Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

କ୍ଷୁଦ୍ରଗଳ୍ପ - ଅନାବିଳ ପ୍ରେମ - ଅମରେନ୍ଦ୍ର ଚୌଧୁରୀ ଓଝା

ଦାରିଦ୍ର୍ୟ ର ଉତ୍ପୀଡ଼ନ ଭିତରେ ସୁଲି କୁ ଭଲ ପାଇବାରେ କେବେବି ଅବହେଳା କରିନି ରଘୁଆ ଆଜି ଯାଏ। ପୁଅ ଅଗାଧୁ ଆଉ ଝିଅ ଚମ୍ପି କୁ ନେଇ ତାର ସୁଖ-ଦୁଃଖର ଛୋଟିଆ ସଂସାର। ଜନ୍ମରୁ ବାପା-ମାଆ ଛେଉଣ୍ଡ ରଘୁଆ ର ପିଲାଦିନ କଥା ଯେବେ ମନେପଡେ; ଆଖି ତାର ଲୁହରେ ଜକେଇ ଆସେ। ବାପା-ମାଆ ଚାଲିଗଲା ପରେ ଶିବୁ ପ୍ରଧାନ ଘରେ ବଡ଼ ହେଇଥିଲା ରଘୁଆ। ଶିବୁ ପ୍ରଧାନ ର ସ୍ତ୍ରୀ ସାବିତ୍ରୀ, ରଘୁଆ କୁ କେବେ ଭଲ ଆଖିରେ ଦେଖିବାର ରଘୁଆ ର ଆଜି ମନେ ନାହିଁ।ସାବିତ୍ରୀ ତା ପିଲା ମାନଙ୍କୁ ଖିରି, ପୁରି ଖାଇବାକୁ ଦେଉଥିବା ବେଳେ ରଘୁଆ କୁ ଦିଏ ରାତିରେ ବଳିଥିବା ବାସି ରୁଟି। ତଥାପି ରଘୁଆ ତାକୁ ମନ ଖୁସିରେ ଖାଏ। ଆଉ ତାରି ଭିତରେ ଖୋଜେ ମାଆ ର ମମତା। ଯେତେବେଳେ ଯୋଉ କାମ ପଡେ, ସବୁବେଳେ ସାବିତ୍ରୀଙ୍କ ମୁହଁରେ ରଘୁଆ ର ନାଁ।

ରଘୁଆ, ଗଲୁ ଧାନ ଭାଙ୍ଗି ଆଣିବୁ। ବାପା ଯାଇଛନ୍ତି ବିଲକୁ, ଯା ଖାଇବା ଦେଇ ଆସିବୁ। ଦିନ ସାରା ଧାଁ ଦୌଡ଼ କରି କରି ରଘୁଆ ଥକି ପଡେ। ଯେବେ ରାତିରେ ସବୁକାମ ସାରି ଶୋଇବାକୁ ଆସେ।ସେତେବେଳେ ମାଆ(ସାବିତ୍ରୀ) ଙ୍କୁ ଦେଖେ। କେମିତି ସେ ତାଙ୍କ ପିଲା ମାନଙ୍କୁ ତେଲ ଲଗାଇ ହାତ-ପାଦ ମାଲିସ୍ କରିଦେଉଛନ୍ତି। ରଘୁଆ ମନେ ମନେ ଭାବେ; ମୁଁ ଦିନ ସାରା କାମ କରି ହାଲିଆ ହେଇଛି । ମୋ ହାତ-ପାଦ କ'ଣ ଟିକେ ମାଲିସ୍ କରିଦିଅନ୍ତାନି ମାଆ। ସେମାନେ ସ୍କୁଲ ରୁ ଆସି ଖେଳୁଥିଲେ। ସେମାନେ କଣ ଏତେ ଥକିଗଲେ ଯେ ସେମାନଙ୍କୁ ମା ମାଲିସ୍ କରି ଦେଉଛି। ହେଲେ ମୋତେ ମାଲିସ୍ କରି ଦେଉନି।ରଘୁଆ ର କଅଁଳ ହୃଦୟ କୋହ ସମ୍ବରଣ କରି ପାରେନା। ରାତ୍ରୀ ର ନିର୍ଜନତା ରେ ତକିଆ କୁ କୁଣ୍ଢେଇ ଧରି ବିଲାପି ଉଠେ ରଘୁଆ। ଅନ୍ତରାତ୍ମା ତାର ମନେ ମନେ ତା ମାଆ କୁ ଖୋଜୁଥାଏ। ସବୁବେଳେ ପ୍ରଶ୍ନ କରୁଥାଏ - "ମୋ ମାଆ ଥିଲେ କଣ ମୋତେ ଏମିତି କାମ କରିବାକୁ କହିଥାନ୍ତା? ମୋ ଦେହ ଖରାପ ଥିଲେ ମୋ ପାଦ ରେ ତେଲ ମାଲିସ୍ କରି ନଥାନ୍ତା? ଏମିତି ଅନେକ ପ୍ରଶ୍ନବାଚୀ ତା'ଆଖି ସାମ୍ନାରେ କ୍ଷଣିକରେ ପହଁରି ଯାଏ।

