Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଶ୍ରୀଜଗନ୍ନାଥ ତିରିଶା - ଇଂ ଦୀପ୍ତିରଞ୍ଜନ ପଣ୍ଡା


କଳାଠାକୁର ଶ୍ରୀକ୍ଷେତ୍ରେ ଲଗାଇଛ ନାଟ
କ’ଣ ପାଇଁ ରଖିଅଛ ସୁଖ ସହ ଦୁଃଖ ?
କାହିଁ ତୁମ କିଛି ପିଲା ପାଆନ୍ତି କଷଣ
କାହାକୁ ଦେଇଛ ସବୁ କାପାଇଁ କଠିନ ॥୧॥
ଖଣ୍ଡସାକରରେ ତୁମ ଦିନ ବିତୁଅଛି
ଖପର ବିନା କିଏ ସେ ବର୍ଷାରେ ଭିଜୁଛି ।
ଖାଦ୍ୟ ତୁମ୍ଭ ଗୋଟେ ଦିନେ ଷାଠିଏ ପଉଟି
ଖାଦ୍ୟକୁ ନପାଇ କେତେ ଭୋକିଲା ରୁହନ୍ତି ॥୨॥
ଗରୁଡ ଆସନେ ବସି ଦୁନିଆ ବୁଲୁଛ
ଗରୀବଙ୍କ ପାଇଁ କିଛି କର ବନ୍ଦୋବସ୍ତ ।
ଗାଳି ଦେଉଅଛୁ ତୁମ୍ଭେ ବ୍ୟସ୍ତ ହୋଇଗଲେ
ଗାଲପଶିବାର କଷ୍ଟ ବୁଝୁନାହଁ ଭଲେ ॥୩॥
ଘରଣୀ ତୁମର ପରା ଲକ୍ଷ୍ମୀ,ସରସ୍ୱତୀ
ଘଟଣା ଜାଣି ମାତାବି ନୀରବ ସାଜନ୍ତି ।
ଘାଏଲା ହୋଇଗଲୁଣି ସଂସାର ସାଗରେ
ଘାଟା ନକରି ଆହୁରି ପାରିକର ଭଲେ ॥୪॥
ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖି ରତ୍ନବେଦୀପରେ
ଚରିତାର୍ଥ ଭାବ ପ୍ରଭୁ ଆସଇ ମନରେ ।
ଚାରୁଚନ୍ଦ୍ରବଦନକୁ କରି ଦରଶନ
ଚାଲିବାକୁ ଶକ୍ତି ଦିଅ ହେ ବିଶିକେଶନ ॥୫॥
ଛତିଶାନିଯୋଗ ସେବା ତୁମେତ ପାଉଛ
ଛପର ପାଇଁ ଆମ୍ଭର କାହିଁ ପଛଉଛ ?
ଛାଇଟିକେ ଦିଅ ପ୍ରଭୁ ଯାର ନାହିଁ ବାସ
ଛାତିରୁ ଝରଇ ରକ୍ତ ଦିଅ ହେ ଆଶିଷ ॥୬॥
ଜନକ ସାଜିଛ ପରା ପ୍ରତ୍ୟେକ ପିଲାର
ଜନମ ଦେଇ କାହିଁକି କର ଅବିଚାର ।
ଜାଡରେ ଥରଇ କିଏ କିଏ ସୁନିଦ୍ରାରେ
ଜାଣତରେ କାହିଁ ପ୍ରଭୁ ପାତର ଅନ୍ତରେ ॥୭॥
ଝଡଝଞ୍ଜା ଯାହା ଆମେ ସାମନା କରୁଛୁ
ଝଲକରେ ରକ୍ଷାକର ଶରଣ ପଶୁଛୁ ।
ଝାଞ୍ଜିର ଉତ୍ତାପ ପରି ଆମ ଦୁଃଖକଷ୍ଟ
ଝାଡି ଦେଇ ପ୍ରଭୁ ତାକୁ ଦିଅହେ ଆଶିଷ ॥୮॥
ଟଙ୍କାସୁନା ବଦଳରେ ଏତିକି କରିବ
ଟଳି ପଡିବାରବେଳେ ଦରଶନ ଦେବ ।
ଟାଣିଦେଲେ ତୁମ ରଥ ହେଉ ପୁଲକିତ
