Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ରୋମାଣ୍ଟିକ୍ ଗଳ୍ପ - ବଳି - ପ୍ରେମ ସମ୍ରାଟ ଲକ୍ଷ୍ମଣ କୁମାର ବେହେରା (ଯତି)


ଏ ବିନୋଦ... ବି... ନୋ... ଦ, ହଇଓ...  ବନ୍ଧୁ । ( ଦୁଇ ତିନି ଥର ଏମିତି ଡାକ ଦେଇଛି କନ୍ଦର୍ପ ), ମୋ ଡାକ ଶୁଣି ପାରୁନି ବୋଧେ !!! ହଉ ।

- ( ବିନୋଦର ପାଖକୁ ଆସି ) ଘାସ କାହା ପାଇଁ ଦାଇ ଦେଉଛ କି ବନ୍ଧୁ ? 

- ମୁଁ ଗତ କାଲି ବଡ ବୁଦାଟେ ଆଣିଛି । ଗଲା ବର୍ଷ ଏଇ ଦଶହରାରେ ମାଆକୁ ଜ୍ବର ହେଇଥିଲା ଯେ' ଜମାରୁ ଛାଡିଲାନି । ଜ୍ବର ନ ଛାଡିବାରୁ ଦେବୀ ପୀଠରେ ମାଆ ନାଆଁରେ ମାନସିକ କରିଥିଲି । ଜ୍ବର ଛାଡି ଯାଇଥିଲା । ଏ ବର୍ଷ ଏଇ ବୁଦାଟା ଦେବୀ ପୀଠରେ ବଳି ଦେବି । ସେଇ ବୁଦା ପାଇଁ ଘାସ କାଟୁଛି ପରା ବନ୍ଧୁ ।

- ଓହୋଃ, ତମେ ବି ଶେଷରେ ଅନ୍ଧ ବିଶ୍ବାସକୁ ନିଜର କରିନେଲ । ନୀରିହ ଜୀବ ମାନଙ୍କୁ ବଳି ପ୍ରଥା ନାମରେ ମାରିବାକୁ ଆଗଭର ହେଉଛ । ଏହା ଘୃଣ୍ଯ କାର୍ଯ୍ଯ ହୋ ବନ୍ଧୁ । 

ବିନୋଦ ଜମାରୁ ବି କନ୍ଦର୍ପର କଥା ଶୁଣୁ ନଥାଏ । ସେ ଘାସ କାଟିବାରେ ବ୍ଯସ୍ତ ରହିଥାଏ । 

କନ୍ଦର୍ପ ଟିକିଏ ନିରବ ରହି କହିଲା, ବନ୍ଧୁ ଗୋଟେ କଥା ପଚାରିବି ସତ କହିବ । 

- ହଁ, ପଚାର ବନ୍ଧୁ ।

- ଆମେ ଦୁହେଁ ପିଲାଦିନରୁ ଏକାଠି ପଢିଛେ ସାଙ୍ଗ ହେଇ । ତମକୁ ମୁଁ ଭଲ ଭାବରେ ଜାଣିଛି । ତମେ ତ ପିଲାଦିନେ ବଳି ଦେବାକୁ ବହୁତ ବିରୋଧ କରୁଥିଲ । ପୁଣି କେମିତି ବିଶ୍ବାସ କଲ ଯେ' ? ହଉ ଏକଥା ଛାଡ । ମାଆକୁ ଗତ ବର୍ଷ ଡାକ୍ତରଖାନାକୁ ନେଇଥିଲ କି ନାହିଁ, କୁହ ତ ?

