Information

ମୋ ଅନୁଭୂତି ରେ ମୋ ଜଗା ମୋ ସଖା - ପରମିତା ମିଶ୍ର

ରୁକ୍ଷ ପାଞ୍ଜଣ କୁ କେତେ ମନାକଲି
ବାଜନା, ବାଜନା ତୁ
ତା ନା ରେ
ଅଲାଜୁକି ଚୁଡି ମୋର କି ଶୁଣୁଛି,
କାଇଁ ତୁଚ୍ଛାଟାରେ ଡାକୁଛନ୍ତି ତାକୁ
ଚାହିଲାନି ଯେ ମତେ
ଟେରେଇ ଥରେ ।

କାହା ଭରସାରେ
ଦେଲା ମତେ ଟେକି,
ଅଜଣା, ଅଶୁଣା
ଦେଖିନି ମୁଁ ଯା ମୁହଁ ଥରେ
ଚାହିଁଥିଲେ ସେ
କଣ ପାରନ୍ତାନି ରୋକି ।

ମନେ ମନେ,
ରହି ରହି,
ବାରମ୍ବାର ଗୋଟେ କଥା ଆସେ
ମୁଁ ତୋର ଆପଣାର
ଅତି ଆପଣାର,
ମତେ କାଇଁ ଛନ୍ଦିଲୁ ତୁ
ଆଉ କାହା ହାତେ ।

ହସ୍ତଗଣ୍ଠି ର କିଛି କ୍ଷଣ ଉତ୍ତାରୁ
କିଛି ଦିନର ସେ ସଂପର୍କ
ଚିହ୍ନା ଅଚିହ୍ନା ର ଦ୍ଵନ୍ଦ ରେ
ଆସିଗଲା ତୋ ରଥଯାତ ।

ସମୟ ର ହାଟରେ,
ମୁଁ ଥିଲି ବଡଦାଣ୍ଡ ରେ,
ତୁ ବସିଥିଲୁ ରଥରେ ।

ମୁଁ ତତେ ଚାହିଁଥିଲି,
ଏକବାରେ, ନିର୍ବିକାରେ
ନିର୍ଝରିଣୀ ଝରଣା ଅଶ୍ରୁରେ
ହଁ ଅଭିମାନିନୀ ମୁଁ
ହୃଦୟେ ମୋ ଆଘାତ,
କିନ୍ତୁ ସେଦିନ
କେହି ପୋଛିନେଲା ମୋ ଲୁହ ତକ ।
ତାଙ୍କ ହାତ ଥିଲା ମୋ ହାତରେ
ଲକ୍ଷ ଲକ୍ଷ ଜନ ସମୁଦ୍ର ମଝିରେ
ସେ କେବଳ ମୋର ଥିଲେ ।

ମୁଁ ଚାହିଁଲି ତୁ ରଥରେ,
ମୁଁ ଚାହିଁଲି ତୁ ମୋ ପାଖରେ ।
ମୁଁ ଧରିଛି ରଥ ଦଉଡି
ତୁ ଧରିଛୁ ମୋ ହାତକୁ ଭିଡି ।
ମୁଁ ବୁଝିଲି ତୋ ମାୟା କୁ
ତୁ ପୋଛୁଚୁ ମୋ ଲୁହକୁ ।

ସେ ନୁହେଁ ଆଉ କେହି
ତୁ ହିଁ ଆସିଛୁ ମୋ ଜଗା
ତୁ ହିଁ ସାଜିଛୁ ମୋ ସଖା,
ମୋ ଚକାଆଖି
ମୋ ପାଇଁ ସାଜିଛି ମୋ ଜୀବନସାଥୀ ॥

Post a Comment