Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅନୁଭୂତି କଥା - ଅଭୂତପୂର୍ବ ଅନୁଭବ - ରମେଶ ଚନ୍ଦ୍ର ମିଶ୍ର

ବେଳେବେଳେ ଜୀବନରେ ଏମିତି ଘଟଣା ଘଟେ, ଯେଉଁଥିରୁ ଅନେକ କଥା ଶିଖିବା ପାଇଁ ମିଳିଥାଏ । ସେଦିନର ସେଇ ତୀବ୍ର ଅନୁଭୂତି ମନେପଡିଲେ ଆଜି ବି ମୋର ଲୋମ ଟାଙ୍କୁରି ଉଠେ । ଆଜକୁ ୨୦/୨୨ ବର୍ଷ ତଳର କଥା । ଏପ୍ରିଲ୍ ମାସ । ଘରର ୩୦ଫୁଟ ଦୂରରେ ମୁଖ୍ୟ ଫାଟକ । କାଠର ଏକ ଭାଡି । ଭାଡିରେ ମାଡିଥାଏ କାଗଜ ଗୋଲାପ, ମଧୁମାଳତୀ ଓ ଜୁଇର ଲତା । ମଧୁମାଳତୀ ଓ ଜୁଇଫୁଲର ଭୁରୁଭୁରୁ ମିଠା ବାସ୍ନା ଚଉଦିଗରେ ଖେଳାଇ ହେଉଥାଏ । ଦକ୍ଷିଣ ଦିଗରେ ମୁଖ୍ୟ ଫାଟକ । ଉତ୍ତରକୁ ମୁହଁ କରି ଗଲେ ୩୦ଫୁଟ ଦୂରରେ ଘରର ଦ୍ବାର । ଖଞ୍ଜାମରା ଘର । ଖଞ୍ଜାର ଉତ୍ତର-ପଶ୍ଚିମ କୋଣରେ ଗୋଟିଏ କୁକୁଡା କୋଠି । କୁକୁଡା କୋଠିଟି ଦୁଇମହଲା ବିଶିଷ୍ଟ । ତଳ କୋଠିଟି ସମ୍ପୂର୍ଣ୍ଣ ସୁରକ୍ଷିତ ଥିବାବେଳେ ଉପର କୋଠିଟି କାମଚଳା ଥିଲା । ତେଣୁ ତଳ କୋଠିରେ ମା କୁକୁଡା ଓ ଚିଆଁମାନେ ରହନ୍ତି । ଉପର କୋଠିରେ ଅନ୍ୟ କୁକୁଡା ଓ ଗଞ୍ଜାମାନେ ରହନ୍ତି ।


