Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ରାବଣ ପୋଡ଼ି ଟା ଜମିବ ଏଥର - ତପସ୍ୱିନୀ ଦାଶ

ଲଙ୍କାସୁର ରାବଣ କୁ ମାରି
ଫେରିଲା ପରେ ତ ଆଶ୍ବସ୍ଥ ଅଯୋଦ୍ଧା
ବାସୀ ଅଯୋଦ୍ଧା ନଗରୀ
ଆଉ ଭୟ ନାହିଁ ସୀତା ମାନେ ସୁରକ୍ଷିତ ଏଥର
ରାମ ମାନଙ୍କୁ ଆଉ କରିବାକୁ ପଡିବନି ଯୁଦ୍ଧ,
ତାକୁ ତ ମାନି ଆସୁଛୁ
ଫି ବର୍ଷ ଫି ମାସ ଫି ଦିନ ଫି ଦଣ୍ଡ
ମହା ସମାରୋହରେ
ଏତେ କଥା ବୁଝେନା ଦନେଇ
ଏଇଥର ଦେଖାଇ ଆଣିବ
ଦୋନା ,ଦାନି ବଡ଼ ଝିଅ ସୁନେଇ
ଯୁଗେ ଯୁଗେ ଅସୁର ମରେ ଜୀଇଁ ରହେ ରାମ;
ବାଃ! ଏଥର ରାବଣ ପୋଡି ଟା ବେଶ ଜମିଲା
ବଡ଼ ରାମ ମାନେ ପୁରସ୍କୃତ କଲେ
ଲଂକାଧିପତି ଙ୍କ ବିଶାଳ ବପୁ ପାଇଁ
ବେଜାଏ ଆଦାୟ କରି ସେତୁ ବନ୍ଧରେ
ରାତି ବିତେଇ ନାଲି ଆଖିରେ ଫେରିଥିବା ସାନ
ରାମ ମାନଙ୍କୁ,
ଯାହେଉ ରାବଣ ଟା ପୋଡିଗଲା
ସଭିଙ୍କ ଦକ ଗଲା
ନିରାପଦ ଏଣିକି ଧନ,ଜୀବନ,ଯୌବନ
ଜାନକୀ ମାନେ ଜୀଇଁବେ ଏବେ ସୁରକ୍ଷିତ ଜୀବନ,
ଶୋଷଣ କର୍ଷଣ ଧର୍ଷଣ ଚିର ନିର୍ବାସନ
ହେଲେ ଦନେଇ ପୁଅ ଦୋନା ଦେଖୁଥିଲା
କଳା ମଚ ମଚ ସାପକାତି ପରି ଦିହ
ଜିକ ଜିକ ପୋଷାକରେ ବାଘମୁଖା ମୁହଁ
ତା ଅପା କୁ ଟେକି ନେଇ
ଯାଉଥିବା
ଦି ଦିନ ପରେ ଖଡ଼ଖାଇ ଡ୍ୟାମ ତଳୁ ମିଳିଥିବା
ଅର୍ଦ୍ଧ ଉଲଗ୍ନ ଦିହ,
ଆଉ ଏଫ .ଆଇ. ଆର ନେଉ ନ ଥିବା ନିଶୁଆ
ଥାନା ବାବୁ ମାନଙ୍କୁ
ଠିକ ରାବଣ ପରି ଯାହା ମୁହଁ,
ଭାବୁଥିଲା ଫି ବର୍ଷ ତ ହେଉଅଛି ରାବଣ ର ଦାହ
କେଉଁଠୁ କେଜାଣି
କେଉଁ ରକ୍ତବୀର୍ଯ୍ୟ ଗର୍ଭୁ ପୁଣି ଆଗାମୀ
ସାଲ ରେ ପୋଡା ହେବାକୁ ଆସିବେ ରାବଣ
ପୁଣି ବଳି ପଡିବେ ଶହ ଶହ କୁନି କୁନି ସୀତା।


ତପସ୍ୱିନୀ ଦାଶ, ବାରିପଦା

Post a Comment

0 Comments