Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ଭିନ୍ନ ଏକ ପ୍ରେମ ୠତୁ - ସିପ୍ରା ନାମତା (ନମ୍ରତା)

ବୟସ ର କୃଷ୍ଣ ଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ .......ଗୀତ ଟି ଶୁଣୁ ଶୁଣୁ ମୋ ମନ ର ସ୍ମୃତି ର ଝର୍କା ଟି ଖୋଲିଗଲା....…
ତୁମେ ସବୁବେଳେ ଏମିତି ...।ହଠାତ ଆସିବ ଝଡ ବେଗ ରେ ବର୍ଷା ସହିତ ଯେମିତି ମୈତ୍ରୀ ବାନ୍ଧି ଥାଅ , ସେ ଯେମିତି ହଠାତ ବର୍ଷିଦେଇ ଚାଲିଯାଏ ତୁମେ ବି ଠିକ୍ ସେମିତି କିଛି ସମୟ ପାଇଁ ଆସି ପୁଣି କେତେବେଳେ ଅନ୍ତର୍ଦ୍ଧାନ ହୋଇଯାଉଥିଲ ଯେ ସ୍ପର୍ଶ ତ ଦୂର ର କଥା ଦେଖା ମିଳିବା ବି କଷ୍ଟ ହୋଇଯାଉ ଥିଲା । ସେଦିନ ବି ତୁମେ ଆସୁଥିଲ ଏମିତି ଏକ ଶ୍ରାବଣ ର ମଧୁଝରା ସନ୍ଧ୍ୟା ରେ ଠିକ୍ ଆମ ଘର ସାମ୍ନା ସାମ୍ନି ଗଳି ପାଖରେ ।ମୁଁ ସେଇ ରାସ୍ତା ଦେଇ ଯାଉଥିଲି ତୁମ ସହ ଧକ୍କା ହୋଇଗଲା । ତୁମେ ଆଉ କୌଣସି ବାହାନା କରି ପାରି ନ ଥିଲ ।ବାଧ୍ୟ ହୋଇ ଆସିଥିଲ ମୋ ସହ ଘର କୁ ।ଘର ଭିତର କୁ ପଶୁ ନ ପଶୁଣୁ ବାହାରେ ବିଜୁଳୀ ସହିତ ପ୍ରବଳ ବର୍ଷା ଆରମ୍ଭ ହୋଇ ଯାଇଥିଲା । ଭୀଷଣ ବଜ୍ର ପାତ ରେ ତୁମେ ମୋ ଦୁଇ ହାତ କୁ ଜାବୁଡି ଧରିଥିଲ ।ଓଃ ଏତେ ଆର୍ଦ୍ର ମୌସୁମୀ ରେ ବି ମୋ ହାତ ଝାଳୁଆ ଲାଗୁଥିଲା ।ସେଇଟା ପ୍ରକୃତରେ ଉତ୍ତେଜନା ଥିଲା ନା ଭୟ ଥିଲା ସେକଥା ସେତେବେଳେ ବୁଝିପାରିନଥିଲି । ବୁଝିଲା ବେଳକୁ ଅନେକ ଡେରି ହୋଇଯାଇଥିଲା ।

