Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କବିତା ଗୋ - ରଶ୍ମି ରଞ୍ଜିତା ମିଶ୍ର (ରୋଜି)

କବିତା ଗୋ......
ତୁମ ହାତେ ବନ୍ଧା ମୋ ଜୀବନ
ତୁମ ବିନା ଚକ୍ଷୁ ଥାଇ ମୁଁ ଦୃଷ୍ଟିହୀନ ।

ମୋ ମନ ସିନ୍ଦୁକରେ ବସିଛ ମଉନେ
ସୁବର୍ଣ୍ଣ କୋଲପ ଦେଇ ରଖିଛି ଯତନେ ।

ତୁମେ ମୋ ମନ ମାନସୀ,ସପନ ନାୟିକା
ତୁମ ବିନା ଏ ଜୀବନ ଲାଗେ ଫିକା ଫିକା ।

କବିତା ଗୋ
ତୁମ ଦେହେ ଖଞ୍ଜିବି ମୁଁ ଲାଜର ଗହଣା
ଲାଜବନ୍ତି କୁଆଁରୀ ଗୋ ନକର ବାହାନା ।

ତୁମ କାନ କୁହା କଥା ମାନିବି ମାନିନୀ
ଗାଉଥିବି ତୁମ ଗୁଣ ଦିବସ ରଜନୀ ।

ମୁଁ ହେଲେ କବି କଲମ ତୁମେ ତାର କାଳି
ଦୁହେଁ ମିଶି ଏକ ହେଲେ ଶୁଭେ କରତାଳି ।।


ଆଗୋ ମହିୟସୀ, ତୁମେ ମୋର ଅସି
ଜୀବନ ରଣଭୂମିରେ
ରଣରଙ୍ଗିନୀ ମୋ ଜୀବନ ସଙ୍ଗିନୀ
ଫେରି ଚାହଁ ମୋତେ ବାରେ ।
ମରୁ ଯାତ୍ରୀ ପରି ଅଣନିଶ୍ୱାସୀ ମୁଁ
ମରୀଚିକା ପଛେ ଧାଏଁ
ତୁମେ ମୋ ନିଃଶ୍ବାସ, ଅତୁଟ ବିଶ୍ବାସ
ତୁମ ପରଶ ମୁ ଚାହେଁ ।

ଏଡିକି ଫୁଲେଇ କବିତା ତୁମେ ଗୋ
ନ ବୁଝ ଅନ୍ତର କଥା
ତୁମ ଆଡରୁଷା, ତେରେଛା ଚାହାଣି
ଦେଖି ହଜିଯାଏ ଚେତା ।
ମୁରୁକି ହସିଲେ ତୁମେ କବିତା ଗୋ
ଛନ୍ଦ ହୀନ ହୁଏ ମୁହିଁ
ଖାପଛଡ଼ା ହୁଏ ମୋ ଜୀବନ ସ୍ୱର
ତାଳ, ଲୟ କୁ ହଜାଇ ।


ଆଖିରେ ଭରିଲ ସହସ୍ର ସାପନ
ପହିଲି ପୁଲକେ ମୋର
କେଉଁଠୁଁ ଆସିଲ ମାନସୀ ଗୋ ମୋର
କେଉଁ ରାଇଜରେ ଘର ।
କାହାପାଇଁ ତୁମେ ରାଣୀ ମହୁମାଛି
କା ପାଇଁ ଛଡା ତୁଳସୀ
ମୋ' ପାଇଁ ତୁମେ ହୃଦୟସ୍ପନ୍ଦନ
ଗୋଲାପ ରାଣୀ କହୁଛି ।।
କାହା ପାଇଁ ତୁମେ ଜୀଵନ ଜୀବିକା
କା ପାଇଁ ଦୁଃଖ ପସରା
କାହା ପାଇଁ ତୁମେ ଚାନ୍ଦର ଚାନ୍ଦିନୀ
ମୋ ପାଇଁ ତୁମେ ସାହାରା ।

ପାହାନ୍ତି ସପନେ ପାଦ ଚିପି ଆସି
ହସ ଖୁସି ଦିଅ ନେସି
ତୁମ ଗଭୀରତା ମାପିବାକୁ ଯାଇ
କିଏ ପୁଣି ଯାଏ ଭାସି ।
କାହା ସପନ ର ନାୟିକା ତୁମେ ଗୋ
କାହା ହୃଦୟର ରାଣୀV
ଇସାରା ରେ ଯାହା କୁହ କବିତା ଗୋ
କବିଏ ହୁଅନ୍ତି ଗୁଣି ।
ଫୁଲ ହୋଇ ଫୁଟ କବିତା ଗୋ ମୋର
ବିଛୁରିତ କର ବାସ
ଗନ୍ଧର୍ବ, କିନ୍ନର କରୁଥିବେ ସେବା
ନକର ମନ ବିରସ ।