- ହଁ, ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖୁଆଉଥିଲି ।

- ତା'ହେଲେ ଔଷଧ ସେବନ କରିବାରୁ ମାଆଙ୍କ ଜ୍ବର ଭଲ ହେଲା ନା ଦେବୀ କୃପାରୁ, ମୋତେ କୁହ ତ ! ଜାଣେ ତୁମେ ତମ ମାଆକୁ ବହୁତ ଭଲପାଅ । ତାଙ୍କ ପାଇଁ ତୁମେ ସବୁକିଛି ଉତ୍ସର୍ଗ କରି ଦେଇ ପାର । ହେଲେ; ଏଇ ବଳି ପରି ଘୃଣ୍ଯ କାର୍ଯ୍ଯକୁ ଆପଣାର କରିବାଟା ମୋତେ ଜମା ଭଲ ଲାଗୁନି ବନ୍ଧୁ ।

ବିନୋଦ ସେଦିନ ଜମାରୁ କନ୍ଦର୍ପର କୌଣସି କଥା ଶୁଣି ବୁଝିବା ଅବସ୍ଥାରେ ନଥିଲା । ସେ ରାଗିଯାଇ କନ୍ଦର୍ପକୁ କହିଲା, " ହଇ ହୋ ବନ୍ଧୁ ତୁମେ ଏତେ ଭାଷଣ କ'ଣ ପାଇଁ ଆଜି ସକାଳୁ ସକାଳୁ ଶୁଣାଉଛ ? ତୁମେ ତ କଟାକୁ ଆସିଛ ଗାଧୋଇବା ପାଇଁ । ଗାଧିପାଧିକି ଘରକୁ ଯାଅ । ଭାଉଜ ମାଂସ ତରକାରୀ କରିଥିବେ, ଖାଇବ । ମୋ ପଛରେ କାହିଁକି ପଡୁଛ ? କନ୍ଦର୍ପ ଆଉ କିଛି କଥା ନକହି ଗାଧୋଇ ସାରି ଏକମୁହାଁ ହେଇ ଘରକୁ ପଳେଇ ଆସିଲା ।

ତା' ଆର ଦିନ ଭୋର ସକାଳୁ ଗାଧୁଆ ପାଧୁଆ ସାରି ବୁଦା (ଛେଳି) କୁ ଧରି ଘରୁ ବାହାରି ଦେବୀ ମା' କୁ ଜପି ଜପି ପାଦ ବଢାଇଲା ବିନୋଦ । ମନରେ ତା' ର ଅସୀମ ଆନନ୍ଦ । ଆଜି ତା'ର ମାନସିକ ପୂର୍ଣ୍ଣ ହେବ । ପଞ୍ଚମହଲା ଛକରେ କନ୍ଦର୍ପ ଦେଖିଛି ବିନୋଦକୁ । ହେଲେ; ପଦେ କଥା ବି ହେଇ ପାରିଲେନି ଦୁହେଁ । ବନ୍ଧୁ ହିସାବରେ ଆଗରୁ ଆମେ ଦୁହେଁ ସୁଖ ଦୁଃଖର ସାଥୀ । ଭଲ କଥା ତ କହିଥିଲି ତା'କୁ । ମୋତେ ଆଗରୁ କେବେ ନଦେଖିଲା ପରି ଆଜି କାହିଁକି ହେଉଛି..., ଏମିତି ମନେ ମନେ ଅନେକ କଥା ଭାବୁଥାଏ କନ୍ଦର୍ପ, ସତରେ ମାଆ ବଳି ଖାଆନ୍ତି ? ମାଆ କେବେ ତା' ଛୁଆର ବଳି ଖାଇପାରେ ? ଏହା କ'ଣ ସତରେ ସମ୍ଭବ ?  କଉ ମାଆ ତା' ଛୁଆର  ଦୁଃଖ ଦେଖି ସହି ପାରେ ? ଏଇ ନୀରିହ ବୁଦାଟି ତ କୌଣସି ଏକ ଛେଳିର ସନ୍ତାନ । ମୋ ବନ୍ଧୁ ମନରେ ପଶୁର ଭାବନା... ଓଃ ସ୍ରଷ୍ଟା, " ତୁମର ଏ କି ବିଚିତ୍ର ସୃଷ୍ଟି ? "