ପ୍ରକୃତ ପ୍ରେମ ର ସନ୍ଧାନ ରେ ମୁଁ ଘୁରିବୁଲୁଥିଲି ଏ ସାରା ସଂସାର ର ଚତୁଃର୍ପାଶ୍ୱରେ । ତୁମ ଠାରୁ ଢ଼େରବେଶୀ ସୁନ୍ଦରୀ ଯୁବତୀ ସଂସ୍ପର୍ଶ ରେ ଆସିଥିଲେ ମଧ୍ୟ ମୋ ଆଖିରେ ତୁମେ ସର୍ବଦା ରହୁଥିଲ । କାହିଁକି ତୁମେ ସବୁବେଳେ ରହିଥିଲ ...ମୋ ଆଖିରେ ,ମୋ ହୃଦୟରେ ସେକଥା ବୁଝିବାକୁ ଆଉ ବାକି ନ ଥିଲା ମୋର ,କିନ୍ତୁ ତୁମକୁ କିଛି କହିବାକୁ ମୋ ସାହସ ହେଉ ନ ଥିଲା ।ତୁମେ ବି ସେମିତି ଭାବୁଥିଲ କି ନାହିଁ ମୁଁ ମନେ ମନେ ଜାଣିବାକୁ ଚେଷ୍ଟା କରୁଥିଲି ।କିନ୍ତୁ ହଠାତ ତୁମେ ସେ ଅଞ୍ଚଳ ରୁ ଅନ୍ୟତ୍ର ଚାଲିଗଲ ।ତୁମ ବାପା ଙ୍କ ର ଅସୁସ୍ଥତା ନିମନ୍ତେ ଚାକିରୀ ରୁ ଛୁଟି ନେଇ ଚାଲିଯାଇଥିଲ ବୋଲି ମୁଁ ପରେ ଜାଣିଲି । ତା'ପରେ ମୋର ବଦଳି ହୋଇଗଲା ଓଡିଶା ବାହାର କୁ ।ତୁମ ସହିତ କେତୋଟି ସାକ୍ଷାତ କୁ ନେଇ କେମିତି ଦୀର୍ଘ ଜୀବନ ଅତିକ୍ରମ ହୋଇ ଆସିଲା ,ଭାବିଲେ ଆଶ୍ଚର୍ଯ୍ୟ ଲାଗେ ।ଆଜି ଜୀବନର ମଝି ପାହାଚ ରେ ଠିଆ ହୋଇ ପୁଣି ଯେ ଦିନେ ତୁମ ସହିତ ଏମିତି ଆକସ୍ମିକ ଦେଖା ହୋଇଯିବ ମୁଁ ଆଦୌ ଭାବି ପାରୁନଥିଲି । ସେଦିନ ସନ୍ଧ୍ୟା ରେ କାରୋଲବାଗ ବଜ଼ାର ରେ ହଠାତ ....ଏକ ଛୁଆଁ ରେ କେମିତି ମନ ଆନ୍ଦୋଳିତ ହେଲା .......। ଘୁରି ପଡିଲା ବେଳକୁ......

----ଆରେ ,ଆପଣ ?
ଏକ କୋମଳ ନାରୀକଣ୍ଠ ।
ମୁଁ ଖୁବ୍ ତଟସ୍ଥ ହୋଇଗଲି ।ଏ ଯେ ବିଭାବରୀ ।
---ତ... ମେ .....ଏଠି .....,ଆଛା...!
ସେ ପ୍ରସ୍ତାବ ଦେଲା ,--ଚାଲନ୍ତୁ ପାଖରେ ଥିବା ଷ୍ଟଲ ରୁ କଫି ପିଇବା ।
ଆମେ ଦୁହେଁ କଫି ସପ କୁ ଆସିଲୁ ।କଫି ବାହାନା ରେ ଆମେ ପରସ୍ପର ର ସ୍ଥିତି କୁ ବୁଝିବାକୁ ସୁଯୋଗ ପାଇଗଲୁ ଯେପରି ।ଆଜିଯାଏଁ ବିଭା ,ବିବାହ କରିନି ,କିନ୍ତୁ କଣ ପାଇଁ ? ତେବେ ସେ ବି କଣ ...?
----କିନ୍ତୁ ତମେ କାହିଁକି ମ୍ୟାରେଜ କଲନି ??
ସର୍ଭିସ ତ ଥିଲା ।....