ଏ ଘର ମାଉସୀ, ସେ ଘର ପିଉସୀ
କାହାପାଇଁ ହଉ ଆଜି
ସ୍ବର୍ଗ, ମର୍ତ୍ତ୍ୟ ଆଉ ପାତାଳ ବାରତା
ଯୋଗାଉ ନାରଦ ସାଜି ।

ଶବ୍ଦ ରେ ଅଛୁ କି ଛନ୍ଦରେ ରହିଛୁ
କେତେ ବା ଖୋଜିବି ଆଉ
ଧାରା ଦିଏ ଥରେ ମୋ ହାତ ମୁଠାରେ
ନଦେଖା ଲୋ ଏତେ ଭାଉ ।

ଆଲୋଲୋ କବିତା ଅଲାଜୁକି ପରି
ଏଡ଼େ ଅକରମ କଲୁ
ଉତ୍କ୍ଳେ ଜନମି ଉତ୍କଳ ମାତାର
ଛାତିରେ ଗାର ଟାଣିଲୁ ।

ଯହିଁ ତହିଁ କିଆଁ ବୁଲୁ କବିତା ଲୋ
ଅଘରି ପରାଏ ତୁହି
ଭାଷା ଜ୍ଞାନ କିବା ପୋଡି ଖାଇଲୁଣି
ଯାହା ତାହା ଦେଉ କହି।

ଏ ଜାତିର କବି ,ଲେଖକ, ଗାଳ୍ପିକ
ସାହିତ୍ୟ ସାଧନା କରି
ଦିବ୍ୟ ଆସନରେ ବସିଛନ୍ତି ଦେଖ
ତତେ କବିତା ଲୋ ସ୍ମରି ।





ହେ କବିତା ତୁମେ ନର୍ତ୍ତକୀ ସାଜିଲେ
ନୁପୁର କରିବ ମତେ
ରୁଣୁଝୁଣୁ ତାନେ କମ୍ପିବ ମେଦିନୀ
ମୁଁ ରହିଲେ ତୁମ ସାଥେ ।
ସରୁ ଅଳତା ରୁ ଦୁଇପଟ ଗାର
ଟାଣିବ ତୁମ ପାଦରେ
ଥେଇ ଥେଇ ନାଚି ନଚାଇବ ମତେ
ମଧୁ ଝରାଇ ଅଧରେ ।
ହେ କବିତା ତୁମ ଚୋରା ଚାହାଣୀର
କାହାଣୀ ବୁଝାଅ ମତେ
ମୁଁ ଏକ ଚାତକ ତୁମେ କଳା ମେଘ
ସିକ୍ତ କର ନିଜ ହାତେ ।
ତୁମେ ମୋ ଆରମ୍ଭ ତୁମେ ମୋର ଶେଷ
ଏଇ ମିଛ ଦୁନିଆ ରେ
ଅଭିନୟ ସାରି ବହୁଡ଼ିବା ବେଳେ
ତୁମେ ଥିବ ମୋ ସାଥିରେ ।





କବିତା ଲୋ ମାନ ମୋ ମନା
ମିଛେ ଅଭିମାନ କରି
ଲୁହ ଆଉ ଝରାନା
ମାନ ମୋ ମନା ।

ମୋ ମନ ସିନ୍ଦୁକର
ତୁ ଅମୂଲ ଗହଣା
ତୋ' ବିନା ଶୂନ୍ୟ ହୃଦୟେ
ଭରିଛି ଲୋ ଯାତନା ।
ଛାତିକୋହେ ଆଖି ଲୁହ
ଓଠକୁ ତୁ ଝରାନା
ଢଳ ଢଳ ଆଖିରୁ ତୋ
କଜଳ କୁ ଲିଭାନା ।
ମାନ ମୋ ମନା ।

ତୁ ମୋର ପରାଣ ମିତ
ତୋ ପାଇଂ ଗୋ ମୁଁ ମହତ
ଧନ୍ୟବାଦ ସତ ସତ
ତତେ ଲଳନା ।
ମାନ ମୋ ମନା ।।

ଫେରିବ ତୋର ଗୌରବ
ଉଡିବ ବାନା
ଐତିହ କିରତି ସ୍ପଷ୍ଟ
ଦିଶୁଛି ଅନା
ତୁ ହେଲେ ସ୍ୱପ୍ନ ନାୟିକା
ମୁଁ ଯେ ସପନା
ମାନ ମୋ ମନା ।।




କବିତା ଗୋ ତୁମ କଥା କୁହା ଆଖି
ଇସାରା କରଇ ମତେ
ତୁମ ଇଙ୍ଗିତରେ ଅମଡା ବାଟରେ
ଧାଉଁଥିବି ଅବିରତେ।

ତୁମରି ସାନିଧ୍ୟ ଏକାନ୍ତ କାମନା
ମୋର ଏଇ ଜୀବନରେ
ନିଷ୍ଠୁର ହୁଅନା କବିତା ଗୋ ମୋର
ଲକ୍ଷ ପୂର୍ଣ କର ବାରେ ।

