Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ଏକା ଏକା ରାତିରେ - ରାଜେଶ ପୂଜାରୀ

ଏବେ ଏମିତି ବିତେ ରାତି
ଯେମିତି ମାଇଲ୍ ମାଇଲ୍ ପର୍ଯ୍ୟନ୍ତ
କରୁଛି ଅତର୍ଚ୍ଛା ଦୌଡ଼
ହେଲେ ଅପହଞ୍ଚ ଗନ୍ତବ୍ୟ ସ୍ଥଳ।

ସାରା ଦୁନିଆଁ
ନିଦ୍ରାବତୀର ଅଭିସାରେ
ଶୀଥିଳ ହୋଇ ସାରିବା ପରେ
ମୋର ଖାଲି ଦହନ ହିଁ ଦହନ
ଯାର ଉତ୍ତାପ ଏତେ ଯେ
ଚାହିଁଲେ
ସମଗ୍ର ଭୂଖଣ୍ଡ ହୁଅନ୍ତା ଦହି
କିନ୍ତୁ କରିନି ସେମିତି
କାରଣ ଏ ଭୂଖଣ୍ଡର
କୈାଣସି ନା' କୈାଣସି କୋଣରେ
କେହି ଜଣେ ଜଳୁଛି ଠିକ୍ ମୋ ପରି
ଯିଏ ମୋର
ନିଜଠାରୁ ବେଶି ନିଜର।

ଏବେ କିନ୍ତୁ ଚାଲି ହଉନି
ଏକା ଏକା
ଲହୁ ଲୁହାଣ ହେଇ ଯାଉଛି ପାଦ
ହେଲେ ମିଳୁନି ତା ଆଶ୍ବସନାର ହାତ
ସେଇଥିପାଇଁ ତ
ସରି ସରି ଯାଉଛି ମହମ ପରି ପ୍ରତିକ୍ଷଣେ
ମୁଁ ଗୋଟେ ମରୁଥଳ
ସେ ଟୋପାଏ ଜଳ
ଭ୍ରମୁଛି କୋଣେ ଅନୁକୋଣେ
ତାର ଅନ୍ୱେଷଣେ।

ନା'ପାଉଛି ତାକୁ
ନା' ବୁଝେଇ ପାରୁଛି ଏ ଅବୁଝା ମନକୁ
ଯିଏ ପଶ୍ଚିମେ ସୂର୍ଯ୍ୟ ଉଆଁଇବାର
ବୃଥା ଆସ୍ଫାଳନରେ
ଭୂତ ପ୍ରେତ ପରି ଟହଲୁଥାଏ
ଆକାଶ ଠୁ ପାତାଳ ଯାଏ
ନଦୀ ଠୁ ସମୁଦ୍ର ଯାଏ
ଏକା ଏକା ଶୁନଶାନ୍ ରାତିରେ।


କୁଶମେଲ, ଝାରସୁଗୁଡ଼ା

Post a Comment

0 Comments