Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଜୀବନ ମୋଡ଼ରେ - ସିଦ୍ଧେଶ୍ବର ତ୍ରିପାଠୀ

ଘଣ୍ଟାର କଣ୍ଟା ଗୁଡାକ
ଟିକ୍ ଟିକ୍ ଶବ୍ଦ କରି
ମାଡି ଚାଲିଛନ୍ତି ଆଗକୁ ଆଗକୁ
ସାରା ଦୁନିଆ ଦଉଡୁଛି ସେଇ ସମୟ ସାଥିରେ ।

ମୁଁ ବି ଦଉଡୁଛି ଧିରେ ଧିରେ
ପଡି ଉଠି ଖାଲ ଖମା ଦେଇ
କଣ୍ଟାର ଆଘାତ ସହି ସହି
ବଡ ବ୍ୟାକୁଳରେ ।

ମଧୁର ସ୍ୱପ୍ନ ଦେଖିବାକୁ
ଆଉ ବେଳ ନାହିଁ
କାହାର ମିଠା କଥା
କି ପ୍ରତାରଣାର କଟୁକ୍ତି
ମୋ ପାଇଁ ସଂଜ୍ଞାହୀନ ଶବ୍ଦ ।

ମୋ ଆଖି ଆଗରେ
ଚାରୋଟି ନିସହାୟ ଆଖି
ସେ ଆଖିରେ ଅନେକ ସ୍ବପ୍ନକୁ
ମୁଁ ଏବେ ପାରୁଛି ପରଖି ।

ହଁ ବାକି ଅଛି
କେଇଜଣ ସ୍ନେହମୟୀଙ୍କ ପ୍ରତି
ମୋର କର୍ତ୍ତବ୍ୟ
ହଁ ସମୁଦ୍ରରୁ ଶଙ୍ଖେ ହଉପଛେ
ବାକିଅଛି ସୁଝିବାକୁ ଋଣ
ସମାଜ ସଂସ୍କୃତି ପ୍ରଥା ପରମ୍ପରା
ଆଉ ଚଳଣିକୁ ସନମାନରେ
ପାଛୋଟି ନେବାର ଦାୟିତ୍ୱ ।

ଆହୁରି କଣ କଣ ବାକି ଅଛି ମୋତେବି ଅଜଣା
ଦେଖା ହେଲେ ଜଣାଯିବ ଧିରେ ଧିରେ ସମୟ ସାଥିରେ ।

ମୋ ପାଖରେ ସମୟ ନାହିଁ
ସେଇ ଗାଁ ମୁଣ୍ଡ ମନ୍ଦୀର ଯିବାକୁ
ସିନ୍ଦୂର ମଖା ପଥରକୁ ଦୁଃଖ କହି
ଲୁହ ଢାଳି ଜୁହାର ହବାକୁ ।

ଲୁହ ଗୁଡା ଝରିଲେ କଣ ବା ହବ
କିଛିବି ଓଲଟି ଯିବନି କାହାର
ଫେରି ଆସିବେନି ଅତୀତ
କି ସଜାଡି ହେବନି ଭବିଷ୍ୟତ।
ହେଲେ କିନ୍ତୁ ତୁଚ୍ଛାଟାରେ
କ୍ଷତିହେବ
ଦାମୀ ପ୍ରଚକର ।

ମୋ ଲେଖନୀ ରେ
ଆଉ ସେ ଶବ୍ଦ ନାହିଁ
ଯାହା ରୂପେଲି ଜହ୍ନକୁ ତୋଳିବ
କି ନାହିଁ ସେ ଦହନ
ଯିଏ ବିରହରେ
ତିଳ ତିଳ ନିତି ଜଳୁଥିବ ।

ମୋ ପ୍ରତିଟି କବିତାରେ
ଏବେ ସେଇ ଗୋଟିଏ ଶୀର୍ଷକ
ଜୀବନ ଜୀବନ ଜୀବନ
ମୋ କାନ ପାଖରେ
ସେଇ ସାହିତ୍ୟ ପ୍ରେମୀଙ୍କ ପରିଚିତ ଶବ୍ଦ ଗୁଡାକ
ଜୀବିକା ଉପାର୍ଜନେ ବଞ୍ଚି ବଞ୍ଚାଇବା
ଅସହାୟ ନିସହାୟ ପୀଡା ଦହନ ଅନ୍ତର୍ଦ୍ୱନ୍ଦ ଏମିତି
ଅନେକ ଅନେକ ଅନେକ ।




ସିଦ୍ଧେଶ୍ବର ତ୍ରିପାଠୀ, କୁଣ୍ଡିଲୋ, କେରଙ୍ଗ।, ଖୋର୍ଦ୍ଧା

Post a Comment

0 Comments