Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ମନ୍ଥରା ଲୋ ଆଜି ଦୀପାବଳି - ରମେଶ ଚନ୍ଦ୍ର ମିଶ୍ର

ମନ୍ଥରା ଲୋ !
ଘଟଣାର ଦହି ହାଣ୍ଡିକୁ ମନ୍ଥି
ସେଥିରୁ ଅମୃତ ବାହାର କରୁ ବୋଲି
ନାଁ ତୋର ମନ୍ଥରା,
ମୋ ବାପାଙ୍କ ଉପଢୌକନ
ଶହ ଶହ ଦାସୀମାନଙ୍କ ଭିତରୁ
ତୁ ମୋତେ ଠିକ୍ ସେବା ପରାମର୍ଶ ଦେଉ ବୋଲି
ତୁ ମୋର ଚିର ସହଚରା ।
ବୁଝିଲେନି କେହି ମୋର ମନତଳ କଥା
ନିନ୍ଦା ଗଞ୍ଜଣାରେ ଆଜି ନୋଇଁଯାଏ ମଥା ।

ଜ୍ୟୋତିଷ ଶାସ୍ତ୍ରର କଠିନ ତତ୍ତ୍ବକୁ
ଗର୍ଭସ୍ଥ କରି କୈକେୟରେ ମୁଁ ହେଲି ବିଦୂଷୀ
ଜାଣୁ ଜାଣୁ ରାମର ଦୁର୍ଗତି କଥା
ମାଆ ହୋଇ କହ କେମିତି ଚୁପ୍ ରହିଥାନ୍ତି ?
ରାମର ମଙ୍ଗଳ ପାଇଁ
ବନବାସେ ଦେଲି ତାକୁ ପେଷି
ଜଗତରେ ହେଲି ଅପଖ୍ୟାତା
କେହି ବୁଝିଲେନି ମୋର ମନତଳ କଥା ।

ପିତାର ତୀବ୍ର ଶାସନ, ମାତାର ମମତା
ସନ୍ତାନକୁ କରିଥାଏ ପୂର୍ଣ୍ଣାଙ୍ଗ ମଣିଷ
ଲହୁଣୀଠୁ କୋମଳ ଯଦି ପିତା ହୋଇଯାଏ
ମାତାର ମମତା ପୁଣି ମିଶିଗଲେ
ଦୁଇ ଅମୃତ ମିଶି ସନ୍ତାନକୁ ହୁଏ ସେହୁ ବିଷ,
ରାମପାଇଁ ଏପରି ଦୁର୍ଗତି
ଆସିବାର ଦେଖି ସ୍ଥିର ରହିବ କି ମତି ?

ମନେପକା ବିଶ୍ବାମିତ୍ର ଯଜ୍ଞସ୍ଥଳ କଥା
ଦୁର୍ବାର ଅସୁରଙ୍କ ବ୍ୟୁତ୍ପାତ ସମୟ
ବିଶ୍ବାମିତ୍ର ପ୍ରବେଶିଲେ ରାଜ ଦରବାରେ
ରାମ ଲକ୍ଷ୍ମଣ ହୋଇବେ ଯଜ୍ଞରେ ସହାୟ,
ଭଣ୍ଡିଦେଲେ ଭରତ ଶତ୍ରୁଘ୍ନେ
ପୁତ୍ରସ୍ନେହେ ଅନ୍ଧହେଲେ ସ୍ନେହୀ ରଘୁରାଣ
ଏହା କଣ ହେବାର ଉଚିତ ?
କ୍ଷତ୍ରିୟ ସନ୍ତାନ କଣ
ଲୋଡେ ସଦା ମାଆର ପଣତ ?

କହ କହ ମନ୍ଥରା ଲୋ
ଗ୍ରହଦଶା ଲକ୍ଷ୍ମଣର ତୁ ତ ଜାଣିଛୁ
ରାମର ଜୀବନ-ଚକ୍ରେ ଯେତେ ଗ୍ରହ କୂଟ
ବନବାସ ବିନା କହ କି ଉପାୟ ଥିଲା,
ମୁନି ଆଶ୍ରମ, ଯଜ୍ଞସ୍ଥଳ, ସତୀନାରୀ ଅନୁସୂୟା ଦର୍ଶନ
ନକରିଥିଲେ ବାନରଙ୍କ ସହାୟତା,
ହନୁମାନର ସାନ୍ନିଧ୍ୟ,
ଏତେକ ବ୍ୟବସ୍ଥା
ବନବାସ ଘଟିବାରୁ ସିନା
ଦୁଇଭାଇଙ୍କର ଉଦେ ହେଲା
ଜୀବନର ଆସ୍ଥା ।
ଆଜି ଏଇ ଦୀପାବଳି ଆଲୋକ ସମ୍ଭାର
ଆନନ୍ଦର ଫଲ୍ଗୁଧାରା ଦିବ୍ୟ ଚେତନାର
ସମ୍ଭବ ହୋଇଛି ସିନା
ସୁଖ ସମୁଜ୍ଜ୍ବଳ
ସାରା ଅଯୋଧ୍ୟାର ।

