Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଆଜି ପରା ରଥଯାତ - ଜିତେନ୍ଦ୍ର ସାହୁ

ଉଇଁଲେଣି ରବି ଚାଲ ଟିକେ ବେଗି
ଏଇ ଦିଶିଲାଣି ନେତ,
ବରଷକ ପରେ ଆସିଛି ସତରେ
ଆଜି ପରା ରଥଯାତ,,।।
ସରଧା ବାଲିରେ ଥୋଇ ପାଦ ଧୀରେ
ଜଗା ପୟେ ମତି ରଖ,
ଆସୁଛି କାଳିଆ ମୟୁର ଚୁଳିଆ
ଭକତ ଭିଡକୁ ଦେଖ,,।।
ତାର ବଡଭାଇ ଭଉଣୀ ଗହ୍ଲେଇ
ସାଥିରେ କାଳିଆ ସୁନା,
ହେଇ ଯେ ଉଚ୍ଛନ୍ନ କରନ୍ତି ଗମନ
ଲକ୍ଷ୍ମୀ ଠାକୁରାଣୀ ବିନା,,।।
ଦେଖ ହେ ସଙ୍ଗାତେ ଦିଅନ୍ତି ଭକତେ
ହୁଳହୁଳି କରତାଳି,
ଜଗା ବି ପ୍ରେମରେ ଭକତ କାନ୍ଧରେ
ଆସୁଥାଏ ଢଳିଢଳି,,।।
ତାର ବଡଦାଣ୍ଡେ ସଭିଙ୍କର ତୁଣ୍ଡେ
ପଡେ ହରିବୋଲ ହୁରି,
ବିଶ୍ବର ମଙ୍ଗଳେ ଯାଅନ୍ତି ସଅଳେ
ରଥପରେ ବିଜେକରି,,।।
ତାଳଧ୍ବଜ ରଥେ ବଳଭଦ୍ର ସତେ
ପଦ୍ମଧ୍ବଜେ ଶ୍ରୀସୁଭଦ୍ରା,
ଗରୁଡ ଧ୍ବଜରେ କାଳିଆ ସତରେ
ଚୋରାନ୍ତି ଭକ୍ତଙ୍କ ନିଦ୍ରା,,।।
ତିନି ରଥପରେ ବିଜେ କଲାପରେ
ଛେରା ପହଁରାର ନୀତି,
ସଅଳ ସାରନ୍ତି କୃପା ଲଭିଥାନ୍ତି
ମହାରାଜା ଗଜପତି,,।।
ଟାଣିବାକୁ ସତେ ଭକତଙ୍କ କେତେ
ଲାଗି ଯାଇଥାଏ ଭିଡ,
ଦଉଡିକୁ ଧରି ପ୍ରଭୁ ନାମ ସ୍ମରି
ଭକତେ କୁହନ୍ତି ଗଡ,,।।
ନଅଦିନ ପାଇଁ ଯିବେ ଯେ ଗୋସାଇଁ
ଜନମବେଦୀଙ୍କୁ ତାଙ୍କ,
ପହଞ୍ଚିଲା ପରେ ପାଇବେ ସାଦରେ
ଆଦର ମାଉସୀ ମା'ଙ୍କ,,।।
ପୋଡପିଠା ଫାଳେ ଖିଆ ସରିଗଲେ
ବିତିଯିବ ନଅଦିନ,
ବାହୁଡା ନିମନ୍ତେ କାଳିଆ ସାଆନ୍ତେ
ଆପେ ବଳାଇବେ ମନ,,।।
ପ୍ରଭୁ ଚକାଡୋଳା ରଚନ୍ତି ଏ ଲୀଳା
ବୁଝିବ ବା କାହିଁ କିଏ ?
ନଅଦିନ ଧରି ରଥଯାତ କରି
ମଙ୍ଗଳ କରନ୍ତି ସିଏ,,।।
ଜିତେନ୍ଦ୍ର ସାହୁ
ଏମ୍. ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0 Comments