ମୋ ଜୀବନ ଲକ୍ଷ କର ଗୋ ପୁରଣ
ପହିଲି ଫଗୁଣେ ଛୁଇଁ
ତୁମ ଚଲାପଥେ ରହିଛି ଅନେଇ
ବାଲି ଗରଡ଼ା ଟେ ହୋଇ ।

ମୋର ଏ ଜୀବନ ସଦା କାଗଜରେ
ଲେଖିଦିଅ ତୁମ ନାଁ
ଫର୍ଦ୍ଦ ପରେ ଫର୍ଦ୍ଦ ଲେଖି ଉଡାଇବି
ତୁମେ ମୋ ଜୀବନ ରାହା ।





କବିତା ଗୋ କେଉଁ ଅଜଣା ସମ୍ପର୍କେ
ଛନ୍ଦା ଆମରି ଜୀବନ
ସୁର,ତାଳ, ଲୟ,ଛନ୍ଦରେ ତୁମରି
ବନ୍ଧା ପଡିଛି ମୋ ମନ ।

ତୁମ ବଗିଚାରେ ପ୍ରଜାପତି ହୋଇ
ଉଡିବି ଫୁଲରୁ ଫୁଲ
ସଞ୍ଜ ଗଲେ ନଇଁ ଫୁଲେଇ ଗୋ ମୋର
ତୁମ ସାଥେ ହେବି ଗେଲ ।

କରିବନି ପର, ହେବନି ନିଷ୍ଠୁର
ତୁମ ପାଶେ ଏଇ ଅଳି
ଅଜଣା ରାଇଜ ରାଜକୁମାରୀ ଗୋ
ପ୍ରୀତି ଛଳେ ନିଅ ତୋଳି ।

ଅନ୍ତରେ ତୁମର ଯାଗା ଟିକେ ଦିଅ
ତୋଳିବି ସ୍ୱପ୍ନ ନଅର
ତୁମ ଚିତ୍ରପଟ ଖଞ୍ଜିବି ସେ କାନ୍ଥେ
ଜତନେ ତୁଳୀରେ ମୋର ।





କି କିମିଆଁ କଲୁ କବିତା ଲୋ ତୁହି
ନିଜକୁ ନିଜେ ଭୁଲିଲି
ନିଜର ଅସ୍ତିତ୍ବ ହରାଇ ଆଜି ମୁଁ
ତୋ ପଛେ ଗୋଡେଇ ମଲି ।

ଏଡିକି ମନୋଇ କବିତା ଲୋ ତୁହି
ଅମାନିଆ, ଅଝଟିଆ
ସାମାନ୍ୟ ଆଘାତେ ଦୁରେ ଠେଲି ମତେ
ମଝିଦାଣ୍ଡେ ହଉ ଠିଆ ।।

ତୋ ପାଶେ ନେହୁରା କେତେ ମୁଁ ହେବିଲୋ
ମନ ବୁଝୁନାହୁଁ ମୋର
କି ଦେଇ ତୋଷିବି ତତେ କବିତା ଲୋ
ମଣୁ ମତେ ଛାର ନର ।

ଅନ୍ତର କୁ ଫାଡ଼ି ନିରେଖି ପରଖ
କିଶ ରହିଅଛି ତହିଁ
ରକ୍ତ, ମାଂସେ ଗଢ଼ା ଶରୀର ମୋର ଏ
କେବଳ ତୋହରି ପାଇଁ ।





ବଣ, ବିଲ,ନଈ, ପାହାଡ଼,ପ୍ରାନ୍ତର
ଘିରି ଘିରି ହେଇ ବୁଲୁ
ଆକାଶ କଇଁଆ,ଚିଲିକାର ମାଛ
ସନ୍ଦେଶ କୁ ଆଣି ଦେଲୁ ।

କି ଲାଭ ପାଇଲୁ କବିତା ଲୋ କହ
ନିଉଜ ଚାନେଲ ଖୋଲି
କିଏ ବା ପଢୁଛି ତତେ କବିତା ଲୋ
ନାଲି ବୋତଲ ନ ଖୋଲି ।

ପୋଥି ବାଇଗଣ ହେଲୁଣି କବିତା
ତେଣିକି ତୋ ନିଘା ନାହିଁ
କାଗଜ କଲମ ରଦ୍ଧ ହୋଇଲାଣି
ଦୁରଭାସ ଯନ୍ତ୍ର ପାଇଁ ।

ସଂଗ୍ରହାଳୟରେ ରହିଥିବୁ ଚାହିଁ
ମିଟି ମିଟି କରି ଆଖି
ଉତ୍କ୍ଲିୟ ଭାବ ହେବଲୋ ଅଭାବ
ଇଁରାଜୀ ଭାଷାକୁ ଦେଖି ।