ସେଦିନ ର କଥା ତା'ର ସ୍ପଷ୍ଟ ମନେ ଅଛି। ସତର ବର୍ଷ ର ରଘୁଆ ମୁଢ଼ି଼ ମୁଠେ ପାଟିରେ ପକେଇ ଦେଇ ଯାଇଥାଏ ବିଲରେ ହଳ କରିବାକୁ। ମା କହିଥିଲା ତୁ ଯା; ମୁଁ କାହା ହାତରେ ଖାଇବା ପଠେଇ ଦେବି।ମୁଣ୍ଡ ଉପରକୁ ଖରା ଉଠିଗଲା ପରେ ରଘୁଆ କୁ ଭାରି ଶୋଷ ହେଲା। ସେ ବଳଦ ଦୁଇଟା ଙ୍କୁ ଖୋଲିଦେଇ ଗଛଛାଇରେ ଟିକିଏ ନିଶ୍ୱାସ ମାରିଲା। ଗୋହିରୀ ରୁ ଆଞ୍ଜୁଳା କରି ଦୁଇ ଚାରି ଆଞ୍ଜୁଳା ପାଣି ପିଇଲା। ତାଙ୍କ ଗାଁ ର ସୁନେଇ ଖୁଡି ଦାମ କକାଙ୍କ ପାଇଁ ଖାଇବା ନେଇ ଆସୁଥିବାର ଦେଖି ରଘୁଆ ଗାଁ ମୁଣ୍ଡକୁ ଚାହିଁଲା। ମନେମନେ କଣ ଚିନ୍ତା କରି ବସି ରହିଲା। ରଘୁଆ ପାଖରେ ପହଞ୍ଚି ସୁନେଇ ଖୁଡି ପଚାରିଲେ- କିରେ ରଘୁଆ; ତୁ ଖାଇବା ଆଣିନୁ କି? ରଘୁଆ ଧୀର ସ୍ୱରରେ ଉତ୍ତର ଦେଲା ନାଇଁ ଯେ ଖୁଡି ; ମାଆ କହିଥଲା ଦ୍ୱିପ୍ରହରେ କାହା ହାତରେ ଖାଇବା ପଠେଇବ ବୋଲି। ହେଲେ ଏ ଯାଏଁ ପଠେଇଲେନି। ଖୁଡି କହିଲେ ହଉ ହଉ। ତା'ପରେ କକା ଙ୍କ ପାଇଁ ଆଣିଥିବା ଗଣ୍ଠିଲି ରୁ ଖୋଲି ମୁଠେ ପଖାଳ ଭାତ ଆଉ ବଢ଼ିଚୁରା ଓ ଆଳୁ ଚଟଣି ଦେଲେ। ସରାଗ ରେ ମୁହଁରୁ ଝାଳ ପୋଛିଦେଲେ। ଆଦରରେ ପଚାରିଲେ ଧନ ରେ ତୁ ଏମିତି ନଖାଇ ନପିଇ ଏତେ ଖଟୁଛୁ । ଦେହ ଖରାପ ହେଇ ଯିବନି। ଟିକେ ବିଶ୍ରାମ ନେଇ ଯା। ଖରା ଟିକେ ଗଡ଼ିଗଲେ ବାକି ହଳ ସାରି ଘରକୁ ଯିବୁ। ସ୍ନେହ ମମତା ର ଏଇ କେଇପଦ କଥା ଶୁଣି ରଘୁଆ ଆଖିରେ ଯେମିତି ଭାରି ଯାଇଥିଲା ଶ୍ରାବଣ। ବୈଶାଖ ର ଡ଼ହ ଡ଼ହ ଖରାରେ ଯେମିତି ବର୍ଷୁଥିଲା ବର୍ଷା ରଘୁଆ ଆଖିରୁ। ଖୁଡିଙ୍କ କୋଳରେ ମୁଣ୍ଡ ରଖି ରଘୁଆ ମନ ଭରି କାନ୍ଦିଲା। ଖୁଡି ତା ମୁଣ୍ଡକୁ ଆଉଁସି ପଚାରିଲେ ଆରେ ରଘୁ କାନ୍ଦୁଛୁ କାହିଁକି? ରଘୁଆ ଉତ୍ତର ଦେଲା - ଖୁଡି ଆଜି ପ୍ରଥମ ଥର ପାଇଁ ଜାଣିଲି ମାଆ ର ମମତା। ଖୁଡି ତା'ଆଖିର ଲୁହ ପୋଛି କହିଲେ ଛି ରଘୁ, ସେମିତି କଣ କାନ୍ଦନ୍ତି। ମୋତେ ମା ବୋଲି କହୁଛୁ ଆଉ ମା ପାଖେ କାନ୍ଦୁଛୁ। କୋଉ ମା କଣ ତା ପିଲା ର କାନ୍ଦ ସହିପାରେ। ତୁ କାନ୍ଦନା ପୁଅ। ଦେଖିବୁ, ଦିନେ ତୋତେ ଭଲ ପାଇବା ପାଇଁ ଭଗବାନ ତୋ ପାଖକୁ ପରୀ ଟିଏ ପଠେଇବେ। ହଉ , ତୁ ଏବେ ଏଇଠି ବିଶ୍ରାମ ନେଉଥା। ମୁଁ ତୋ କକାଙ୍କୁ ଖାଇବା ଦେଇ ଆସେ।

ସେଦିନ,ଦିନ ଗଡ଼ି ସଞ୍ଜ ହେଲା। ହେଲେ ତା ମା ଖାଇବା ପଠେଇଲାନି। ରଘୁଆ ମୁହଁ ସଞ୍ଜବେଳେ ହଳ ନେଇ ଘରକୁ ଫେରିଲା। ଘରେ ଆସି ଦେଖିଲା ମା ତା'ର ପିଲା ମାନଙ୍କ ପାଇଁ ମଣ୍ଡାପିଠା ତିଆରି କରୁଛି। ତାକୁ ଦେଖି ତା ମାଆ(ସାବିତ୍ରୀ) କହିଲା ଆରେ ରଘୁଆ, ମୁଁ ଦ୍ୱିପ୍ରହରେ ଖାଇବା ପଠେଇବାକୁ ଭୁଲିଯାଇଥିଲି। ତୁ କଣ ଖାଇଲୁ? ରଘୁଆ କିଛି ଉତ୍ତର ନ ଦେଇ ହାତ ମୁହଁ ଧୋଇବାକୁ ଚାଲିଗଲା ପୋଖରୀ ତୁଠକୁ। ତା'ପରେ ଆସି ପ୍ରଭୁଙ୍କୁ ପ୍ରଣାମ କରି ବଂଶୀ ବଜେଇଲା। ଖୁବ୍ ଭଲ ବଂଶୀ ବଜେଇ ପାରେ ରଘୁ। ତା ବଂଶୀରୁ କେବଳ ଭାସି ଆସୁଥିଲା କରୁଣ ମୂର୍ଛନା। ମମତା ପାଇଁ ବ୍ୟାକୁଳିତ ହୃଦୟ ର ସ୍ୱର ଖୁବ୍ ସ୍ପଷ୍ଠ ବାରି ହେଉଥିଲା ତା ବଂଶୀ ସ୍ଵନରେ।

ତା'ପର ଦିନ ପୁଣି ହଳ ନେଇ ଚାଲିଲା ରଘୁଆ। କାଲି ଯେହେତୁ ମାଆ କିଛି ଖାଇବା ପଠେଇ ନଥିଲା । ରଘୁଆ ଆଉ କାହାକୁ ଅପେକ୍ଷା ନ କରି ଦ୍ୱିପ୍ରହରେ ହଳ ଖୋଲିଦେଇ ଗୋହିରୀ ର ପାଣି ପିଇବାକୁ ଯାଉଥିବା ବେଳେ ସୁଲି ଆସି ତା ପାଖରେ ପହଞ୍ଚିଲା। କହିଲା- ରଘୁଭାଇ; ବୋଉ ତୋ ପାଇଁ ଖାଇବା ପଠେଇଛି। (ସୁନେଇ ଖୁଡିଙ୍କ ଝିଅ ସୁଲି। ବୟସ ୧୪ କି ୧୫ ହେବ)। ସେ ତା ବୋଉ ପରି ଭାରି ସ୍ନେହୀ। ଅନ୍ୟର ଦୁଃଖ ଦେଖିଲେ ଜମା ସହି ପାରେନା। ରଘୁଆ ମୁହଁ ରୁ ଝାଳ ପୋଛି ଦେଇ କହିଲା - ରଘୁଆ ଭାଇ , ତୁମେ କାହିଁକି ଏତେ ପରିଶ୍ରମ କରୁଛ ଯେ। ପିଲାବେଳେ କେତେ ସୁନ୍ଦର ଚେହେରା ଥିଲା ତୁମର। ଏବେ ଶୁଖି କଳାକାଠ ପଡି ଗଲାଣି। ରଘୁଆ ଅଧାରୁ ତା କଥା କାଟି କହିଲା- ଆଲୋ ହୁଣ୍ଡି ନ ଖଟିଲେ କିଏ ଖାଇବାକୁ ଦେବ କହିଲୁ? ସୁଲି ଟିକେ ନିରବ ହେଇଗଲା। ଆଖି ତାର ଛଳ ଛଳ ଦିଶିଲା। ତାକୁ ଦେଖି ରଘୁଆ କହିଲା- ଆଲୋ ତୁ ଏମିତି ମନ ଦୁଃଖ କରୁଛୁ କାହିଁକି ? କଣ କରିବି କହ। ପିଲାଟି ଦିନରୁ ବାପା-ମାଆଙ୍କୁ ଖାଇଲି।ଯାହାଙ୍କୁ ବାପା-ମାଆ ବୋଲି ଆଦରି ରହିଛି; ସେମାନେ ମୋତେ କେତେ ଭଲ ପାଆନ୍ତି, ସେ କଥା ତୁ ଜାଣୁ। ବହୁତ କଷ୍ଟ ହେଉଛିଲୋ ସୁଲି। ଭାବୁଛି ଆତ୍ମହତ୍ୟା କରିଦେବି। ଏ ଛାର ଜୀବନ ରହି ଲାଭ କଣ? ନା ମୋର କାହାକୁ ସୁଖଦୁଃଖ ବାଣ୍ଟିବାର ଅଛି। ନା ମୋତେ କେହି ତା ସୁଖଦୁଃଖ କହିବାକୁ ଅଛି। କାହାଠାରୁ ଟିକିଏ ସ୍ନେହ ମମତା ପାଇବା ତ ମୋ ପାଇଁ ସାତ ସପନ। ଏତିକି କହୁକହୁ ନୀରବରେ ବହିଗଲା ଦୁଇଧାର ଲୁହ ରଘୁଆ ର ଗଣ୍ଡଦେଶ ଛୁଇଁ। ସୁଲି ତା କାନି ପଣତରେ ସେ ଲୁହକୁ ପୋଛିଦେଇ କହିଲା - ରଘୁଭାଇ, ମୁଁ ତୁମକୁ ଗୋଟେ କଥା କହିବି ତୁମେ ରଖିବ? ରଘୁଆ କହିଲା ଆଲୋ କହୁନୁ, ଯଦି ରଖି ପାରିବି ନିଶ୍ଚୟ ରଖିବି। ରଘୁ ଭାଇ ମୁଁ ତୁମକୁ ସବୁଦିନ ମୋ ହାତ ରେ ରାନ୍ଧି ଖୁଆଇବି। ମୋତେ ତୁମ ଜୀବନ ସାଥୀ କରିବ???