ରାସ୍ତାର ଆର ପାର୍ଶ୍ବରେ ମିତା (ଶାଳ ଗଛ) ବିନୋଦକୁ ଦେଖୁଥାଏ । ହେଲେ; ବିନୋଦ ତା'ର ପ୍ରିୟ ବାନ୍ଧବୀ (ଶାଳ ଗଛ)କୁ କାହିଁକି କେଜାଣି ଥରୁଟିଏ ବି ଦେଖୁ ନଥାଏ । ମିତା (ଶାଳ ଗଛ) ବହୁତ ଚେଷ୍ଟା କରୁଥାଏ ପଦେ କଥା ହେବା ପାଇଁ, ହେଲେ; ସମ୍ଭବ ହେଲା ନାହିଁ । ବିନୋଦ ଏକ ଟେମ୍ପୁରେ ବସି ଦେବୀ ପୀଠ ଆଡକୁ ଚାଲିଗଲା । ମିତା (ଶାଳଗଛ)ର ଆଖିରୁ ଲୁହ ଝରି ପଡୁଥାଏ । ସେ କହିଲା ମୋ ପ୍ରିୟ ବନ୍ଧୁ ବିନୋଦ ଆଜି କାହିଁକି ମୋତେ ଟିକିଏ ବି ମୁହଁ ବୁଲେଇ ଚାହିଁଲା ନାହିଁ । କ'ଣ ହେଇଛି ତାହାର ? ବୁଦା (ଛେଳି) ସହିତ ଆଜି କୁଆଡେ ବାହାରିଛି । ସେ ଯେବେବି ଆସନ୍ତି ଛକକୁ, ମୋ ସହିତ ତ ମନ ଖୋଲି କଥା ହୁଅନ୍ତି । କଥା ନ ସରିବା ଯାଏଁ ସେ କୌଣସି ଆଡେ ଯାଆନ୍ତି ନାହିଁ । ହଉ ଆଜି ଫେରିଲେ ନିଶ୍ଚିତ ପଚାରିବି ।

ଉପର ଓଳି ବସ୍ ରୁ ଓହ୍ଲାଇ ବିନୋଦ ଦେଖିଲା ଚତୁର୍ଦ୍ଦିଗ ଖାଁ ଖାଁ ଦିଶୁଛି । ତା'ର ଅତି ଆପଣାର ବାନ୍ଧବୀ ମାଟି ଉପରେ ଲୋଟି ପଡିଛି । ଆଗ ଭଳି ବିନୋଦ ଆଉ ତା'କୁ ଟିକେ ଜାବୁଡି ଧରି ପାରିଲା ନାହିଁ । ପୂର୍ଣ୍ଣ ପୃଥିବୀ ଆଜି ତା'କୁ ଶୂନ୍ଯ ଦିଶିଲା । ତା' ବାନ୍ଧବୀ ପାଖକୁ ସେ ଯେବେ ଯାଇଛି, କାନ୍ଦି କାନ୍ଦି ନିଜର ସବୁ କଥାକୁ ଏଇ ଭଳି ବ୍ଯକ୍ତ କରିଛି ମିତା (ଶାଳ ଗଛ) ।

