Information

"ସ୍ଵାଗତିକା" ସାହିତ୍ୟ ପତ୍ରିକା ନିମନ୍ତେ ଇ-ମେଲ, ହ୍ଵାଟସଆପ ଓ ଡାକ ମାଧ୍ୟମରେ କବିତା ପଠାନ୍ତୁ । କବିତା ପଠାଇବାର ଶେଷ ତାରିଖ ୩୦/୧୧/୨୦୧୮ ଏବଂ କବିତାର ପରିଧି ୧୬ ରୁ ୨୦ ଧାଡି ମଧ୍ୟରେ ରହିବା ଆବଶ୍ୟକ । Email - swagatika.nishikanta@gmail.com / WhatsApp - 8018646704 / By Post - The Chief Editor, Swagatika, At - Lokipur, PO - Gadamanatir, Dist - Khordha, Pin-752062, Odisha.

ଶେଷ ଇଚ୍ଛା - ରାଜେଶ ପୂଜାରୀ

ମତେ ଭାବିଲେ ମାଡ଼େ ଡର
ଯେ ତୁମେ କିପରି
ଏକ ଅଜଣା ଗ୍ରହରେ
ରହି ପାରିଛ ଏତେ ଦିନ ଧରି
ତୁଟାଇ ଭାବର ଡୋରି ।

ହେତୁ ଅଛି,
ମନ ଭଲ ନଥିଲେ
ବସୁଥିଲ ଗୁମ୍ ହେଇ
ଗାଁ ନଈକୂଳ ବର ତଳେ
ତୁମକୁ ମନେଇ ବୁଝେଇ
ଦେଉଥିଲି ମୁଁ ହସେଇ ।

ଓହଳ ଝୁଲଣ କାଦୁଅ କୀର୍ତ୍ତନ
ବର କନିଆଁ ବିଲୁଆ ଘର
ପାଣି ପହଁରା ଡଙ୍ଗାର ଖେଳ
ସବୁତ ସାକ୍ଷୀ ଆମର ।

ସେଠାରେ ନପାଇ ଏସବୁ
ମେଘ ବିରହୀ କେକୀ ପରି
ଉଦାସ୍ ହେଲେ
କ'ଣ କରୁଥିବ ଭାବି
ପାଳଟିଯାଏ ମୁଁ ଉଦାସ୍ ଗୋଧୂଳି !

ପୁଣି ଭାବିହୁଏ
ତୁମେ ଯେମିତି
ଅଛ ମୋ ପାଖରେ
ପାଖରେ ନଥାଇ
ଖରାରେ ଛାଇ
ବର୍ଷାରେ ଛତା
ଶୀତରେ କମ୍ବଳ ହୋଇ
ମିଠା ମିଠା ଭାବନାରେ
ଛାତିର ସ୍ପଂଦନରେ
ଆଖିର ସପନରେ
ହୁଏତ ମୁଁ ବି ଥାଇପାରେ
ତୁମ ପାଖରେ‌..!

ବୋଧେ ମୁଁ
ତୁମ ସାଙ୍ଗରେ ଗଲିନି ବୋଲି
ଯାଇଛି ତୁମେ ଭରି
କ୍ରୋଧରେ,ଅଭିମାନରେ
ହେଲେ କାହାକୁ ନା'କାହାକୁ
ଏଠି ଥିଲା ରହିବାର
ପହରା ପାଇଁ ସ୍ମୃତି ଫରୁଆର ।

କେଜାଣି କାହିଁକି ଆଜି
ଏଇ ଫୁଲୁରି ସଞ୍ଜର
ଶେଷ ପାହାଚରେ
ଭାରି ଇଚ୍ଛା ମୋର
ଦେଖିବାକୁ ମୁଖ ଚନ୍ଦ୍ରମା ତୁମର
ତୁମ ସାଙ୍ଗରେ
ହସିବାକୁ କାନ୍ଦିବାକୁ
ଫୁଲିବାକୁ,ରୁଷିକରି
ଗାଳି କରି
କାନ ଧରି କ୍ଷମା ମାଗିବାକୁ ।

ବେଶି ନହେଲେ ବି
କିଛି କ୍ଷଣ ପାଇଁ
ଆସନ୍ତା କି'ଫେରି
କେବେ ନା କେବେ
ଆସିବ ବୋଲି
ମୁଁ ଅଦ୍ୟପି ବଞ୍ଚୁଛି ମରି ମରି
ତୁମ ପଥ ଅନୁସରି।


କୁଶମେଲ, ଝାରସୁଗୁଡ଼ା
ମୋ-୯୭୭୭୨୮୦୫୯୪

Post a Comment

0 Comments