Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ଝଡ ପରର ଜୀବନ - କବିତା ପଟ୍ଟନାୟକ

କାନ୍ଦୁ ଥିଲା ତୁହାକୁ ତୁହା.. ଛାତି ବିଦାରି ଝରୁଥିଲା ଲୁହ । ତା'ଯନ୍ତ୍ରଣାର ଲୁହରେ ଭିଜୁଥିଲା ମାଟି, ପବନ, ଆକାଶ ଆଉ ଭିଜୁଥିଲେ ନିରଞ୍ଜନା । ଓଃ ଛାତିର କୋହ କୁ ସମ୍ଭାଳି ପାରୁ ନଥିଲେ ସେ । ଅସ୍ଥିର ନିରଞ୍ଜନା ହ୍ୱିଲ୍ ଚେୟାର ଟା ଘୁଞ୍ଚାଇବାକୁ ଚେଷ୍ଟା କରୁ କରୁ ହାତରେ ଧରିଥିବା ବହିଟା ତଳେ ପଡିଗଲା । ଚମକି ପଡିଲେ । ଚଳତ୍ ଶକ୍ତି ହୀନା ନିରଞ୍ଜନାଙ୍କ ପାଇଁ ତଳୁ ବହିଟି ଉଠାଇବା ଅସମ୍ଭବ ଥିଲା ।ତେଣୁ ସ୍ୱତଃ ପାଟିରୁ ବାହାରି ପଡିଲା -ହେ, ଶୁଣୁଛ ବହିଟା ତଳେ ପଡିଗଲା ମ... ଶୁଣୁଶୁଣୁ ବଦଳିଗଲା ପାଖଘରେ ଟି.ଭି ଦେଖୁଥିବା ମନୋଜଙ୍କ ମୁହଁର ଭୂଗୋଳ । ଅସହିଷ୍ଣୁୁ ଓ କ୍ରୋଧ ରେ ଟି.ଭି ର ଭଲ୍ୟୁମ୍ ବଢାଇ ଦେଉ ଦେଉ ଚିତ୍କାର କରି ଉଠିଲେ -ନିଜେ ମରିବନିକି ମଣିଷକୁ ଶାନ୍ତିରେ ବଞ୍ଚିବାକୁ ଦେବନି... । ନିରଞ୍ଜନାଙ୍କ ଅସହାୟ ଆଖି ଦେଇ ଝରି ପଡିଲା ଧାର ଧାର ଲୁହ । ନିରୁପାୟ ହୋଇ ତଳୁ ବହିଟି ଉଠାଇବାକୁ ହାତ ବଢାଇଲେ । ଆଉ ଟିକେ ନଇଁବାକୁ ଚେଷ୍ଟା କରୁ କରୁ ମୁହଁ ମାଡି ପଡିଗଲେ । ମୁଣ୍ଡରୁ ରକ୍ତ ଝରି ଭିଜିଗଲା ଚଟାଣ । ଯନ୍ତ୍ରଣାରେ ସାରା ଶରୀରଟା ଶିହରୀ ଉଠୁଥିଲା । ମାତ୍ର ଚଟାଣ ସ୍ପର୍ଶର ମଧୁର ଆତ୍ମିୟତା ରେ ପୁଲକିତ ହେଉଥିଲେ ନିରଞ୍ଜନା ।

ବାହାରେ କାର ପାର୍କିଂ ରଶବ୍ଦ ଶୁଣୁ ଶୁଣୁ ନିରଞ୍ଜନାଏକ ଅବାଂଛିତ ଝଡର ଆଶଂକା ରେ ଶିହରୀ ଉଠିଲେ । ପୁଅ ରାଜ୍ ଓ ବୋହୂ ଲୋମା  ଙ୍କୁ ଦେଖୁ ଦେଖୁ ମନୋଜ ଉତ୍ତେଜିତ ଭାବେ ଚିତ୍କାର କଲେ -ପଡିଥାଉ ଉଠେଇବା ଦରକାର ନାହିଁ..... ଯାଅ... ତୁମେ ବିଶ୍ରାମ ନିଅ... ହଠାଚ୍ ବୋହୂ ଲୋମା ର କାନ୍ଦିବା ଶବ୍ଦ ରେ ଚମକି ପଡିଲେ ନିରଞ୍ଜନା ।