ଟାଣପଣକୁ ମନର କର ଦୃଢୀଭୂତ ॥୯॥
ଠକ ବି ପାଇ ଆଶିଷ ହୁଏ ଭଲ ଲୋକ
ଠଗ ବି ପାଇବା ପାଇଁ ତୁମର ସ୍ତାବକ ।
ଠାରରେ ସାମାନ୍ୟ ତୁମ ଚାଲେ ଏ ସଂସାର
ଠାପରାମାନଙ୍କୁ କର ହେ ପ୍ରଭୁ ଚଂଚଳ ॥୧୦॥
ଡରଭୟ ଆମେ କେହି ରଖିନୁ ମନରେ
ଡକାପଡେ ଚକାଡୋଳା ବିପଦ ପଡିଲେ ।
ଡାଲମା,ଅବଢା ସହ ଶାଗ ଓ ବେସର
ଡାଲି,ମହୁର ଓ ଖଟା ଦୁର୍ଲଭ ତୁମ୍ଭର ॥୧୧॥
ଢଗ ବୋଲନ୍ତି ଡାହୁକ ଗଲାବେଳେ ରଥ
ଢମ ଆମର ସମସ୍ତ ପ୍ରଭୁ କର ନାଶ ।
ଢାଉଆ ବସନେ ସନ୍ଥ କରନ୍ତି ଗୁହାରୀ
ଢାଳିଦିଅ କରୁଣାକୁ ତାଙ୍କୁ ନରହରି ॥୧୨॥
ତନମନ ଦେଇ ଡାକଦେଲେ ଜଗନ୍ନାଥ
ତମୋନ୍ଧମାନଙ୍କ କରିଥାଅ ମୋହ ନାଶ ।
ତାଳିପକା ଛିଣ୍ଡାବସ୍ତ୍ର କାହାକୁ ନଦେଇ
ତାପ ହର ସେମାନଙ୍କ ହେ କଳାକହ୍ନାଇ ॥୧୩॥
ଥନହରା ଶିଶୁ ଏଠି ଅଛନ୍ତି ବହୁତ
ଥୟକର ତାଙ୍କ କ୍ଷୁଧା ପ୍ରଭୁ ଜଗନ୍ନାଥ ।
ଥାଟ ପଟୁଆର ଲୋଡା ପ୍ରଭୁ ତୁମପାଇଁ
ଥାନ ଛଅହାତ ଦେଲେ ଋଣୀ ହେବି ମୁହିଁ ॥୧୪॥
ଦକ୍ଷିଣା ଦେବାକୁ ନାହିଁ କିଛି ମୋର ପାଶ
ଦୟାରୁ ପାଇଛି ଯାହା ତୁମେତ ମାଲିକ ।
ଦାନୀଶ୍ରେଷ୍ଠ ବୋଲି ତୁମେ ଆମେ ବିଚାରୁଛୁ
ଦାନଦେଇ ଗରୀବଙ୍କୁ ଜୀବିତ ରଖନ୍ତୁ ॥୧୫॥
ଧନରତ୍ନ ଆଦି କିଛି ଦେବା ବଦଳରେ
ଧନ୍ୟ ହୋଇଯିବୁ ଆମ ଭକ୍ତି ବଢାଇଲେ ।
ଧାଇଁ ଯାଉଛୁ ପୁରୀକୁ ଦର୍ଶନ ଆଶାରେ
ଧାର୍ମିକ ପ୍ରବର କର କାଳିଆଠାକୁରେ ॥୧୬॥
ନଡିଆକୁ ଦାସିଆଠୁଁ ନିଜେ ଟେକିନେଲ
ନଗ୍ନତା ସନ୍ତାନଙ୍କର ପ୍ରଭୁକର ଦୂର ।
ନାମ ପାଇଅଛ ପ୍ରଭୁ ଜଗତର ନାଥ
ନାରଖାର କିମ୍ପା କର ଯେତେକ ଅନାଥ ॥୧୭॥
ପଖାଳି ଅବଢା ତୁମ ପାଟିରେ ବାଜିଲେ
ପରମାନନ୍ଦ ସେ ଟଙ୍କ ତୋରାଣୀରୁ ମିଳେ ।
ପାଇବାକୁ ସଦାବେଳେ ଦର୍ଶନ ତୁମର
ପାଗଳ ପରି ଦଉଡୁ ତୁମ ଶ୍ରୀମନ୍ଦିର ॥୧୮॥
ଫଗୁ ପୂନିଅଁରେ ଦେଖି ତୁମ ସୁନାବେଶ
ଫଳ ଦିଅ ବା ନଦିଅ ଆମେ ହେଉ ତୋଷ ।
ଫାଇଦା ମିଳୁ ନମିଳୁ ମନେ ଦୁଃଖ ନାହିଁ