ସତକୁ ସତ ବର୍ଷି ଯାଇଥିଲା ଅସରାଏ ବର୍ଷା। ଏଇ ଅଦିନ ମେଘରେ ଦୁହେଁ ଭିଜିଥିଲେ ମନ ଖୋଲି। ରଘୁଆ ଛାତି ର ସବୁ ଦୁଃଖ , ଅବଶୋଷ ଯେମିତି କବର ପାଇ ଯାଇଥିଲା ସୁଲି ର ଏଇ ପଦିଏ କଥାରେ। ଛାତି ଉପରକୁ ଭିଡ଼ିନେଇ ରଘୁଆ ସୁଲି କୁ କହିଥିଲା ମୁଁ ତୋତେ ମନେ ମନେ ଭଲ ପାଏଲୋ ସୁଲି। ହେଲେ କେବେ ସାହସ କରି ପାରିନି ତୋତେ କହିବାକୁ। ଆଜି ଯେତେବେଳେ ମୋ ମନ କଥା ତୁ କହିଦେଲୁ ମୁଁ ବହୁତ୍ ଖୁସି। ଆଉ ମୋର କିଛି ଅବଶୋଷ ନାହିଁ। ହେଲେ ସୁଲି, ଆମ ସମ୍ପର୍କ କୁ କେହି ସ୍ୱୀକୃତି ଦେବେ ନାହିଁ; କଣ କରିବା। ସୁଲି କହିଲା

- ରଘୁଭାଇ, ଚାଲ ଆଜି ରାତିରେ ଆମେ ଏ ଗାଁ ଛାଡି ଚାଲିଯିବା। ରଘୁ କହିଲା ହଁ, ତୁ ଠିକ୍ କହିଛୁ। ତା ଛଡା ଆଉ କିଛି ଉପାୟ ନାହିଁ।

