Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଗନ୍ଧ ପୂଜନ - ରାଜେଶ ପୂଜାରୀ

ସଖା,
କେମିତି କେଜାଣି
ତୁମ ମୁଣ୍ଡରେ ଭୂତ ପଶେ
ଥର ଥର
ଛାଡ଼ି ଯିବାକୁ ଏ ଗାଁ ଘର !

ଯାଅ ଯୁଆଡ଼େ
ଲୋଡ଼ିବ ନିଶ୍ଚୟ ଗାଁ ଟେ,ଘରଟେ
ତାହା ବି ତୁମକୁ ବାନ୍ଧି ରଖି
ନପାରେ ହୁଏତ..
ଆଉ ବହୁବାର
ଜାଗା ବଦଳି ବଦଳି
ଭକୁଆ ଚଟିଆ ଭଳି
ଭୋଗ ନଭୋଗ ଯେତେ ଦଶା
ତହିଁରୁ ବେଶି ହେବ ଲୋକହସା ।

ପବନ ବି ତୁମକୁ
ପଲାନ୍ତକ ମନେକରି
ଅଳି ମଳି ପରି
ଉଡ଼େଇ ଦେଇ ପାରେ
ଭିନ୍ନ ଏକ
ଅପରିଚିତ ସାମ୍ରାଜ୍ୟକୁ
ସେଠାରେ କୋଷୁଥିବ ନିଜକୁ
ଆଉ ନିଜ ବିପର୍ଯ୍ୟସ୍ତ ନିୟତିକୁ
ବେଳହୁଁ ହୁଅ ସାବଧାନ
ନହେଲେ ଜୀବନ ପୁସ୍ତିକାର
ଡ଼ିଆଁ ଚରା ଚଉଠରେ
ଲେଖିବାକୁ ପଡ଼ିବ ନିଜ
ବିଫଳତାର ପୁରାଣ ।

ଯଦି ନାହିଁ ଭରସା
ଆସ ସହସା
ଏଠାକାର ମୁଠାଏ ମାଟିକୁ
ନିଜ ଆଞ୍ଜୁଳିରେ ଧରି
ଆଘ୍ରାଣି ପାର ମନଭରି
ସେ ଏବେ ବି କଳାକସ୍ତୁରୀ।

ସ୍ବତଃ ଯିବ ନାଚି
ସେ ବିଗତ ଚିତ୍ର ସବୁ,
ଯଉଠି ତୁମ ହଲିଆଗୀତର ସୁରରେ
କାଲିଆ କଷରା ଝୁମୁଥିଲେ
ଫାଉଡ଼ା ଧରୁଥିଲା ପାଳି
ବିଭୋର ଶ୍ରୋତା ପାଲଟିଥିଲା କ୍ଷେତ
ଆଉ ଖୁବ୍ ଆତ୍ମିକ ଭାବରେ
ହିଡ଼ରେ ବସି
ଅନେଇ ରହୁଥିଲା ତୁମକୁ
ବାସିପଖାଳ ଖୁଏଇବାକୁ ।

ଉନ୍ମୋଚିବ ନିଜକୁ
ଅକ୍ଷତ ଯୌବନାର କୋଳରେ
ଅଳି ଅଝଟ କରୁଥିବା ଅବସ୍ଥାରେ
ମନ୍ତ୍ରମୁଗ୍ଧ ଭାବରେ।

ତା'ପରେ ପୁନରପି
ସକ୍ଷମ ହୋଇପାର
କଳାକସ୍ତୁରୀର
ଗନ୍ଧ ପୂଜନ କରିବାକୁ।


କୁଶମେଲ, ଝାରସୁଗୁଡ଼ା

(ବି.ଦ୍ର:ଏହି କବିତାକୁ ମୁଁ ପ୍ରଥମେ ସମ୍ବଲପୁରୀ ଭାଷାରେ ଲେଖିଥିଲି । ଶିର୍ଷକ ଥିଲା 'ମହକ ପୂଜା'। ଯାହା ପାକ୍ଷିକ ସମ୍ବଲପୁରୀ ସମ୍ବାଦପତ୍ର ଜୁଏହୁଲାରେ ପ୍ରକାଶ ପାଇଥିଲା । ଯାହା ସାରଥି ପ୍ରଧାନ ସଂପାଦନା କରୁଥିଲେ । ପରେ ଓଡ଼ିଆରେ ଅନୁବାଦ କଲି । ଶିର୍ଷକ ରଖିଲି 'ଗନ୍ଧ ପୂଜନ'‌ ଯାହା କୁଲାବିରା ସମଲେଶ୍ଵରୀ ସାହିତ୍ୟ ସଂସଦର ବାର୍ଷିକୋତ୍ସବ ଅବସରରେ ପ୍ରକାଶିତ ମୁଖପତ୍ର 'ଅଗ୍ନିତୀର୍ଥ'ରେ ସ୍ଥାନୀତ ହୋଇଥିଲା।)

Post a Comment

0 Comments