Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଭ୍ରମଣ କାହାଣୀରେ ଭାରତର ଚାରିଧାମ - ଶରତ ଚନ୍ଦ୍ର ଜାଲି


ଭାରତ ହେଉଛି ଧର୍ମ, ଜ୍ଞାନଓଭକ୍ତିର ଦେଶ । ପୁଣ୍ୟଓପବିତ୍ରତା ଏଇ ଦେଶର ମୂଳମନ୍ତ୍ର । ପୁଣ୍ୟଶାଳି ଭାରତବର୍ଷର ସଂସ୍କୃତି, ସଂସ୍କାର, ରୀତିନୀତି, ପରମ୍ପରା, ପର୍ବପର୍ବାଣି ଓ ଯାନିଯାତ୍ରା ଅନ୍ୟ ରାଷ୍ଟ୍ରଠାରୁ ସଂପୂର୍ଣ୍ଣ ଭିନ୍ନ । ସବୁଦେଶ ଏଇ ମୋ ଭାରତ ମାଟିକୁ ସାଲୁଟ ମାରନ୍ତି । ସେଥିପାଇଁ କହୁଯାଏ-

ବର୍ଷାଣାଂ ଭାରତ ଶ୍ରେଷ୍ଠ ଦେଶାନାଂ ଉତ୍କଳ ସ୍ମୃତ
ଉତ୍କଳସ୍ୟ ସମଦେଶ ଦେଶନାସ୍ତି ମହୀତଳେ ॥

ଅର୍ଥାତ୍ ବିଶ୍ୱର ସବୁପ୍ରଦେଶମାନଙ୍କ ମଧ୍ୟରେ ଯେପରି ଉତ୍କଳପ୍ରଦେଶ ଶ୍ରେଷ୍ଠ ସେହିପରି ବିଶ୍ୱର ପ୍ରତ୍ୟେକ ଦେଶମାନଙ୍କ ମଧ୍ୟରେ ମୋସୁନାର ଭାରତବର୍ଷ ଜ୍ୟେଷ୍ଠ ଆଉ ଶ୍ରେଷ୍ଠ । ଯେତେବେଳେ, ଅର୍ଧମ, ଅସତ୍ୟ, ଅନ୍ୟାୟ, ଅନୀତି, ପାପ ବଢିବଢିଚାଲେ ସେତେବେଳେ ଗୋଲକବିହାରୀ ପ୍ରଭୁ ବୈକୁଣ୍ଠପୁର ତ୍ୟାଗକରି ଚାଲିଆସନ୍ତି ଏଇମାଟି କୋଳକୁ ଅବତାର ପୁରୁଷ ହୋଇ ଯୁଗେଯୁଗେ ଭାରତମାତାର କୋଳ ମଣ୍ଡନକରି କେତେଯେ ଲୀଳାଖେଳା କରିଯାଆନ୍ତି ଲୀଳାମୟଠାକୁର । ଫଳରେ ଏଇମାଟି ତାଙ୍କରି ପାଦସ୍ପର୍ଶ ଲଭି ହୋଇଯାଏ ପୂତ, ପବିତ୍ର ଓ ପୁଣ୍ୟ । ଭଗବାନଙ୍କର ସେଇ ଲୀଳାକ୍ଷେତ୍ର ମାନବମାନଙ୍କର ଭଗବତଧାମ ବା ପୁଣ୍ୟଧାମ ହୋଇଯାଏ ।

ପୁଣ୍ୟଭୁମି ଭାରତବର୍ଷରେ ପୁରାଣଯୁଗରୁ ଅନେକ ଧାମ ଅନେକ ନାମରେ ମୁଣ୍ଡଟେକି ଥିବା ବେଳେ ସବୁ ଧାମ ମଧ୍ୟରେ ଚାରିଧାମ ଚଉବର୍ଗଦାତା ବୋଲି ଶାସ୍ତ୍ରରେ କୁହାଯାଇଛି । ଭାରତର ପୂର୍ବ, ପଶ୍ଚମ, ଉତ୍ତର, ଦକ୍ଷିଣଦିଗରେ ଜଗନ୍ନାଥଧାମ, ରାମେଶ୍ୱରଧାମ, ବଦ୍ରିଧାମ ଓ ଦ୍ୱାରିକାଧାମ ଚାରିଧାମ ନାମରେ ବିଶ୍ୱପ୍ରସିଦ୍ଧ । ଚାରିଧାମକୁ ବର୍ଷକରେ କୋଟିକୋଟି ହିନ୍ଦୁଧର୍ମାଲମ୍ବି ତୀର୍ଥଯାତ୍ରୀମାନେ ଦର୍ଶନ କରିବାକୁ ବହୁ ଦୂରଦରାନ୍ତରୁ ଆସନ୍ତି । ଲୋକମାନଙ୍କର ମନରେ ବିଶ୍ୱାସଯେ ଯେଉଁମାନେ ଚାରିଧାମ ଯାତ୍ରା କରନ୍ତି ସେମାନେ ଅଜସ୍ର ପୁଣ୍ୟ ଅର୍ଜନ କରିବା ସହିତ ଅନ୍ତକାଳେ ସ୍ୱର୍ଗଯାତ୍ରା କରନ୍ତି ବୋଲି ଭାଗବତରେ କୁହାଯାଇଛି-

ସକଳତୀର୍ଥ ତୋ ଚରଣେ
ବଦ୍ରିକା ଯିବି କି କାରଣେ ॥
ଆଶ୍ରମ ନାମେ ବଦରିକା
ସେ କି ତୋ ଚରଣୁ ଅଧିକା ॥

ସତ୍ୟଯୁଗର ଧାମଭାବରେ ବଦ୍ରିଧାମ ପୁରାଣବିଦିତ । ଏଇ ଧାମ ଉତ୍ତରଭାରତର ଉତ୍ତରାଖଣ୍ଡ ରାଜ୍ୟରେ ବିରାଜମାନ କରିଛି । ହିମାଳୟ ପର୍ବତର ପାଦଦେଶଠାରୁ ୩୫୦ କି.ମି. ଉଚ୍ଚକୁ ଯାତ୍ରା କଲେ ଶୀତଳ, ମନମୁଗ୍ଦକର ପରିବେଶର ପରିସରରେ ମନୋହର ଓ ସୁନ୍ଦର ମନ୍ଦିରଟିଏ ଦର୍ଶନରେ ଆସିଥାଏ । ଏହି ମନ୍ଦିରରେ ପ୍ରଭୁ ବଦ୍ରିନାଥ ସ୍ୱୟଂ ଅଧିଷ୍ଠିତ । ବଦ୍ରିନାଥଙ୍କ ମନ୍ଦିର ଛଅମାସ ଉନ୍ମୁକ୍ତ ଓ ଛଅମାସ ବନ୍ଦ ହୋଇଥାଏ । ଦୀପାବଳି ଠାରୁ ଅକ୍ଷୟତୃତୀୟା ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହେ କାରଣ ଏଇ ସମୟରେ ପ୍ରବଳରୁ ପ୍ରବଳ ଥଣ୍ଡା ସହିତ ବହୁତ ବରଫ ପଡୁଥିବାରୁ ତୀର୍ଥଯାତ୍ରୀଙ୍କର ଜୀବନପ୍ରତି ଆଶଙ୍କା ରହିଥାଏ । ଏଇ ଛଅମାସ ସ୍ୱର୍ଗରୁ ଦେବତାମାନେ ଆସି ଠାକୁରଙ୍କର ପୂଜଅର୍ଚ୍ଚନା କରିନ୍ତି ବୋଲି ଲୋକଙ୍କର ବିଶ୍ୱାସ । ଗଙ୍ଗୋତ୍ରୀ, ଯମୁନେତ୍ରୀ ଓ ହିମାଳୟ ପର୍ବତର ଦର୍ଶନ ସମସ୍ତଙ୍କୁ ଆତ୍ମତୃପ୍ତି ଓ ମନରେ ଶାନ୍ତି ଭରିଦେଉଥିବା ବେଳେ, ଯିବାଅାସିବା ବେଳେ ଯାତ୍ରୀମାନଙ୍କମନରେ ଅନେକ ଭୟ ଭରିଦେଇଥାଏ ଏଇଧାମ ।

