ସରି ଯାଇଥାଏ ସେତେବେଳକୁ ଯିଏ ଯାହାର ଘରକୁ ଫେରି ଆସୁଥିଲେ।କିଛି କ୍ଷଣ ଅପେକ୍ଷା କରିବା ପରେ ସେ ପହଞ୍ଚିଗଲା ସେହି ସ୍ଥାନରେ;ଯେଉଁଠି ବିବାହ ବେଦୀଟେ ପଡିଥିଲା । ଆଉ କାଳ ବିଳମ୍ବ ନକରି ଥରୁଥିବା ନିଜ ଦୁଇ ହାତରେ; ବେଦୀରେ ବର-ବଧୂଙ୍କ ବନ୍ଦାପନାରେ ବ୍ୟବହୃତ ଚାଉଳକୁ ଗୋଟାଇ ରଖି ଚାଲିଲା  ନିଜ ଚିରା ମୁଣିରେ । ମୁଣିରେ ଚାଉଳ ଭରିବା ବେଳେ ମୁଖପ୍ରଦେଶରେ ତା'ର ଖେଳି ଉଠୁଥିଲା ଅପୂର୍ବ ଆନନ୍ଦ ।

ରାଧାମୋହନ ପାଣିଗ୍ରାହୀ,
ଗ୍ରାମ-ପଦ୍ମପୁର, ଜିଲ୍ଲା-ରାୟଗଡ଼।

Post a Comment

0 Comments