ସେଦିନ ଥାଏ ଶନିବାର । ଘରେ ବଢେଇମାନେ କାଠ ଆସବାବ ପତ୍ର ତିଆରି କରୁଥାନ୍ତି । କାମ ସରୁ ସରୁ ରାତି ଆଠଟା ହୋଇଯାଏ । ଖିଆପିଆ ବେଳକୁ ରାତି ଦଶଟା ବାଜିଯାଏ । ସେଦିନ ଖିଆପିଆ ସାରି ଦଶଟା ବେଳକୁ ଶୋଇବାକୁ ଗଲୁ । ରାତି ୩ଟା ବେଳକୁ ହଠାତ୍ କୁକୁଡାକୋଠିର ସମସ୍ତ କୁକୁଡା ଓ ଚିଆଁ ଏକାବେଳକେ ବୋବେଇ ଉଠିଲେ । ମୋର ସ୍ତ୍ରୀ ସେମାନଙ୍କ ଚିତ୍କାରରେ କ'ଣ ହୋଇଛି ବୋଲି ଯାଇ ଦେଖିଲାବେଳକୁ ଦେଖିଲେ ଗୋଟିଏ ନାଗସାପ ତଳ କୋଠି ଚାରିପଟେ ଘୂରି ଘୂରି କୋଠି ଭିତରକୁ ପଶିବାକୁ ବାଟ ଖୋଜୁଛି । ବାଟ ପାଉନି । ତାକୁ ଦେଖି ତଳ କୋଠିର କୁକୁଡା ଓ ଚିଆଁତକ ବୋବାଳି ଛାଡୁଛନ୍ତି । ମୋ ସ୍ତ୍ରୀ ମୋତେ ହାଉଳିଖାଇ ସାପ ସାପ, ଶୀଘ୍ର ଆସ ବୋଲି ଡାକ ପକାଇଲେ । କୁକୁଡାଙ୍କ ବୋବାଳିରେ ମୋ ନିଦ ଭାଙ୍ଗି ଯାଇଥିଲା । ଏବେ ମୁଁ ଠେଙ୍ଗାଟିଏ ଧରି ବାରଣ୍ଡାରେ ପହଞ୍ଚିଗଲି । ସ୍ତ୍ରୀ ଟର୍ଚ୍ଚ ଆଲୁଅ ଦେଖାଇଲେ ଓ ସତର୍କତାର ସହ ସାପକୁ ବାଡେଇଲି । ସାପଟି ମରିଗଲା ପରେ ତାକୁ ନେଇ ଘରଠାରୁ କିଛି ଦୂରରେ ଥିବା ଗୋଟିଏ ଅମରି ବୁଦାମୂଳରେ ପକାଇଦେଲି । ସାପ ଉପର କୋଠିରେ ଥିବା ବଡ ବଡ ୭/୮ଟି କୁକୁଡାଙ୍କୁ ଚୋଟ ମାରି ମାରିଦେଇଥିଲା । ସକାଳେ ସେଗୁଡିକୁ ମାଟିତଳେ ଗାତ କରି ପୋତିଦେଲି । ଅନୁମାନ କଲି, ସାପ କୁଆଡେ ଖୁବ୍ ମିଠା ସ୍ରର ଗୀତପ୍ରିୟ ଓ ସୁଗନ୍ଧିପ୍ରିୟ । ମୋ ଘର ଫାଟକର ଫୁଲମାନଙ୍କ ସୁବାସ ହୁଏତ ନାଗକୁ ଆକର୍ଷଣ କରି ଆଣିଛି ଓ ଘରପାଖକୁ ଆସିବା ପରେ କୁକୁଡାର ଗନ୍ଧ ବାରି ଘର ଭିତରକୁ ପଶିଛି ।