ଦ୍ୱାରିକାଧାମ ଦ୍ୱାପର ଯୁଗର ଧାମଭାବେ ପୁରାଣ ପ୍ରସିଦ୍ଧ । ପଶ୍ଚିମଭାରତର ଗୁଜୁରାଟ ରାଜ୍ୟରେ ଏଇଧାମ ବିଦ୍ୟମାନ । ଏହିଠାରେ ରସିକଶେଖର ପ୍ରଭୁ ଶ୍ରୀକୃଷ୍ଣ ସୁରମ୍ୟ ମନ୍ଦିର ପ୍ରାଙ୍ଗଣରେ ପୂଜା ପାଇବା ସହିତ କୋଟିକୋଟି କୃଷ୍ଣପ୍ରେମୀ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ଭକ୍ତମାନେ ଶ୍ରୀକୃଷ୍ଣଙ୍କର ପୁରାଣ ବର୍ଣ୍ଣିତ ସ୍ଥାନମାନ ଦେଖି କୃତକୃତ୍ୟ ହୋଇଯାନ୍ତି । ଦର୍ଶନକରି ତୀର୍ଥଯାତ୍ରୀମାନେ ଫେରୁଥିବାବେଳେ ହୃଦୟରେ ଗୀତା, ଭାଗବତ ଓ ମହାଭାରତର ପୁଣ୍ୟ ଚେତନା ଭରିଦେଇଥାଏ ଏଇଧାମ ।

ରାମେଶ୍ୱରଧାମ ତ୍ରେତୟାଯୁଗର ଧାମ ଭାବେ ଶାସ୍ତ୍ର ବିହିତ । ଦକ୍ଷିଣଭାରତର ତାମିଲନାଡୁ ରାଜ୍ୟରେ ଏଇଧାମ ବିରାଜମାନକରି ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କର ମନକୁ କିଣିନେଇଥାଏ । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଲୀଳାକ୍ଷେତ୍ର ହେଉଛି ରାମେଶ୍ୱରଧାମ । ସେତୁବନ୍ଧ, ରାମେଶ୍ୱରମନ୍ଦିର ଇତ୍ୟାଦିକୁ ଦର୍ଶନକରି ଫେରିବାବେଳେ ତୀର୍ଥଯାତ୍ରୀଙ୍କ ମନରେ ରାମାୟଣର ଆଦର୍ଶମୟ କଥା ଉଙ୍କିମାରିଥାଏ ।

ଜଗନ୍ନାଥଧାମ ବିଷୟରେ-

ସର୍ବେଷାଂ ସର୍ବକ୍ଷେତ୍ରାଣାଂ ରାଜା ଶ୍ରୀପୁରୁଷୋତ୍ତମ
ସର୍ବେଷାଂ ସର୍ବଦେବାନଂ ରାଜା ଶ୍ରୀପୁରୁଷୋତ୍ତମ ॥

ସବୁକ୍ଷେତ୍ର ବା ଧାମମାନଙ୍କ ମଧ୍ୟରେ ରାଜାକ୍ଷେତ୍ର ପୁରୁଷୋତ୍ତମକ୍ଷେତ୍ର ବା ଜଗନ୍ନାଥଧାମ । ସକଳ ଦେବତାଙ୍କ ଭିତରେ ରାଜାହେଉଛନ୍ତି ପ୍ରଭୁ ଜଗନ୍ନାଥ । ଏହିଧାମ ପୂର୍ବଭାରତର ଉତ୍କଳ ପ୍ରଦେଶର ପୁରୀ ସହରରେ ଅବସ୍ଥିତ । ହିନ୍ଦୁମାନଙ୍କର ଆରାଧ୍ୟ ଠାକୁର ପ୍ରଭୁଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ସୁବିଶାଳ ଶ୍ରୀମନ୍ଦିରରେ ଅଧିଷ୍ଠିତ ହୋଇ କୋଟିକୋଟି ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି । ଏହିଠାରେ ବାରମାସରେ ତେରପର୍ବ ପାଳିତ ହେଉଥିବା ବେଳେ ଶ୍ରୀଗୁଣ୍ଡିଚାଯାତ୍ରା ଓ ବାହୁଡାଯାତ୍ରା ବିଶ୍ୱ ପ୍ରସିଦ୍ଧ । ସମୁଦ୍ରରକୂଳରେ ଏହିଧାମଟି ରହିଥିବା ହେତୁ ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରିଥାଏ ।


ଶରତ ଚନ୍ଦ୍ର ଜାଲି
ପଥରା, ଖଲ୍ଲିକୋଟ, ଗଞ୍ଜାମ

Post a Comment

0 Comments