Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅଭୁଲା ଅନୁଭୂତି - ରମେଶ ଚନ୍ଦ୍ର ମିଶ୍ର


ମାଘମାସ । ସମୟ ସନ୍ଧ୍ୟା ୬ ହେବ । ଘରେ ପହଞ୍ଚିଲେ ଭଣଜା ଦୁଇଜଣଙ୍କର ବ୍ରତଘର ପାଇଁ ଜିନିଷ ପତ୍ର କିଣାହେବ । ଆମେ ବାପପୁଅ ରେଙ୍ଗାଳିର ପ୍ରବେଶ ଦ୍ବାରରେ ଥିବା କଲୋନୀ ସାମ୍ନାରେ ପହଞ୍ଚିଛୁ, ହଠାତ୍ ଏକ ଦୁର୍ଘଟଣା ଘଟିଗଲା । ଗୋଟିଏ ବାଇକ୍ ଆସି ଆମ ବାଇକ୍ ଦେହରେ ବାଡେଇହେଲା । ମୁଁ ନିଜେ ବାଇକ୍ ଚଳାଉଥାଏ । ଆଗରୁ ଆସୁଥିବା ବାଇକ୍ ର ଲାଇଟ୍ କୁ ଦେଖି ଆମଆଡକୁ ଆସୁଥିବାର ସନ୍ଦେହ କରି ମୁଁ ଆଶଙ୍କାରେ ଆମ ବାଇକ୍ କୁ ପିଚୁରାସ୍ତାର ବାମପଟ ଧାରକୁ ନେଇଆସିଥାଏ । ତଥାପି ରକ୍ଷା ନାହିଁ । ହଠାତ୍ ସାମ୍ନା ବାଇକ୍ ଟି ଆମ ବାଇକ୍ ରେ ବାଡେଇହେଲା । 

ଆମେ ବାପପୁଅଯାକ ତଳେ ପଡିଗଲୁ । ଆମ ଗାଡି ସେତେବେଳକୁ ୨୦ ସ୍ପିଡ୍ ରେ ଥିଲା । ଆମେ ଯୋଉଠି ପଡିଲୁ, ତାହା ଥିଲା ଗୋଟିଏ ପଥରବଣି ଅର୍ଥାତ୍ କଳା ମୁଗୁନି ଗୋଜା ଚଟକା ପଥୁରର ଯାଗା । ମୁଁ ଅଳ୍ପକେ ବଞ୍ଚିଗଲି । ମୋ ମୁଣ୍ଡ ମୁଗୁନି ପଥରରେ ଛେଚି ହୋଇଯାଇଥାନ୍ତା, ଯଦି ପଛରେ ବସିଥିବା ମୋ ପୁଅ ତା ବାହାକୁ ହଠାତ୍ ଆଗକୁ ଦେଖେଇ ମୋ ମୁଣ୍ଡକୁ ଅଟକାଇ ନଥାନ୍ତା । ଆଗ ଗାଡିର ଚକା ବା ବମ୍ଫର୍ ମୋ ପୁଅର ଡାହାଣ ପାଦରେ ବାଜି ତା ବୁଟ୍ ଫାଟିଗଲା । ଛିଟିକି ପଡିବା ଫଳରେ ତା ମୁଣ୍ଡ ମଧ୍ୟ ଗୋଟାଏ ଗୋଜା ପଥର ଦେହରେ ବାଡେଇ ହୋଇଗଲା । ରକ୍ଷା ହେଲା, ସେ ହେଲମେଟ୍ ପିନ୍ଧିଥିଲା । ପଥର ଦେହରେ ମାଡହେବା ଫଳରେ ହେଲମେଟ୍ ର ବାମପାଖରେ ଗୋଟିଏ ଛୋଟ ଅଥଚ ଗଭୀର ତ୍ରିଭୂଜାକୃତି ଚିହ୍ନ ସୃଷ୍ଟି ହୋଇଗଲା । ଆମେ ବାପପୁଅ ଉଭୟେ ସେଦିନ ଠାକୁରଙ୍କର ଅପାର ଆଶୀର୍ବାଦରୁ ବଞ୍ଚିଗଲୁ । କହିବା ବାହୁଲ୍ୟ, ସେଦିନ ସେଠାରୁ ଆମେ ବ୍ରତଘର ଜିନିଷ ନକିଣି ଡାକ୍ତରଖାନାକୁ ଯାଇଥିଲୁ ।
ଏହି ଦୁର୍ଘଟଣାରୁ ବଞ୍ଚିଯିବା କାହାଣୀ ତ ଏହିଭଳି, କିନ୍ତୁ ତାହା ପୂର୍ବରୁ ମୋ ଅନ୍ତରରେ ସୃଷ୍ଟି ହୋଇଥିବା ମାନସିକ ଉଦ୍ବେଳନ ଅତ୍ୟନ୍ତ ଚମକପ୍ରଦ ।