କୌଣସି ଘଟଣା ଘଟିଲେ ଗାଁ'ରେ ସମସ୍ତେ ଜାଣନ୍ତି । କିଛି ଲୋକ ମୋତେ କହିଲେ ସାପକୁ ଫୋପାଡି ନଦେଇ ପୋଡିଦେବା ଉଚିତ ଥିଲା । କାରଣ ନାଗସାପର ବିଶେଷତ୍ବ ହେଲା ଯେ ତାକୁ ମାରିବାବେଳେ ମାରିବା ଲୋକର ଛବି ତା' ଆଖିରେ ରହିଯାଏ । ତା'ର ଅନ୍ୟ ସାଥୀ ଅର୍ଥାତ୍ ପୁରୁଷ ବା ସ୍ତ୍ରୀ ତାକୁ ଖୋଜି ଖୋଜି ପାଇଲାପରେ ମାରିଥିବା ଲୋକର ଫଟୋ ଦେଖି ପ୍ରତିଶୋଧ ନିଏ । ତେଣୁ ଯେହେତୁ ତୁମେ ତାକୁ ବା ତା'ର ଆଖି ପୋଡିନାହଁ, ସେ ତୁମକୁ ଖୋଜିବ । ଅତଏବ ସାବଧାନ୍ ରହିବ । ସତକୁ ସତ ତା'ପର ଶନିବାର ରାତି ୪ଟା ବେଳକୁ ପୁଣି କୁକୁଡାମାନଙ୍କ ଚିତ୍କାର ଶୁଭିଲା । ଆଗରୁ ସତର୍କ ଥିବାରୁ ମୋ ସ୍ତ୍ରୀ ଉଠିପଡି ମୋତେ ଉଠାଇଲେ । ମୁଁ ଉଠିପଡି ଠେଙ୍ଗା ଖୋଜିଲି । ମାତ୍ର ସେଦିନ ଠିକ୍ ସ୍ଥାନରେ ଠେଙ୍ଗା ନଥିଲା । ମୁଁ ସ୍ତ୍ରୀଙ୍କ ପାଖକୁ ଆସି ତାଙ୍କ ହାତରୁ ଟର୍ଚ୍ଚ ନେଇ ସାପର ଆଖିକୁ ସ୍ଥିରଭାବରେ ପକାଇ ରଖିଲି ଓ ତାଙ୍କୁ ଅବିଳମ୍ବେ ଠେଙ୍ଗା ଆଣିବାକୁ କହିଲି । ମାତ୍ର ତରତରରେ ସେ ଯେଉଁ ଠେଙ୍ଗା ଆଣିଲେ, ତାହା ବହୁତ ଛୋଟ ଥିଲା । ପାଖାପାଖି ୩ଫୁଟ ହେବ । ଏତେ କମ୍ ଲମ୍ବା ବାଡିରେ ନାଗସାପକୁ ବାଡେଇବା ବହୁତ ବିପଜ୍ଜନକ । ଆମର ପାଟିତୁଣ୍ଡ ଶୁଣି ଆମଘରେ ରହି କାମ କରୁଥିବା ବଢେଇମାନେ ଉଠିପଡିଲେ । ସମସ୍ତଙ୍କର ନଜର ସାପ ଉପରେ ।