ଅଢେ଼ଇ ଦିନକୁ ବଡେଇ କରି ତୁ
ଦେଖାଉ ଆତ୍ମ ବଡୀମା
ମିଛ ମାୟା ଭରା ସଂସାର ଇଏ ଲୋ
ଭାଙ୍ଗିବ ଦିନେ ଗାରିମା ।

ସବୁ ମୋର ମୋର କହୁ ଲୋ କବିତା
ଜାବୁଡି ସେ ଅଳଂକାରେ
ଉପମା,ରୂପକ,ଶ୍ଲେଷ ଓ ଯମକ
କେହି ନ ଥିବେ ସଙ୍ଗରେ ।

ମୁହିଁ ଏକା ତୋର ସଂଗତରେ ରହି
କରୁଥିବି ଜୟ ଗାନ
ଏଡ଼େ ନିରିଦୟ ନହୁଅ କବିତା
ନ ବିଚାର ମତେ ହୀନ ।

ପାଶେ ପାଶେ ରହି ସେବକ ପଣିଆ
ସାର୍ଥକ କରିବି ମୋର
ତୁ ପରା ମୋର ହୃଦୟର ରାଣୀ
ମୁ ତୋ କିଣା କିଙ୍କର ।




ୠତୁ ପରେ ଋତୁ ବଦଳିବା ପରି
ବଦଳାଉ କେତେ ଢଙ୍ଗ
କେବେ ତୁ ସାଜୁଛୁ ଅବଳା, ଦୁର୍ବଳା
କେବେ ହାତେ ଧରୁ ଖଡ୍ଗ ।

ଶାନ୍ତି,କାନ୍ତି ତୋର ମନ୍ତ୍ରମୁଗ୍ଧ କରେ
କବି ଜୀବନକୁ ମୋର
କାତ୍ୟାୟନୀ ରୂପ କରେ ବିଚଳିତ
ଭୟେ ହୁଏ ଥର ହର ।

ମୋ ଦଦରା ନାଵ ତୋ ପ୍ରେମେ ଭାସୁଛି
ପାଉନି କୁଲକିନାରା
ତୋ' ବତାସିଆ ମୁଖ ଦେଖି କବିତା ଲୋ
ଲାଗେ ହେବି ବେ ସାହାରା ।

ମୋର ହୃଦେ ଘର କରିଛୁ କବିତା
ଆଖିଏ ସପନ ନେଇ
ମନ ବଇଁଶୀ କୁ ଯତନେ ବାଇବୁ
ଯୁଇ ରୁ ଆସିବି ଧାଇଁ ।






କଥା ଟିଏ ତତେ କହିବି କବିତା
ଶୁଣିବୁ ତୁ ଦେଇ ମନ
କରିବୁନି କେବେ ଉପହାସ କାରେ
ରଖିବୁ ନାରୀର ମାନ ।

ଶିଶୁକନ୍ୟାଟିକୁ ମଣିବୁ ବୈଷ୍ଣବୀ
ନାରୀଙ୍କୁ ଦେବୀ ମଣିବୁ
ନର ରାକ୍ଷସର ଲୋଲୁପ ନଜରୁ
ତାହାକୁ ସୁରକ୍ଷା ଦେବୁ ।

ପାପୀସ୍ଥ ମାନବ ସାଜୁଛି ଦାନବ
ଭକ୍ଷୁଛି ସେ ନାରୀ ମାଂସ
ନ ଚିହ୍ନେ ଭଗିନୀ,କି ଅବା ଜନନୀ
ବୁଝେନା ଜନ୍ମ ରହସ୍ୟ ।

କବିତା ଲୋ ଯାଇ ଦୁର୍ଜନ ହୃଦୟେ
ସଧିରେ କର ତୁ ବାସ
ହାଉଲେ ହାଉଲେ ବଦଳାଅ ତାରେ
ଦେଇ ହିତ ଉପଦେଶ ।





ହଳଦି ରଙ୍ଗର ପାଟ ଶାଢ଼ୀରେ ଲୋ
ନାଳିଆ ଜରି ର ଧଡି
ତୋ ରୂପା ଦେହକୁ ଭଲ ମାନଇ ଲୋ
ନଜର ଯିବ କା' ପଡି ।

ଧିରେ ଧିରେ ଯାଇ କ୍ଷେତ୍ରେ ପହଁଚିବୁ
ଦେଖିବୁ ସାଆନ୍ତ ନାଟ
ରଥରେ ବସିଛି ଚକା ଆଖି ମେଲି
ଭକତ ବଢାନ୍ତି ହାତ ।

ଭାଇ ଭଉଣୀ ଙ୍କୁ ଆଣିଛିବୋଲି ସେ
ବଡ଼ ଦାଣ୍ଡେ ଭାରି ଭିଡ଼
ଦଳା ଚକଟା ରେ ପ୍ରାଣ ଯାଉ ପଛେ
ଭକତ ପାଇଁ ସେ ବଡ଼ ।