ଏ କଥା ଶୁଣୁ ଶୁଣୁ ତା ମୁହଁରେ କେମିତି ଏକ ଦୁଃଖ ମିଶ୍ରିତଲଜ୍ଜା
ବୋଧ ସୃଷ୍ଟି ହେଲା ।
---ନାଇଁ ବାପା ଙ୍କ ଦେହ ଅସୁସ୍ଥ ଥିଲା ତା 'ପରେ ସେ ଚାଲିଗଲେ ।ମାଆ ମଧ୍ୟ ତାଙ୍କର ମାସେ ପରେ ଚାଲିଗଲେ ।
ମୋ ପାଖରେ ସାହାରା ବୋଲି କିଛି ନ ଥିଲା ।ମାଉସୀ ଏଇଠି ରହୁଥିବାରୁ ମୋତେ ସାଙ୍ଗରେ ନେଇଆସିଥିଲେ ।ଏଠି ରହୁ ରହୁ ମୋତେ ଆଉ ଫେରିବାକୁ ଇଛା ହେଲା ନାହିଁ ତେଣୁ ରହିଗଲି ।ଏଇଠି ଇଂରାଜୀ ମିଡ଼ିଅମ ସ୍କୁଲରେ ପଢ଼ାଉଛି ।ଘରକୁ ମଧ୍ୟ ଯାଉଛି ଟ୍ୟୁସନ କରିବା ପାଇଁ ।ପିଲାଙ୍କ ସହିତ ମିଶିବାରେ ଯେଉଁ ଖୁସି ମିଳିଲା ସେଇଟା ଆଉ କୋଉଥିରେ ମିଳିବନି ବୋଲି ମୁଁ ବୁଝିସାରିଥିଲି ।ତେଣୁ ଆଉ ସେ ଆଡକୁ ମନ ଦେଇନି ,ତା ଛଡା ଆପଣ ବି ସେତେବେଳେ ସେଠି ନ ଥିଲେ ନା... ।

----ମାନେ......., ମୁଁ ନ ଥିଲି ବୋଲି ତୁମେ ଜାଣିଲ କେମିତି ?ସେଠାକୁ କଣ ଆସିଥିଲ ?
---ହଁ ,ଯାଇଥିଲି ,କିନ୍ତୁ ଆପଣଙ୍କର ବଦଳି ହୋଇ ଯାଇଥିଲା
ଶୁଣି ଫେରି ଆସିଲି ।
ମୁଁ ଏକ ଦୀର୍ଘଶ୍ଵାସ ଛାଡିଲି । ବିଶ୍ୱାସ ଆସିଗଲା ଯେ ମୋ ରି ପାଇଁ ହିଁ ବିଭା ଅବିବାହିତା ରହିଗଲା ।ତା'ନୋହେଲେ ମୋତେ ଖୋଜିବାକୁ କାହିଁକି ଯାଇଥାନ୍ତା ।ସୁଯୋଗ ଟା ହାତ ମୁଠାରୁ ଖସି ଯାଇଥିଲା ।
--ଆପଣ କେବେ ଏଠାକୁ ଆସିଲେ ? ମିସେସ କଣ , ଗୃହିଣୀ ନା ଜବ କରନ୍ତି ?ଆଉ ପିଲା ପିଲି ??ସମସ୍ତେ ଏଇଠି ଅଛନ୍ତି ?? ଏଇ କାରୋଲବାଗ ରେ ନା ଆଉ କୋଉଠି ??

ଓଃ ,ଏତେ ପ୍ରଶ୍ନ ଏକାଥରେ ..ତା'ର .ମୋ ବିଷୟରେ ଜାଣିବା ର ବ୍ୟଗ୍ରତା ମୁଁ ଅନୁଭବ କରିପାରୁଥିଲି ତା ପ୍ରଶ୍ନ ରୁ ।ମୋତେ ଲାଜ ଲାଗୁଥିଲା ତା ପ୍ରଶ୍ନ ର ଉତ୍ତର ଫେରାଇବାକୁ ।ରାଜେନ୍ଦ୍ର ନଗର ରେ ରହୁଥିବା ମୋ ବସା ର ଠିକଣା ଦେଇ ତାକୁ ଘରକୁ ଆସିବା ପାଇଁ ନିମନ୍ତ୍ରଣ କରି ଫେରି ଆସିଲି ।

ଭୀଷଣ ମୁଣ୍ଡ ବିନ୍ଧୁଥିଲା । ଛୁଟି ନେଇ ଡାକ୍ତର ପାଖରୁ ଆସି ଶୋଇଛି ,ବାହାର କଲିଂ ବେଲ ଟି ବାଜି ଉଠିଲା । ଘରେ କାମ କରୁଥିବା ବାଈ କୁ କବାଟ ଖୋଲିବାକୁ କହିଲି ମୁଁ ।ସନ୍ଧ୍ୟା ପାରେଇ ରାତି ପଶି ସାରିଥିଲା ।ମୁଁ ମୁଣ୍ଡ କୁ ଚିପୁ ଥାଏ ଦୁଇ ହାତରେ ।
--ଆରେ ,କଣ ହୋଇଛି ?
