Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅଣୁଗଳ୍ପ - ବଡଝିଅ - ରମେଶ ଚନ୍ଦ୍ର ମିଶ୍ର


ଦୁନିଆର ସବୁ ମଣିଷଙ୍କ ପରି ଅବିନାଶ ବାବୁଙ୍କ ଜୀବନରେ ବର୍ତ୍ତମାନ ସ୍ବର୍ଗସୁଖ ଭୋଗ କରିବାର ସମୟ । ବହୁ ସଂଘର୍ଷ ପରେ ଅଭାବୀ ଜୀବନର ଅବସାନ ଘଟିଛି । ନିଜର ଗାଁ'ରେ ଶିକ୍ଷକତା ଚାକିରି ସାଙ୍ଗକୁ ଗୋଟାଏ ବଡ ଦୋକାନ । ଘରେ ବୃଦ୍ଧ ବାପା, ପରିଶ୍ରମୀ ସ୍ତ୍ରୀ ପ୍ରଭାଦେବୀ ଓ ଚାରୋଟି ଛୋଟ ଛୋଟ ସନ୍ତାନ । ବଡଟି ଝିଅ, ତା'ପରେ ପୁଅ- ଝିଅ- ପୁଅ । ପିଲାମାନଙ୍କ ହସଖୁସିରେ ଦିନଟିମାନ ଆନନ୍ଦରେ କଟିଯାଉଥାଏ । ଦୋକାନ କହିଲେ ଗାଁଗହଳର ଲୋକଙ୍କ ସାଧାରଣ ଭାବେ ଚଳିବାପାଇଁ ପ୍ରାୟ ସମସ୍ତ ଜିନିଷର ଭଣ୍ଡାର । ତେଲ, ଲୁଣ ଠାରୁ ଆରମ୍ଭ କରି ଅଟା, ଚାଉଳ, ବେସନ, ମଇଦା ପର୍ଯ୍ୟନ୍ତ, ସାଧାରଣ ଔଷଧପତ୍ର, ଷ୍ଟେସନାରୀ ଜିନିଷ, ଲୁଗାପଟା, ଛୋଟ ଛୋଟ ପୁଅଝିଅଙ୍କ ଡ୍ରେସପତ୍ର..... ଏମିତି ହରେକ୍ ଆଇଟମ୍ ର ଦୋକାନଟି । ଅବିନାଶ ବାବୁ ସକାଳୁ ଗାଧୁଆପାଧୁଆ ସାରି ୯ଟା ପର୍ଯ୍ୟନ୍ତ ଦୋକାନ ଖୋଲନ୍ତି । ତା' ପରେ ଚାଲିଯାନ୍ତି ସ୍କୁଲକୁ । ସ୍ତ୍ରୀ ପିଲାମାନଙ୍କ ଅଳିଅର୍ଦ୍ଦଳି ସହିତ ଘରକାମ, ଗୁହାଳର ଗାଈ, ଦୋକାନ, ବାଡିବଗିଚା, ଏମିତି ସବୁକାମ ସମ୍ଭାଳି ନେବାରେ ଧୁରନ୍ଧରା । ସଂସାର ବେଶ୍ ହସଖୁସିରେ ଚଳିଯାଏ ।

ଚାରୋଟି ପିଲାଙ୍କୁ ନେଇ ମା ପ୍ରଭାଦେବୀ ଶୋଇବାଘରେ ଶୁଅନ୍ତି । ଅବିନାଶ ବାବୁଙ୍କ ଶେଯ ଦାଣ୍ଡଘରେ । ବଡଝିଅକୁ ସାତବର୍ଷ ହୋଇଥାଏ । ବଡଝିଅ ମିକି ଭାରି ଗୁଣର । ନିଜର ସାନ ଭାଇ ଭଉଣୀଙ୍କୁ ହସେଇ ରସେଇ ଚଳେଇ ନେବାରେ ଓସ୍ତାଦ୍ । ପିଲାବେଳରୁ ନଥିଲା, କେମିତି କେଜାଣି ଟିକିଏ ବଡ ହେଲାପରେ ଦୁଇଥର କି ତିନିଥର ଶେଯରେ ପରିସ୍ରା କରିଦେଲା । କଥାଟା ଅବିନାଶ ବାବୁ ଜାଣିଲେ । ସକାଳୁ ସକାଳୁ ସବୁ ପିଲାଙ୍କ ଆଗରେ ସ୍ବର ଧରି ଗୀତ ଗାଇଲେ- ବଡଝିଅ ମିକି ମୋର ଶେଯ ମୁତୁରୀ, ସାନଝିଅ ଝିକି ମୋର କନ୍ଥା ହଗୁରୀ । ସାନଝିଅଟା ଥିଲା ବହୁତ ସାନ । ତେଣୁ ତା'ର ସିନା ଶେଯରେ ଝାଡା ଫେରିବା ବନ୍ଦ ହେଲା ନାହିଁ, ବଡଝିଅର କିନ୍ତୁ ଶେଯରେ ପରିସ୍ରା କରିବା ରାଣଦେଲା ଭଳି ଠକ୍ ଠାକ୍ ବନ୍ଦ । ଆଉ ସେ କେବେ ଶେଯ ମାରା କରିବା ସେ ଜାଣିନାହାଁନ୍ତି ।

ଆଶ୍ଚର୍ଯ୍ୟ ହୁଅନ୍ତି ଅବିନାଶ ବାବୁ । ଗୋଟିଏ ଟିକି ପିଲା ମନରେ ଏତେ ସମ୍ମାନବୋଧ କେମିତି ଆସିଲା, ଏ କଥାରେ ସେ ଯେତିକି ଚକିତ ହୁଅନ୍ତି, ତା'ଠୁ ବେଶୀ ଖୁସି ହୁଅନ୍ତି ଝିଅର ସଫଳ ଜୀବନ ଯାତ୍ରାକୁ ତାଙ୍କ ଦୂରଦୃଷ୍ଟିସମ୍ପନ୍ନ ମାନସ ଚକ୍ଷୁରେ ଦେଖି ।



ରମେଶ ଚନ୍ଦ୍ର ମିଶ୍ର,
ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ

Post a Comment

0 Comments