କବିତା ଲୋ ବୁଝ କଳିଆର ଭାବ
ଆଣିନି କିଆଁ ସେ ପତ୍ନୀ
ଏକ ଲାହି ପରା ହେଇଛି ଖଣ୍ଡ ଲୋ
ସେକଥା ଜଗା ଭୁଲିନି ।

କବିତା ଲୋ ଯାଇ ଭକତ କାନରେ
ଶୁଣାଇଦେ ଏହି ବାଣୀ
ମୋହ, ମାୟା ଭୁଲି ସୁ ସଂପର୍କ ଗଢ
ଓଡ଼ିଆ ଭାଇ ଭଉଣୀ ।




କବିତା ଲୋ ଆଜି ଯିବୁ ଶ୍ରୀମନ୍ଦିର
ଦେଖିବୁ ଶ୍ରୀୟା ଙ୍କ କୋପ
ପ୍ରଭୁ ଶିରିପତି ଯାଇଛନ୍ତି ଛାଡି
କମଳା ଙ୍କ ହୃଦେ କମ୍ପ ।

ଯୁଗ ଯୁଗ ଧରି ଭାଇ ଭଗ୍ନୀ ସାଥେ
ବିଜେ ନିଜେ ମହାବାହୁ
ସାରା ଜଗତକୁ ଦିଅନ୍ତି ବାରତା
ରକତ ସମ୍ପର୍କ ରହୁ ।

ଜଗତ ଜନନୀ ଲକ୍ଷ୍ମୀ ଠାକୁରାଣୀ
ପ୍ରଭୁଙ୍କ ପଦ ସେବୀକା
ଯେତେ ଧନ, ମାନ ଥାଉ ତାଙ୍କ ପାଶେ
ମନ୍ଦିର ର ସେ ରକ୍ଷିକା ।

ମାନ, ଅଭିମାନ କରିଥାନ୍ତି ମାତା
ପ୍ରଭୁ ସଂଗେ ଯିବାପାଇଁ
ଦେଢଶୁର ସାଥେ ଭାଇବୋହୁ ଯିବା
ପରମ୍ପରା ଏଠି ନାହିଁ ।

ପଡିଦାତ୍ରୀ ତୁମେ ପଡି ଚରଚିବ
ଘରେ ଘରେ ମଗୁଶିରେ
ସମସ୍ତଙ୍କୁ ଛାଡି ଏକା ତୁମେ ଯିବ
ନ ନେବ ସାଙ୍ଗରେ କାରେ ।

ଏମନ୍ତ ଅଭୟ ଦେଇ ମହାପ୍ରଭୁ
ଭାଇ ଭଉଣୀ ଙ୍କୁ ଘେନି
ଘୋଷଯାତ୍ରା ବଡ଼ଦାଣ୍ଡରେ କରନ୍ତି
ଭକତ ମନକୁ ଚିନ୍ହି ।

କବିତାଲୋ ଯାଇ ମାତା ପାଶେ ରହି
ଅଭିମାନ କର ଦୂର
ମାତା କୋପ କଲେ ଭାଙ୍ଗିବେ ରଥକୁ
ଯାତରା ହେବ ବେକାର ।




ଗେଲ୍ହେଇ, ଫୁଲେଇ ମନୋଇ ଡାକି ମୁଁ
ତେଲଉଛି ନିତି ତତେ
ଏ କାନେ ବାଜିଲେ ଛାଡୁ ସେ କାନରେ
ହତାଦର କରୁ ମତେ ।

ଏଡ଼େ ତୋ ବହପ ଦେଖାଉଛୁ କୋପ
ମୋ ହାତେ ଅଛି ତୋ ଚାବି
ବିଲେଇ ହୋଇ ତୁ ଖାଇ ଗୋଡାଉଛୁ
ଲୁହା କୁ କଅଁଳ ଭାବି ।

ସେଇ ଲୁହା ପରା ଲୁହାକୁ କାଟଇ
ଏ କଥା କି ଜାଣିନାହୁଁ
ପରିହାସ ତୋର ବହୁତ ହେଲାଣି
ଖାଆନା ତୁ ଆଉ ଭାଉ ।

ଘରେ ଘରେ ଯାଇ ପହଁଚି ଦେଖଲୋ
ବୃଦ୍ଧ ପିତା ମାତା ଦୁଃଖ
ଦାନା, କନା ପାଇଁ ଡହଳ ବିକଳ
ଶ୍ରୀମୁଖେ ସନ୍ତାନ ଶୋକ ।

ଯାହା ପାଇଁ ଆଜି ମେରୁଦଣ୍ଡ ବଙ୍କା
ସିଏ ତ ଅଜାତଶତ୍ରୁ
ଶ୍ରବଣ କୁମାର ନାହାନ୍ତି ଆଉଲୋ
ଉଦ୍ଧାରିବେ ପିତୃ ମାତୃ।

