Information

ବଙ୍କୁଲୀ ବାଡ଼ି -ପ୍ରଣତୀ ମହାପାତ୍ର

ଅର୍ଥ, ମାନ,ଯଶ ଯେତେବେଳେ
ପର ହୋଇଯାଏ,
ତୁ ହୋଇଯାଉ ଅତି ଆପଣାର,
ସ୍ନେହଶ୍ରଦ୍ଧା,ଭଲପାଇବା ଦୂରେଇଗଲେ
ତୁ ହୋଇଥାଉ ନିଜଠୁ ନିଜର।
ଅତି ଆପଣାର ଶାରୀରିକ ଅଙ୍ଗଗୁଡା
ଯେତେବେଳେ ନିଷ୍ପ୍ରଭ ହୋଇଯାନ୍ତି,
ସେତେବେଳେ ତୁ ହୋଇ ଯାଉ
ମୋ ପାଇଁ ବୀରସୈନିକ ।
ସଭିଏଁ ସିନା ସ୍ଵାର୍ଥରେ ବନ୍ଧା,
ହେଲେ ,ତୁ ମୋ ପାଇଁ ,
ମୋ ନିସ୍ଵାର୍ଥପର ବନ୍ଧୁ।
ନିନ୍ଦା ଅପମାନର ଏ ଶରୀରଟାକୁ
ସମସ୍ତେ ଧୋକ୍କା ଦେଇଥାନ୍ତି ସତ,
ତୁକେବେ ଧୋକ୍କାବାଜ୍ ହୋଇପାରୁନା
ନୟନରମଣି ଆଡେଇ
ଦେଲା ବେଳେ,
ତୁ ହୋଇଥାଉ ମୋ ଅନ୍ଧଲଉଡି।
ଆଗକୁ ପାଦ ବଢାଇବାକୁ ତୁ
ହୋଇଯାଉ ଆଶାର ବାଡି ।
ଜୀବନର ସଞ୍ଚିତ ସବୁକିଛି ଦେଇସାରିବା ପରେ,
ସଭିଏଁ ଯେତେବେଳେ ମୁହଁ ମୋଡି
ଚାଲିଯାଇଥାନ୍ତି,ସେତେବେଳେ
କିଛି ମୋ ଠାରୁ ନ ପାଇବି,
ତୁ ତୋ କାନ୍ଧରେ ମୋତେ ଲାଉ କରି,
ମୋର ସବୁଦୁଃଖ ତୋ ଉପରକୁନେଇ
ସବୁଦିନ ପାଇଁ ଆପଣାର କରୁ।
ଅସହାୟ ଆଉ ନିଃସହାୟ ବେଳେ,
ସବୁ ସମ୍ପର୍କରେ ପୂର୍ଣ୍ଣଛେଦର
ରେଖା ଟାଣି ହୋଇଥିବା ବେଳେ,
ସେତେବେଳେ ଭରସାର
ସେତୁବନ୍ଧ କରି,
ତୁ ହୋଇଯାଉ ମୋ ପାଇଁ ,ମୋ
ପୁତ୍ର,କନ୍ୟା,ଭାଇ,ବନ୍ଧୁ,
ସଖା, ସହୋଦର ।
ଆଉ ଶେଷ ସମୟର
ଆସରା ମୋହର।
ତୁ ହୋଇଥାଉ ମୋ ଶେଷ ଠିକଣା।
ତୁ ପରା ମୋର ବଙ୍କୁଲୀ ବାଡ଼ି।


ପ୍ରଣତି ମହାପାତ୍ର
ଫକୀରମୋହନ ନଗର, ବାଲେଶ୍ଵର

Post a Comment