Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଆହତ ହୃଦୟ - ପ୍ରଶାନ୍ତ କୁମାର ନାଥ

ଭୁଲିବି ବୋଲି ଭାବିଲେ ଯେତେ
ମନେ ପଡୁଛୁ ମୋର ତୁ ସେତେ
ପାଗଳ କରେ ଛବି ତୋହର
ଆଖିରୁ ଝରେ ଲୋତକ ଧାର ।
ସପନ ଦେଖେ ତୋତେଲୋ ନିତି
ଜଳେଇ ମାରେ ମୋତେ ତୋ ସ୍ମୃତି
ତୁ ସିନା ମୋତେ କରିଛୁ ପର
ହେଲେ ମୋ ମନେ ତୋଲିଛୁ ଘର ।
ରଖିଲି ତୋତେ ମନରେ ନେଇ
ସେପାଇଁ ମୋତେ ଦେଲୁ ଦୁରେଇ
ତୋପାଖେ ଥିଲା ଖୁସି ମୋହର
ପିଆଇ ଦେଲୁ ଦୁଃଖ ଜହର ।
ଆଖିରେ ନାଚେ ତୋହରି ଛବି
ଦିନ ମୋ ବିତେ ତୋକଥା ଭାବି
ଥିଲୁ ତୁ ଦିନେ ଅତି ନିଜର
ସାଜିଲୁ ଆଜି ତୁ ସାତ ପର ।
ତୋବିନା ବଞ୍ଚି ପାରିବି ନାହିଁ
କହିଲି ପ୍ରିୟା ତୋତେଲୋ ମୁହିଁ
ସେପାଇଁ ମତେ ଦୁରେଇ ଦେଲୁ
ସତ କି ମିଛ ପ୍ରମାଣ ନେଲୁ ।
ସେମିତି ସିନା ମୋ ହାତ ଗୋଡ଼
ହେଲେ ମୁଁ ପ୍ରିୟା ସାଜିଛି ଜଡ
ମନଟା ମୋର ଯାଇଛି ମରି
ତୋତେଲୋ ଖାଲି ହେଉଛି ଝୁରି ।
ସାଜିଛି ଆଜି ଜୀଅନ୍ତା ଶବ
ବାଧୁଛି ମୋତେ ତୋର ଅଭାବ
ଜଣିନି କେତେ ଭଲରେ ଅଛୁ
କେତେ ଖୁସିରେ ଦିନ କାଟୁଛୁ ।
ଦେବିନି ପ୍ରିୟା ତୋତେ ମୁଁ ଦୋଷ
କରିବି କାହିଁ ମିଛରେ ରୋଷ
ଭଲ ପାଇଲି ହୃଦୟ ଦେଇ
ହୃଦୟ କାନ୍ଦେ ସେପ୍ରେମ ପାଇଁ ।
ଥରୁଟେ ମୋର ଜୀବନ ଆସି
ଦେଇଛୁ ମୋତେ ଅନେକ ଖୁସି
ଦେବି ମୁଁ କାହିଁ ଦୋଷ କାହାର
ନଥିଲୁ ପ୍ରିୟା ଭାଗ୍ୟରେ ମୋର

Post a Comment

0 Comments