ଲୋକଦେଖାଣିଆ ଦିବସ ପାଳନ୍ତି
ଭୁରି ଭୋଜନରେ ମାତି
ଚଳନ୍ତି ଦେବତା ରୋଗେ ସଢୁଥାନ୍ତି
ଆପ୍ୟାୟିତ ସାଙ୍ଗ ସାଥୀ ।



ଆଖିରେ ଭରିଛୁ ତନ୍ଦ୍ରା ଲୋ କବିତା
ମନ ତୋ ପଡିଛି ବନ୍ଧା
କାହା ଇସାରାରେ ନାଚୁଛୁ କବିତା
କା ନାମେ ଘୁଙ୍ଗୁର ଛନ୍ଦା

ରୁଣୁ ଝୁଣୁ ତୋର ନୁପୁର ସ୍ଵଦେ
କରତି ହୁଏ ମୋ ଛାତି
ତୋ' ଲେଉଟା ପଥେ କ୍ଲାନ୍ତ ପଥିକ ମୁଁ
ବସିଅଛି ଦିନ ରାତି ।

ମୋ ମନ ମନ୍ଦିର ଶୂନ୍ୟ ପଡ଼ିଅଛି
ଫେରିଆ ମାନସୀ ମୋର
ତୋବିନା ଲୋ ସହି ଦିବସ ରଜନୀ
ଲାଗଇ ମତେ ଜହର ।

ହିତବାଣୀ ମୋର ପିତା କି ଲାଗୁଛି
ମାନୁ ନାହୁଁ ମୋର ବୋଲ
ଏତେ ପରକାରେ ବୁଝାଉଛି ତତେ
କରୁଛି ମୁଁ କେତେ ଗେଲ ।





ଅନନ୍ତକୋଟି ବ୍ରହ୍ମାଣ୍ଡ ର ସ୍ରଷ୍ଟା
ଛିଡା ଆଜି ବଡ଼ଦାଣ୍ଡେ
ପକାଇ ଚହଳ ଲଗାଇ ଗହଳ
କାନ ଡେରେ ଭକ୍ତ ତୁଣ୍ଡେ ।।

ବଡ଼ ହଟିଆ ସେ ଜାଣିଥା କବିତା
କ୍ଷେତ୍ରେ ଲଗାଇଛି ନାଟ
ବାଙ୍କ ଚାହାଣୀରେ ମନ କିଣି ନେବ
ଟାଣିନେବ ତୋର ହାତ ।

ତୁ ସିନା ଲଭିବୁ କାଳିଆ ପରଶ
ମୁଁ ହରାଇବି ମୋର ସତ୍ତା
ତୋ'ରି ଭିତରେ ତାକୁ ମୁଁ ଦେଖଇ
ଏ କଥା ହେଜ ରଖିଥା ।

ଭାବ ବିନୋଦିଆ ସେ ଚକା ଆଖିଆ
ବସିଛି ବାମନ ହୋଇ ।
ନର ଦେହେ ଥରେ ଏ ବେଶ ଦେଖିଲେ
ପୁନର୍ଜନ୍ମ ହୁଏନାହିଁ ।



କୋଉଠି ଖୋଜିବି ତତେ କବିତା ଲୋ
କୋଉଠି ଖୋଜିବି ତତେ
ତୋଟା ଗହଳରେ, ବଉଳ ମାଳରେ
ଅଥବା ତଟିନୀ ତଟେ ।

ପଲ୍ଲୀ ରେ ଅଛୁ ନା ଦିଲ୍ଲୀରେ ଅଛୁ ତୁ
ସନ୍ଦେଶ ନ ମିଳେ ତୋର
ଚଉଦିଗ ବୁଲି ହାଲିଆ ମୁଁ ହେଲି
ଝଡ଼ିଲା ବୟଷେ ମୋର ।

ଖୋଜିଲି କାନନେ,ମନ ଉପବନେ
କୋଉଠି ନ ହେଲା ଭେଟ
କୋଉ ମୂଳକରେ ରହିଛୁ ଲୋ କହ
ଲାଗେ ଭାରି ଛଟପଟ

ମନ ଆରସି ରୁ ଉଭେଇଲୁ କିଆଁ
କଲି କିବା କେଉଁ ଦୋଷ
ଦେଖଲୋ ନବୀନା ଆଜି ମୁଁ ତୋବିନା
ବୁଲୁଛି ହୋଇ ହତାଶ ।

ଫେରିଆ ମୋ ପାଶେ ଅଛୁ କେଉଁ ଦେଶେ
ବସନ୍ତେ ବାସନ୍ତୀ ସାଜି
ଫଗୁଣର ଫଗୁ ରଙ୍ଗେ ରଙ୍ଗାୟିତ
ହେଉ ମୋ ହୃଦୟ ଆଜି ।।