ସେଦିନ ରାତିରେ ଯୋଜନା ମୁତାବକ ରଘୁଆ ଆସି ଗାଁ ମୁଣ୍ଡ ବରଗଛ ମୂଳେ ସୁଲିକୁ ଅପେକ୍ଷା କଲା। ସୁଲି ବି ଘର ଲୋକଙ୍କୁ ଲୁଚି ଆସି ଠିକ୍ ସମୟରେ ପହଁଚିଲା ଗାଁ ମୁଣ୍ଡ ବରଗଛ ପାଖେ। ସେଇ ଗଛମୂଳେ ପୂଜା ପାଉଥିବା ମାଆ ତାରିଣୀଙ୍କୁ ସାକ୍ଷୀ ରଖି ରଘୁଆ ସୁଲି ମଥାରେ ଟୋପେ ସିନ୍ଦୂର ଆଉ ହାତରେ ନାଲି ଶଙ୍ଖା ଦୁଇ ପଟ ପିନ୍ଧେଇ ଦେଇ କହିଲା - "ସୁଲି, ଆଜିଠାରୁ ତୁ ମୋ ଭାରିଜା ହେଲୁ। ଆଜିଠୁ ତୋ ସୁଖ-ଦୁଃଖ ରେ ମୁଁ ତୋର ହେଇ ରହିବି। ଆଉ ତୋ ଠୁ ବି ମୁଁ ସେଇୟା ଆଶା କ...... ସୁଲି ତା ପାଟିରେ ହାତ ଦେଇ ମୁଣ୍ଡିଆ ମାରିଲା । ତା ଇହକାଳ ପରକାଳ ଦେବତାଙ୍କୁ। ସୁଲିକୁ ଦୁଇ ହାତରେ ଉଠେଇଲା ରଘୁଆ। ସୁଲି କହିଲା- ଜାଣେ ରଘୁଭାଇ; ତୁମ ସୁଖ ରେ ସୁଖୀ ଆଉ ତୁମ ଦୁଃଖରେ ଦୁଃଖୀ ହେବି ବୋଲି ତ ଘର-ଦ୍ୱାର ,ବାପା-ମାଆ ସମସ୍ତଙ୍କୁ ପର କରି ତୁମ ସହ ଚାଲି ଆସିଛି। ସୁଲି କୁ କୋଳେଇ ନେଇ ରଘୁଆ ତା ବାହୁବେଷ୍ଟନୀ ରେ ବାନ୍ଧିଦେଇ କପାଳରେ ତାର ଚୁମ୍ବନ ଟିଏ ଦେଇ ସୁଲି କୁ ଭରଷା ଦେଲା। ତା ପରେ ଦୁହେଁ ମାଆ ତାରିଣୀ ଙ୍କୁ ମୁଣ୍ଡିଆ ମାରି ନୂଆ ଜୀବନ ର ମଙ୍ଗଳ କାମନା କରି ଆଗେଇ ଚାଲିଲେ ଷ୍ଟେସନ ଆଡେ।ଷ୍ଟେସନ ରେ ପହଞ୍ଚିବା ବେଳକୁ ରାତି ଦୁଇଟା ବାଜି ସାରିଥାଏ। ସେତେବେଳକୁ ଯୁଆଡେ ଟ୍ରେନ ଯିବାକୁ ଥିଲା ; ସେଇ ଟ୍ରେନ ରେ ଚଢ଼ିଗଲେ ଦୁହେଁ । ଆଖି ଖୋଲିଲା ବେଳକୁ ହାଓଡ଼ା ଷ୍ଟେସନ ରେ ଟ୍ରେନ ପହଞ୍ଚି ସାରିଥାଏ। ସେଇ ଦିନ ଠୁ ରଘୁଆ ସୁଲିକୁ ନେଇ କଲିକତା ରର ରହୁଛି। ଦିନେ ଦୁଇ ଦିନ ଷ୍ଟେସନରେ ରହିବାକୁ ପଡିଥିଲା ଦୁହିଁଙ୍କୁ। ବହୁ ଦୁଃଖ କଷ୍ଟ ସହିଥିଲେ ଦୁହେଁ। ସୁଲି ଘରୁ ଯାହା ପଇସା ଲୁଚେଇ କରି ଆଣିଥିଲା। ଦୁଇଦିନ ଭିତରେ ସବୁ ସରି ଯାଇଥିଲା। ଈଶ୍ୱଶଙ୍କ କୃପାରୁ ଜଣେ ରିକ୍ସାବାଲା (ଅବ୍ଦୁଲ୍ ଚାଚା) ତାଙ୍କୁ ଦରଖି ପଚାରିଲା - "ତୁମେ ଦୁହେଁ ନୂଆ ବାହା ହେଲା ଭଳି ଲାଗୁଛ। ହେଲେ, ଏ ପ୍ଲାଟଫର୍ମ ରେ ଏମିତି ଦୟନୀୟ ଅବସ୍ଥାରେ କାହିଁକି ରହୁଛ? ସେଇଠି ରଘୁଆ ପ୍ରକାଶ କରିଥିଲା ତା ଜୀବନ ର କରୁଣ କାହାଣୀ। ଅବ୍ଦୁଲ ଚାଚା ସବୁ ଶୁଣିସାରିବା ପରେ ସେ ମଧ୍ୟ କାନ୍ଦି ପକେଇଥିଲେ । ଆଉ କହିଥିଲେ ଚାଲ ବେଟା, ତୁମେ ଦୁହେଁ ଆଜିଠୁ ମୋ ସାଙ୍ଗରେ ରହିବ। ରଘୁଆ ହିନ୍ଦୁ ହୋଇ ଜଣେ ମୁସଲମାନ ର ଘରେ ରହିବ କି ନାହିଁ। ନିଜ ଜାତି , ଧର୍ମ, ବର୍ଣ୍ଣ ଏସବୁ ର ପ୍ରଶ୍ନବାଚୀ ତା ଶରୀରରେ ପ୍ରବେଶ କରିବା ପୂର୍ବରୁ ଉଦରର କ୍ଷୁଧା ତାକୁ ଅଧିକ ବ୍ୟତିବ୍ୟସ୍ତ କରିଥିଲା। କିଛି ବି ଶୋଚନା-ଅନୁଶୋଚନା ନକରି ଅବ୍ଦୁଲ ଚାଚାଙ୍କ ପଛେ ପଛେ ଚାଲିଥିଲେ ଦୁଇ ପତି ପତ୍ନୀ। ସେହିଦିନ ଠୁ ଅବ୍ଦୁଲ ଚାଚାଙ୍କ ଘରେ ରହିଯାଇଛି ରଘୁଆ।

ଅବ୍ଦୁଲ ଚାଚାଙ୍କର କେହି ନାହାଁନ୍ତି। ସେ ଏକୁଟିଆ ବୁଢା ମଣିଷ। ଜାତିରେ ମୁସଲିମ ହେଲେ ମଧ୍ୟ ସେ ତାଙ୍କ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରୁ ବି ବଡ ଥିଲେ। ନିଜ ପୁଅ ବୋହୂଙ୍କ ଭଳି ରଖିଥିଲେ। ସେମାନଙ୍କୁ ଘରେ ରଖି ନିଜେ ଏଇ ବୁଢ଼ା ବୟସରେ ରିକ୍ସା ଟାଣି ଖାଇବାକୁ ଦେଉଥିଲେ। କିଛିଦିନ ପରେ ରଘୁଆକୁ ଏସବୁ ଆଉ ଭଲ ଲାଗିଲାନି। ନିଜ ବାପ ବୟସର ଲୋକ ଖଟିକରି ଆଣିବେ; ଆଉ ସେ ବସି ଖାଇବ। ଅନ୍ତରାତ୍ମା ଯେମିତି ଧିକ୍କାର କରୁଥିଲା ତାକୁ। ନିଜ ସ୍ୱାଭିମାନର ଅନ୍ତର୍ଦହନ ରେ ଜଳି ଯାଉଥିଲା ଯେମିତି ରଘୁଆ। ସନ୍ଧ୍ୟାରେ ଅବ୍ଦୁଲ ଚାଚା ଫେରିବା ପରେ ରଘୁଆ କହିଲା ଚାଚା, ଆଜିଠୁ ତୁମର ରିକ୍ସା ଟାଣିବା ବନ୍ଦ। ଅବ୍ଦୁଲ ଚାଚା ଟିକେ ହସିକରି କହିଲେ - "କିରେ ରିକ୍ସା ନଟାଣିଲେ ଆମେ ଖାଇବା କଣ? ମୁଁ ତ ଠିକ୍ ସେଇକଥା କହୁଛି। କାଲି ଠୁ ମୁଁ ଯିବି ରିକ୍ସା ନେଇ। ଆଉ ତୁମେ ଘରେ ରହିବ। ତୁମର ଏତେ ବଡ଼ ଭେଣ୍ଡାପୁଅ ଟା ଘରେ ବସି ଗେମ୍ଫା ମାରିବ ଆଉ ତୁମେ ଏ ବୟସ ରେ ରିକ୍ସା ଟାଣିବ। ଏକଥା ମୁଁ ଆଦୌ ସହ୍ୟ କରି ପାରୁନି। କହୁ କହୁ ରଘୁଆର ତଣ୍ଟି ଶୁଖିଗଲା। ଆଖି ଛଳଛଳ ହୋଇଗଲା। ଅବ୍ଦୁଲ ଚାଚା ବି କାନ୍ଦି ପକେଇଲେ ରଘୁଆ ର ଏଇ ଆତ୍ମୀୟତା ଦେଖି। ନିଜ ପୁଅର ଅଧିକାର ନେଇ କହିଥିବା କଥା ଗୁଡାକ ଚାଚାଙ୍କ ଆତ୍ମାକୁ ଖୁବ୍ ଆତ୍ମତୃପ୍ତି ଦେଇଥିଲା ସେଦିନ। ସେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ହାତ ଯୋଡି କହିଥିଲେ- "ହେ ପ୍ରଭୁ, ଏଇ ବୁଢା ବୟସରେ ମୋତେ ଏଇ ଆଶାବାଡି ଖଣ୍ଡକ ଦେଇଥିବାରୁ ମୁଁ ତୁମ ପାଖରେ ଚିର କୃତଜ୍ଞ। ବାସ୍, ସେହିଦିନ ଠୁ ଅବ୍ଦୁଲ ଚାଚାଙ୍କୁ ନିଜ ବାପା ମାନି ତାଙ୍କ ରିକ୍ସା ଟାଣି ପେଟ ପୋଷୁଛି ରଘୁଆ।

