Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ରଥଯାତ୍ରା - ଲୀନା ମହାନ୍ତି

ନବୁ କି କାଳିଆ ଲଗାଇ ତୋ ଡୋରି
ରଥଯାତରା କୁ ତୋର,
ମୁଁ ପରା ପତିତ ଯାଇପାରୁ ନାହିଁ
ତୋହରି ଶିରୀ ମନ୍ଦିର ।।
ଦାସିଆ ନଡିଆ ନେଇଥିଲୁ ପରା
ତୁହି ତ ବଢ଼ାଇ ହାତ,
ବାଲି ରଥେ ଦେଲୁ ଦରଶନ ତୁହି
ଅଟକାଇ ନିଜ ରଥ ।।
ଭକ୍ତ ବିନୋଦିଆ ଭାଵରେ ତୁ ବନ୍ଧା
ଭକତ ଗଳାର ମାଳି,
ଭକତଙ୍କୁ ତୁହି ଦେଖିବା ପାଇଁକି
ଆସୁ ପହଣ୍ଡିରେ ଝୁଲି ।।
ଛାଡ଼ି ଆସୁ ତୁହି ରତ୍ନ ସିଂହାସନ
ଭାଇ ଭଉଣୀଙ୍କ ସାଥେ,
ବଡ଼ଦାଣ୍ଡେ କରୁ ଭକତଙ୍କ ମେଳି
ତତେ ଦେଖିବେ ବୋଲି ଭକତେ ।।
ଛାଡ଼ି ଆସୁ ତୁହି ଷାଠିଏ ପଉଟି
ମା ଙ୍କ ରନ୍ଧା ବ୍ୟଞ୍ଜନ,
ଅନେଇ ବସିଛି ମାଉସୀ ସେପଟେ
ପୋଡ଼ ପିଠାରେ ତୋ ମନ ।।
ବରଷକେ ଥରେ ଦେଖିବ ସେ ତତେ
ଡାକିବ କାଳିଆ ସୁନା,
ଆସିବୁ ତୁ କରି କେତେ ଭକ୍ତ ମେଳି
ତତେ କିଏ ବା କରିବ ମନା ।।
ଦେଖାଦବୁ ତୁହି ବାମନ ବେଶରେ
ଦେଖିବେ ଭକତ ଜନ,
ଦେଖିଦେଲେ ଥରେ ରଥର ଉପରେ
ହେବ ନାହିଁ ପୁନର୍ଜନ୍ମ ।।
ତୁ ସିନା ଆସିଛୁ ଭକତ ପାଇଁକି
ଭକତ ପାଖେ ତୋ ମନ,
ରୁଷି ବସିଛନ୍ତି ଲକ୍ଷ୍ମୀ ମା ସେଠି
କରି କେତେ ଅଭିମାନ ।।
ନଅ ଦିନ କରି ଶ୍ରୀ ମନ୍ଦିର ଖାଲି
ଯିବ ତାଙ୍କୁ ତୁମେ ଛାଡ଼ି,
ଭକ୍ତ ମେଳେ ତୁମେ ନଅ ଦିନ ପରେ
ଆସିବ ପୁଣି ବାହୁଡି ।।
ଅଭିମାନେ ମା ମନ୍ଦିରରେ ଥିବେ
ଅପେକ୍ଷାରେ ତୁମ ରହି,
ବୁଝାଇବ ନିଜେ ମାଆଙ୍କୁ ମନ୍ଦିରେ
ତୁମେ ତ ଜଗତସାଇଁ ।।

Post a Comment

0 Comments