-ଆମେ ଆଉ ପାରିବୁନି ବାପା.. ମଣିଷ ଅଫିସ ରୁ ଖଟି ଖଟି ଆସିଲା ବିଶ୍ରାମ କରିବୁ ଟିକେ, କିନ୍ତୁ ... ନା... ଘରେ ପାଦ ଦେଉ ଦେଉ ଟେନସନ୍... ନିରଞ୍ଜନା ଅପେକ୍ଷା କରୁଥିଲେ ରାଜ୍ ର କଥା ଶୁଣିବାକୁ.. ରାଜ୍ ହୁଏତ ଚାପା ସ୍ୱରରେ କିଛି କହୁଥିଲା... କିନ୍ତୁ ଲୋମା ଚିଲ୍ଲୋଉ ଥିଲା... ନାଇ ନାଇ ଆଜି ତାଂକୁ ଯେମିତି ହେଲେ ପାନେ ଦେବାକୁ ପଡିବ... ଆଜିତ ନର୍ସ ଆସିବନି । ସେମିତି ପଡି ରୁହନ୍ତୁ  ତେବେ ଜାଣିବେ... ପାଖରେ ସବୁ ପହଞ୍ଚି ଯାଉଚି ତ... ବୁଢୀର ମଗଜ ବଢି ଗଲାଣି । ଆଉ ଶୁଣି ପାରୁ ନଥିଲେ ନିରଞ୍ଜନା । ତାଙ୍କ ପଙ୍ଗୁତ୍ୱ ର ଅସହାୟ ବୋଧ  ତାଂକ ଅସ୍ଥିତ୍ୱ କୁ ଲହୁ ଲୁହାଣ କରି ପକାଉ ଥିଲା । ଆଖି ତାଂକର ମୁଦି ହୋଇ ଆସୁଥିଲା । ହୁଏତ ଅନେକ ସମୟ ବିତି ଯାଇ ଥିଲା ୟା ଭିତରେ... ।

ନିବିଡ ସ୍ପର୍ଶ ରେ ଧୀରେ ଧୀରେ ଅବଶ ଆଖି ଦିଇଟା ଖୋଲୁ ଥୁଲା ତାଂକର । ମାଆ.. ମାଆମ.. କେମିତି ପଡିଗଲମ ମାଆ.. ରାଧା ତାଂକ ମୁହଁରେ ପାଣି ଛିଞ୍ଚୁ ଛିଞ୍ଚୁ ବ୍ୟସ୍ତ ହୋଇ  କହୁଥିଲା ।  ଦୀର୍ଘ ଦଶବର୍ଷରୁ ଅଧିକ କାମ କରୁ ଥିବା ଏଇ ରାଧା ଆଜିକାଲି ତାଂକ ର ମାଆ ଠାରୁ ବି  ବେଶି ଯତ୍ନ ନେଉଛି । ଜାଣିଲନା.. ମାଆ.. ସାନ ବାବୁ ମୋ ଘରକୁ ଯାଇଥିଲେ... ଯେମିତି ତୁମ କଥା ଶୁଣିଛି ବସିବା ଯାଗାରୁ ତ ଉଠି ଆସିଲି । ଏତେ ଦୁଃଖରେ ବି ହସି ଦେଲେ ନିରଞ୍ଜନା । ରାଜ୍ କି ଲୋମା ତାଂକ କୋଠରୀ କୁ କେହି ଆସନ୍ତିନି । ବଡ କଂପାନୀ ର ପଦସ୍ଥ ଅଫିସର ସେମାନେ । ନାନାଦି ରୋଗ ଜୀବାଣୁରେ କଲବଲ ହେଉଛନ୍ତି ସେ, ନା ନା ବରଂ ଭଲ ନଆସନ୍ତୁ ସେମାନେ, ମନକୁ ମନ କହୁଥିଲେ ନିରଞ୍ଜନା । ଆଉ ମନୋଜ କୈଣସି କାମ ପାଇଁ ନର୍ସ ଡାକିଲେ କଥା ସାରି ଏକ ମୁଁହା ହୋଇ ସେ ବି ତ ଫେରି ଯାଆନ୍ତି । ତାଂକୁ ଲାଗେ ସେ ଏକ ର୍ନିଲିପ୍ତ ଦୀପ ଆଲୋକ ତ ସରି ସାରିଛି କେବେଠୁଁ । ଅନ୍ଧକାରର ଅଂଧାର ଭିତରେ ଗଣୁଛନ୍ତି  ନିଶ୍ୱାସକୁ । ଖାଲି ଦୀପ ର ଅନ୍ଧାରକୁ ହିଁ ଅପେକ୍ଷା....

