Information

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କଳ୍ପନାରେ ଜଗନ୍ନାଥ - ଅଧ୍ୟାପକ ଶରତ କୁମାର ଦାସ


ଯାଇ ପାରିଲିନି ତୋ ବଡ ଦେଉଳ
ଛୁଇଁ ପାରିଲିନି ତୋ ନନ୍ଦିଘୋଷ
ଆର ବରଷକୁ ଲାଗିବକି ଡୋର
ଧାଇଁ ଯିବି ପୁରୀ ଆଖିରେ ଦେଖିବି
ତୋ ସୁନାବେଶ ।।

ବଡଦାଣ୍ଡ ଧୂଳି ମୁଣ୍ଡରେ ମାରିବି
ଅପସରି ଯିବ ମନରୁ ଦୁଃଖ
ତୋ ସିଂହ ଦୁଆର ବାଇଶ ପାହାଚ
ମନଲୋଭା ଦୃଶ୍ୟ ଆହା କି ମଧୁର
କେଡେ ସୁନ୍ଦର ।।

ମହୋଦଧି ତୀରେ ଚାଲିଯିବି ଧୀରେ
ଦେଖିବି ସେଠାରେ ତୋ ପାଦ ଚିହ୍ନ
ଢେଉ ନାଚୁଥିବ ତୋ ମହିମା ଗାଇ
ଚହଲା ପାଣିରେ ଦେଖିବି ତୋ ମୁହଁ
ତୋ ପ୍ରତିବିମ୍ବ ।।

ରତ୍ନ ମଣ୍ଡପ ରେ ଚତୁର୍ଧା ମୂରତି
ଶୋଭା ପାଉଥିବ ଦୟଣା ମାଳ
ତୋ ବାଙ୍କ ଚାହାଣୀ ତୋ ମୁରୁକି ହସ
ମନେ ଭରିଦେବ ଅପୂର୍ବ ଆନନ୍ଦ
କସ୍ତୁରୀ ବାସ ।।

ତୋ ମହାପ୍ରସାଦ ଅମୃତ ର ବାସ
ଖାଇସାରି ମୁଣ୍ଡେ ପୋଛିବି ହାତ
କୋଇଲି ବୈକୁଣ୍ଠ ଦର୍ଶନ କରିବି
ଲଭିବି ମୁକତି ଧୋଇଯିବ ପାପ
ମନ ହରଷ ।।

ମୁକ୍ତି ମଣ୍ଡପ ରେ ମୁଣ୍ଡିଆ ମାରିବି
କଳ୍ପବଟେ ତୋର ବାନ୍ଧି ବି ଡୋର
ଶରଧା ବାଲିରୁ ସାଉଁଟି ବି ଶ୍ରଦ୍ଧା
ଯହିଁ ପାଦଥିବ ତୋ ଭାଇ ଭଉଣୀ
ତୋ ପୂଣ୍ୟ ରଥ ।।

ତୋ ମାଉସୀ ଘର ଗୁଣ୍ଡିଚା ମନ୍ଦିର
ପୋଡପିଠା ପଣା ଅନ୍ନ ବ୍ୟଂଜନ
କେତେ ଲୀଳା ଖେଳା ପୁଲକିତ ମନ
ମୁଗ୍‌ଧ ମୂର୍ଚ୍ଛନା ରେ ଭୁଲି ଯିବୁନାହିଁ
ଏ ଦୁଃଖୀ ଜନ ।।

ପ୍ରତୀକ୍ଷା ମୋ'ର ହେବକି ସାର୍ଥକ
ଦର୍ଶନ କରିବି ତୋ ଚକାମୁଖ
ଛୁଇଁ ଛୁଇଁ ଯିବି ତୋ ରଥ ଦଉଡି
ଥାଏ ଯଦି ମୋର ପିଣ୍ଡରେ ପ୍ରାଣ
ହେ ଦୟାମୟ ।।


ଶରତ କୁମାର ଦାସ
ଅଧ୍ୟାପକ, ବଡବିଲ ମହାବିଦ୍ୟାଳୟ, ବଡବିଲ, କେନ୍ଦୁଝର
ଦୂରଭାଷ- 9438243149

Post a Comment

0 Comments