Information

ଚୁପ ଚୁପ କାହାଣୀ - ଧୃବ ଚରଣ ବେହେରା

ଗୁପଚପ୍ ବାଲା ହରିଆ ଭାଇ
ସକାଳୁ ଆସଇ ଲୁନା ଚଲାଇ ।।
ପଛ କେରିଆଲେ କାଚ ଡବାଟି
ବାନ୍ଧି ଥାଏ ଭିଡି ଲଗାଇ ଚଟି ।।
ଗୁପଚପ୍ ଭରା ବାକୁସ ତାର
ଦୂରୁ ଦିଶୁଥାଇ କେତେ ସୁନ୍ଦର ।।
ଗୋଲ ଗୋଲ ଦୂରୁ ଦିଶଇ ସବୁ
ତାଜା ଲାଗଇ ସେ କରଇ କାବୁ ।।
ଗଣ୍ଡାଏ ବୋତଲେ ପିଇବା ପାଣି
ମାଠିଆରେ ଭଙ୍ଗା ଖଟା ତୋରାଣି ।।
ସିଝା ଆଳୁସାଥେ ମଟର ଗଜା
ପକାଇ ଚକଟେ ପାମ୍ପଡ ଭଜା ।।
ଲୁଣ ଜିରା ଗୁଣ୍ଡ ମିଶାଇ ଲଙ୍କା
ଦଳି ଦେଇକରି ବନାଏ ଚୋଖା ।।
ଭାରି ବଢିଆ ତା ଆଳୁଦଅମ
ଭୁଲିଯିବ ତୁମେ ତୁମରି କାମ ।।
ହଲି ହଲି ସିଏ ଫାଡଇ ପୁରି
ଚୋଖା ଭରିଦେବ ନ କରି ଡେରି ।।
ବୁଡାଇବ ତାକୁ ଖଟା ପାଣିରେ
ପରସି ଦେବସେ ପତ୍ର ଉପରେ ।।
ଗୋଟି ଗୋଟି କରି ମନରେ ଗଣେ
ଭୁଲେ ନାହିଁ ଜମା ହିସାବପଣେ ।।
ଝିଅ ବୋହୁ ପିଲା ଲଗାନ୍ତି ଧାଡ଼ି
କଲେଜ ପିଲାଏ ଆସନ୍ତି ମାଡ଼ି ।।
ମାସୁ ମାସୁ କରି ଯାଆନ୍ତି ଖାଇ
ଉପବାସେ ସତେ ଅଛନ୍ତି ରହି ।।
ଛୋଟିଆ ବେପାର ଭଲ ପଇସା
ନିତି ଦିନ ତାର ଏହି ବେଉସା ।।
ପାଞ୍ଚ ପ୍ରାଣୀ ସିଏ ପାଳଇ ଭଲେ
ପୁଅ ଝିଅ ନେଇ ସଂସାର ଚାଲେ ।।
ସ୍ତ୍ରୀ ଟି ତାହାର ଅତି ଚତୁର
ଘର କାମେ ପାଇଁ ଭାରି ଆଦର ।।
ପରିଶ୍ରମ କରି କୁଟୁମ୍ବ ପୋଷେ
ଛୋଟ ସଂସାର ତା ଖୁସିରେ ହସେ ।।
ଦୁନିଆଁରେ ଯିଏ କରୁଛି କାମ
ଉପାସେ ନ ରହେ ଏହି ତ ଧର୍ମ ।।
ପରିଶ୍ରମ କଲେ ଆଗେଇ ଯିବା
ଆମରି ପିଢିଙ୍କୁ ଆମେ ଗଢିବା ।।
ଦୁଃଖ ଫେରିଯିବ ଅନେକ ଦୂର
ହସିବ ଆମର ସୁନା ସଂସାର ।।
ଜାତି ଭେଦ ଆଉ ରହିବ ନାହିଁ
ହରିଆ ହାତରୁ ଗୁପଚୁପ୍ ଖାଇ ।।
ହରିଆ ପଢାଏ ପିଲାଙ୍କୁ ତାର
ଆମ ଗାଆଁ ଛକ ଶିଶୁ ମନ୍ଦିର ।।
ଭଲ ପାଠ ସେଠି ପଢା ହୁଅଇ
ସଂସ୍କାର ସଂସ୍କୃତି ଶିକ୍ଷା କୁ ନେଇ ।।
ହରିଆ ପଛକେ ପଢିନି ପାଠ
ପିଲାଏ ତାଙ୍କର ଉତ୍ତମ ଚାଟ ।।
ନ ରଖି ମନରେ ଲାଜ ସରମ
କରିଯିବା ଆମେ ଆମରି କାମ ।।
ହସିବ ଧରଣୀ ହସେ ଓଡିଶା
ସବୁ ରାଜ୍ଯ ସାଥେ ସାଇ ପଡିଶା ।।
ଗୁପଚପ୍ ବେପାର କାହାଣୀ ମୋର
ଦୋଷ ଥିଲେ କ୍ଷମା ଦେବ ସତ୍ତ୍ୱର ।।

Post a Comment