ସାପର ଗତିବିଧି ବଡ ମାରାତ୍ମକ ଥିଲା । ସେ ବହୁତ ଚଞ୍ଚଳ ଥିଲା । ତାର ଆଖିରୁ ସତେ ଯେମିତି ଅଗ୍ନିସ୍ଫୁଲିଙ୍ଗ ବାହାରୁଥିଲା । ଅଢେଇ ଫୁଟ ଉଚ୍ଚରେ ଫଣା ଟେକି ଚାରିପଟକୁ ବୀରଦର୍ପରେ ବୁଲି ବୁଲି ଦେଖୁଥିଲା ଓ ସୁସୁକାର ଗର୍ଜ୍ଜନ ଛାଡୁଥିଲା । ତା'ର ଗତିବିଧିରୁ ମନେ ହେଉଥିଲା, ସତେ ଯେମିତି ସେ ମୋତେ ଗହଳି ଭିତରୁ ଖୋଜୁଛି ଓ ପ୍ରତିଶୋଧ ନେବାକୁ ଆସିଛି । ହାୟ ! ହାତରେ କିନ୍ତୁ ଛୋଟ ବାଡି । ସଙ୍ଗେ ସଙ୍ଗେ ମୁଁ ଉପସ୍ଥିତ ବୁଦ୍ଧିର ଉପଯୋଗ କଲି । ୩ଜଣ ବଢେଇଙ୍କୁ ତା' ଚାରିପଟେ ଘେରେଇ ରହିବାକୁ ନିର୍ଦ୍ଦେଶ ଦେଲି ଓ ପଚାରିଲି, "କିଏ ଲକ୍ଷ୍ୟ କରି ବେଶୀ ନୁହେଁ, ମାତ୍ର ତିନୋଟି ପଥରରେ ସାପକୁ ମାରିବ । ବିଳମ୍ବ ନୁହେଁ, ଲାଗ୍ ଲାଗ୍ ତିନୋଟି ପଥର ଭିତରୁ କୌଣସି ଗୋଟିଏ ପଥର ସାପର ବେକ ବା ତା'ର ଫୁଟେ ତଳକୁ ବାଜିବା ଦରକାର । ପଥର ମାଡରେ ସାପର ଫଣା ମାଟିଦେହରେ ଲାଗି ଉପରକୁ ଉଠିବା ପୂର୍ବରୁ ମୁଁ ବାଡିର ଉପଯୋଗ କରିବି, ନଚେତ୍ ଏଭଳି ଛୋଟ ବାଡିରେ ସାପକୁ ବାଡେଇ ହେବନାହିଁ ।" ତାହା ହିଁ ହେଲା । ରମେଶ ନାୟକ ନାମକ ଜଣେ ତରୁଣ ତିନୋଟି ପଥର ହାତରେ ଧରି ବିନା ବିଳମ୍ବରେ ସାଏଁ ସାଏଁ ମାରି ଚାଲିଲେ । ତୃତୀୟ ପଥର ତା'ର ବେକମୁଣ୍ଡାରେ ବାଜିଗଲା । ସାପଟିର ଫଣା ଭୂଇଁରେ ବାଜି ଉପରକୁ ଉଠିବା ପୂର୍ବରୁ ମୁଁ କଷିଦେଲି ପୁଣି ତା' ବେକମୁଣ୍ଡାକୁ ଭଲକରି ପାହାରେ । ସାପଟିର ବଳ ଭାଙ୍ଗିଗଲା । ତଥାପି ଏତେ ଆଘାତ ପାଇ ମଧ୍ୟ ସେହି ନାଗ ଘୁଷୁରି ଯାଉଥିଲେ ମଧ୍ୟ ୬ଇଞ୍ଚ ଉଚ୍ଚରେ ଫଣା ଉଠାଇ ଆମକୁ ଆକ୍ରମଣ କରିବାର ଭୟଙ୍କର ଅଥଚ ବିଫଳ ଚେଷ୍ଟା କରୁଥାଏ, ତାହା ଯେ ଦେଖିଛି, ସେ କେବେ ବି ଭୁଲିପାରିବ ନାହିଁ । ସୁସୁକାର ଗର୍ଜ୍ଜନ ସହିତ ମୋର ବାଡିକୁ ଚୋଟ ପରେ ଚୋଟ ମାରି ଚାଲିଥାଏ । ବଳ ଭାଙ୍ଗିଗଲା ପରେ ସାପ ସହିତ ଆମେ ଖେଳୁଥିଲୁ ସିନା ଭାବୁଥିଲୁ, ଯଦି ସେହି ତରୁଣର ତିନୋଟିଯାକ ପଥର ଲକ୍ଷ୍ୟଭ୍ରଷ୍ଟ ହୋଇଯାଇଥାନ୍ତା, ତେବେ ସେ ମୋତେ ମାଡିଆସି ଦଂଶନ ନକରି ଛାଡିନଥାନ୍ତା ।


ଜଣେ ହଠାତ୍ ରାଗିଗଲେ ଆମେ କହନ୍ତି "ଲୋକଟା ନାଗଭଳି ରାଗୁଛି ।" ନାଗର ରାଗକୁ ପ୍ରତ୍ୟକ୍ଷ ନକରି ଏଭଳି ବ୍ୟକ୍ତି କୁଆଡୁ ବୁଝିବେ ପ୍ରକୃତରେ ନାଗର କ୍ରୋଧ କେତେ ଭୟଙ୍କର ? ନାଗକୁ ମାରି ଆଜି କିନ୍ତୁ ସମ୍ପୂର୍ଣ୍ଣ ପୋଡିଦେଲି । ନାଗର ଆଖିରେ ଯେ ମାରିବା ଲୋକର ଫଟୋ ରହିଯାଏ ଓ ସେ ତାକୁ ଖୋଜି ଖୋଜି ଚିହ୍ନି ପ୍ରତିଶୋଧ ନିଏ, ଏହି ଲୋକ କଥାକୁ ବିଶ୍ବାସ କଲି ।






ରମେଶ ଚନ୍ଦ୍ର ମିଶ୍ର,
ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ

Post a Comment

0 Comments