Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ 'ନାୟିକାର ନାମ' - ନରେଶ କୁମାର ବେହେରା


ମନେ ଅଛି ମୋର । ସେଦିନ ମୁଁ ଭୁବନେଶ୍ଵରରୁ ବ୍ରହ୍ମପୁରକୁ ଫେରୁଥାଏ। ଖଲିକୋଟ ଘାଟି ଚଢିବା ପୂର୍ବରୁ ଅନୁଧ୍ୟାନ କରୁଥାଏ ଚିଲିକାରାଣୀର ସେ ଅପରୂପ ସୌନ୍ଦର୍ଯ୍ୟ । ପୂର୍ବରୁ ଟିକେ ଟିକେ ବର୍ଷା ହୋଇ ଛାଡ଼ିଥାଏ । ଆକାଶଟି ସଂପୂର୍ଣ୍ଣ ନିର୍ମଳ ହୋଇଥିଲେ ବି କିଛି ଖଣ୍ଡ ଧଳାକଳା ବାଦଲ ଭାସୁଥାନ୍ତି କେଉଁ କୋଣେ ଏଣେ ତେଣେ।

ଚିଲିକାର ସେ ମନୋରମ ଦୃଶ୍ୟ କାହାକୁ ବା’ ଅଜଣା। ମୋତେ କିନ୍ତୁ, ଭଲ ଲାଗେ ଖଲିକୋଟ ଏବଂ ରମ୍ଭା ମଧ୍ୟର ସେ ଦୃଶ୍ୟ; ଯାହା କେବଳ ରେଳରେ ଯାତ୍ରା କଲାବେଳେ ହିଁ ଉପଭୋଗ କରିହୁଏ । ରାଜରାସ୍ତାରେ ଯାତ୍ରାବେଳେ ବହୁତ କମ୍ ଦେଖିବାକୁ ମିଳେ, ଚିଲିକାର ରୂପକୁ । ତଥାପି ଖଲିକୋଟର ସେ ଛୋଟିଆ ଅଙ୍କାବଙ୍କା ପାହାଡ଼ ଚଢାବେଳେ ତା’ର ଦୃଶ୍ୟ ଖୁବ ମନଲୋଭା ହୁଏ ।

ଘାଟିଉପରେ କିଛି ସମୟ ପାର ହେଲାପରେ ହଠାତ୍ ଦେଖିଥିଲି ତୁମକୁ ସେ ରାସ୍ତା କଡରେ । ଆଉ ତୁମେ ବି ଦେଖିଥିଲ ମୋତେ ।

ମୁଁ କିନ୍ତୁ କିଛି ନଜାଣିଲା ପରି ଆଗେଇ ଆସିଥିଲି । ତୁମେ କିନ୍ତୁ ବାରମ୍ବାର ପଛକୁ ବୁଲି ଦେଖୁଥିଲ ।

ତୁମର ଏଭଳି ଦୁଷ୍ଟ ଇଙ୍ଗିତ ବା ବ୍ୟବହାର ମୋ ମନକୁ ଆଘାତ କରିଥିଲା ଏବଂ ମୁଁ ବାଧ୍ୟହେଲି ଗାଡ଼ିକୁ ଅଟକାଇବାକୁ ଘାଟି ଉପରେ ।

ରାସ୍ତା ସେତେ ଭିଡ଼ ନଥିଲେ ବି ଘାଟି ଉପରେ ଥିବାହେତୁ ମୁଁ ଗାଡ଼ିଟିକୁ ଏକ କୋଣେ ରଖି, ପାଖେଇ ଆସିଥିଲି ତୁମରି ନିକଟକୁ । ତୁମେଥିଲ ସଂପୂର୍ଣ୍ଣ ନୀରବ… କିନ୍ତୁ ଟିକେ କାମୁକ ।

ତୁମର ସେ ଲାଜେଇ ଲାଜେଇ,  ଢଳିଢଳିକା ଛୁଇଁବା ମନୋବୃତ୍ତି, ମୋତେ କିଛିଟା ସଙ୍କୁଚିତ କରିଥିଲା । କିନ୍ତୁ ସାହସ ହେଉନଥାଏ । ରାସ୍ତାର ଏପଟ ସେପଟ ଦେଖୁଥାଏ । କାଳେ କିଏ ଦେଖୁଥିବ! କିଏ ଆସିଯିବ! ତା’ପରେ ତୁମ ପାଖରେ ବସିବାକୁ ଚେଷ୍ଟା କରିଥିଲି । ଆଉ ତୁମେ ଯେ ନିଜକୁ ମୋ ଉପରେ ଢାଙ୍କିବାକୁ ଚେଷ୍ଟା କରୁଥିଲ, ସେ ବଦମାସ୍ ଖରା ଦାଉରୁ ମୁଁ ବୁଝିପାରୁଥିଲି ।

ତୁମ ସହ ନେଇଥିବା ସେ ସେଲଫି ଫୋଟୋଟିକୁ ଆଜି ମୁଁ ଦେଖି ଭାବେ – ସତେକି, ତୁମକୁ ମୁଁ ସେଦିନ ନେଇ ଆଣି ପାରିଥାନ୍ତି ନିଜ ସହ ! ଆଉ ବାରମ୍ବାର ଖୋଜିବାକୁ ପଡନ୍ତାନି ଏଠି ସେଠି।

ଆଉ, ଯେବେବି ଯାଏ ମୁଁ ସେଇ ରାସ୍ତାରେ… ସେ ଖଲିକୋଟ ଘାଟିଦେଇ… ସତରେ ତୁମକୁ ବହୁତ ଖୋଜେ, କିନ୍ତୁ ପାଏନା କାହିଁ!

ହଁ ! ଏକଥା ମୁଁ ପରେ ଜାଣିଲି ଯେ ତୁମର ନାମ କାଶତଣ୍ଡି  ବୋଲି।

Post a Comment

0 Comments