Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କି ମାୟା କରୁରେ ତୁହି - ପ୍ରଣତୀ ମହାପାତ୍ର

କି ମାୟାଜାଲ ତୁ ମେଲାଇ ଦେଇଛୁ
ତୋ ମାୟା ତୋତେ ହିଁ ଜଣା,
ମୁଁ ଛାରଅବୋଧ ତୋ ମାୟାରେ ବନ୍ଧା
କେ ଭେଦିଛି ଅଛି କି ଶୁଣା।
ତୋର ଶିରିକ୍ଷେତ୍ରେ କିସ ତୁ ଭରିଛୁ
ପୂଣ୍ୟକ୍ଷେତ୍ର ବୋଲି ପଡୁଛି ହୁରି,
ତୋର ବଡ଼ଦାଣ୍ଡେ କାହିଁକି କାଳିଆ
ଗହଳ ଚହଳ ଭାରି।
ବାଇଶି ପାହାଛେ କି ପୂଣ୍ୟ ଢାଳିଛୁ
ନିତି ପଡୁଅଛି ଭକତ ପାଦ,
ଅରୁଣ ସ୍ତମ୍ଭରେ କି ଭାବ ଭରିଛୁ
ଦଣ୍ଡେ ରହି ଭକ୍ତ ହୁଅଇ ସ୍ତବ୍ଧ।
ଗରୁଡ଼ ଖମ୍ବ ତୋ ମନ ମୋହି ନେଇ
ଡାକଇ କୋଳେଇ ବାକୁ,
ନୀଳଚକ୍ର ବାନା ଫରଫର ଉଡି
ଭକତ ଜନଙ୍କୁ ଡାକେ ପାଖକୁ।
ତୋମହୋଦଧିରେ କି ସୌନ୍ଦର୍ଯ୍ୟ ଭରି
ଆଖି ଝଲସାଇ ଦେଉ,
ସରଧା ବାଲିରେ କି ଧନ ଭରିଛୁ
ଭକ୍ତ ଜାଣିଯାଏ ପାଦ ପକାଉ।
ତୋ କଳା ବଦନେ କି ରସ ଅଛିରେ
ନିତି ଭକତ ସେ ବଦନ ଚାହେଁ,
ତୋ ଚକାନୟନେ କି ମଣି ଅଛିରେ
ଭୂଲେନାହିଁ ଭକ୍ତ ସେ ଡୋଳା କୁ ହେ।
କୈବଲ୍ୟନାଥ ହେକୈବଲ୍ୟ ପ୍ରସାଦେ
କି ଅମୃତ ଭରି ଦେଇଛ କୁହ,
ଯେତ ବି ଖାଇଲେ ଆନନ୍ଦ ବଜାରେ
ଛାଡେନାହିଁ ସେହି ଅମୃତ ମୋହ।
ଏତେ ମାୟା ସିନା ତୋ ବଡ଼ଦେଉଳେ
ବିଞ୍ଚି ଦେ ଟିକେ ଏହି ଧରାରେ,
ମଣିଷ ଦେହର ପଶୁତ୍ୱକୁ ହରି
ବଶ କରିନିଅ ହେ ଦଣ୍ଡଧାରୀ।
ଏ ବସୁଧା ଟିକେ ଆଶ୍ୱସ୍ତ ହେଉ
ନ ହେଉ କରୁଣା ଉଣା,
କି ମାୟାଜାଲ ତୁ ମେଲାଇ ଦେଇଛୁ
ତୋ ମାୟା ତୋତେ ହିଁ ଜଣା।
ତୋ ମାୟା ତୋତେ ହିଁ ଜଣା।

ଜୟ ଜଗନ୍ନାଥ


ପ୍ରଣତି ମହାପାତ୍ର
ଫକୀରମୋହନ ନଗର, ବାଲେଶ୍ଵର

Post a Comment

0 Comments