ନାରୀକଣ୍ଠ ରୁ ଜାଣିଲି ବିଭାବରୀ ଆସିଛି ,,,ଉଃ ,,ସତ ରେ ଆସିଛି ସେ । ବିଭାବରୀ ର ଖୋଜିଲା ଖୋଜିଲା ଆଖିରେ ଚାରିଆଡ଼କୁ ଚହିଁବାର ଦେଖି ମୁଁ କହିଲି
---କେହିନାହାନ୍ତି ,
--ମାନେ .....?
----ମାନେ ମୁଁ ବ୍ୟାଚେଲର ।
ଅଧିକ ଉପକ୍ରମଣିକା ନ ଦେଇ ମୁଁ କହିଦେଲି । ତା ,ଆଖିଯୋଡିକ ଆଶ୍ଚର୍ଯ୍ୟ ଓ ପରେ ପରେ ଉତ୍ଫୁଲ୍ଲିତ ଜଣାପଡିଲା ।ଆଉ ତା ପରେ ପରେ ଏକ ଅଦ୍ଭୁତ କାଣ୍ଡ କରିବସିଲା ।
--ଛାଡ଼ନ୍ତୁ ,,ହାତ ଉଠାନ୍ତୁ ମୁଣ୍ଡ ଉପରୁ ,ମୁଁ ଘଷି ଦେଉଛି । କହି ସେ ମୋ ହାତ କୁ ଟାଣି ବାହାର କରିଦେଇ ନିଜ ହାତରେ ମୋ ମଥା କୁ ଘଷିବାକୁ ଲାଗିଲା ।
----ଆରେ ରେ କଣ କରୁଛ ?ତୁମେ ଯେ ମୋର ଅତିଥି । ମୁଁ ବିଭା ର ହାତକୁ ଧରିପକାଇଲି ।ବିଭାର ସ୍ପର୍ଶ ମୋ ଭିତରେ ଏକ ଆକୁଳତା ସୃଷ୍ଟି କରୁଥିଲା ।କେମିତି ...କେମିତି ସହ୍ୟ କରିପାରିଥାନ୍ତି ?ଓଃ ...ଏତେ ବର୍ଷ ପରେ ବି ମୋ ଭିତରେ କମ୍ପନ୍ନ ....ପ୍ରୀତି ...ପ୍ରଣୟ ର ଆଉ ପ୍ରେମର ।
--ଅତିଥି କଣ ମଣିଷ ନୁହେଁ ?ନା ତା'ର ମନୁଷ୍ୟତା ,ଆଖି ଆଗରେ ଜଣ କୁ ଛଟ ପଟ ହେଉଥିବା ର ଦେଖି ନୀରବ ରହିବା ??କୁହନ୍ତୁ ??
---ନା ...ନା ସେ କଥା ନୁହେଁ ଯେ ....