ସେତେବେଳକୁ ମୁଁ ସପରିବାରେ ତାଳଚେର ରେଙ୍ଗାଳିରେ ରହୁଥାଏ  । ପୁଅ ଫୁଲବାଣୀରେ ଇଞ୍ଜିନିୟରିଂ ଡିପ୍ଲୋମା ପଢୁଥାଏ । ମୁଁ ଥାଏ ମୋର କର୍ମକ୍ଷେତ୍ର ତଥା ନିଜ ଗ୍ରାମ ଆଠମଲ୍ଲିକର ସାପଘରାରେ । ପୁଅ ଫୁଲବାଣୀରୁ ସାପଘରା ଆସିବ ଓ ସେଠାରୁ ଆମେ ଉଭୟେ ମିଶି ରେଙ୍ଗାଳି ଯିବୁ । ସେଇଆ ହେଲା । ପୁଅ ଫୁଲବାଣୀରୁ ସାପଘରା ପ୍ରାୟ ୧୭୦ କିଲୋମିଟର ଆସିବା ପରେ ସେ ହାଲିଆ ହୋଇଥିବ ଭାବି ମୁଁ ବାଇକ୍ ଚଳେଇବାକୁ କହିଲି । ସେ କିନ୍ତୁ ଶୁଣିଲା ନାହିଁ । ସେଠାରୁ ୬୦ କିଲୋମିଟର ଦୂର ଆସିବା ପରେ ଛେଣ୍ଡିପଦାରେ ଚା' ପିଇଲୁ । ଗାଡି ଚାବି ମାଗିଲି ଚଲେଇବାକୁ । ସେ କିନ୍ତୁ ଦେଲାନାହିଁ । ପିଲାଟା ହାଲିଆ ହୋଇଯିବଣି, ଏହି ଚିନ୍ତାର  ବ୍ୟାକୁଳତା ମୋ ମନକୁ ଘାଣ୍ଟିଚକଟି ପକାଉଥାଏ ।

ସେଠାରୁ ୨୮ କିଲୋମିଟର ପରେ ପଡେ କୁଶକୁଳିଆ ଗାଁ । ସେଇଠି ମୁଁ ମିଛରେ ପାଶ୍ ଯିବାକୁ କହି ଗାଡି ଅଟକେଇବାକୁ କହିଲି । ଗାଡି ରହିଲା । ମିଛରେ ପାଶ୍ ଯିବାର ବାହାନା କରି ଚଟାପଟ୍ୟ ଆସି ଗାଡି ଧରିଲି । ପୁଅ ମନାକରୁଥାଏ । ଶୁଣିଲି ନାହିଁ । ମୋତେ ତାପରେ ହେଲମେଟ୍ ତା ମୁଣ୍ଡରୁ ଖୋଲି ଦେଉଥିଲା । ମନାକଲି । ମନରେ ଭାବିଲି, ମୋଠାରୁ ତ ତୋ ଜୀବନ ମୂଲ୍ୟବାନ୍ ରେ ବାବା । ମୋ ଅପେକ୍ଷା ତୋର ହେଲମେଟ୍ ପିନ୍ଧିବା ବେଶୀ ଆବଶ୍ୟକ । ସେଠାରୁ ୧୦ କିଲୋମିଟର ଦୂରରେ ଏଇ ଦୁର୍ଘଟଣା ଘଟିଲା । ଯଦି ସେଇ କୁଶକୁଳିଆରେ ମୁଁ ବୁଦ୍ଧି ଖଟେଇ ଗାଡି ଧରିନଥାନ୍ତି, ତେବେ କଣ ହୋଇଥାନ୍ତା ....... । 

ଏଥିରୁ ମୁଁ ଏହି ସିଦ୍ଧାନ୍ତରେ ଉପନୀତ ହେଲି ଯେ ମଣିଷର କର୍ମବଳ ବା ଭାଗ୍ୟବଳ ଥିଲେ ବିପଦର ସୂଚନା ସେ ଆଗରୁ ପାଇପାରିଥାଏ । କୌଣସି ଦୈବୀଶକ୍ତିରେ ଅଭିପ୍ରେରିତ ହୋଇ ସେ ବଞ୍ଚିବାର ରାସ୍ତା ତା ଅଜାଣତରେ ତିଆରି କରିଥାଏ ।

ରମେଶ ଚନ୍ଦ୍ର ମିଶ୍ର, 
ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ
ସମ୍ପର୍କ-୯୪୩୮୪୮୧୧୩୬ 

Post a Comment

0 Comments