ପ୍ରଥମେ ପ୍ରଥମେ ରିକ୍ସା ଟାଣିବା ସେ ନୂଆ ହୋଇ ଆସିଥିବାରୁ କେତେବେଳେ ତା ରିକ୍ସା ରେ ଲୋକ ହୁଅନ୍ତି ତ କେତେବେଳେ ନାହିଁ। ଏପଟେ ଚଳିବାକୁ ତିନି ପ୍ରାଣୀ କୁଟୁମ୍ବ।ସବୁବେଳେ ଘର ଚଳିବାକୁ ଟଙ୍କା ପଇସା ର ଅଭାବ ଲାଗି ରହେ।ବେଳେବେଳେ ଚାଚାଙ୍କ ପାଇଁ ରୋଷେଇ କରି ଦୁଇ ପ୍ରାଣୀ ପାଣି ପିଇ ସୋଇ ଯାଆନ୍ତି। ଦୁହେଁ ଦୁହିଁଙ୍କର ଦରଦୀ ହୃଦୟ ର ସାଥୀ ହୋଇ ସବୁ ସୁଖ-ଦୁଃଖ ସାଥି ହୋଇ ବାଣ୍ଟି ନିଅନ୍ତି। ରଘୁଆ ବାହାଘରକୁ ଆଜି ଆଠ ବର୍ଷ ବିତି ଗଲାଣି। ପୁଅ ଅଗାଧୁ କୁ ତିନି ବର୍ଷ ଆଉ ଝିଅ ଚମ୍ପି କୁ ବରଷେ ପୁରି ଦୁଇ ମାସ ଚାଲିଛି। ସେଇ ଭିତରେ ଅନେକ ଜଞ୍ଜାଳ ସହିଛି ସୁଲି। ହେଲେ କେବେ ଅଭିଯୋଗ ବାଢ଼ିନି ରଘୁ ପାଖରେ। ମନ ଦୁଃଖ କରିନି ତାଙ୍କର ଏଇ ଦୁଃଖ ଦୁର୍ଦ୍ଦଶା ପାଇଁ। ବରଂ ସବୁବେଳେ ସାହସ ଯୋଗେଇଛି ରଘୁଆ କୁ। ସୁଲି କହେ -" ଶୁଣୁଛ; ତୁମେ ଜମା ବ୍ୟସ୍ତ ହୁଅନି। ମୋତେ ଭଲମନ୍ଦ ଟିକେ କିଛି ଖାଇବାକୁ କି ପିନ୍ଧିବାକୁ ଦେଇ ପାରୁନ ବୋଲି ମନଦୁଃଖ କରୁଛ। ତୁମ ମନରେ ଦୁଃଖ ଦେଲେ ମୁଁ ନର୍କ କୁ ଯିବି। ମୋ ପୁଅ ଅଗାଧୁ ବଡ଼ ହେଲେ ସେ କଣ ଆମକୁ ସୁଖରେ ରଖିବନି। ମୋ ପୁଅ ରୋଜଗାର କଲେ ଦେଖିବ ସେ ମୋ ପାଇଁ କେତେ ଭଲ ଭଲ ଶାଢ଼ୀ ଆଣିବ। ଗହଣା ଆଣିବ।ଏବେଠୁ ଏତେ ବ୍ୟସ୍ତ କାହିଁକି ଯେ? ଏଇ ମିଠା କଥା ପଦକରେ ରଘୁ ଭୂଲିଯାଏ ସଂସାର ଯାକର ଦୁଃଖ।

