Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ତବପାଦେ ସମର୍ପିତ - ସସ୍ମିତା ମହାପାତ୍ର

ଭାବନା ମନ୍ଦିରେ ଦେବତା ମୋ ତୁମ
ଛାଇଟିଏ ହୋଇ ରହିଥିବି ।
ତୁମେ ଯେଉଁ ଠାରେ ପାଦ ରଖୁଥିବ
ଫୁଲ ହୋଇ ମୁଁ ଯେ ଝରିଥିବି ।।
ଶୀତଳ ସମୀର ହୋଇ ତୁମ ମନୁ
ସବୁ ତାପ ନିତି ନେଉଥିବି ।
ମହୁମାଛି ପରି ଗୁଣୁଗୁଣୁ ହୋଇ
ତୁମପାଇଁ ଗୀତ ଗାଉଥିବି ।।
ତୁମରି ଅଙ୍ଗରେ ମୋ ଅଙ୍ଗ ମିଶାଇ
ନିଜକୁ ନିଜଠୁ ଭୂଲିଯିବି ।
ତୁମରି ଅଙ୍ଗର ଛଡା ଚନ୍ଦନ କୁ
ମୋ ସିନ୍ଦୂର କରି ପିନ୍ଧୁଥିବି ।।
ରାତିର ଅଳସ ଢାଳିଦେବ ତୁମେ
ମୋ ପଣତ ଧାରେ ପୋଛୁଥିବି ।
ରଜନୀଗନ୍ଧାର ପାଖୁଡା ପରାୟେ
ତୁମପାଇଁ ସଦା ବାସୁଥିବି ।।
ସକାଳ ସୂର୍ଯ୍ୟରୁ ଲାଲିମା ଚୋରାଇ
ତୁମଅଙ୍ଗେ ସଦା ମାଖୁଥିବି ।
ଜହ୍ନରୁ ଶିତଳ ଜୋଛନା ତୋଳି ମୁଁ
ତୁମ ଶ୍ରୀଅଙ୍ଗରେ ଲେପୁଥିବି ।।
ପକ୍ଷୀର କାକଳୀ ଝରଣାର ତାନ
ସବୁକୁ ମୋହର ସୁରେଭରି ।
ଗାଉଥିବି ମଧୁ ମଳୟ ସଂଗୀତ
ଦେଖିବି ତୁମକୁ ମନଭରି ।।
ସୁମନ ସଜାଡି କରୁଛି ଗୁହାରୀ
ସତେ ପ୍ରଭୂ ଏହି ଭାଗ୍ୟ ହେବ ।
ତୁମ ପଦ ସେବା ନାମ ଜପ କରି
ଜୀବୋନ୍ମୁକ୍ତ ପ୍ରାଣ ତରିଯିବ ।।

Post a Comment

0 Comments