ଫାଙ୍କି ଦିଅନାହିଁ ପ୍ରଭୁ ଦରଶନ ପାଇଁ ॥୧୯॥
ବଇଠା ଜାଳୁ ମନ୍ଦିରେ ମାନସିକ କରି
ବର ନମିଳିଲେ ନାହିଁ ଲାଗୁ ତୁମ ଡୋରି ।
ବାନ୍ଥାନିଧି ନାମ ଯଦି ଧର ଜଗନ୍ନାଥ
ବାଚ୍ଛଲ୍ୟ ମମତା ଦେଇ ସର୍ବେ କର ତୁଷ୍ଟ ॥୨୦॥
ଭରସା ରଖିଛୁ ବୋଲି ଜଗତଠାକୁର
ଭକ୍ତିଦାତା ଶ୍ରୀମନ୍ଦିର ଯାଉ ବାରମ୍ବାର ।
ଭାଗ୍ୟବାନ କାହାକୁ ବି କରବା ନକର
ଭାତ ଦୁଇମୁଠା ସର୍ବେ ପ୍ରଭୁ ଦୟାକର ॥୨୧॥
ମନଲୋଭା ରୂପ ତୁମ୍ଭ ଖାଲି ଦେଲେ ଦେଖି
ମନରେ ଆସଇ ଆମ ଅମାପ ଶକତି ।
ମାହାପୁରୁ ପ୍ରଣତିକୁ ଆମ୍ଭ ଘେନାକର
ମାହାର୍ଦ୍ଦ୍ୟ ଟିକିଏ ଶେଷବେଳେ ଦୟାକର ॥୨୨॥
ଯତ୍ନବାନ୍ ତୁମ୍ଭେ ପ୍ରଭୁ ଭକତର ପାଇଁ
ଯଥାବିଧି ଦୟାକରି ନିଅ ଆପଣେଇ ।
ଯାତରା ତୁମ୍ଭ ହେଉଛି ନିତି ଶ୍ରୀମନ୍ଦିରେ
ଯାତନା ପାଉଛି ଭକ୍ତ ଦରଶନ ବେଳେ ॥୨୩॥
ରତନବେଦୀରେ ବସି କରୁଛ ଶାସନ
ରକ୍ଷାକର ସମସ୍ତିଙ୍କୁ ନଦେଇ କଷଣ ।
ରାମ ହୋଇ ରାଜଧର୍ମ ଦିନେ ପାଳିଥିଲ
ରାଜା ହେଇ ଏବେ ଆମ୍ଭ ସଭିଙ୍କୁ ସମ୍ଭାଳ ॥୨୪॥
ଲଭିବାକୁ ଆମ୍ଭେମାନେ ଧୈର୍ଯ୍ୟ ଓ ବିଶ୍ୱାସ
ଲୟ ରଖିଥିବ ସଦା ଆହେ ହୃଷିକେଶ ।
ଲାଗି ହେବାପାଇଁ କ’ଣ ଦେଇ ବା ପାରିବୁ
ଲାଘବ ହେବାକୁ ଦୁଃଖ ଗୁହାରୀ କରିବୁ ॥୨୫॥
ଶଙ୍କର, ବ୍ରହ୍ମାଙ୍କୁ ପ୍ରଭୁ ସାଥିରେ ଯେ ଧରି
ଶରଧାରେ ବିଜେକର ରଥେ ନରହରି ।
ଶାଗ,ବେସର,ମହୁର, ଅବଢା ସାଥିରେ
ଶାନ୍ତି ଯେଉଁପରି ମିଳେ ବର୍ଣ୍ଣନା ବାହାରେ ॥୨୬॥
ଷଠିଘରଠାରୁ ପ୍ରଭୁ ସ୍ୱର୍ଗଦ୍ୱାର ଯାଏ
ଷଡାକ୍ଷର ମନ୍ତ୍ର ଶୁଣେ ଏ ଆଶିଷ ପାଏ ।
ଷାଠିଏ ପଉଟି ମାତ୍ର ଦିନକରେ ଖାଅ
ଷାଠିଏ ନୈାତି ବର୍ଷକୁ ଗରିବଙ୍କୁ ଦିଅ ॥୨୭॥
ସଙ୍କୋଚ କାହିଁ କରିବୁ ତୁମ୍ଭେ ସର୍ବଜ୍ଞାତା
ସଭିଙ୍କର ଦୁଃଖ ହର ଗାଉଥିବୁ ଗାଥା ।
ସାରା ସଂସାରର ପରା ତୁମେ ପ୍ରଭୁ ପିତା
ସାମାନ୍ୟ ଦୁଃଖୀରଙ୍କିଙ୍କ ଦୂର କର ବ୍ୟଥା ॥୨୮॥
