Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ରଥଯାତ୍ରାରେ ମହାଚୋରର ପହଣ୍ଡି ବିଜେ - ବିଜୟ କେତନ ସାହୁ

ସଖି ! ବାରେ ଚାହାଁ ଅପୂର୍ବ ଏ ଦୃଶ୍ୟ
ପହଣ୍ଡିବିଜେ କାଳିଆ
ମହାଚୋର ବୋଲି ବାନ୍ଧି ଆଣୁଛନ୍ତି
ପଣ୍ଡା ପଡ଼ିହାରୀ ଆହା (ଘୋଷା)

ବୃନ୍ଦାବନେ ଚୋରୀ କରିଥିଲା ସେ' ତ
କ୍ଷୀର ସର ଦଧୀ କେତେ
ନଟଖଟିଆ ସେ, କୂଟ-କପଟିଆ
ପିଲାଟି ବେଳରୁ ସତେ
ମାତା ଯଶୋମତୀ ଆକଟ ନଶୁଣେ
ଏଡିକି ସେ ଆମାନିଆ
ସଖି ! ବାରେ ଚାହାଁ... (୧)

ଚୋରୀ କରିଥିଲା ଗୋପାଙ୍ଗନା ବସ୍ତ୍ର
ରାଧାର ମାନ-ମହତ
ନିରବେ ବସିଛି ନଜାଣିଲା ପରି
ନୀଳାଚଳେ ଜଗନ୍ନାଥ
ଅଣ୍ଟାରେ ଯେ ଆଣ୍ଟ ଦଉଡ଼ିକୁ ବନ୍ଧା
କାହିଁ ଯିବ ରସିକିଆ
ସଖି ! ବାରେ ଚାହାଁ.....(୨)

ଚୋରୀ କରେ ସେହି ଭକତଙ୍କ ଚିତ୍ତ
ଦୁଃଖ ଭୟ ଅଭିମାନ
ଚୋର ବୋଲି ତା'କୁ ଜଗତେ ଖୋଜନ୍ତି
କେତେ ତପୀ-ମୁନୀ ଜନ
ଭାବରେ ଯେ ବନ୍ଧା ପଡ଼ିଅଛି ଆଜି
ଭକ୍ତ-ଭାବ ବିନୋଦିଆ
ସଖି ! ବାରେ ଚାହାଁ...(୩)

ବନ୍ଧାହୋଇ ପୁଣି ଲାଜ ନାହିଁ ତାକୁ
ହସେ ସେତ ଖିଲିଖିଲି
ଭକ୍ତ-ଜନଗଣ ଗାଳି କରୁଛନ୍ତି
ସେ'ଯେ ମହାଚୋର ବୋଲି
ହୃଦ-କାରାଗାରେ ବନ୍ଦୀକର ତା'କୁ
ବୁଝିବ ଯଦି ତା' ମାୟା
ସଖି ! ବାରେ ଚାଁହା.... (୪)

ମହାଚୋର ରୂପେ ରୁନ୍ଧାହେବ ସେ'ଯେ
ନନ୍ଦିଘୋଷ ରଥେ ଯାଇ
ଜଗଜ୍ଜନ ସତେ ହୋଇବେ ଆନନ୍ଦ
ସେ ମହାଚୋରରକୁ ପାଇ
ମୋ ମନକୁ ଚୋରୀ କରିଛି ସେ ଚୋର
ଚାହିଁ ବସିଛି ତା' ରାହା
ସଖୀ ! ବାରେ ଚାଁହା....(୫)



ପବିତ୍ର ରଥଯାତ୍ରାରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡୀବିଜେ ଅତ୍ୟନ୍ତ ମନୋରମ ଓ ଆକର୍ଷଣୀୟ ଦୃଶ୍ୟ । ପ୍ରଭୁ ସ୍ୱୟଂ ଢ଼ଳିଢ଼ଳି ବଡଦାଣ୍ଡକୁ ଆଗମନ କରନ୍ତି, ଏଇ ଦେବ ଦୁର୍ଲଭ ଦୃଶ୍ୟକୁ କିଏ କେଉଁ ଭାଷାରେ ବର୍ଣ୍ଣନା କରିଛି ନିଜର ଭକ୍ତିମୟ ଆବେଗରେ । ସ୍ୱତଃ ନୟନରୁ ଲୋତକ ଝରିପଡ଼େ ଏଇ ଅପୂର୍ବ ଦୃଶ୍ୟ ଦର୍ଶନରେ । ମହାପ୍ରଭୁଙ୍କ ଅନନ୍ୟ ସେବକ ପଣ୍ଡା-ପଡ଼ିହାରୀମାନେ ଶ୍ରୀଜଗନ୍ନାଥଙ୍କୁ ଦଉଡ଼ିରେ ବାନ୍ଧିକି ଆଣନ୍ତି ଭକ୍ତଜନଙ୍କ ଗହଳ ଭିତରକୁ, ସତେ ଯେମିତି ଏକ ମହାଚୋର କୁ ବାନ୍ଧି ଆଣୁଛନ୍ତି ସେମାନେ । ଏଇ ରସିକିଆ କାଳିଆ ଠାକୁର ହିଁ ମହାଚୋର । ତା'କୁ ଏକ ମହାଚୋର ରୂପରେ ସାବ୍ୟସ୍ତ କରିବା ପାଇଁ ମୋର ଏଇ ଭକ୍ତିଅର୍ଘ୍ୟ କବିତା ଆଲେଖ୍ୟ "ରଥଯାତ୍ରାରେ ମହାଚୋରର ପହାଣ୍ଡିବିଜେ" ।







Bijaya Ketan Sahu
WhatsApp No- 7204242395, Mobile No- 9663116798

Post a Comment

0 Comments