Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଅନୁତାପ - ତପସ୍ୱିନୀ ଦାଶ

ମୁଁ ସତରେ ଭଲ ପାଏକି ତାଙ୍କୁ
ଯଦି ପାଏନି ତାହେଲେ କାହିଁକି
ମୋ ମନ ଚାହୁଁଛି ଯେ ସେ ପ୍ରଶ୍ନ ଟା
ମୋ ପ୍ରେମ ପ୍ରତି ଉଦ୍ଦିଷ୍ଟ ଥାଉ,
ବନ୍ଧୁତ୍ୱ ପ୍ରତି ନୁହଁ
ହୋଇଥିବ ତଥାପି ଅନେକ ବାର
ଏ ପ୍ରଶ୍ନ ଗୋଳେଇ ଘାଣ୍ଟି ଆଇଁଶିଆ
ବିଷାକ୍ତ କରିଛି ମନକୁ
ଯେଉଁ ପ୍ରଶ୍ନ ଉଠିଥିଲା ପଦ୍ମ ମନରେ
ସୂର୍ଯ୍ୟ ଅସ୍ତ ହେଲା ପରେ ପରେ
ସୂର୍ଯ୍ୟ ଙ୍କୁ ପଚାରିଥିଲା
ଅନ୍ଧାରରେ
ସତ କୁହ
ମୁଁ ଫୁଟି ନ ଥିଲେ ତମେ କଅଣ
ଉଅନ୍ତନି ପୂର୍ବାକାଶରେ,
ସୂର୍ଯ୍ୟ ନିଶ୍ଚୁପ
ଯେଉଁ ପ୍ରଶ୍ନ ଉଠିଥିଲା ଦିନେ
କଇଁମନରେ
ସତରେ କି ଚନ୍ଦ୍ର ମୋ ବିନା
ଉଅନ୍ତାନି କଳା ଆକାଶରେ,
ନା ମୁଁ ଫୁଟୁଛି ଚନ୍ଦ୍ରର ଉଧାରି କିରଣ ରେ
ଅବସାଦରେ ଢାଙ୍କିଛି ମୁଁହଁ
କଳାହାଣ୍ଡିଆ ବଉଦରେ,
କେବେ କେବେ ନଦୀ ବି ପଚାରେ
ସାଗର କି ଭାଙ୍ଗନ୍ତାନି ଲହଡି
ଛଳ ଛଳ ପ୍ରେମରେ
ନଦୀ ବିନା ଅଟକି ଯାଆନ୍ତା କି ତାର
ଉନ୍ମାଦ ଯୌବନ
ବେଳାଭୂମି ନିକଟରେ ?
କିଛି ବି ହୁଅନ୍ତାନି, ଅଟକି ଯାଅନ୍ତାନି
ଚନ୍ଦ୍ର ସୂର୍ଯ୍ୟ ର ଆକର୍ଷଣ ରେ
ଆସନ୍ତା ଜୁଆର ଭଟ୍ଟା :
ତରଳି ଯାଆନ୍ତା ଆଣ୍ଟାର୍କଟିକା
ଉଛୁଳି ଉଠନ୍ତା ସାଗର
ମନକୁ ମନ ନଦୀ ବୁଡ଼ାଏ ଯା ସତ୍ତା
ହରାଏ ନିଜ ମଧୁରତା
ବରି ନିଏ ଲବଣାକ୍ତ ଜହର
କେବଳ ଯା ତା ନିଜର ଇଚ୍ଛାରେ


ତପସ୍ୱିନୀ ଦାଶ
ବାରିପଦା, ଭଂଜପୁର

Post a Comment

0 Comments