ମନ୍ଥରା ଲୋ !
ମାଆ ହୋଇ ସନ୍ତାନର ଶୁଭ ମନାସିଲି
ସ୍ବାମୀ ଆଉ ପୁତ୍ରର ଜୀବନ ମଧ୍ୟୁ
ପୁତ୍ରକୁ ବାଛିଲି,
ଜାଣୁଜାଣୁ ପ୍ରିୟତମ ସଙ୍ଗୀ ଦଶରଥେ
କାଳେ ସମର୍ପିଲି ।
ଅବୋଧ ଭରତଠାରୁ ଏଥିପାଇଁ
ତିରସ୍କାର ଓ ଭର୍ତ୍ସନାର ଗରଳକୁ
ନୀଳକଣ୍ଠ ପରି ଆତମସ୍ଥ କଲି
ଅଯୋଧ୍ୟାର ଆଗାମୀ ଦିନର ସୁଖପାଇଁ
ମୋ ଦିନମାନଙ୍କୁ
ଅଯୋଧ୍ୟାବାସୀଙ୍କ ବିଚାରରେ
ନିତି ନିତି ବଳି ଚଢାଇଲି
ଗଞ୍ଜଣାର ଯୂପକାଷ୍ଠ ତଳେ
ବାହାରକୁ କାନ୍ଦିବାର ଅଭିନୟ କରି
ଭିତରେ ଭିତରେ ଆଶ୍ବସ୍ତ ହେଉଥିଲି
ମୋ ଦୁଇ ପୁତ୍ରଙ୍କ ରିଷ୍ଟ ଖଣ୍ଡନର
ସୁଖ ସପନରେ ।

ମନ୍ଥରା ଲୋ !
ଆଜି ଦୀପାବଳି
ଲକ୍ଷ ଲକ୍ଷ ଦୀପାଳି ଆଲୋକେ
ହସୁଅଛି ଅଯୋଧ୍ୟା ସୁନ୍ଦରୀ,
ଚୌଦବର୍ଷ ବନବାସ ପରେ
ମୋ ପ୍ରିୟ ରାମ ଲକ୍ଷ୍ମଣ
ଆଜି ଦେଖ୍, ଅଯୋଧ୍ୟା ଆସୁଛନ୍ତି ଫେରି,
ମୁଁ ଜାଣିଥିଲି, ମୋ ରାମ ମର୍ଯ୍ୟଦା ପୁରୁଷ,
ସମସ୍ତଙ୍କ ପରି ସିଏ ନୁହେଁ ଅବିବେକୀ,
ତା ମନରେ ମୋପାଇଁ ଛୁଇଁବ ନାହିଁ
ପାପର କଳୁଷ,
ସେ ମୋତେ ଠିକ୍ ବୁଝିବ
ବିଶ୍ବାସ ମୋ ଥିଲା,
ମୋ ହୃଦୟକୁ, ବିଚାରକୁ
ଠିକ୍ ବୁଝିପାରିଛି ବୋଲି ତ
ଡଗର ମୁଖରେ ମୋ ମନ୍ଦିରକୁ
ପ୍ରଥମେ ଆସିବ ବୋଲି
ବାର୍ତ୍ତା ପଠାଇଲା ।

ମନ୍ଥରା ଲୋ !
ଚୌଦବର୍ଷ ବନବାସର ଗଣିତ କଷି
ଲାଭ କ୍ଷତିର ହିସାବ ସିଏ ଠିକ୍ କରିଥିବ
କେତେ ହରାଇଲା, କେତେ ଯେ ପାଇଲା,
ଏ ହିସାବ ତାର କେମିତି ଅଜଣା ହୋଇବ ?

ମନ୍ଥରା ଲୋ !
ଆଜି ଦୀପାବଳି
ସେ ଆସୁଛି ବୋଲି
ଅଯୋଧ୍ୟାର ବୁକୁ ପରି
ମୋ ବୁକୁ ବି ପଡୁଛି ଉଚ୍ଛୁଳି,
ସରିଛି ମୋ ଦୁଃଖ ଅମା ରାତି
ମୋ ରାମ ଛୁଇଁବ ଆଜି ଅଯୋଧ୍ୟାର ମାଟି ।
ପିତାର ଅଞ୍ଚଳବନ୍ଧା ରାମ ଆଜି
ରଣଜୟୀ ବୀର
ମୁନି ମନରଞ୍ଜକ, ପ୍ରଜା ହୃଦଜୟୀ
ରାମ ମୋର ଦିଗ୍ ବିଜୟୀ
ଦୀପାଳି ଆଲୋକ ଭଳି ଯଶେ ଆଲୋକିତ
ମୋ ରାମ ଆସୁଛି ଫେରି
ଉଡାଇଣ ରଣଜୟୀ ନେତ ।
ମନ୍ଥରା ଲୋ !
ଆଜି ଦୀପାବଳି,
ସେ ଆସୁଛି ବୋଲି
ଅଯୋଧ୍ୟାର ବୁକୁ ପରି
ମୋ ବୁକୁ ବି ପଡୁଛି ଉଚ୍ଛୁଳି ।


ସମ୍ପାଦକ,
ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା,
ଅନୁଗୋଳ ।

,

Post a Comment

0 Comments