ଆ ଲୋ କବିତା କ୍ଷେତ୍ର ବୁଲିଯିବା
ଦେଖିବା କାଳିଆ ସୁନା
ଆଗେ ବଡ଼ଭାଇ ମଝିରେ ଭଉଣୀ
ପଛରେ ଥିବ ସେ କାହ୍ନା ।

ବାହୁଡାଣି ବେଳ ହେଲାଣି ତାର ଲୋ
ଫେରିବ ଶିରିମନ୍ଦିରେ
ଲକ୍ଷ୍ମୀ ଆଡ଼ରୁଷା,ମାନ ଅଭିମାନ
ଭାଙ୍ଗିବ ବୁଝାଇ ଧୀରେ ।

ଅବଢ଼ା ତୋରାଣି ସପନ ହେଲାଣି
ଜଗା ଛାଡ଼ିଗଲା ଦିନୁ
ଆନନ୍ଦ ବଜାରେ ବିଷାଦର ଛାୟା
ଦେଖି ଶୁଖିଲାଣି ତନୁ ।

କୈବଲ୍ୟ କଣିକା ପାଇ ଲୋ କବିତା
ମସ୍ତକେ ପୋଛିବା ହାତ
ମନ ପୁରିଯିବ ଡାକିଦେଲେ ଥରେ
ଜୟ ଜୟ ଜଗନ୍ନାଥ ।

ବଡ଼ ଦାଣ୍ଡ ଧୂଳି ଲେପିବା ଶରୀରେ
ଚାହିଁ ସେ କଳା ଶ୍ରୀମୁଖ
ମହୋଦଧି ସ୍ନାନ ସାରି କବିତାଲୋ
ଟାଣିବା ବାହୁଡା ରଥ ।


କହଲୋ କବିତା ତୋ ଜନ୍ମ କଥା
କାହାର ସଙ୍ଗିନୀ କାହା ଦୁହିତା ।

କାଗଜ ନା କବି କିଏ ସକ୍ଷମ
କଲମ ମୁନରେ କଲେ ଉତ୍ପର୍ନ ।

କାଗଜେ ବୁଣି ଶବଦ ର ମଞ୍ଜି
ମାତ୍ରା ରେ ଅଙ୍ଗ ଆଭରଣ ଖଞ୍ଜି

ଯୁକ୍ତାକ୍ଷର ପାଟ ପିନ୍ଧାଇ ଧିରେ
ଉପମା,ରୂପକ ଢାଳି ଅଧରେ

ନବରସି ଠାଣି ଦେଲେ ଶିଖାଇ
ତୋ ପାଇଁ ହୋଇଲା ଜଗତ ବାଇ ।

ଧନ୍ୟଲୋ କବିତା ତୋ ଜନ୍ମଦାତା
ଯୁଗେ ଯୁଗେ ହେଲୁ ଅପରାଜିତା

ଏକପଦେ ତୋର ସହସ୍ର ଭାବ
ଲୁହା ଚଣା ଖିଆ ଏକା ବୁଝିବ ।

ଗୋଟିଏ ଧାଡି ରେ ଦଉ ତୁ ଝାଡ଼ି
ହାଡ଼ରୁ ମାଉଁସ ପଡଇ ଝଡ଼ି ।

ଧନ୍ୟ ଧନ୍ୟ ତୋର ଚାଲି ଚଳନ
ଘଡିକେ ବଦଳୁ ବିଜୁଳି ସମ ।

କେବେ ବାନ୍ଧୁ ପ୍ରେମ ଫାସରେ ତୋର
କେବେ ତୁଣ୍ଡେ ଦେଉ ମିଠା ଜହର ।

କିଏ କରେ ତତେ କୋଟି ଆଦର
କିଏ କରେ ପୁଣି ଦୁରୁ ଜୁହାର ।

ତୋର ପରାକାଷ୍ଠା ଦେଖି ଲାଗଇ
ଏ ମାୟା ଜଗତେ ତିଷ୍ଠିବୁ ତୁହି ।




ଯାଇଥିଲି କାଲି ବୁଲି ଲୋ କବିତା
ଯାଇଥିଲି କାଲି ବୁଲି
ଏକାମ୍ର କାନନେ ଯାଇ ଉଠିଲି ମୋ କବିତା ଲୋ
କେତେ ଜୀବ ମୁଁ ଦେଖିଲି ।

ସ୍ଥଳଚର ଛନ୍ତି, ଜଳଚର ଛନ୍ତି,
ଅଛନ୍ତି ଉଭୟ ଚର ।
ମାଙ୍କଡ଼ ପ୍ରଜାତି ଦୁଇ ପ୍ରକାର ମୋ କବିତା ଲୋ
ଦେଖିଲେ ମାଡୁଛି ଡର ।