ମୋତେ ଆଉ ଆପଣ ସମ୍ବୋଧନ ନ କଲେ ଭଲ ଲାଗନ୍ତା ।
ବାଈ ଦୁଇ କପ ଚା ନେଇ ଆସିଲା ।--"ଔର କୁଛ ଚାହିୟେ
କ୍ୟା ......ୟେ ମେମସାଵ କୋ ପହଲି ବାର ଦେଖ ରହି ହୁଁ ,
କୁଛ ଅପନି ସି ଲଗତି ହୈ ....।"ଏକ ସଂକ୍ଷିପ୍ତ ମନ୍ତବ୍ୟ ଦେଲା ସେ ।

ବାଈ ଟି ଭଲ ମହିଳା ।ଅନ୍ୟ ମାନଙ୍କ ପରି ନୁହଁ ।କେହି ଆସିଲେ ଚା କରିଦେବାକୁ ସେ ଜାଣିଥାଏ ବୋଲି ବିଭା ଆସିବାରୁ ସେ ସେତକ ଆଣିଦେଲା ।ଯାହା କହିଲେ କରିଦିଏ ।ତା ମନ ରଖିବା ପାଇଁ ମୁଁ ତାକୁ ଆଗତୁରା ପଇସା ଦେଇଦିଏ ଆଉ ତା ସାଙ୍ଗକୁ ଭଲମନ୍ଦ ରେ ସାହାଯ୍ୟ କରିଦିଏ । ସେ ତେଣୁ
ମୋ ବସା ର କାମ ଛାଡେନାହିଁ ।

---ନା ...ନା ...ଯାହା ଦରକାର ମୁଁ ନିଜେ କରି ଖାଇ ପାରିବି ତୁମେ ତାକୁ ଯିବାକୁ ଦିଅ ।
ବିଭା ପାଖରୁ ସଙ୍ଗେ ସଙ୍ଗେ" ତୁମେ " ସମ୍ବୋଧନ ଶୁଣି ମୁଁ ଆଶ୍ଚର୍ଯ୍ୟ ହେବା ସହିତ ଭିତରେ ଭିତରେ ପୁରା ଓଦା ହୋଇଯାଉଥିଲି ।ବିଭା ମୋତେ ଭଲ ପାଏ କିନ୍ତୁ କହିପାରୁନି .....ମୁଁ ବି ତ କହିପାରୁନି ,,ସେ ତ ସହଜେ ଝିଅ । ବାଈ ଚାଲିଯାଇଥିଲା ।ବିଭା ତା ଯିବା ପରେ କିଚେନ କୁ ଯାଇ ସଙ୍ଗେ ସଙ୍ଗେ ଗାଜର ହାଲୁଆ କରିଆଣିଲା ।
--ନିଅ ମୋ ହାତ ରନ୍ଧା ,ତୁମ ଘରେ ତୁମ ଜିନିଷ ରେ ରାନ୍ଧି କି ଦେଇଛି ।ଯାହା ବି ହେଉ ତୁମ କିଚେନ ମୋତେ ବହୁତ ଭଲ ଲାଗିଲା । ସେ ଆଉ ଅପେକ୍ଷା କଲାନାହିଁ ,ଚାମଚ ଧରି ଖୁଆଇବାକୁ ଆରମ୍ଭ କରିବାକୁ ଯାଉଥିଲା ବେଳେ ମୁଁ ତା ହାତ ଧରି କହିଲି
---ଗୋଟେ କଥା କହିବି .....,ଏଇ ଦିନେ ଅଧେ ଖୁଆଇଲେ କଣ ହେବ ?ସବୁଦିନ ତ ପୁଣି ମୁଁ ସେମିତି ରହିବି ନା ......। ମୁଣ୍ଡ ଘଷି ଦେଇ ଯଥେଷ୍ଟ ଉପକାର କରିଛ ।ଆଖି ଖୋଲି ହେଉ ନ ଥିଲା । ଏବେ ଯାହା ହେଉ ଟିକେ ଆରାମ ଲାଗୁଛି ।ନିଜେ ଖାଇ ପାରିବି । କେମିତି ଅଡ଼ୁଆ ଲାଗୁଥିଲା ନିଜ କଣ୍ଠସ୍ୱର ନିଜକୁ ।ଏତେ ଲମ୍ବା ବ୍ୟବଧାନ ପରେ ବି ଏମିତି ଆପଣାର ଆଉ ଅଭିମାନ ଭରା କଥା ....କିନ୍ତୁ ଲାଗୁଥିଲା ଯେମିତି ଆମେ ପରସ୍ପର ପରସ୍ପର ର ମାନସିକତା କୁ ବୁଝୁଥିଲୁ ଆଉ ଅନୁଭବ କରିପାରୁଥିଲୁ ।ବିଭା ଆଖିରେ ଦୁଇ ଟୋପା ଚକ ଚକ ଲୁହ ନିଗିଡି ଆସିଲା ।ମୁଁ ବ୍ୟସ୍ତ ହୋଇପଡ଼ିଲି ।
---କଣ ହେଲା ?ମୁଁ କିଛି ଭୁଲ କହିଦେଲି କି ?
