Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ରଥଯାତ୍ରା - ହୃଷୀକେଶ ମିଶ୍ର

ତୁ ରଥ ଯାତରା ମୋ ସୁନା ପସରା
ଦ୍ବିତୀୟା ତିଥିରେ କରୁ,
ମୋର ମହାଯାତ୍ରା ହେବରେ କାଳିଆ
ଏ ଛାର ମାୟା ସଂସାରୁ।

ଭଉଣୀ ଭାଇଙ୍କୁ ସଂଗେ ଘେନି ତୁହି
ମାଉସୀ ବାଡିକୁ ଯାଉ,
ସରଗ ଦୁଆର ମୋର ଲକ୍ଷ୍ୟ ସ୍ଥଳ
ନ ଫେରିବି କେବେ ଆଉ।

ନନ୍ଦି ଘୋଷ ତୋର ହୁଏ ତର ତର
ଭକତ ମେଳରେ ଥାଇ,
ମୋ ଯାତ୍ରା ପାଇଁ ରେ ପ୍ରତୀକ୍ଷା କରିଛି
ଦାଣ୍ଡ ଦୁଆରେ କୋକେଇ।

ବଡ ଦାଣ୍ଡ ତୋର ହୁଏ ଥର ହର
ହୁଳହୁଳି ହରିବୋଲେ
ମୁହିଁ ଯାଉଥିବି ରାମନାମ ସତ୍ୟ
ହରିବୋଲ ନାମ ଛଳେ

ତୋହରି ଘରଣୀ ଲକ୍ଷ୍ମୀ ସାଆନ୍ତାଣୀ
ରାଜଜେମା ସିନ୍ଧୁ ସୁତା
ମୋହରି ଘରଣୀ ମୋହ ରେ ସେ ପୁଣି
କୋଡୁ ଥିବ ତାର ମଥା।

ନଅ ଦିନ ଯାତ ସାରିଣ ତୁ ପରା
ଫେରିବୁ ଶିରିମନ୍ଦିର,
ମୋ ଘର ଅଗଣା ଶୂନ୍ୟ ପଡିଯିବ
ନ ଫେରିବ ଏ ଶରୀର।

କୋଟି ପୁଣ୍ୟ ଫଳ ବିତରଣ ପାଇଁ
ଆସୁଛୁ ଦେଉଳ ଛାଡି,
ତୁ ତ ଜାଣିଛୁ କେଉଁ ପୁଣ୍ୟ ନେଇ
ଯାଉଥିବି ମୁଁ ବାହୁଡ଼ି।

ଜୀବିତ ବେଳରେ ତୋର ଦରଶନ
ନ କରି ପାରିଲି ମୁହିଁ
ମୋର ମୃତ୍ୟୁ ପରେ ପିତୃ ଲୋକେ ଥିବି
ଅଧର ପଣା କୁ ଚାହିଁ।

ଦୟା କରିବୁରେ ଜଗତ ଠାକୁର
ସେ ଅମୃତ ଟିକେ ଦେଇ
ଲିନ କରିଦେବୁ ତୋର ଶ୍ରୀଚରଣେ
ଏହି ଅଳି ଭାବଗ୍ରାହୀ।


ମିଶ୍ର ହୃଷିକେଶ
ଖଲ୍ଲିକୋଟ, ଗଂଜାମ, ଓଡିଶା
ମୋ- 9556756756

Post a Comment

0 Comments