ଆଜି ସକାଳୁ ବଡ଼ି ଭୋରରୁ ଉଠି ରିକ୍ସା ନେଇ ବାହାରି ଯାଇଥିଲା। ଶୁଣିଥିଲା ଆଜି କୁଆଡେ ଭଲ ବେପାର ହେବ।କାରଣ କଣ ଯଦିଓ ଜାଣି ନଥିଲା ହେଲେ କିଛି ଗୋଟେ ବଡ ପର୍ବ ଅଛି ବୋଲି ତାର ସାଥୀ ରିକ୍ସାଵାଲା କରିମ୍ କହିଥିଲା। ସକାଳୁ ସକାଳୁ ଯୋଡି ଯୋଡି ପ୍ରେମପକ୍ଷୀ ମାନେ ତା ରିକ୍ସା ରେ ବସି ବୁଲୁଥିଲେ ମନ୍ଦିର, ମସଜିଦ, ପାର୍କ ଓ ସିନେମା ଘର। ସେମାନଙ୍କ ଭିତରୁ କିଛି ଚିହ୍ନା ପ୍ରେମପକ୍ଷୀ, ଯେଉଁମାନେ ସବୁବେଳେ ତା ରିକ୍ସା ରେ ଯାଆନ୍ତି। ଆଉ ତାକୁ ରଘୁକକା କହି ସମ୍ମାନ କରନ୍ତି। ସେମାନଙ୍କ ଭିତରୁ ଗୋଟେ ଯୋଡ଼ିଙ୍କୁ ରଘୁଆ ପଚାରିଥିଲା -ଆରେ ମା ଆଜି କି ପର୍ବ ଅଛି କି? ତୁମେମାନେ ସବୁ ଏତେ ସଜେଇ ହୋଇ ସାଥୀ ମାନଙ୍କ ସହ ବୁଲାବୁଲି କରୁଛ। କଥା କଣ? ଝିଅଟି ଓଠରେ ସ୍ମିତ ହସ ଟିଏ ଖେଳେଇ କହିଲା -"କାକା, ତୁମେ ଜାଣିନ କି ଆଜି ପରା ଭାଲେଣ୍ଟାଇନ ଡେ। ମାନେ ପ୍ରେମ ର ଦିବସ"। ଯେଉଁମାନେ ଯାହାକୁ ଯେତେ ଭଲ ପାଆନ୍ତି; ସେମାନଙ୍କୁ ଆଜି ମନର ପରିଭାଷା ଜଣେଇବା ପାଇଁ ଏଇ ପର୍ବର ପାଳନ କରାଯାଏ। କିଏ କାହାକୁ ଗୋଲାପ ଟିଏ ଦେଇ ତ କିଏ କାହାକୁ ଦାମୀ ଉପହାର ଟିଏ ଦେଇ ନିଜ ନିଜର ଭଲପାଇବାକୁ ଜାହିର କରନ୍ତି। ଏଇ ଦେଖୁନ କାକା, ସମ୍ବିତ ଆଜି ମୋତେ ଏଇ ମୁଦି ଟା ପ୍ରେଜେଣ୍ଟ କରିଛନ୍ତି। ଭଲ ଲାଗୁଛି ନା? ରଘୁଆ କହିଲା- ହଁ...... ହଁ ରେ ମା, ଖୁବ୍ ସୁନ୍ଦର ଲାଗୁଛି। ଈଶ୍ୱର ତୁମମାନଙ୍କୁ ସୁଖରେ ରଖନ୍ତୁ। ଏତିକି କହୁ କହୁ ରଘୁଆ ର ଗଳା ବାଷ୍ପରୁଦ୍ଧ ହୋଇଗଲା। ଝିଅଟି ପଚାରିଲା-"କାକ, ତୁମେ କାନ୍ଦୁଛ? ରଘୁଆ ଆଉ ନିଜକୁ ସମ୍ଭାଳି ପାରିଲାନି। ବାଟଚଲା ନିତି ଦିନ ର ପଥିକ ମାଂନଙ୍କ ଭିତରେ ଯେମିତି ଗୋଟେ ଅଜଣା ସମ୍ପର୍କ ଗଢି ଉଠିଥାଏ। କେହି କାହା ସହ କଥା ନହେଲେ ମଧ୍ୟ କେବେ କେମିତି ଯଦି କେହି ସହଯାତ୍ରୀ ଙ୍କ ଅନୁପସ୍ଥିତି କେହି ଦେଖନ୍ତି। ମନେ ମନେ ପ୍ରଶ୍ନ କରନ୍ତି, ଆରେ ଆଜି ତ କାହିଁ ସେ ବାବୁ ଆସି ନାହାଁନ୍ତି। ଏମିତି ବୋଧେ ଭାବପ୍ରବଣତା ସବୁ ମଣିଷଙ୍କ ପାଖରେ ଥାଏ। କିଏ ପ୍ରକାଶ କରେ। କିଏ ନିରବ ରୁହେ। ଠିକ୍ ସେମିତି ରଘୁଆ ସେ ଝିଅକୁ ନିଜ ଝିଅ ମନେ କରି କହିଲା- " ଆରେ ମାଆ, ତୋ ଖୁଡ଼ିକୁ ମୁଁ ବହୁତ୍ ଭଲ ପାଏ। ତା ପାଇଁ ଆଜି ମୁଁ ସଂସାର କରିଛି। ହେଲେ ତାକୁ କେବେ କିଛି ଭଲମନ୍ଦ ଟିଏ ଦେଇ ପାରିନି। ଭାରି କଷ୍ଟ ଲାଗେ ମୋତେ; ,ଯେତେବେଳେ ସାବୁନ କି ସାମ୍ପୋ ଟିକିଏ ନପାଇ ମୋ ସୁଲି ତା ଲମ୍ବା ଘନକୃଷ୍ଣ କେଶକୁ ବନମାଟି ଆଉ ଇଠାଫଳ ରେ ସଫା କରେ। ବାସନ ମଜା ସାବୁନ ଟିକିଏ ନପାଇ ଚୂଲି ପାଉଁଶ ରେ ବାସନ ମାଜୁ ମାଜୁ ମୁହଁ ସାରା ତାର କଳା ଲାଗିଯାଏ। ଚୂଲି ରେ ରୁଟି କରୁ କରୁ ଚିମୁଟା ନାହିଁ ବୋଲି ହାତରେ ଓଲଟେଇବା ସମୟରେ ହାତରେ ଗରମ ରୁଟି ର ବାମ୍ଫ ପଡି ଯେବେ ଫୋଟକା ହୋଇଯାଏ। ଏତିକି କହୁକହୁ ଆଉ ଆଗକୁ କିଛି କହି ପାରି ନଥିଲା ରଘୁଆ। ଝିଅଟି ରଘୁଆ ର ଅନ୍ତର କଥା ବୁଝିପାରି ରଘୁଆ ଆଖିରୁ ଲୁହ ପୋଛିଦେଇ କହିଲା- କାକା; ଆଜି ଖୁଡ଼ିଙ୍କ ପାଇଁ ସେଇ ସବୁ ଜିନିଷ ନେଇଯାଅ, ଯାହା ଖୁଡିଙ୍କର ନିହାତି ଦରକାର ବୋଲି ତୁମେ ମନେ କରୁଛ। ଏତିକି କହି ନିଜ ଜାଗାରେ ଓହ୍ଲାଇ ପଡିଥିଲା ପଡ଼ିଥିଲା ସେ ଝିଅଟି।

