Children World

ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର... ତିନିଶହରୁ ଉର୍ଦ୍ଧ ଲେଖକ ଲେଖିକା ଏବଂ ଦୁଇଲକ୍ଷରୁ ଉର୍ଦ୍ଧ ପାଠକ ପାଠିକା ମାନଙ୍କର ପ୍ରିୟ ଇ-ସାହିତ୍ୟ ୱେବ ପୋର୍ଟାଲ ବଣମଲ୍ଲୀର ମହକ ଆପଣଙ୍କୁ ସ୍ଵାଗତ ଜଣାଉଛି ।

ପ୍ରତ୍ୟାଶା - ଡକ୍ଟର ଲକ୍ଷ୍ମଣ ସାହୁ

ସକାଳ ହେଲେ ତମେ ମନେ ପଡ
ଆଖି ପହଁରି ଯାଏ ନଇ ନାଳ ସେ ଦୂରନ୍ତ ପାହାଡ
କାଳେ ତମେ ଆସୁଥିବ ଭିଜି ଭିଜି
ଗୁଣୁ ଗୁଣୁ ଗୀତ ଟିଏ ଗାଇ
ମୁଁ ଖୋଜୁଥାଏ ଅନାମନା ହୋଇ
ହୁଏତ ଶୁଣିବି ଥରେ ତମ ମଧୁର କଣ୍ଠଶ୍ୱର
ଗାଈ ଜଗୁଥିବା ଜଗୁଆଳି ଟୋକାଟାର ଖଣ୍ତିଖାସ
ତମେ କାକର ଭିଜା ଧାନ କିଆରିରେ ନଇଁ ପଡି
ଗୁଣୁଗୁଣୁ ହଉଥବ ଅତି ଅସ୍ପଷ୍ଟ ଭାବରେ ।
ପେଜ ତୋରାଣିରେ ପେଟ ପୁରୁନଥିବ
ଆଶ୍ରା କରୁଥିବା ଆମ୍ୱଟାକୁଆକୁ ବଉଳ
ଝଡିଗଲା ପରେ ତମ ମୁହଁ ଉଦାସ
ଆଖିତଳେ ଲୁହ, ଛାତିର କୋହ
ମୁଣ୍ତପରେ ତାତି, ଉଜାଣି ଉଠିଥିବା ଯୌବନ
ଘୋଡାଇ ବାକୁ ଥରେ ଚେଷ୍ଟା କରୁଥିବ
ତା'ସତ୍ତ୍ୱେ ବିଭତ୍ସ କାମୁକ ଉଣ୍ତୁଥିବ ବାରଂବାର
ଅସତର୍କ ମୁହୂର୍ତ୍ତକୁ, ପଳପଳ କରି ଝୁଣିନେବାକୁ ।
ଏବେ ମୋ ଭାବିବା ବେଳକୁ ତମର ଏ ଅବଶ
ଦେହଟା, ଚିହ୍ନି ହଉନି, ରକ୍ତମୁଖା କାମୁକର
ନାରକୀୟ କାଣ୍ତପରେ, ତମ ସାତସିଆଁ ଫ୍ରର୍କ
କେବଳ ପଡିଛି, ମୋ ଆଖି ସାମନାରେ
ମୋତେ ମୂକ ବଧିର ଅଂଧ ଟିଏ କରି
ଠିଆ କରାଇଛି, ସତେ ତମେ ମୋତେ
ଥରେ କୁହାଇ ଦଉନ, ମୋ ପ୍ରେମକୁ
ତଉଲି ଦେଖୁଛ, କାଳେ ତମ ପରି
ଘଟିଯିବ ମୋର, କଣ୍ଠ ମୋ ଚାପି ଧରୁଛ
ସଜ ସକାଳେ ଖୋଜିବାକୁ ମୁଁ ଯେମିତି
ନିତି ଆସୁଥିବି, ତମ ଗୁଣୁଗୁଣୁ ଗୀତ ଶୁଣିବାକୁ ନା !!!


ଓଡିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ-4
ଦୂରଭାଷ : 94377 40280

Post a Comment

0 Comments