ହେ ମୋର ପ୍ରିୟ ବନ୍ଧୁ, 
ମୋତେ ମିଳିମିଶି ମାରିଦେଲେ, ରାସ୍ତା କାମ ନେଇଥିବା ଠିକାଦାର ଆଉ ଜଙ୍ଗଲ ମାଫିଆ ମାନେ । ମୁଁ ଅନେକ ନେହୁରା ହେଇ କହିଲି ସେମାନଙ୍କୁ, ମୋତେ ମାରନି ବୋଲି । ମୋ କଥା କିଛି ବି ଶୁଣିଲେନି ସେମାନେ । ନିର୍ଦ୍ଦୟ ଭାବେ ମୋ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଫୋପାଡି ଦେଲେ, ରାସ୍ତା କଡରେ ଗଦା ଗଦା କରି ରଖିଲେ । କାହାରି ହୃଦୟରେ ଟିକିଏ ବି ଦୟା ହେଲା ନାହିଁ । ତମ ଚିହ୍ନା ପରିଚିତ ଠିକାଦାରମାନେ ମୋତେ ବଞ୍ଚିବାକୁ ଦେଲେ ନାହିଁ ବନ୍ଧୁ । ମୁଁ ବଞ୍ଚିବାକୁ ଚାହୁଁଥିଲି । ଭାବିଥିଲି ଆଉ କିଛି ଦିନ ଜଗତରେ ଜୀଇଁ ଜଗତର ମଙ୍ଗଳ କରିବି । ହେଲେ ପାରିଲିନି । ମୁଁ କାହାରି କିଛି କ୍ଷତି କରୁ ନଥିଲି । କେବଳ ସ୍ଥିର ରହି ନିରବରେ ଜୀବ ଜଗତକୁ ଭଲ ପାଉଥିଲି । ମୋତେ ତ ମାରିଲେ ମାରିଲେ ହେଲେ ମୋ ପିଲାଛୁଆ ବଂଶଧରକୁ ବି ସେମାନେ ଛାଡିଲେନି, ମୋ ଆଖି ସାମ୍ନାରେ ସମସ୍ତଙ୍କୁ ଅତି ବିଭତ୍ସ ଭାବେ ଲୁହା କରତରେ କାଟି ମାରିଦେଲେ । ମୁଁ କିଛି କରି ପାରିଲି ନାହିଁ । ତମକୁ ମୁଁ ଅନେକ ଅପେକ୍ଷା କଲି, ହେଲେ; ତମେ ଆସିଲନି । ତମେ ଥିଲେ ନିଶ୍ଚିତ ସେମାନେ ମୋତେ ଆଉ ମୋ ବଂଶଧରକୁ ଛାଡି ଦେଇଥାନ୍ତେ । ତମ ଉପରେ ମୋର ପ୍ରଚୁର ବିଶ୍ବାସ ଥିଲା ବନ୍ଧୁ । ବିବସ୍ତ୍ର କଲା ପରି  ମୋର ଶାଖାଗୁଡ଼ିକୁ ପ୍ରଥମେ କାଟି ଦେଲେ । ତା' ପରେ ମୋ ବେକକୁ ଆଉ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ମାଟି ଉପରେ ଫିଙ୍ଗି ଦେଲେ । ମୁଁ ସବୁ ଦେଖୁଥିଲି । ମୋ ଦେହ ଉପରେ ଯେବେ କରତ ରଖି କାଟିବାକୁ ଯାଉଥିଲେ, ମୁଁ ଚିତ୍କାର କରି ତୁମେ ମୋର ଚିହ୍ନା ବୋଲି କହିଲି, ହେଲେ; ସେମାନେ ମୋ କଥା କିଛି ବି ଶୁଣିଲେନି । ନୂଆ ରାସ୍ତା ପାଇଁ ମୋତେ, ମୋ ପିଲାଛୁଆ ମାନଙ୍କୁ, ସଂପର୍କୀୟ ଆଉ ବନ୍ଧୁ ମାନଙ୍କୁ ନିର୍ମମ ଭାବେ କାଟି ହତ୍ଯା କଲେ । ଏଇ କେଇ ପଦ କଥା ଶୁଣି ମୋ ଆଖିରୁ ଅନବରତ ଲୁହ ଝରି ପଡୁଥାଏ । ନିଜ ସ୍ବାର୍ଥ ହାସଲ ପାଇଁ ଏତେ ତଳକୁ ଖସି ଗଲେ ଠିକାଦାର ମାନେ । ମୋ ପିଲା ଦିନର ବାନ୍ଧବୀ ମିତା (ଶାଳ ଗଛ) ଆଜି କ୍ଷତାକ୍ତ ଆଉ ସର୍ବହରା । ମୃତ୍ୟୁ ସହ ସେ ଆଜି ସଂଗ୍ରାମ କରୁଛି । ତୁମେ ଯେବେ ମୋ ବାଟ ଦେଇ ବସ୍ ରେ ଚଢି ଚାଲିଗଲ ମୁଁ ତୁମକୁ ଦୂରରୁ ଦେଖୁଥିଲି, ହେଲ; ପଦେ କଥା ହେଇ ପାରିଲିନି ଆଜି, କାରଣ ତୁମେ ମୋତେ ଆଡ ନେତ୍ରେ ଜମାରୁ ଥରୁଟିଏ ଚାହିଁଲନି । 

- ମୋ ସ୍ନେହୀ ବାନ୍ଧବୀ, ମୁଁ ଆଜି ସକାଳୁ ବହୁତ ବ୍ଯସ୍ତ ଥିଲି । ପୂଜା ପାଇଁ ଯାଉଥିଲି, ବହୁତ ଦୂର, ଦେବୀ ମା' ମନ୍ଦିରକୁ ।

- ହାତରେ କ'ଣ ଧରିଛ ବନ୍ଧୁ ? 