ଗୋଧୂଳି ର ଧୂମାୟିତ ଆସ୍ତରଣ ଡେଇଁ କାକଳି ଅନ୍ତିମ କଲରବ। ଘରଲେଉଟାଣି ଛାଇ ଆଲୁଅର ଲୁଚକାଳି ଖେଳ ଭିତରେ ବିଦାୟୀ ଆଲୁଅ ର ରକ୍ତିମ ଅରୁଣିମା ଆଭା ପ୍ରକାଶ କରି ସନ୍ଧ୍ୟା ତାର ଉପସ୍ଥିତି କୁ ଜାହିର କରି ବସୁଥାଏ। ପ୍ରେମପକ୍ଷୀ ମାନେ ଧୀରେଧୀରେ ଭିଡ଼ ଜମଉଥାନ୍ତି ପାର୍କ ମାନଙ୍କରେ। ରଘୁଆ ରିକ୍ସା ଥୋଇ ଗୋଟିଏ ମନୋହରି ଦୋକାନ ଭିତରକୁ ଗଲା। ସୁଲି ପାଇଁ କିଣିଥିଲା ଚିମୁଟା ଗୋଟେ। ଛୋଟ ସାମ୍ପୋ ବୋତଲ ଟିଏ। କିଓ କାର୍ପିନ ର ବାସନା ତେଲ ଶିଶି ଟିଏ। ଆଉ ମୁଣ୍ଡର ଖୋଷାକୁ ସଜେଇବା ପାଇଁ ଖୋଷା ଟିଏ। ଗୋଟେ ବାସନ ମଜା ସାବୁନ ସାଙ୍ଗକୁ ବାସନ ମଜା ଟିଏ ବି କିଣିଲା। ନଖ ପାଲିସ୍ ଗୋଟେ, ଅଳତା ଟିଏ, ନାଲି ଶାଢ଼ୀ ଖଣ୍ଡେ, ଭଲ ପାଣିଚୁଡ଼ି ମୁଠେ, ସିନ୍ଦୂର ଗୋଟେ ଆଉ ନାଲି ଓଢଣୀ ଟିଏ। ଝିଅ ଚମ୍ପି ପାଇଁ କିଣିଥିଲା ସୁନ୍ଦର ରବର କଣ୍ଢେଇ ଟିଏ ଆଉ ପୁଅ ଅଗାଧୁ ପାଇଁ କିଣିଥିଲା ବଡ଼ ବେଲୁନ୍ ଗୋଟେ। ଏବଂ ଅବ୍ଦୁଲ ଚାଚାଙ୍କ ପାଇଁ କିଣିଥିଲା ଚାଦର ଟିଏ। ଏସବୁ କିଣି ଫେରୁଥିବା ବାଟରେ ଶିବା ଫୁଲ ଦୋକାନ ରୁ ମଲ୍ଲୀ ଫୁଲ ର ଗଜରା ଟିଏ କିଣି ନିଜ ପକେଟ୍ ଭିତରେ ଖୁବ୍ ଯତ୍ନରେ ରଖିଥିଲା। ରାଜୁ ଜଳଖିଆ ଦୋକାନରୁ କିଣିଥିଲା କିଛି ଗରମ ପକୋଡ଼ି ଓ ଜିଲାପି। ସଞ୍ଜ ବୁଡ଼ିଲା ପରେ ଘରେ ଯାଇ ପହଁଚିଲା ରଘୁଆ। ଘରେ ପହଞ୍ଚି ଯାଇ ଦେଖିଲା ଅବ୍ଦୁଲ ଚାଚା ଶୋଇଛନ୍ତି। ପାଦଛୁଇଁ ପ୍ରଣାମ କରି ଘୋଡେଇ ଦେଲା ଆଣିଥିବା ନୂଆ ଚାଦର ଟିକୁ। ଘର ଅଗଣାରେ ଦେଖିଲା ଝିଅ ଚମ୍ପି ପାଖରେ ପୁଅ ଅଗାଧୁ ବସି ଛୋଟ ଛୋଟ ଡବା ଧରି ଖେଳୁଛି। ଝିଅ ହାତରେ କଣ୍ଢେଇ ଓ ପୁଅ ହାତରେ ବେଲୁନ୍ ଧରେଇ ସେମାନଙ୍କୁ ଟିକେ ଗେଲ୍ହ କରି ଘର ଭିତରକୁ ଚାହିଁଲା। ଦେଖିଲା , ସୁଲି ତାର ଚୂଲି ପାଖରେ ବସି ରୁଟି କରୁଛି। ରୁଟି ଖଣ୍ଡେ ଓଲଟେଇବା ବେଳେ ରଘୁଆ ପଛଆଡୁ ଯାଇ ସୁଲି ହାତକୁ ଧରି ପକେଇ ଆଣିଥିବା ଚିମୁଟା ରେ ନିଜେ ସେଇ ଶେଷ ରୁଟି ପଟକୁ ଓଲଟେଇ ରଖିଦେଲା। ତା'ପରେ ସୁଲି ହାତକୁ ଧରେଇ ଦେଲା ଆଣିଥିବା ଜିନିଷ ସବୁ। ସୁଲି, ଜିନିଷ ପ୍ରତି ନଜର ନଦେଇ କହିଲା- "ହଉ ତୁମେ ଯାଅ ହାତ ମୁହଁ ଧୋଇ ହୋଇ ଆସିବ। ମୁଁ ଖାଇବାକୁ ବାଢୁଛି। ତୁମେ ଯେମିତିକା ଲୋକ ; କିଏ ଜାଣେ କିଛି ଖାଇଥିବ କି ନାହିଁ"। ସୁଲି , ଜାଗାପାଣି କଲା। ସେତେବେଳକୁ ଝିଅ ଖେଳି ଖେଳି ଶୋଇ ପଡିଥାଏ। ପୁଅ ବି ଶୋଇବା ପାଇଁ କାନ୍ଦୁଥାଏ। ଝିଅକୁ ବିଛଣାରେ ଶୁଆଇ ଦେଇ ସୁଲି ପୁଅକୁ ଖୁଆଇ ଶୁଆଇ ଦେଲା। ତା'ପରେ ରଘୁଆ ଠାକୁରଙ୍କୁ ପ୍ରଣାମ କରି ଆସିଲା। ସୁଲି , ରୁଟି ଆଉ ଭଜା ଟିକିଏ ଥାଳି ପାଖରେ ରଖି ରଘୁଆକୁ ଖାଇବାକୁ ଦେଲା। ରଘୁଆ କହିଲା- ତୋ ପାଇଁ ଖାଇବା ଆଣିଲୁନି। ସୁଲି ଉତ୍ତର ଦେଲା- ମୁଁ ଦ୍ୱିପ୍ରହରେ ଟିକେ ବଳେଇ କରି ଖାଇ ଦେଇଥିଲି; ମୋତେ ଭୋକ ନାହିଁ। ତୁମେ ଖାଇଦିଅ"। ରଘୁଆ, ସୁଲି ହାତକୁ ଧରି ପକେଇ କହିଲା - "ଆଲୋ, କାହାକୁ ତୁ ମିଛକଥା କହୁଛୁ.....ତୋତେ କଣ ମୁଁ ଜାଣିନି। ମୋ ପାଇଁ ତୁ ତୋ ଜୀବନର ସବୁ ହସଖୁସି ଭୁଲି ମୋ ଓଠରେ ହସ ଭରିଛୁ। ତୋ ପାଇଁ ମୁଁ ନୂଆ ଜୀବନ ପାଇଛି। ତୋରି ସ୍ନେହ ମମତା ରେ ମୁଁ ଭୁଲିଛି ସଂସାର ଯାକର ଦୁଃଖ। ତୋତେ ଆଜିଯାଏ ଟିକେ ସୁଖ ଦେଇ ପାରିଲିନି। ସବୁବେଳେ ଅଭାଵ ଅନାଟନ ଭିତରେ ବିତିଲା ଜୀବନ। ଏମିତି କହୁ କହୁ ସୁଲି କୋଳରେ ମୁଣ୍ଡ ଗୁଞ୍ଜି କଇଁ କଇଁ ହୋଇ କାନ୍ଦି ଉଠିଲା ରଘୁଆ। ସୁଲି ଆଖିରୁ ବି ଝରି ଆସିଲା ଅସରାଏ ବର୍ଷା ନିଜ ପ୍ରାଣପ୍ରିୟଙ୍କ ହୃଦୟରେ ତା'ପ୍ରତି ଏତେ ଭଲ ପାଇବା ଦେଖି। ତା'ପାଇଁ କେବେ କିଛି କରି ନ ପାରିଥିବାର ଦୁଃଖକୁ ସେ ସ୍ପଷ୍ଟ ଅନୁଭଵ କରୁଥିଲା ରଘୁଆ ର ପ୍ରତ୍ୟେକ ଟି ଶବ୍ଦରୁ। ନିଜ ଲୁହ ପୋଛି ରଘୁଆ ଆଖିରୁ ଲୁହ ପୋଛିଲା ସୁଲି ତା କାନି ପଣତରେ। ସ୍ନେହରେ ରଘୁଆ ର ମୁଣ୍ଡକୁ ଆଉଁସି ଦେଇ କହିଲା - ଛି, ଏମିତି କଣ କହୁଛ। ତୁମକୁ ମୁଁ କଣ କେବେ କିଛି କହିଛି। ତୁମେ ମୋତେ ଯେମିତି ରଖିଛ, ଯେତିକି ଭଲ ପାଇବା ଦେଇଛ। ସେତିକି ରେ ମୁଁ ଖୁସି। ଜଣେ ନାରୀ ତା ଜୀବନରେ କେବଳ ଏତିକି ଚାହେଁ ଯେ ତା ସ୍ବାମୀ ତାକୁ ଜୀବନ ଠୁ ଅଧିକ ଭଲ ପାଉ। ଯାହାକି ତୁମେ ମୋତେ ସବୁବେଳେ ଦେଇ ଆସିଛ। ଆଉ ମୁଁ କିଛି ଚାହେଁ ନାହିଁ। ଖାଲି ମା ତାରିଣୀଙ୍କୁ ଏତିକି କାମନା କରୁଛି ତୁମରି କୋଳରେ ମୋ ପ୍ରାଣ ଯାଉ। ଅହି ସୁଲକ୍ଷଣୀ ହୋଇ ମୋ କୋକେଇ ଉଠୁ। ରଘୁଆ ସୁଲି ପାଟିରେ ହାତ ଦେଇ କହିଲା - ଆଲୋ ବାୟାଣୀ ହେଇଗଲୁ କି? ତୁ ଏମିତି କଣ କହୁଛୁ । ତୁ ଚାଲିଗଲେ ମୁଁ ବଞ୍ଚିବି କେମିତି। ତୁ ଅଛୁ ତ ମୋ ଅସ୍ତିତ୍ବ ଅଛି। ତୋରି ପାଇଁ ମୁଁ ଆଉ ମୋ ପିଲାମାନେ। ମୁଁ ମା'ଙ୍କ ପାଖରେ ଗୁହାରୀ କରୁଛି , ଯେତେଦିନ ଯାଏ ଆୟୁଷ ଅଛି; ଆମ ସଂସାରକୁ ଏମିତି ହସଖୁସି ରେ ରଖିଥାନ୍ତୁ। ହଉ ହଉ ଛାଡ ସେ କଥା। ରଘୁଆ ଆଣିଥିବା ଗରମ ପକୋଡ଼ି ଓ ଜିଲାପି ସୁଲି ହାତକୁ ବଢ଼େଇ ଦେଇ କହିଲା - "ଆଲୋ ଆଜି ସଭିଏଁ କହୁଥିଲେ ଆଜି କୁଆଡେ ଭାଲେଣ୍ଟାଇନ ଡେ। ମାନେ ପ୍ରେମ ର ଦିବସ। ଯିଏ ଯାହାକୁ ଯେତେ ଭଲପାଏ। ତାକୁ ନିଜର ମନକଥା ଆଜି କୁହେ। ମୋ ମନକଥା ତୁ ତ ଜାଣିଛୁ। ଆଉ କଣ କହିବି ଲୋ। ଖାଲି ଏତିକି କହୁଛି -" ସବୁ ଜନମ ରେ ତୁ ମୋର ହେଇ ରହିଥିବୁ"। ତୁ ଥିଲେ ମୁଁ ଥିବି। ନହେଲେ ମୋର କିଛି ନାହିଁ ଲୋ। ସୁଲି ପାଟିରେ ଜିଲାପି ଖଣ୍ଡେ ଖୁଆଇ ଦେଇ ରଘୁଆ କହିଲା- ଦେଖିଲୁ ନା ନାହିଁ ସେ ଝୁଲା ରେ କଣ ଅଛି? ସୁଲି କହିଲା ତୁମେ ଖାଇସାର। ତା'ପରେ ଦେଖିବି। ଦୁହେଁ ସାଥୀ ହୋଇ ସେହି ଗୋଟିଏ ଥାଳିରେ ଖାଇଲେ। ତା ପରେ ସବୁ କାମ ସାରି ସୁଲି ବିଛଣା ଉପରେ ଗୋଟି ଗୋଟି କରି ଜିନିଷ କାଢି ବାହାରେ ରଖିଲା। ଜିନିଷ ସବୁ ଦେଖୁ ଦେଖୁ ଖୁସିରେ ତା ଆଖି ଲୁହରେ ଭରିଗଲା। ପ୍ରତ୍ୟେକଟି ଜିନିଷ ରୁ ସେ ପାଇଥିଲା ଅନାବିଳ ସ୍ନେହ,ମମତା ଓ ଭଲପାଇବାର ବାସ୍ନା। ଯାହା ସଞ୍ଚରି ଯାଇଥିଲା ତାର ତନୁମନରେ। ନିବିଡ଼ ବାହୁବନ୍ଧନରେ ସେ ଜାବୋଡି ଧରିଲା ରଘୁଆ କୁ। ଆଉ କହିଲା -"ସବୁ ଜନମ ରେ ତୁମେ ବି ମୋର ହୋଇ ଥାଅ"। ରଘୁଆ ତା ମୁଣ୍ଡରେ ହାତ ବୁଲେଇ ଆଣି କହିଲା - ଆଲୋ ସେମିତି ଜାବୋଡି ଧରିଥିବୁ ନା ଏସବୁ ଲଗେଇ ସଜ ହେବୁ। ତୋତେ ଆଜି ନୂଆବୋହୂ ବେଶରେ ଦେଖିବାକୁ ଭାରି ଇଛା ହେଉଛିଲୋ।

