Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଆସ ମା ହସୁ ଏ ମେଦିନୀ - ଶରତ ଚନ୍ଦ୍ର ଜାଲି


ଜୟ ମା  ଜଗତଜନନୀ
ତୁପରା ଶଙ୍କରଘରଣୀ ॥
ସର୍ବମଙ୍ଗଳା ଠାକୁରାଣୀ
ଅମ୍ବା,ଅମ୍ବିକା,ତୁ ସର୍ବାଣି ॥
ଏତିନିପୁରେ ଅଛୁ ପୁରି
ମମତାମୟୀଗୋ ଗଉରୀ ॥
ଶୁମ୍ବ,ନିଶୁମ୍ବ ଥିଲୁ ମାରି
ଖଣ୍ଡା,ଖର୍ପର କରେ ଧରି ॥
ଚାରିଯୁଗେ ତୁ ଶକ୍ତିମୟୀ
ତୋ ଶକ୍ତି ବଳେ ରଖୁ ମହୀ ॥
ପ୍ରବଳ ହେଲେ ଖଳବଳ
ସଂହାର କରୁ ତୁ କେବଳ  ॥
ଅଧର୍ମ ହେଲାଣି ବର୍ଦ୍ଧିତ
ଅସୁରଗଣ ଯେ ଉନ୍ମତ୍ତ ॥
କପଟୀ,ଅଂହଙ୍କାରୀମାନେ
କାୟାବିସ୍ତାରୀ ସ୍ଥାନେସ୍ଥାନେ ॥
ସାଧୁସନ୍ଥକୁ ଦେଲେ କଷ୍ଟ
ଭକତ ଭକ୍ତି କଲେ ନଷ୍ଟ ॥
ସତ୍ୟ,ଧର୍ମର ନାହିଁ ସ୍ଥାନ
କାନ୍ଦୁଛି ଏ ମର୍ତ୍ତ୍ୟଭୁବନ ॥
ହିଂସାରେ ଜଳୁଛି ପୃଥିବୀ
ମନ୍ଦିରେ ନାହିଁ ଦେବାଦେବୀ ॥
ଭାଇ ରକତେ ଭାଇ ହୋଲି
ଖେଳୁଛି ନିଜପର ଭୁଲି ॥
ମାଆ,ମାଟି ଯେ ହତଶିରୀ
ଆସ ମା ଅାସ ଅବତରି ॥
ଦେଖିବ ନେତ୍ରେ ଜଗଦାତ୍ରୀ
ଦୁଃଖେ ଭାସୁଛି ଏ ଧରିତ୍ରୀ ॥
ତୁ ଯେବେ ନରଖିବୁ ମାଆ
ଜଗତେ କେ ହେବଲୋ ସାହା ॥
ସିଂହପୃଷ୍ଟରେ ବିଜେକରି
ତ୍ରିଶୂଳ,ଧନୁର୍ବାଣ ଧରି ॥
ବଜାଇ ଶଙ୍ଖ,ଘଣ୍ଟ ଧ୍ୱନି
ଆସ ମା ହସୁ ଏ ମେଦିନୀ॥
କୃପାଆଶିଷ ଦିଅ ଢାଳି
ଘୁଞ୍ଚୁ ତ୍ରିଯାମା ପାପ କାଳି ॥
ଦାନବସେନା ଯାଉ ନାଶ
ଖଳଦୁର୍ଜନ, ହିଂସାବିଷ ॥
ହରି ନିଅ ମା ହରପ୍ରିୟା
ଦୟାମୟୀ ତୋ ଥାଉ ଦୟା ॥
ଭାଇଚାରାର ମଞ୍ଜି ବୁଣି
ବିଶ୍ୱକଲ୍ୟାଣ କରି ପୁଣି ॥
ଶାନ୍ତିପ୍ରତିଷ୍ଠା କର ମନେ
ଆଶା ପ୍ରଦୀପ ଜଳୁ ପ୍ରାଣେ ॥
ତେବେ ହସିବ ଏ ଧରଣୀ
ମଙ୍ଗଳମୟୀ ଠାକୁରାଣୀ ॥
ତୋର ପୟରେ ଯୋଡିକର
ଗୁହାରୀ କରେ ବାରବାର ॥
ରଖ ନରଖ ତୋର ଇଚ୍ଛା
ପୂର୍ଣ୍ଣକର  ମୋ ମନବାଞ୍ଛା ॥

ଶରତ ଚନ୍ଦ୍ର ଜାଲି
ପଥରା, ଖଲିକୋଟ, ଗଞ୍ଜାମ

Post a Comment

0 Comments