---ନା, ସବୁ ଭୁଲ ତ ମୋର ନା !ପୁରୁଷ କେବେ ଭୁଲ କରିପାରେ ? କେବେ ନୁହେଁ ।ମୋର ସାମାନ୍ୟ ଅବହେଳା ଯୋଗୁଁ ଏତେ କଷ୍ଟ ପାଇବି ବୋଲି ଜାଣି ନ ଥିଲି ।ଭାବିଥିଲି ନାରୀ ର ସ୍ଵଭାବ ସୁଲଭ ଲଜ୍ଜା ଟିକୁ ତ୍ୟାଗ କରି କେମିତି ସମର୍ପଣ ର କଥା ଟି କହିଥାନ୍ତି ?ମୁଁ ତ ଭାବିଥିଲି ସେଇ କଥା ଟି ତୁମ ମୁହଁ ରୁ ଶୁଣିବି ବୋଲି ।କିନ୍ତୁ ସେତିକି ଶୁଣିବା କୁ ମୋତେ ଦଶ ବାର ବର୍ଷ ଲାଗିଗଲା । ବୋଧହୁଏ ସେତେବେଳେ କହିଥିଲେ ,ତୁମ ଇଗୋ ହର୍ଟ ହୋଇଥାନ୍ତା ନୁହେଁ ....। ବହୁତ ବଡ ଅଫିସର ନା ...! ତଥାପି ମୁଁ ତୁମକୁ ଦେଖା କରିବାକୁ ଯାଇଥିଲି । କିନ୍ତୁ ତୁମେ ସେଠି ନ ଥିଲ ।.........,
----ଓଃ, ହୋ ଥାଉ ବିଭା ସେତିକି ରେ ରଖ ।ମୁଁ ମଧ୍ୟ କମ କଷ୍ଟ ପାଇନି ।ଆଜି ପର୍ଯ୍ୟନ୍ତ ମୁଁ ତ କେବଳ ତୁମରି ସ୍ମୃତି କୁ ପାଥେୟ କରିଛି ।କେମିତି କହିଥାନ୍ତି ? ।ଯେତେ ଭଲ ପଦ ପଦବୀ ଥିଲେ ମଧ୍ୟ କେଉଁ ବାପା ମା ସେମାନଙ୍କ ର ଏକମାତ୍ର କନ୍ୟା କୁ ପିତୃମାତୃପରିଚୟ ହୀନ ପିଲା ସହ ଛନ୍ଦିଦେବେ ?? ସବୁ ଯନ୍ତ୍ରଣା ର ଉପଶମ କଣ ଠିକ୍ ସମୟ ରେ ମିଳେ ବିଭା ? ହୁଏତ ଏଇଟା ହିଁ ଆମ ଭାଗ୍ୟ .......