ଏକଥା ଶୁଣି ବିନୋଦର ପାଟି ଅଠା ହେଇଗଲା । ତଥାପି ବହୁତ କଷ୍ଟରେ ସେ ପାଟି ଖୋଲି କହିଲା, " ହଁ, କିଛି ନାହିଁ ମିତା, ଘର ପାଇଁ କିଛି ପ୍ରସାଦ ନେଇକି ଯାଉଛି । " କିନ୍ତୁ ସେ କହି ପାରିଲା ନାହିଁ ଯେ' ସେ ଯାହା ଧରିଛି ତାହା ବୁଦାର ମୃତ ଶରୀର ବୋଲି । ପ୍ରେମ ମୋତେ ଜନ୍ମ ଦେଇଥିଲା । ଭାବୁଥିଲି ପ୍ରେମ ମୋତେ ମୃତ୍ୟୁ ଦେବ । ହେଲେ ଲୋକଙ୍କ ପ୍ରତାରଣାରେ ମୋର ମୃତ୍ୟୁ ହେବ ଏକଥା କେବେ ଭାବି ନଥିଲି । ହଁ, ଏ ସଂସାରଟା ମରଣଶୀଳ । ମୃତ୍ୟୁ ଦିନେ ନା ଦିନେ ସମସ୍ତଙ୍କର ଆସିବ । ତଥାପି ଏମିତି ଭାବେ ମୋତେ ବିବସ୍ତ୍ର କରି କରତରେ କାଟି ମାରିବାଟା ଜମା ସହ୍ଯ କରି ପାରୁନି ମୁଁ । ବିନୋଦ ଶାଳ ଗଛର କଥା ଶୁଣି କାନ୍ଦି କାନ୍ଦି କହିଛି, ମୁଁ ତୁମକୁ ହରେଇ ବହୁତ ଦୁଃଖିତ ଓ ମର୍ମାହତ ମିତା । ଆଉ ଅଳ୍ପ ମୁହୂର୍ତ୍ତ ଭିତରେ ମୋ ମୂଳକୁ ଉପାଡି ଦିଆଯିବ ଆଉ ତା'ରି ଉପରେ  ନୂଆ ରାସ୍ତା ତିଆରି ହେବ ବନ୍ଧୁ । ମୁଁ ଆଉ ତୁମ ସହ କେବେ କଥା ହେଇ ପାରିବିନି । ମୋର ଗୋଟିଏ କଥା ରଖିବ ମୋ ପ୍ରିୟ ବନ୍ଧୁ ।

- ହଁ ମିତା ନିଶ୍ଚିତ ରଖିବି, କୁହ !

- ମୁଁ ଦୁନିଆରୁ ହଜିଗଲା ପରେ ମୋର ବଂଶକୁ ରକ୍ଷା କରିବ ।

- କେମିତି ?

- ଜଙ୍ଗଲ ବିଭାଗରେ କାର୍ଯ୍ଯ କରିବ ଆଉ ଜଙ୍ଗଲର କ୍ଷତି କରୁଥିବା ଠିକାଦାର - ମାଫିଆଙ୍କ କବଳରୁ ମୋ ବଂଶଧରଙ୍କୁ ରକ୍ଷା କରିବ ।

- ନିଶ୍ଚିତ ମୋ ବାନ୍ଧବୀ ମିତା ।

ହଠାତ୍ ରାସ୍ତା ତିଆରି ପାଇଁ ଠିକା ନେଇଥିବା ଠିକାଦାରର ଲୋକମାନେ ମୋ ଆଖି ସାମ୍ନାରେ ମୋ ବାନ୍ଧବୀ ମିତାକୁ ଜେସିବି ସାହାଯ୍ୟରେ ମୂଳକୁ ମାଟିରୁ ଅଲଗା କରିଦେଲେ । ଏଇ ସମୟରେ କାନ୍ଦି କାନ୍ଦି ଗବି ଫୋନ୍ କରି କହିଲା, 

-  ହେଲୋ, ବିନୋଦ ।

- ହଁ କ'ଣ ହେଲା ଗବି, କହ ?

