କାହିଁ ଦେଖିନି ଏପରି ସୁନ୍ଦରୀ
ସୁନ୍ଦରୀ ନୁହେଁ ସେ ଅପ୍ଷରୀ
କରିନ୍ଦ୍ର ଗମନା ସଫରୀ ନୟନା
(ସେତ) ପ୍ରେମମୟୀ ବିମ୍ବ ଅଧରୀ ।।
ବାସବ ଚାପ ଚମକ ଭୁରୁଲତା
ଚିବୁକେ ଝଲକେ ବିଜୁଳି
ସିନ୍ଧୁ ଲହରୀ ନହେବ ସରି ତାର
ଚୁର୍ଣ୍ଣ କୁନ୍ତଳ ର କବରୀ ।।

ଗ୍ରୀବା ଅହିଭୁଜ ଚିକ୍କଣ ସବୁଜ
କାନ୍ତି ରଙ୍ଗ ଚମ୍ପାକଳୀ
ଉରଜ ସଜ ସରୋଜ କଢୀ ,ଭୁଜ
ସତେକି ସୁନ୍ଦର ବଲ୍ଲରୀ ।।

ଓଲଟ ରମ୍ଭା ଜଘନୀ ରାମାମଣୀ
ସିଂହ କଟୀ ସେ ସୁହାସିନୀ
କୋକିଳ କଳାପ ସମାନ ଆଳାପ
କରି, ମନ ନିଏ ଟାଣି ।।

ପ୍ରଫୁଲ୍ଲ ଫୁଲ ରେ ମଣ୍ଡି ହୋଇ ଦିଶେ
ସତେକି ସେ ଫୁଲ କୁମାରୀ
ଗଢିଛି ବିଧାତା କରି କେତେଚିନ୍ତା
ନାହିଁ କେହି ଆଉ ତାପରି ।।

ଅଙ୍ଗେ,ବଙ୍ଗେ ଆଉ କଳିଙ୍ଗେ କାହିଁ ମୁଁ
ଦେଖିଛି ଅନେକ ସୁନ୍ଦରୀ
ସେ ଯୋଷା ଚରଣ ଘଷା ପଥର କୁ
ନହୋଇବେ କେହି ତ ସରି ।।
ସେହି ପ୍ରିୟବତୀ ଅନନ୍ୟା ଯୁବତୀ
କାମ ପତ୍ନୀ ରତୀ ଯେପରି
ସେପରି ତା ରୂପ ମୋହୁଛି ଜଗତ
ଧନ୍ୟ ରେ ସେହି ସୁକୁମାରୀ ।।