ରାଗ—ସାବେରୀ  ତାଳ—ଯତି

ଜଗା କାଳିଆ ହେ , ମହା ମହୋଦଧି କୂଳିଆ ହେ
ସାଗର ଦୁଲଣୀ ପଦେ ଖଟୁଥାନ୍ତି
ଶିଖେ ଶିଖୀଖଣ୍ଡ ଚୁଳିଆ ହେ ।।

ହାତ,ପାଦ ତୁମ ଖଣ୍ଡିଆ ହେ
ନାକ,କାନ ନାହିଁ ଭେଣ୍ଡିଆ ହେ
ଭଣ୍ଡି ଖାଇବାକୁ ଯୋଜନା କରିଛ
ପରା କଳ୍ପବଟ ମୂଳିଆ ହେ ।।

ତୁମେ ତ ଭକତ ଭୋଳିଆ ହେ
ନେଇଛ ଦାସିଆ ନଡ଼ିଆ ହେ
ବନ୍ଧୁ ମହାନ୍ତି ଙ୍କୁ ବନ୍ଧୁ ପଣେ ବରି
ମହତ ରଖିଲ ଦୁନିଆଁ ରେ ।।

ତୁମ ଭୋଗ ଭାତ ବଢିଆ ହେ
ତା ପାଇଁ ଲୋଡା ତ କୁଡୁଆ ହେ
ଶ୍ରୀମହାପ୍ରସାଦ କୈବଲ୍ୟ କଣିକା
ଲାଗିହୁଏ ସୁନା ଥାଳିଆରେ ।।

ବୁଡିଯାଏ ଦୁଃଖ ଦରିଆ ରେ
ଛଳ କର ନାହିଁ ଛଳିଆ ହେ
ପ୍ରଫୁଲ୍ଲ ତୋ ଦାସ ଶ୍ରୀପଦ ପଙ୍କଜେ
ଆଶ୍ରା କରେ ବନ ମାଳିଆ ହେ ।।