ରାଜ୍ ଡାକିଆଣି ଥିବା ଦି ଜଣ ଲୋକ ତାଂକୁ ତଳୁଉଠାଇ ହ୍ୱିଲ୍ ଚେୟାର ରେ ବସାଇଲେ । ମୁଣ୍ଡ ଫାଟି ଭିଜି ଯାଇଥିଲା ଶାଢୀ, ତଳେ କଚି ହୋଇ ଫୁଲି ଯାଇଥିଲା ଆଣ୍ଠୁ । କିନ୍ତୁ ତାଂକ ମନ ଏବେ ବି ଖୋଜି ହେଉଥିଲା ଝରକା ସେପଟର ସେ କରୁଣ ଆର୍ତ୍ତଚିତ୍କାର । ଯାହା ଏବେବି ଶୁଭୁଥିଲା ରହି ରହି । ରାଧା ମନ ମନ ବୁଝିଲା ଭଳି କହିଲା-ମା..ସେ ପରା ତୁମ ମୋତି...ମଟରସାଇେକଲ ଟା ତା ଗୋଡ ଉପରେ ଚଢିଯାଇଛି କାଲିଠୁଁ ଭାରି କଷ୍ଟ  ପାଉଚି.. ତୁମେ ଦେଖିବକି ମା ସେ ପରା ତୁମ ଝରକା କୁ ଲାଗି ଶୋଇଚି କହି କହି ରାଧା  ହ୍ୱିଲ୍ ଚେୟାର ଟା  ଝରକା ପାଖକୁ ନେଇଗଲା ।

ଝରକା ସେପଟର ଦୃଶ୍ୟ ତାଂକୁ ଚମତ୍କୃତ କଲା । ରାଧା କହୁଥୁଲା ମୋତି ଚାରିଟା ଛୁଆ ଜନ୍ମ କରିଛି । ସେହି ଛୁଆ ମାନେ ମୋତି କୁ ଘେରି ଥିଲେ । କିଏ ବେକ ଚାଟୁ ଥିଲା ତ କିଏ ତା କାନ ସହ ଖେଳୁଥିଲା । ମାତ୍ର ଗୋଟିଏ ବଡ କୁକୁର ମୋତିର ଗୋଡ କୁ ଚାଟୁ ଥିଲା । ଏ ନିଃସର୍ତ୍ତ ଓ ଅନାବିଳ  ଭଲପାଇବା ନିରଞ୍ଜନା ଙ୍କୁ  ଚକିତ କରିଥିଲା । ଲୁହ ଓ ଲହୁ ଏକାକାର ହୋଇ ଝରିପଡୁଥିଲା । ଅସହୟତା ର ଆବର୍ତ୍ତ ରେ ନିଜ ଭିତରେ ବାରଂବାର ଝୁଣ୍ଟୁ ଥିଲେ ସେ । ରାଧା ତୂଳା ଆଉ ଡେଟଲ୍ ରେ ତାଂକ ରକ୍ତ ପୋଛୁ ପୋଛୁ ପଚାରୁଥିଲା -ମାଆ...ମ...କଣ ଏତେ ଭାବୁଛ... ?

କବିତା ପଟ୍ଟନାୟକ, ଖୋର୍ଦ୍ଧା

Post a Comment

0 Comments