Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

କ୍ଷୁଦ୍ରଗଳ୍ପ - ଅନ୍ତର୍ଦାହ - ଅମରେନ୍ଦ୍ର ଚୌଧୁରୀ ଓଝା

ସବୁ ପାଇବା ଭିତରେ କେଉଁଠି ଗୋଟେ ଫାଙ୍କା ମୁହୂର୍ତ୍ତ ଆସି ଝୁଲିପଡ଼େ । ଆଖି ସାମ୍ନା ରେ ମୁହୂର୍ତ୍ତ ସବୁ ବାଷ୍ପ ହୋଇଯାଏ। ଏକ ବିରାଟ ଶୂନ୍ୟତା ଆବୋରି ବସେ ସମଗ୍ର ସତ୍ତା । ଧୂଆଁଳିଆ ଦିଶେ ଅତୀତ ରୁ ଚେନାଏ । ତା ଠୁ ସୀମା ନିଜକୁ ମୁକ୍ତ କରିପାରେ ନାହିଁ । ବରଂ ମୁକୁଳିବାକୁ ଯାଇ ଅଜାଣତରେ ହିଁ ବାନ୍ଧିହୋଇ ପଡେ। ଏଇ କାଲି ପରି ତ ଲାଗୁଛି ଯେତେବେଳେ ତାର ବାହାଘର ହୀ ପାରୁନଥିଲା । ଯୌତୁକ ବଜାରରେ ଦର କଷି ବାପା ତାର ହାଲିଆ ହୋଇ ଯାଇଥିଲେ । ସେତେବେଳେ ସୀମା ଭାବୁଥିଲା ସେ ହୁଏତ ଅବିବାହିତା ହୋଇ ରହିଯିବ । ବୈବାହିକ ଜୀବନ ର ସୁଖ ତା ପାଇଁ ଏକ ସ୍ବପ୍ନ । କୁଆଁରୀ ମନ ତଳର ଅସୁମାରୀ ସ୍ୱପ୍ନକୁ ହୃଦୟର ରୁଦ୍ଧ କୋଠରୀ ରେ ବନ୍ଧ କରିନେଇଥିଲା ସେ।ନିଜକୁ ନିଜେ ବୁଝେଇ ଦେଇଥିଲା ଯେ ଜୀବନରେ ବିବାହ ଟା ନିହାତି ଆବଶ୍ୟକ ନୁହେଁ । କିନ୍ତୁ ହଠାତ୍ ଦିନେ ମାମୁଁ ତାର ପ୍ରସ୍ତାବ ନେଇ ଆସି ପହଁଚିଲେ । ଭଲ ଘର ଭଲ ବର, ଆଉ ଝିଅ ଯଦି ପସନ୍ଦ ହୁଏ ସେମାନେ ବିନା ଯୌତୁକ ରେ ବାହାଘର କରିବେ ବୋଲି ଶୁଣି ବୋଉ ତାର ମନେ ମନେ କେତେ ଠାକୁରଙ୍କୁ ମାନସିକ କରି ସାରିଥିଲା । ବନ୍ଧୁ ଚର୍ଚ୍ଚାରେ ଯେମିତି ଟିକିଏ ହେଳା ନହୁଏ ବାପା ତାର ଆୟୋଜନରେ ଲାଗିପଡିଥିଲେ । ଆଉଥରେ ଭାଗ୍ୟ ପରୀକ୍ଷା ଦେବାପାଇଁ ନିଜକୁ ପ୍ରସ୍ତୁତ କରୁଥିଲା ସୀମା । ଯାହାହେଉ ମା ମଙ୍ଗଳାଙ୍କ କୃପାରୁ ପ୍ରଥମ ଦେଖାରେ ହିଁ ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଯାଇଥିଲା । ରାଜେଶ ବି ତାକୁ ଖୁବ୍ ଭଲ ଲାଗିଥିଲେ। ଶାନ୍ତ, ସୁନ୍ଦର ଚେହେରା ସାଙ୍ଗକୁ ମାପଚୁପ କଥାବାର୍ତ୍ତା ସୀମା କୁ ନିଜ ଆଡକୁ ଆକର୍ଷିତ କରିନେଇଥିଲା । କଳ୍ପନାରେ ଆଙ୍କିଥିବା ରାଜ କୁମାରଙ୍କ ଠାରୁ କୌଣସି ଗୁଣରେ କମ୍ ନଥିଲେ ରାଜେଶ । ବଡ଼ ଧୁମଧାମରେ ରାଜେଶ ଙ୍କ ସହ ତାର ବାହାଘର ହୋଇଯାଇଥିଲା । ଯୌତୁକ ପାଇଁ ଟଙ୍କାଟିଏ ବି ଦାବି କରିନଥିଲେ ରାଜେଶ । ଶ୍ୱଶୁର ଘରେ ପହଞ୍ଚିବା ପରେ ସମସ୍ତେ ତାର ଖୁବ୍ ପ୍ରଶଂସା କରିଥିଲେ। ଶାଶୂ ତାର ରୂପ ଗୁଣ ର ପ୍ରଶଂସା କରିବାରେ କେବେ ବି ଠାକୁ ନଥିଲେ । ସୀମା ବଦଳରେ ତାକୁ ଘରର ଲକ୍ଷ୍ମୀ ବୋଲି ଡାକୁଥିଲେ । ଆଉ ରାଜେଶ ତାକୁ ଭଲ ପାଇବାରେ କେବେ ବି ଅବହେଳା କରି ନଥିଲେ । ସୀମାର ଆଉ କିଛି ଦରକାର ନଥିଲା । ସ୍ୱର୍ଗ ଯେମିତି ତା ହାତମୁଠାରେ ଥିଲା । ସ୍ନେହୀ ଶାଶୂ, ଅନୁରକ୍ତ ଦିଅର, ନଣନ୍ଦ ସର୍ବୋପରି ରାଜେଶଙ୍କ ଭଲପାଇବା ଭିତରେ ସେ ନିଜକୁ ଦୁନିଆର ସବୁଠୁ ବଡ଼ ସୌଭାଗ୍ୟବତୀ ମନେ କରୁଥିଲା ।

ଗଡ଼ି ଚାଲିଲା ସମୟ ର ଚକ । ପ୍ରତ୍ୟେକ ଲୋକଙ୍କ ଜୀବନ ରେ ସୁଖ ଆସେ ଘୋଡ଼ା ର ସଵାରୀ ଚଢି । ହାତୀ ପିଠିରେ ଦୁଃଖ ଆସେ । ବିବାହର ପାଞ୍ଚ ବର୍ଷ ଖୁବ୍ ସୁରୁଖୁରୁ ରେ ବିତିଗଲା । ରାଜେଶଙ୍କ ପ୍ରେମ ତା ପ୍ରତି ତ୍8କେ ବି କମି ନଥିଲା । ତା ଠାରୁ ନାତି କି ନାତୁଣୀ ଟିଏ ଇଛା କରୁଥିବା ଶାଶୂଙ୍କ ବ୍ୟବହାର କିନ୍ତୁ ଦିନକୁ ଦିନ ବଦଳି ଚାଲିଥିଲା । ଆଜି ତ ଶାଶୂ ରାଜେଶଙ୍କୁ ଦ୍ଵିତୀୟ ବିବାହ କରିବା ପାଇଁ ବାଧ୍ୟ କରୁଥିବାର ସେ ନିଜେ ଶୁଣିଛି । ଶାଶୂଙ୍କ କଥା ତା କାନରେ ଯେମିତି ପ୍ରତିଧ୍ବନିତ ହେଉଥିଲା- "ବାହାଘର ର ପାଞ୍ଚବର୍ଷ ବିତିଗଲାଣି । ନାତି କି ନାତୁଣୀ ଟିଏ ର ମୁହଁ ଦେଖି ପାରିଲିନି । କୋଉ ଯୋଗରେ ଏ ଅଲକ୍ଷଣୀ ର ପାଦ ମୋ ଘରେ ପଡିଥିଲା କେଜାଣି। ସାହି ପଡିଶା ରେ ମୁଁ ଆଉ ମୁହଁ ଟେକି ଚାଲି ପାରୁନି । ତୋତେ କଣ ଝିଅ ଅଭାଵ ହେବେ କି ରାଜୁ । ତୁ ଆଉ ଗୋଟେ ବାହା ହେ । ମାଆ ଙ୍କ କଥା ଶୁଣି ରାଜେଶ କହିଥିଲେ ତୁ ବ୍ୟସ୍ତ ହୁଅନା ମା । ହୁଏତ ମୋ'ଠାରେ କିଛି ଦୋଷ ଥାଇପାରେ । ମୁଁ କାଲି ସୀମା କୁ ନେଇ ଡାକ୍ତର ଙ୍କ ପାଖକୁ ଯିବି । ମା ହଠାତ୍ ଚିହିଁକି ଉଠି କହିଲେ - ତୁ ତ ସୁସ୍ଥ ସବଳ ଅଛୁ । ତୋ ଠାରେ ପୁଣି ଦୋଷ କଣ ? ମୋତେ ଲାଗୁଛି କୌଣସି ଭୂତପ୍ରେତ ର ନଜର ସେ ଅଲକ୍ଷଣୀ ଉପରେ ପଡ଼ିଛି । ସେ ଆମ ବଂଶକୁ ନିପାତ କରିବାକୁ ବସିଛି । ମୋ କଥା ମାନ । ତାନ୍ତ୍ରିକ ମହାରାଜ ଙ୍କୁ ଏ ଘରକୁ ଡାକି ଆଣ । ସେ ହିଁ ଏ ସମସ୍ୟାର ସମାଧାନ କରି ପାରିବେ" । ଆଉ ଶୁଣି ପାରିଲାନି ସୀମା । ମୁଣ୍ଡ ତାର ବୁଲେଇ ଦେଲା । କୌଣସି ଏକ ଆସନ୍ନ ବିପଦ ର ଆଶଙ୍କା ତାର ତାର ସମଗ୍ର ସତ୍ତା କୁ ଗ୍ରାସ କରି ତାକୁ କରି ଦେଇଥିଲା ନିର୍ବାକ, ନିଶ୍ଚଳ। ବାହାରେ ସ୍ୱାମୀଙ୍କ ପାଟି ଶୁଣି ପ୍ରକୃତିସ୍ଥ ହେଲା ସେ । ସ୍ୱାମୀ ତାର ଖୁବ୍ ଖୁସି ଜଣା ପଡୁଥିଲେ । ଆସନ୍ତା ଚୈତ୍ର ମାସ ର କୃଷ୍ଣ ପକ୍ଷ ର ପ୍ରଥମ ରାତ୍ରିରେ ପୂଜା କରିବାକୁ ତାନ୍ତ୍ରିକ ମହାରାଜ ଆଦେଶ ଦେଲେ । ଶାଶୂ ଅତି ଆଗ୍ରହ ସହକାରେ ପୂଜା ସାମଗ୍ରୀ ଯୋଗାଡ଼ କରିବାରେ ଲାଗିଥିଲେ । ଧୂପ, ଦୀପ, ଝୁଣା, ସୁଗନ୍ଧିତ ତୈଳ ଓ ଭୋଗ ସବୁ କିଛି ର ଆୟୋଜନ ସରିଥିଲା । ନିଶାର୍ଦ୍ଧରେ ତାନ୍ତ୍ରିକ ମହାରାଜ ପୂଜାର୍ଚନା ଆରମ୍ଭ କଲେ । ଶାଶୂ ଏବଂ ସ୍ୱାମୀଙ୍କୁ ସେ ଘରେ ପଶିବାକୁ ଅନୁମତି ନଥିଲା । ସେଥିପାଇଁ ସେମାନେ ବାହାରେ ଅପେକ୍ଷା କଲେ । ପ୍ରଥମ ରାତିର ପୂଜାରେ ସୀମା ସାମ୍ନାରେ ଝୁଣା ଓ ଧୂପ ର ଧୂଆଁ ଦିଆଗଲା । ତା ପରେ ତାନ୍ତ୍ରିକ ମହାରାଜ ତାର ଡାହାଣ ହାତକୁ ଧରି ସୁଗନ୍ଧିତ ତୈଳ ମାଲିସ୍ କରିବାରେ ଲାଗିଲେ । ପର ପୁରୁଷର ଛୁଆଁ ରେ ନିଜକୁ ଅପ୍ରସ୍ତୁତ ମନେକଲା ସୀମା । କିନ୍ତୁ ତାର ଏ ଅସହାୟତା କୁ ଶୁଣିବା ପାଇଁ କେହି ନଥିଲେ । ଏମିତି ଲଗାତାର ଭାବରେ ଆଠଦିନ ଧରି ପୂଜା ଚାଲିଲା । ତାନ୍ତ୍ରିକ ମହାରାଜ ତା ଶରୀର ର ଭିନ୍ନ ଭିନ୍ନ ଅଂଶକୁ ସୁଗନ୍ଧିତ ତୈଳରେ ମାଲିସ୍ କରିବାରେ ଲାଗିଥିଲେ । ଶେଷରେ ପୂର୍ଣ୍ଣାହୂତି ଦେବାର ସମୟ ଆସିଲା । ନବମୀ ଦିନ ରାତ୍ରୀ ରେ ସମ୍ପୂର୍ଣ୍ଣ ରୂପେ ବସ୍ତ୍ର ରହିତ ସୀମାର ଶରୀରରେ ତେଲ ମାଲିସ୍ କରି ଚାଲିଥିଲେ ତାନ୍ତ୍ରିକ ମହାଶୟ । ପ୍ରତିବାଦ କରିବାର ଉପାୟ ନଥିଲା ସୀମାର । କାରଣ ତାର ହାତ ଓ ପାଦ କୁ ଶିକୁଳି ରେ ବାନ୍ଧି ଦିଆ ଯାଇଥିଲା । ଆଉ ପାଟି କୁ ମଧ୍ୟ ଗାମୁଛାରେ ବାନ୍ଧି ଦିଆଯାଇଥିଲା । ପ୍ରତିରୋଧ କରିବାର ଇଛା ବି ନଥିଲା ସୀମାର । କାରଣ, ଶ୍ୱଶୁର ଘର ର ସମସ୍ତ ସଦସ୍ୟ ତାନ୍ତ୍ରିକ ସପକ୍ଷରେ ଥିଲେ। ପୂଜା ଶେଷ ହେବା ବେଳକୁ ତାନ୍ତ୍ରିକ ପାଖରେ ନିଜକୁ ସଂପୂର୍ଣ୍ଣ ରୂପେ ସମର୍ପଣ କରି ସାରିଥିଲା ସେ । ସାରା ରାତି ତାନ୍ତ୍ରିକ ମହାରାଜ ତାଙ୍କ କାମନାର ଅଗ୍ନିରେ ତାର ଫୁଲ ପରି କୋମଳ ଦେହଟାକୁ ଆହୂତି ଦେଇ ଚାଲିଥିଲେ । ପରଦିନ ସକାଳେ ତାନ୍ତ୍ରିକ ମହାରାଜ ଙ୍କୁ ଖୁବ୍ ସମ୍ମାନର ସହ ବିଦାୟ ଦିଆଗଲା । ପୂଜାର ଫଳ ସୀମା କୁ ମିଳି ସାରିଥିଲା । ନଅ ମାସ ପୁରା ହେବାପରେ ତା ଶାଶୂ ଙ୍କୁ ତାନ୍ତ୍ରିକ ମହାରାଜଙ୍କ ଦୟାରୁ ଅତି ସୁନ୍ଦର ନାତି ଟିଏ ପ୍ରାପ୍ତ ହେଲା । ସମସ୍ତଙ୍କ ମନରେ ନାହିଁ ନଥିବା ଖୁସି ର କଲ୍ଲୋଳ । ସେ ପୁଣି ଅଲକ୍ଷଣୀରୁ ଲକ୍ଷ୍ମୀ ପାଲଟି ଯାଉଥିଲା । ଏସବୁ ସତ୍ତ୍ୱେ ବି ତା ଅନ୍ତର ତଳେ କୌଣସି ଏକ ଅଜଣା ଜାଗାରୁ ନିଆଁ ଟିଏ କୁହୁଳି କୁହୁଳି ଜଳୁଥିବାର ସେ ଅନୁଭବ କରିପାରିଥିଲା । ଯେଉଁ ନିଆଁ କି ତା ଜୁଇର ନିଆଁରେ ମିଶିବା ପରେ ତା ମନରୁ ଲିଭିବ ବୋଲି ସେ ଦୃଢ଼ ନିଶ୍ଚିତ ଥିଲା । କିଛି ଦିନ ପରେ ସୀମା ର ଶବ ଉଦ୍ଧାର କରାଗଲା ନିକଟସ୍ଥ ରେଳ ଷ୍ଟେସନ ର ରେଳ ଧାରଣାରୁ । ସୀମାର ଛୁଆ ଟା ଶାଶୂଙ୍କ କୋଳରେ ରହି ଅହରହ କାନ୍ଦୁଥିଲା । କେଜାଣି କାହିଁକି ? ଭୋକ ବିକଳରେ କି ମାଆ ର ପଣତ ହରେଇ.... ବୁଝିବାକୁ ଚେଷ୍ଟା କରୁଥିଲେ ସୀମାର ଶାଶୂ ଓ ରାଜେଶ ।


ଗାଳ୍ପିକ-ଅମରେନ୍ଦ୍ର ଚୌଧୁରୀ ଓଝା
ପୀରହାଟ ବଜ଼ାର, ଭଦ୍ରକ-୭୫୬୧୩୧
ଭ୍ରାମ୍ୟଭାଷ-୮୨୪୯୩୮୭୯୦୧

Post a Comment

0 Comments