କାଠ ଗଣ୍ଡି ପରି ଗଡୁଛି କୁମ୍ଭୀର
ଚବକା କୂଳରେ ଆସି
କଳିଜା ଖିଆକୁ ଦେଖି ଡରିଲି ମୋ କବିତା ଲୋ
ତାରବାଡେ ହେଲି ନେସି ।

ପଶୁଙ୍କୁ ଦେଖିଲି, ପକ୍ଷୀଙ୍କୁ ଦେଖିଲି
ଦେଖିଲି ମୁଁ ସରୀସୃପ ।
ଯିଏ ଯା ମୁଲକେ ଅଛନ୍ତି ସୁଖେ ମୋ କବିତା ଲୋ
ଦେଖି ବଢିଲା ମୋ ଚାପ ।

ପଶୁ ପକ୍ଷୀ ହୋଇ ବୁଝନ୍ତି ସବୁଲୋ
ବୁଝେନା କିଆଁ ମଣିଷ
ମୁଲକ ବିସ୍ତାର ନିଶା ଘାରିଛି ମୋ କବିତା ଲୋ
ସାଜୁଛି ନର ରାକ୍ଷସ ।

ସବୁ ମୋର ମୋର କହୁଥାଏ ନର
ସଂଗତେ ନ ନିଏ କିଛି
ରାମ ନାମ ଏକା ସାର ଜୀବନେ ମୋ କବିତା ଲୋ
ଧରିଥା ତୁଣ୍ଡରେ ବାଛି ।





କି ଲେଖିବି କବିତା ଲୋ ଲାଜେ ମଲିଣି
ଶବ୍ଦ ଯୋଗାଡ଼ ବେଳକୁ ହଜେ ଲେଖନୀ ।।

ଗନ୍ତାଘର ଖୋଜି ମୁଁ ହାଲିଆ ହେଲିଣି
ଲେଖନୀ ସନ୍ଧାନ କିଆଁ ମତେ ମିଳୁନି।।

ଅସି ର ଚାଳନା ସର୍ବେ ଶିଖି ଗଲେଣି
ରାଜା ହେବା ପାଇଁ ଆପେ ଡାକ ଦେଲେଣି ।।

ପ୍ରଜା ରକତ ସୋସିବା ଅରମ୍ଭିଲେଣି
ଆସନ ଲୋଭରେ ହଟଗୋଳ କଲେଣି ।

ଦେବି ଦେବି କହି ସବୁ ଖୋଳ କଲେଣି
ତଥାପି ପଖାଳଖିଆ ନିଦ ଭାଙ୍ଗୁନି।

କି କରିବି କବିତା ଲୋ ବାଟ ଦିସୁନି
ଉଆଁସେ ସାଉଁଟେ ଜହ୍ନ କରି ଭଲେଣି ।

ଦଗାଦିଆ ଟାଉଟର ଯୋଡି ହେଲେଣି
ଗରିବ ଯୋଜନା ହଡ଼ପ ପାଞ୍ଚିଲେଣି ।

ଏତିକି ବେଳକୁ ମୁଁ ହଜାଇ ଲେଖନୀ
ଅଣ୍ଡାଳୁଛି ଶବ୍ଦମାନ କେତେ ବାହୁନି ।





ଶୁଣ ଲୋ କବିତା ମୋ ହୃଦ କଥା
ଦେଖେଇ ହୁଏନି ଅନ୍ତର ବ୍ୟଥା ।

ତୁ ମୋ ସ୍ବରୂପ ମୁଁ ତୋହର ଛାଇ
ଯୁଗେ ଯୁଗେ ଥିବା ସଂଯୋଗ ହୋଇ ।

କରିବୁନି ମତେ ଘଡ଼ିଏ ପର
ତୋ ବିହୁନେ ମୋ ଜନମ ଅସାର ।

ତୁ ମୋ ପ୍ରାଣ ପକ୍ଷୀ ମୁଁ ଯେ ଶରୀର
ଅଧା ଗଢି ଭାଙ୍ଗି ନ ଦେବୁ ନିଡ଼ ।

ସମାଜ କଲ୍ୟାଣେ ହୋଇବା ବ୍ରତୀ
ଜନ ସଚେତନ କରିବା ନିତି ।

ଆସୁ ଝଡଝଞ୍ଜା ଆସୁ ବିପଦ
ଏକ ମନ ଥିଲେ ଲଙ୍ଘିବା ସର୍ବ ।

ହାରିବା ନାହିଁ କି ଡ଼ରିବା ନାହିଁ
ସୁପ୍ତ ହୃଦୟ କୁ ଦେବା ଚେତାଇ ।

ନିଜପାଇଁ ନିଜେ ଲଢ଼ିବା ଶିଖି
ନିଜ ମାନଦଣ୍ଡ ରଖିବେ ଟେକି ।


ରୋଜି ମିଶ୍ର ।
ବ୍ରାହ୍ମଣ କୁଶଡିହ, ବାଲୁଗାଁ ।

Post a Comment

0 Comments