କହି ମୁଁ ବିଭା ର ଚିବୁକ କୁ ସ୍ପର୍ଶ କରି ଲୁହ ପୋଛିବାକୁ ଯାଉଛି ,ବିଭା ମୋ ଛାତିରେ ଲୋଟି ପଡିଲା ଏବଂ ପିଲାଟି ପରି ଧକେଇ ଧକେଇ କାନ୍ଦିବାକୁ ଲାଗିଲା । ମୋ ଅନ୍ତର ଫାଟିପଡୁଥିଲେ ବି ପୁରୁଷ ର ଅହମିକା ନେଇ ସେତକ ପିଇ ଯାଉଥିଲି ଆଉ ମୋ ହାତ ଦୁଇଟି ବେଢି ଯାଉଥିଲା ଆପେ ଆପେ ବିଭା ର ସମଗ୍ର ତନୁବଲ୍ଲରୀ କୁ ,ଅଦ୍ଭୁତ ଆକର୍ଷଣ ରେ । ଏକ ଗଭୀର ଆବେଗ ରେ ସେ ମୁହଁ ଗୁଞ୍ଜି ଦେଉଥିଲା ମୋ ବକ୍ଷ ରେ । କେଇଟା ଅସ୍ପଷ୍ଟ ଧାଡି ତା ମୁହଁ ରୁ ଶୁଣିବାକୁ ପାଇଲି "ମୁଁ କେବଳ ତୁମର ,ପିନାକୀ ..କେବଳ ତୁମର ହୋଇ ରହି ବାକୁ ଚାହେଁ ।"

ବିଭା ର ସାନ୍ନିଧ୍ୟ ମୋତେ ସ୍ୱର୍ଗସୁଖଠାରୁ କିଛି କମ ଲାଗୁ ନ ଥିଲା । ସେ ସୁଖ କୁ ମୁଁ ମୋ ପାରୁ ପର୍ଯ୍ୟନ୍ତ ଜାବୋଡି ଧରି ରଖିବାକୁ ଚେଷ୍ଟା କରୁଥିଲି । ହଠାତ ମୁଣ୍ଡରେ ପୁଣି ଥରେ ଭୀଷଣ ଯନ୍ତ୍ରଣା ଅନୁଭବ କଲି ଛୋଟିଆ ଚିତ୍କାର ଟିଏ ମୋ ପାଟି ରୁ ବାହାରି ଆସିଲା --"ଓଃ " ବିଭା ବ୍ୟସ୍ତ ହୋଇପଡିଲା । କ'ଣ କରିବ କିଛି ବୁଝିପାରିଲାନି । ମୁଁ ତାକୁ ବ୍ୟସ୍ତ ନ ହେବାକୁ କହିଲି ।ସେ ମୋ ମଥାକୁ ଧୀରେ ଧୀରେ ଚିପିଲା ।ମୋ ଆଖି ବୁଜିଗଲା ।......

ଲାଲ କୃଷ୍ଣଚୁଡା ଫୁଲ ରେ ଗଛ ଟି ଚମତ୍କାର ଦେଖଯାଉଛି ।ଗଛ ଡାଳ ରେ ଦୁଇଟି ପକ୍ଷୀ ବସି ଟୁପୁର ଟାପୁରୁ ହେଉଛନ୍ତି । ହଠାତ ଆକାଶ ରେ କଳା ବଉଦ ଢାଙ୍କି ଦେଲା ।ଅସରାଏ ବର୍ଷା ମାଟି ଉପରେ ଛୁଇଁଗଲା ।ଆଃ ,କି ଚମତ୍କାର ଦୃଶ୍ୟ ...!!!ମୋ ଭିତରେ ସମୁଦ୍ର ର ଉତ୍ତାଳ ତରଙ୍ଗ ଗୁରୁ ଗର୍ଜନ କରୁଛି ଯେପରି ।ମୋର ହୃତସ୍ପନ୍ଦନ ର ଗତି ବୃଦ୍ଧି ପାଇବାରେ ଲାଗୁଛି ।ମୁଁ ମୋର ଚେତନାର ବାହ୍ୟ ଜଗତ କୁ ଚାଲିଯାଉଛି ।ସେଠି ଗାଢ ଅନ୍ଧାର ଆଉ ଖାଲି ଅନ୍ଧାର ।