Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଲୁହ - ମାନସ ରଞ୍ଜନ ପଟ୍ଟନାୟକ

ଝରିପଡୁଅଛି ଆଖିରୁ ଧାରଧାରର ଲୁହ,
ଗାଁ ଛାଡି ଯାଉଅଛି ଯେ ଆସୁଅଛି ତା କୋହ।

ଭାଗ୍ୟର ବେଦନା ର୍ଦୁଭାଗ୍ୟ ହେଲା ତାହାରି ପାଇଁ,
ଗାଁ ଛାଡି ଦୂରଦେଶକୁ ସେ ଯେ ଯାଉଛି ଧାଇଁ।

କେତେ ଆପଣାର ଥିଲାଟି ତାର ଛୋଟିଆ ଗାଁ।,
ମନରୁ ପାଶୋରି ଗଲାଟି ତାର ଅଭୂଲା ନାଁ।

ଖେଳପଡ଼ିଆଟି ହୋଇଲା ତାପାଇଁ ସାତପର,
ସାହିପଡ଼ିଶାର ଭାଇଏ ଥିଲେ ଯେ ଆପଣାର।

ସେଦିନର ସେହି କବାଡି ମନେପଡଇ ତାର,
କିଏ ଆଣିଦେବ ତାପାଇଁ ସେହି ଅମୂଲ୍ୟଘର।

ସନ୍ଧ୍ୟା ହେଲେ ସେଠି ମଳୟ ଆସି ଗାଁକୁ ଛୁଏଁ,
ସାଙ୍ଗସାଥୀ ମେଳେ ନଦୀର ତଟେ ସେ ବସିଥାଏ।

ମା ପରି ତାର ଗାଁଟି ଥିଲା ଯେ ଆପଣାର,
ସମୟ ହୋଇଲା ବଇରୀ ହେଲା ସେ ସାତପର।

ଅଷ୍ଟପ୍ରହରୀରେ ଚୈତନ୍ଯ ଆସିଥାନ୍ତି ନଗରେ,
ନଦେଖିଣ ସେହି ଦୃଶ୍ୟକୁ ରହିଅଛି ସେ ଦୂରେ।

ସୋମନାଥ ସେଠି ଆସନ୍ତି ବସି ଦୋଳବିମାନେ,
ଦେଖନ୍ତାକି କାଳେ ସେଠାରେ ସେତ ସାତସପନେ।

ପିଲାବେଳେ ଗୁଡି ଉଡାଏ ସାକ୍ଷୀ ଗ୍ରାମପଡିଆ,
କେତେକେତେ ସାଙ୍ଗସାଥିଏ ଥିଲେ ଭାରି ବଢ଼ିଆ।

କାର୍ତ୍ତିକ ମାସରେ ହବିଷ କରନ୍ତି ବୁଢ଼ୀମାନେ,
ଭୋଗରାଗ ଧରି ବାଣ୍ଟନ୍ତି ମନ ଉଡେ ଗଗନେ।

ସନ୍ଧ୍ୟାହେଲେ ସେଠି ଦୀପାଳି ଜଳୁଥାଏ ଆକାଶେ,
ଦେଖନ୍ତାକି କାଳେ ଏପରି ମନୋହରର ଦୃଶେ।

ନିମ୍ବବୃକ୍ଷର ସମାହାରେ ଝଟୁଥାଏ ଗ୍ରାମଟି,
କିଦୋଶ କରିଥିଲା ସେହି ପକାଇଦେଲୁ କଟି।

ଖେଳିବୁଲି ବଢ଼ିଥିଲାରେ ତୋର ମାଟିପବନେ,
ସଦା ରହିଥାଉ ତୋ ଛବି ତାର ହୃଦୟପ୍ରାଣେ।

ବେଳେବେଳେ ଅଧରାତିରେ ତୋ କଥା ମନେପଡେ,
ତାରାମାନଙ୍କୁ ସେ ଦେଖଇ ନେତ୍ରେ ଲୋତକ ଗଡେ।

ସୂର୍ଯ୍ୟଅସ୍ତବେଳେ ପକ୍ଷିଏ ଉଡିଯାନ୍ତି ନିଡ଼କୁ,
ଚଷାଭାଇ ଆସେ କ୍ଷେତରୁ ଗୀତଗାଇ ମନକୁ।

ଆଷାଢ଼ମାସରେ ବସୁଧା ହୁଏ ଯେ ରଜସ୍ଫଳା,
ରଜଗୀତେ ଦୋଳିଖେଳନ୍ତି ସେହି ଗ୍ରାମର ବାଳା।

ଶୁକ୍ଳପକ୍ଷେ ସେହି ଗ୍ରାମରେ ଜହ୍ନକିରଣ ପଡେ,
ରାତ୍ରହୋଇଗଲେ ବାଦୁଡି ତାର ନୀଡକୁ ଛାଡେ।

ଗ୍ରାମରେ ପଶିଲାବେଳକୁ ବାଙ୍କେ ସାହାଡା ଦିଶେ,
ସେହି ବୁଦାମୂଳେ ବାଳକେ ତାଙ୍କ ଆସର ବସେ।

କାହିଁ ଅଭିମାନ କରିଲୁ ତାକୁ ଦୂରେ ରଖିଲୁ,
କିଦୋଷ କରିଥିଲା କହ ତାକୁ ତୁ ଭୁଲିଗଲୁ।

ପିଲାବେଳ ସ୍ମୃତି କାହାଣୀ ଆଜି ମନେପଡୁଚି,
ସରଗରାଇଜ ଭୁବନ ଚାନ୍ଦପରି ଦିଶୁଚି।

ଯଦି ପୁର୍ନଜନ୍ମ ଅଟଇ ବିଧାତାର ଯେ ଖେଳ,
ଆଉଥରେ ଜନ୍ମନେଉ ସେ ମାତା ତୋହରି କୋଳ।


ମାନସ ରଞ୍ଜନ ପଟ୍ଟନାୟକ,
ନିମବସନ୍ତ, ହରିରାଜପୁର, ଜଟଣୀ, ପୁରୀ

Post a Comment

0 Comments