ସୁଲି, ତା ମାସକ ତଳର ନୁଖୁରା କେଶରେ ଲଗେଇଲା ବାସନା ତେଲ। ଆଣିଥିବା ଖୋଷାରେ ଖୋଷା କୁ ବାନ୍ଧି ସଜେଇଲା। ନାଲି ଶାଢ଼ୀ, ଶଙ୍ଖା ପିନ୍ଧି ସଜେଇ ହୋଇ ରଘୁଆ କୁ ପଚାରିଲା - ଦେଖିଲ, କେମିତି ଲାଗୁଛି? ରଘୁଆ କହିଲା - ଟିକେ ରହ , କିଛି ଖାଲି ଖାଲି ଲାଗୁଛି। ନାଲି ଓଢଣୀ ଟା ମୁଣ୍ଡରେ ପକେଇ ଦେଇ ସିନ୍ଦୂର ପିନ୍ଧେଇ ଦେଲା ସୁଲି ସିନ୍ଥିରେ। ପକେଟ୍ ରୁ ଧୀରେ ମଲ୍ଲୀ ଫୁଲର ଗଜରା କାଢି ତା ଖୋଷା ରେ ବାନ୍ଧିଦେଲା। ମମତା ର ଉପବନରେ ଏଇ ମଲ୍ଲୀ ଫୁଲର ବାସ୍ନା ଯେମିତି ସୃଷ୍ଟି କରିଥିଲା ଏକ ମନୋରମ ପରିବେଶ। ରଘୁଆ, ସୁଲିକୁ ତା ନିଜ ଆଡକୁ ଟାଣି ଆଣି ତା' କପାଳରେ ଦୀର୍ଘ ଚୁମ୍ବନ ଟିଏ ଆଙ୍କି କହିଲା - "ସତରେ ଲୋ ସୁଲି, ତୁ ଆଜି ଠିକ୍ ନୂଆବୋହୂ ଟିଏ ପରି ଦିଶୁଛୁ। ସୁଲି ଲାଜରେ ଝାଉଁଳି ପଡିଥିଲା ସରମିଳତାଟିଏ ପରି ରଘୁଆ ଛାତିରେ। ବଢ଼ୁଥିଲା ରାତ୍ରିର ନିର୍ଜନାତା। ସେହି ନିର୍ଜନ ରାତ୍ରିର ନିସ୍ତବ୍ଧତା ଭିତରେ ଏଇ ଦୁଇ ପ୍ରେମପକ୍ଷୀ ଏକାକାର ହୋଇ ଯାଉଥିଲେ ଦୁହିଁଙ୍କ ଭିତରେ। ସାକାର ହେଉଥିଲା ପ୍ରେମ ର ସଂଜ୍ଞା, ଭଲ ପାଇବାର ଅର୍ଥ। ଆଉ ଏଇ ପ୍ରେମ ଦିବସ ମଧୁମୟ ହୋଇ ଉଠୁଥିଲା ଏଇ ମଧୁ ଯାମିନିରେ।


©®ଅମରେନ୍ଦ୍ର ଚୌଧୁରୀ ଓଝା
ବାଇବାଳ, ପୀରହାଟ ବଜ଼ାର, ଭଦ୍ରକ-୭୫୬୧୩୧
ଭ୍ରାମ୍ୟଭାଷ- ୮୨୪୯୩୮୭୯୦୧

Post a Comment

0 Comments