ସେଇ ଭିତରେ ମୁଁ ଦେଖିପାରୁଛି ,ଶୁଭ୍ର ବସନ ଆବୃତା ନାରୀ କେହିଜଣେ ଅଧର ରେ ସ୍ମିତ ହସ ନେଇ ବାହୁ ପ୍ରସାରୀ ଇଙ୍ଗିତ କରୁଛି ...ତା ପାଖକୁ ଯିବା ପାଇଁ । କିଏ ...କିଏ ....ସେ ...? ସ୍ପଷ୍ଟ ଦେଖିହେଉନାହିଁ ତା ମୁଖମଣ୍ଡଳ
....ନା ,ସେ ଆଉ ଆଗକୁ ଆସୁନାହିଁ ।କ୍ରମଶଃ ଅପସରି ଯାଉଛି ତା'ର ଛାୟା ଦୂରକୁ ଆହୁରି ଦୂରକୁ ....ଆଖି ର ଶେଷ ସୀମା ପର୍ଯ୍ୟନ୍ତ ..।ତା'ପରେ ପୁଣି ସେଇ ଅନ୍ଧକାର ଆଉ ଶୂନ୍ୟତା ..।

ହଠାତ ମୋ ଆଖି ଖୋଲିଗଲା ।ଖଟ ଉପରୁ ମୁଁ ଧଡପଡ ହୋଇ ଉଠିବସିଲି ।ମୋର ସ୍ମରଣ ହେଲା ଯେ ,ମୋ ପାଖରେ ବିଭା ଥିଲା ।କିନ୍ତୁ କାହିଁ ସେ ? କୁଆଡେ ଗଲା ? ମୋ ଶୋଇପଡିବା ଦେଖି ସେ ଆଉ ଚାଲିଗଲା କି ?ଘର ବାହାର ଚାରିପଟେ ଖୋଜି ଆସିଲା ପରେ ତାକୁ ନ ପାଇ ନିରାଶ ହେଲି ।ପୁଣି ମଥା ରେ ଯନ୍ତ୍ରଣା ଅନୁଭବ କରିବାରୁ ବିଛଣାରେ ଗଡିପଡିଲି ।କିନ୍ତୁ ଶାନ୍ତିରେ ଶୋଇପାରିଲି ନାହିଁ ।କଲିଂ ବେଲ ର ଶବ୍ଦ ରେ ବାଧ୍ୟ ହୋଇ ଉଠିବାକୁ ପଡିଲା ।ଯେଉଁ କାମବାଲୀ ବାଈ ଟେ ଘର କାମ କରେ ସେ ତା କାମ ସାରି ଚାଲିଯାଇ ଥିଲା ରାତ୍ରୀ ର ଆଗମନରେ ।ଅଗତ୍ୟା ଯାଇ କବାଟ ଖୋଲିବାକୁ ପଡିଲା ।ନିଜକୁ ବିଶ୍ୱାସ କରିପାରିଲି ନାହିଁ ,ସାମ୍ନାରେ ବିଭାବରୀ !!!!।
---କୁଆଡେ ଚାଲିଯାଇଥିଲ ??ମୁଁ ତମକୁ କେତେ ଆଡୁ ଖୋଜି ଆସିଲିଣି ।ଭାବିଲି ,ବୋଧହୁଏ ମୁଁ ଶୋଇପଡିବାରୁ ପଳେଇଗଲ ।
ସେ ଆଶ୍ଚର୍ଯ୍ୟ ରେ କିଛି କ୍ଷଣ ଚାହିଁଲା ,----ମୁଁ କିନ୍ତୁ ଏବେ ଆସିଲି ତ ..ଟ୍ରାଫିକ ଜାମ ଯୋଗୁଁ ଅନେକ ବିଳମ୍ବ ହେଲା । ଆପଣ ଏ କଣ କହୁଛନ୍ତି ?


ସିପ୍ରା ନାମତା, ବାରିପଦା
ମୋ- 8249850168

Post a Comment

0 Comments