ହରିନାମ ଧରିଅଛ ହରିବାରୁ ଦୁଃଖ
ହରଣ କରହେ ପ୍ରଭୁ ଆମ ସବୁ ପାପ ।
ହା ଅନ୍ନ ବୋଲି କାହାର ନଶୁଭୁ ଚିକ୍ରାର
ହାତ ଯୋଡୁଅଛୁ ପ୍ରଭୁ ତାହା କର ଦୂର ॥୨୯॥
କ୍ଷମା ମାଗୁଅଛି ଦୀପ୍ତି ସମସ୍ତଙ୍କ ପାଇଁ
କ୍ଷମା କରିଦିଅ ସର୍ବେ ଦୋଷ ଧରନାହିଁ ।
କ୍ଷାନ୍ତ ହୋଇ ରହିବାକୁ ଦିଅ ହେ ଆଶିଷ
କ୍ଷାମ ଜଗନ୍ନାଥ ଯାହା ଅଛି ଆମ ଦୋଷ ॥୩୦॥

(ଟୀକା : ଖଣ୍ଡସାକର-ଜଗନ୍ନାଥଙ୍କ ସୁଆଦିଆ ଭୋଗ, ଖପର-ଚାଳ , ଗାଲ ପଶିବା-ଦୁଃଖରେ ରହିବା, ଘାଏଲା-ବ୍ୟତିବ୍ୟସ୍ତ, ଘାଟା-କମ୍, ଦୁର୍ବଳ,  ଚରିତାର୍ଥ ଭାବ-ସାର୍ଥକ ହେବା, ଛତିଶାନିଯୋଗ-ଜଗନ୍ନାଥଙ୍କର ଛତିଶ ପ୍ରକାର ସେବକ, ଛପର-ଚାଳଘର, ଜାଡ-ଶୀତ, ଝଡଝଞ୍ଜା-ଅସୁବିଧା, ଝଲକେ-ସାଙ୍ଗେସାଙ୍ଗେ, ଝାଞ୍ଜି-ଅତ୍ୟଧିକ ଖରା, ଝାଡିଝୁଡି ଦେବା-ଅସୁବିଧା ଦୂର କରିବା, ଟଳିପଡିବା-ମୃତ୍ୟୁବେଳ, ଟାଣପଣ-ଦମ୍ଭ, ଠଗ-ଦସ୍ୟୁ, ସ୍ତାବକ-ଯେ ପ୍ରାର୍ଥନା କରେ, ଠାର-ଇସାରା, ଠାପରା-ଅଳସୁଆ, ଢମ-ଗର୍ବ, ଢାଉଆ-ଗେରୁଆ, ତନମନ-ମନପ୍ରାଣ, ତମୋନ୍ଧ-ଅଜ୍ଞାନୀ, ତାପହର-କଷ୍ଟ ଲାଘବ କରିବା, ଥନହରା-ମା ଛେଉଣ୍ଡ, ଥୟକର-ଦୂର କର, ଥାନ-ଜାଗା, ନାରଖାର-ହଇରାଣ, ଫାଇଦା-ଲାଭ, ଫାଙ୍କି ଦେବା-ଠକିଦେବା, ବଇଠା-ଦୀପ, ବାନ୍ଥାନିଧି-ଯିଏ ସମସ୍ତଙ୍କ ଇଚ୍ଛା ପୂରଣ କରନ୍ତି, ବାଚ୍ଛଲ୍ୟ ମମତା-ବାଲ୍ୟସ୍ନେହ, ଅମାପ-ବହୁତ, ମାହାର୍ଦ୍ଦ୍ୟ-ମହାପ୍ରସାଦ, ଯାତନା-କଷ୍ଟ, ଲୟ ରଖିବା-ଦୃଷ୍ଟି ରଖିବା, ଲାଗି ହେବା-ପିନ୍ଧିବା ପାଇଁ, ଲାଘବ-କମ୍ କରିବା, ଷଠୀଘର-ଜନ୍ମସ୍ଥାନ, ଷଡାକ୍ଷର ମନ୍ତ୍ର-ଜୟ ଜଗନ୍ନାଥ, ନୈାତି-୫କେଜି, ସଙ୍କୋଚ-ଲଜ୍ଜା, କ୍ଷାନ୍ତ-ଧୈର୍ଯ୍ୟଶୀଳ, କ୍ଷାମ-ବିନାଶ କରିବା ବା ଦମନ କରିବା)

ଇଂ ଦୀପ୍ତି ରଞ୍ଜନ ପଣ୍ଡା
ଆଇଗିଣିଆ, ଭୁବନେଶ୍ୱର, ଓଡିଶା
ଦୂରଭାଷ - ୯୪୩୭୦୮୧୩୩୩

Post a Comment

0 Comments