- ଆମ ପ୍ରିୟ ବନ୍ଧୁ କନ୍ଦର୍ପ ଆଉ ଆମ ଗହଣରେ ନାହିଁ । ତା'କୁ କେହି ବଳି ଦେଇ ଦେଇଛି । ବାଲିରଇ ଗାଆଁର ପୂର୍ବ ପାର୍ଶ୍ବ ବ୍ରାହ୍ମଣୀନଦୀ ପଠାରେ ତା'ର ମୁଣ୍ଡ ଆଉ ଗଣ୍ଡି ଅଲଗା ଅଲଗା ପଡିଛି । ତୁ ଯେଉଁଠାର ବି ଅଛୁ ଶିଘ୍ର ଏଠାକୁ ଆସ୍ ।

- ଏହା ଶୁଣି ମୋ ହାତରୁ ବୁଦାର ମୃତ ଶରୀର ଓ ଫୋନ୍ ଟି ଖସି ପଡିଲା । ମୁଁ ଲଥ୍ କିନା ତଳେ ବସି ପଡିଲି । ଆଖିରେ ଲୁହ ଭରି ଗଲା । ମୋତେ ଜମା ଭଲ ଲାଗୁ ନଥାଏ ।

ମୋ ପ୍ରିୟ ବନ୍ଧୁ କନ୍ଦର୍ପ ଆଉ ବାନ୍ଧବୀ ମିତା ଆଜି ଆଉ ନାହାଁନ୍ତି ସତ, ହେଲେ; କଥା ଛଳରେ ଯେଉଁ ଉପଦେଶ ମୋତେ ଦେଇ ଗଲେ ସେସବୁ ମୋ ହୃଦୟରେ ସବୁ ଦିନ ପାଇଁ ଅଭୁଲା ହୋଇ ରହିବ । ସେମାନଙ୍କ ପାଇଁ ଆଜି ମୁଁ ଦେବଗଡ ଜିଲ୍ଲାର ବଣ ପାହାଡ ଘେରା ଆଦିବାସୀ ଅଞ୍ଚଳ ଝରାଗୋଗୁଆ ଠାରେ ଜଙ୍ଗଲ ବିଭାଗର ଫରେଷ୍ଟ ଗାର୍ଡ ପଦବୀରେ କାର୍ଯ୍ଯରତ । ମୋ ଅଞ୍ଚଳରେ ଦାନ୍ତ ପାଇଁ ହାତୀ ଶୀକାର ହେଉ କି ଚୋରା କାଠ ବ୍ଯବସାୟ ସବୁ ବନ୍ଦ । ମୁଁ ସେଇ ଦିନ ଠାରୁ ସତ୍ଯ ଆଉ ଅହିଂସାର ପରମ ପୂଜାରୀ ହେଇ ଯାଇଛି କେବଳ ମୋ ପ୍ରିୟ ବନ୍ଧୁ କନ୍ଦର୍ପ ଆଉ ବାନ୍ଧବୀ ମିତା ପାଇଁ... ।

ପ୍ରେମ ସମ୍ରାଟ ଲକ୍ଷ୍ମଣ କୁମାର ବେହେରା (ଯତି)
ପ୍ରତିଷ୍ଠାତା ଓ ମୁଖ୍ୟ ସଂପାଦକ 
ପ୍ରେମ - ଏକ ପରିବର୍ତ୍ତନର ସ୍ଵର
କବି କୁଟୀର, ଦଣ୍ଡାସିଂହା, ବାରକୋଟ 
ଦେବଗଡ (ଓଡିଶା) ପିନ୍- ୭୬୮୧୦୮
ଭ୍ରାମ୍ୟଭାଷ - ୯୬୬୮୨୪୨୭୨୦

Post a Comment

0 Comments